Unknown

 

 

 

 

 

 

 

 

 

 

 

ଅନାଥାଶ୍ରମ

ଶ୍ରୀ ଚନ୍ଦ୍ରମଣି ଦାସ

 

ଉପହାର

 

ଭିକାରି ଜୀବନରେ ବାଟ ଚଲା ସରିବାର ନୁହେଁ—ସରିବ ନାହିଁ । ବେଳ ବୁଡ଼ିଲା...

 

ବୁଢ଼ାଟି ସ୍ୱପ୍ନ ରାଇଜରୁ ଫେରିଆସିଲା ପରି ଡାକିଲା—ଅନୁ ? ମା’ ମୋର...ଠିଆ ହ ।

 

ଏଗାର ବାର ବରଷର ଝିଅଟିଏ ଅନୁ । ତାର ସୁନ୍ଦର ଗୋରା ଦେହଟି ମଳିମସିଆ—ଅଯତ୍ନରେ କାଳି ପଡ଼ି ଯାଇଛି, ମୁହଁଟି ତାର ଶୁଖିଲା—ଆଖିରେ ନରମ ଚାହାଣି ।

 

ସେଦିନ ଭାରି ଟାଆଁସିଆ ଖରା । କେତେ ଗାଁ ଗଣ୍ଡା, ବାରଦୁଆର ବୁଲି ହାଲିଆ ହେଇ ଫେରି ଆସୁଥାନ୍ତି । ବୁଢ଼ାର ଡାକରେ ଅନୁ ବୁଲିପଡ଼ି ଠିଆ ହୋଇ ଯାଇ କହିଲା—କ’ଣ ବାବା, ଆଉ କ’ଣ ଚାଲି ପାରିବ ନାହିଁ । ତମର ଗୋଡ଼ ହାତ ବଡ ବିନ୍ଧିବଣି । ଏଇ ଗଛମୂଳେ ବସିପଡ଼, ଗୋଡ଼ ଟିକିଏ ଚିପି ଦେବି ।

 

ବୁଢ଼ାଟି ନିଜ ଆଡ଼କୁ ଝିଅଟିକୁ ଆଉଜେଇ ଆଣି ଥର ଥର ଗଳାରେ ତାର ନୁଖୁରାବାଳ ଉପରେ ହାଡ଼ୁଆ ଆଙ୍ଗୁଠିଗୁଡ଼ାକ ବୁଲାଉ ବୁଲାଉ କହିଲା—ତୋର ବି ମୋ ପାଇଁ ଚିନ୍ତା ମା’ । ମୋ ପାଇଁ ଭଗବାନ ଭାବି ନାହାନ୍ତି—ଦୁନିଆ ଭାବି ନାହିଁ—ଆଉ ତୁ ! ବୁଢ଼ାର ପଞ୍ଜରା ଥରାଇ ନିଶ୍ୱାସଟା ବାହାରି ଆସିଲା—ଆଉ ଆଖିରେ ଲୁହ ଛଳ ଛଳ ।

 

—ବାବା, କାନ୍ଦୁଛ ? ଭାରି କଷ୍ଟ ହେବଣି ନା ?

 

—ନାଇଁ ମା’, ମୋତେ କିଛି କଷ୍ଟ ହେଇନାହିଁ, ତୋରି କଷ୍ଟ ! କେତେ ବାଟ ଚାଲିଲାଣି ମାଆଟି ମୋର ! ଆହା, ମୁହଁଟି କଳାକାଠ ପଡ଼ି ଗଲାଣିତ ! ବୁଢ଼ାଟି ଦଣ୍ଡେ ନୀରବ ରହି ତାର ସାତସିଆଁ ମସିଆ ଲୁଗାଟିରେ ଅନୁର ମୁହଁଟିକୁ ପୋଛିବାକୁ ଲାଗିଲା ।

 

ସେହି ଟିକକ ଆଦର ସ୍ନେହରେ ଅନେଇ ଶୁଖିଲା ମୁହଁଟି ସତେଜ ହୋଇ ଉଠିଲା । ଦେହରେ ବି ତାର ବଳ ଆସିଛି ।

 

—ଆଉ କୁଆଡ଼େ ଯିବା ମା’ । ବେଳ ବି ଆସି ଗଲାଣି, ତୁ ବି ବାଟ ଚାଲି ଚାଲି ଥକି ଗଲୁଣି । କେତେବେଳେ କ’ଣ ମନ୍ଦିଏ ତୋରାଣି ପିଇଥିଲୁ, ସେ କ’ଣ ଆଉ ପେଟରେ ଥିବ । ଏଇ ବରଗଛ ମୂଳଟି ବେଶ୍‌ ହୋଇଛି, ଏଇ ସବୁ ଥାନ ତ ଆମ ଭଳି ଭିକାରିଙ୍କର ଭଲ ଥାନ । ୟା’ରି ମୂଳେ ଗଣ୍ଡିଏ ବସାଇ ଦେବା । ଖରା ଦିନ ତ, ଆମ ଭଳି ଆଉ କିଏ ଆସିବତ ଏଇଠି ଶୋଇଯିବା, ନୋହିଲେ ହେଇତ ଗାଁ, ରାତିଟା କାହାରି ପିଣ୍ଡାପହଣ୍ଡରେ କଟାଇ ଦେବା ।

 

ଅନୁଟି ନରମ ଗଳାରେ କହିଲା—ନା ବାବା, ଆମେ ସବୁଦିନେ ଯେଉଁଠି ରହୁଛେ, ସେଇଠିକୁ ଚାଲ । ମୋ ଗୋଡ଼ କିଛି ହେଉ ନାହିଁ, ମୁଁ ଚାଲିଯିବି ଯେ । ସେଠି ପହଞ୍ଚିଲେ ତମେ କତରା ପାରି ଶୋଇଯିବ, ମୁଁ ଚାଉଳ ଗଣ୍ଡିଏ ବସାଇ ଦେବି । କାଲି ପଛକେ କୁଆଡ଼େ ଆଉ ଯିବାନାହିଁ । ଆମର ଯାହା ଚାଉଳ ଅଛି, ଅଳ୍ପ ବହୁତେ ଦି’ ଦିନ ଚଳିଯିବ.. ।

 

ଧରମ ଦେବତା ପଶ୍ଚିମ ଦିଗକୁ ଢଳି ପଡ଼ୁଥିଲେ । ବୁଢ଼ା ସେଇ ଆଡ଼କୁ ଥରେ ଚାହିଁ କହି କହି ଚାଲିଲା—ହଉ ମା’ ଚାଲେ; ଆମର ସବୁଦିନିଆ ରହିବା ଥାନ । ସେ ଯାଇଛି—ମଣିଷ ଯାଇଛନ୍ତି—ସବୁ ଜଳିପୋଡ଼ି ଯାଇଛି, ଚାଲ ମା, ଚାଲ ।

 

ଆଗରେ ଅନୁ—ପଛରେ ବୁଢ଼ା, ଆଉରି ଦି’ପା ବାଟ । ଆଗେ ଆଗେ ଆଙ୍କବାଙ୍କ ହୋଇ ଅଣଓସାରିଆ ମାଟି ରାସ୍ତାଟିଏ ଲମ୍ବି ଯାଇଛି କାହିଁ କେତେ ଦୂରକୁ । ଦୁଇ ପାଖରେ ଭୂଷା ହଳ କିଆରୀ । ଟିକିଏ ଦୂରେଇ ଦୂରେଇ ଗଛପତ୍ର ଘେରା ଛୋଟ ଛୋଟ ଗାଁଟି ମାନ ।

 

ଜମିଦାର ମଦନବାବୁଙ୍କ ଘର । ଦି’ମହଲା କୋଠା, ଆଗରେ କଚେରୀ ଘର । ଟିକିଏ ଦୂରେଇ ଘୋଡ଼ାଶାଳ ପଛପଟେ କେଉଁ କାଳର ପୁରୁଣା ଆମ୍ବଗଛଟାଏ । ତାର ଅଳ୍ପ ଦୂରରେ ପଥର ପାହାଚ ବନ୍ଧା ସୁନ୍ଦର ପୋଖରୀ ।

 

ଜମିଦାରବାବୁଙ୍କ ଘର ସାଜସଜା, ଯିବା ଆସିବା ଦାସୀ ପରିବାରୀ ଦେଖିଲେ ବାଟର ଭିକାରି ଅନୁଭବ କରେ, ସ୍ୱର୍ଗ ଆଉ କେଉଁଠି ନାହିଁ—ଏଇଠି ସ୍ୱର୍ଗ । ଧର୍ମବଳରୁ ଏଇମାନେ ସ୍ୱର୍ଗସୁଖ ଭୋଗ କରୁଛନ୍ତି ।

 

ଘୋଡ଼ାଶାଳ ପଛପଟ ଆମ୍ବଗଛ ମୂଳେ ଭଙ୍ଗାତୁଟା ପତର କୁଡ଼ିଆଟିଏ । ସେଇ କୁଡ଼ିଆ ଭିତରେ ବୁଢ଼ା ଆଉ ଅନୁର ତିନୋଟି ବର୍ଷ କଟି ଗଲାଣି । ଭଗବାନଙ୍କ ଦୟାରୁ ପ୍ରଥମେ ପ୍ରଥମେ ଜମିଦାରଙ୍କ ଲୋକେ ବେଳେ ବେଳେ ଧମକା ଧମକି କରୁଥିଲେ । ଏବେ କିନ୍ତୁ ସେସବୁ ନାହିଁ । କିଏ କାହାର ଖବର ରଖୁଛି ।

 

ଅନୁ ଆଉ ବୁଢ଼ା ସେଦିନ ସେଠି ପହଞ୍ଚିଲାବେଳକୁ ଠାକୁରମନ୍ଦିରମାନଙ୍କରେ ସନ୍ଧ୍ୟା ଘଣ୍ଟି ବାଜିଲାଣି ।

 

ବୁଢ଼ାଟି ଘୋଡ଼ାଶାଳ ପିଣ୍ଡାରେ ନଥୁ କରି ବସି ପଡ଼ିଲା । ଅନୁ ତର ତର କରି ଚାଉଳ ବୁଜୁଳାଟି କୁଡ଼ିଆ ଭିତରେ ରଖି ଦେଇ, ଛୋଟ ମାଠିଆଟିରେ ପୋଖରୀରୁ ପାଣି ମୁନ୍ଦାଏ ନେଇ ଆସି କହିଲା, ଗୋଡ଼ ଧୋଇପକା । ମୁଁ ପାରି ଦେଉଛି ସେଇଠି ଶୋଇପଡ଼, ଭାତ ରାନ୍ଧି ସାରିଲେ ମୁଁ ଯାଇ ଉଠାଇବି ।

 

ବୁଢ଼ାଟି ଅଣ୍ଟାରେ ଭରା ଦେଇ ଉଠି ଗୋଡ଼ ଧୋଇସାରି ଅନୁ ପିଠିରେ ହାତ ବୁଲାଇ କହିଲା—ତୁ ଗୋଡ଼ ଧୋଇପକା ଝିଅ ମୋତେ ଜମାରୁ କଷ୍ଟ ହୋଇନାହିଁ । ତୁ ଅଖା ଖଣ୍ଡକ ପକାଇ ମୋରି ପାଖରେ ଥିର ହୋଇ ବସ । ମୁଁ ଗଣ୍ଡିଏ ଫୁଟାଇ ଦେଉଛି । କେତେବେଳେ ଗଣ୍ଡିଏ କିଏ ହିନିମାନିଆ କରି ଦେଇଥିଲା—ଖାଇଥିଲି, ପୁଣି ତୁ ରାନ୍ଧିବୁ, ଆଉ ମୁଁ ଶୋଇବି । ମା’ଟା ପରା ମୋ କଥା ମାନେ । ତୁ ବସ, ମୁଁ କରି ଦେଉଛି । ବୁଜୁଳାରେ ଅଛି, ସେ ସାହୁ ଘରୁ ପଇସାକର ମୁଢ଼ି ଉଖୁଡ଼ା କିଣିଥିଲୁ ପରା, ଗୋଟିଏ ଗୋଟିଏ ପାଟିରେ ପକା ।

 

ଅନୁ ତର ତର ହୋଇ କହିଲା—ନା ବାବା, ତୁମେ ବୁଢ଼ା ମଣିଷ । ତମେ ସେଇଠି ବସ, ମୁଁ କରିଦେବି ଯେ । ବୁଢ଼ା ଅନୁଟିକୁ ନିଜ ଆଡ଼କୁ ଡାକି ଆଣି ଥର ଥର ଗଳାରେ କହିଲା—ମାଆଟିର ମୋର କେତେ ବୁଦ୍ଧି ! ବୁଢ଼ା ଆଖିରୁ ଦି’ ଠୋପା ତତଲା ଲୁହ, ଅନୁର ନୁଖୁରା ବାଳ ଉପରେ ପଡ଼ି କୁଆଡ଼େ ଉଭେଇଗଲା ।

 

ଅନୁ ସେଇ ଅନ୍ଧାର ଭିତରେ ବୁଢ଼ା ମୁହଁଆଡ଼େ ଅନାଇ ନରମ ଗଳାରେ କହିଲା—ବାବା, ତମେ ସବୁଦିନେ ଖାଲି ଇମିତି ମନକଷ୍ଟ କରି କଥା କହୁଛ–କାନ୍ଦୁଛ...

 

—ନା ମା’ ଆଉ କାନ୍ଦିବି ନାହିଁ, ତୋରି ପାଇଁ ପରା ବଞ୍ଚି ରହିଛି ।

 

ଜମିଦାରଙ୍କ ଘରୁ, କେତେବେଳୁ ଚକ ଚକ ଧଳା ନେଳି ଆଲୁଅ ଜଳି ଉଠିଲାଣି । କୋଠା ଛାତ ଉପରେ ହସ ଖୁସି, ଗ୍ରାମୋଫୋନର ମଧୁରରାଗିଣୀ ପବନରେ ଭାସି ଯାଉଛି କେତେ ଦୂରକୁ ।

 

ଅନୁ ସେଇ ପତର କୁଡ଼ିଆ ଭିତରେ ଅଣ୍ଡାଳି ଅଣ୍ଡାଳି ଦିଆସିଲିଟି ଖୋଜି ବାହାର କରି ଡିବିଟି ଲଗାଇ ହଲାଇ କହିଲା—ବାବା, ତେଲ ସରିଲାଣି, ଆଜି ରାତିକ ଯିବ କି ନଯିବ ।

 

—ମା’, ଆମ ଭିକାରି ଘରେ ଗୋଟିଏ ଦିନ—ଗୋଟିଏ ଯୁଗ ସଙ୍ଗେ ସମାନ, ଆଜିକ ଯାଉ ।

 

ଅନୁ ଗଛମୂଳେ ଇଟା ତିନିଖଣ୍ଡି ସଜାଡ଼ି କାଠିକୁଟା ଦି’ଖଣ୍ଡି ମୁହିଁଦେଇ ହାଣ୍ଡିଟି ବସାଇ ଦେଲା ।

 

ଚୁଲିପାଖ ଆଲୁଅରେ ବସି ମାଗି ଆଣିଥିବା ପରିବା ଗୁଡ଼ିକ ଫିଟାଇ ଦନ୍ଥରା ଛୁରୀ ଖଣ୍ଡକରେ କାଟୁ କାଟୁ ଅନୁ ଡାକିଲା—ବାବା ?

 

—କଣ କରିବି, କହ ମା’ ସେଠିକୁ ଯିବି ?

 

ନାଇଁ, ଯେଉଁ ପରିବାଗୁଡ଼ାକ ମାଗି ଆଣିଛେ, ସେଥିରୁ ମୋଟେ ତିନିଚାରିଟା ଭଲ ବାହାରିଲା । ସେଥିରୁ ଅଧେ ପାକଲା, କିଏ ପଚା, କିଏ ପୋକା ଆଉ କେଉଁଟା ଶୁକୁଟା । ମାଗିବା କଥା, ଯାହାର ଇଚ୍ଛା ହବ ଦେବ, ନଇଲେ ନାଇଁ । ଆମେ ବାବା କାହାକୁ କ’ଣ ଦବାକୁ ବଳାଉଥିଲେ ? ଦେବାଠୁଁ, ଏ ପୋକା ସଢ଼ା ନଦେଇଥିଲେ ତ ଭଲ ହେଇ ଥାଆନ୍ତା । ପଚି ସଢ଼ି ଯାଉଛି, ଫୋପାଡ଼ି ଦେଉଛନ୍ତି, ଗରିବଙ୍କୁ ଗୋଟିଏ ଭଲ ଦେଲେ କ’ଣ ସରିଯାଆନ୍ତା ।

 

—ହଁ ମା’, ମାଗିବା କଥା, ଯିଏ ଯାହା ଦେଲା ଆମର ଭଲ । ଯାହା ଅଛି ସେଇଆକୁ ସିଜାଇଦେ । ସେମାନଙ୍କ ଆଖିରେ ଭିକାରିଗୁଡ଼ା ମଣିଷ ପରି ଦିଶନ୍ତି ନାହିଁ । କୁକୁର ମାଙ୍କଡ଼ଙ୍କଠୁଁ ହୀନ । ଆମ କରମ, ତାଙ୍କୁ କାହିଁକି ଦୋଷ ଦେବା ।

 

ଅନୁ ପଚାସଢ଼ା ପରିବାଗୁଡ଼ାକୁ ଦୂରକୁ ଫୋପାଡ଼ି ଦେଇ ବାକିତକ ପଲମରେ ଯୋଗାଡ଼ି ରଖିଲା ।

 

ଆଗ ଜମିଦାରଙ୍କ ଘରୁ ମାଛ, ମାଂସର ବାସନା ପବନରେ ମହକି ଆସୁଥାଏ । ରାତି ପ୍ରାୟ ଦି’ ଘଡ଼ି ହେବ । ପାଖ ଘୋଡ଼ା ଘାସିଆର ବୁଢ଼ାଟି ଖାଇସାରି ପଦାକୁ ଆସି କହିଲା—କିଲୋ ଝିଅ, ଖାଇ ସାରିଲୁଣି । ନିଆଁ ଟିକିଏ ଦେଲୁ ?

 

ଅନୁ କହିଲା—ନା, ଖାଇନୁ ମଉସା । ହେଇ ନିଅ ନିଆଁ । ଘାସିଆ ବୁଢ଼ାଟି ନିଆଁ ନେଇ ଚାଲିଗଲା ।

 

ରାନ୍ଧି ସାରି ଅନୁ ଡାକିଲା—ବାବା ଆସ, ରୋଷେଇ ସରିଗଲାଣି । ବୁଢ଼ା ଉଠି ଆସି କଦଳୀ ପତର ଖଣ୍ଡିଏ ପାରି ଦୁହେଁ ଖାଇ ବସିଲେ ।

 

ପବନରେ ପୁଣି ଭାସି ଆସିଲା ମାଂସ ଝୋଳର ବାସନା ।

 

ଅନୁ ଭାତ ଗୁଣ୍ଡିଏ ପାଟିକୁ ନେଇ ତରକାରୀ ଟିକିଏ ନେଉଁ ନେଉଁ କହିଲା—ମାଂସ ତୁଣ ଖୁବ୍‌ ଭଲଲାଗେ—ନା ବାବା ? ଅନୁ ଆଉ କିଛି କହିଲା ନାହିଁ ।

 

ଅନୁର କଥା ପଦିକ ବୁଢ଼ା ଅନ୍ତର ଭିତରେ କେଉଁଠି ଯେ ବାଜିଲା, ବୁଢ଼ା ନିଜେ କ୍ଷଣକ ପାଇଁ ବୁଝି ପାରିଲା ନାହିଁ । ତାର ଭାତଗୁଣ୍ଡାଟି ଆପେ ଆପେ ହାତରେ ଅଟକି ଗଲା ।

 

ପୁଣି ଅନୁ କହିଲା—ଖାଉନା, ତଣ୍ଟିରେ କ’ଣ ଲାଗିଲା ? ପାଣି ପରା ପାଖରେ ଅଛି ।

 

—ନା, ମା’, ତଣ୍ଟିରେ କିଛି ଲାଗିନାହିଁ । ଆମେ ପରା ଦାଣ୍ଡର ଭିକାରି, ମାଂସ ଝୋଳ କଥା କାହିଁକି ଭାବିବା । ଆଚ୍ଛା ହଉ, ମଗାଯଚା ପଇସାରୁ ମୋ ଅଣ୍ଟାରେ ତିନିଟଙ୍କା ହେଲାଣି । ଏଣିକି ଯେଉଁ ଗାଁରେ ମାଂସ ହବାର ଦେଖିବା, ପାଏ ଖଣ୍ଡେ ଆଣିବା ଯେ, ତୁ ଖାଇବୁ ।

 

ଅନୁ ମନରେ କ’ଣ ଭାବି ତୁନି ରହିଲା ।

 

‘‘ଖାଇ ସାରିଲେ, ଛିଣ୍ଡା କତରା ଉପରେ ଅଖା ପାରି ଦିଅନ୍ତି । ଅନୁ ଶୋଇପଡ଼େ । ବୁଢ଼ାଟି ତାରି ପାଖରେ ବସି ପିଙ୍କା ଖଣ୍ଡିଏ ଟାଣୁ ଟାଣୁ ସେଇଠି ଶୋଇପଡ଼େ । ଦି’ଘଡ଼ି ରାତି ହୁଏ–ଜମିଦାର ଘରୁ ଆଲୁଅ ଲିଭେ—ନିଶା ଗର୍ଜେ ସାଇଁ ସାଇଁ, ତେଣିକି ବୁଢ଼ା ଆଖିକୁ ଆଉ ନିଦ ଆସେ ନାହିଁ । ଉଡ଼ାଝପଟା ମଶାଟାଏ କାମୁଡ଼ିଲେ ଅନୁ ବି ନିଦରେ ଗୋଡ଼ ହାତ ବାଡ଼େଇ ହୁଏ । ବୁଢ଼ା ଉଠି ବସି ଅନୁ ଉପରେ ହାତ ବୁଲାଏ । ଝାଳ ବୋହିଲେ ଛିଣ୍ଡା ଲୁଗା କାନିରେ ପୋଛିଦେଇ, ବରଡ଼ା ପତର ବିଞ୍ଚଣା ଖଣ୍ଡି ହଲାଏ, ଆଉ ସେହି ନିଶବ୍ଦ ରାତିରେ ବସି ବସି ତାର ଅତୀତ ଜୀବନ ଆଡ଼କୁ ଆଖି ପକାଏ । କାହିଁ ସେକଥା କେତେ ଦୂରକୁ ଘୁଞ୍ଚିଗଲାଣି... ଆଖି ପାଏ ନାହିଁ ।’’

 

ଦିନ ପରେ ଦିନ ଗଡ଼ି ଚାଲେ ତା ସଙ୍ଗେ ଗଡ଼ି ଚାଲିଥାଏ ଭିକାରି ଜୀବନର ହୀନିମାନିଆ ଦିନ ଗୁଡ଼ିକ....ଜୀବନରେ ଆସେ ମଧୁର ଯୌବନ । ତା ବିଚାରରେ ଧନୀ, ଦରିଦ୍ର କିଛି ବାରଣ ନଥାଏ । ସେ ତାର କଅଁଳ କାଉଁରୀ ହାତକୁ ବେଳକାଳ ଉଣ୍ଡି ସମସ୍ତଙ୍କ ଦେହରେ ବୁଲାଇ ଆଣେ । ତା ମନଟି ଭାରି ସରଳ, ସେ ଚାହେଁ ସବୁରି ଦେହ ମନରେ ପରିବର୍ତ୍ତନ ଦେଖିବ–ସବୁରି ଆଖିରେ ମନଭୁଲା ଚାହାଣି–ଅଧରରେ ମଧୁବୋଳା ହସ ଦେଖି ନିଜେ ମୁଗ୍‍ଧ–ତନ୍ମୟ ହେବ ।

 

ଅନୁ ସେଥିରୁ ବାଦ୍‌ ଯାଇନାହିଁ । ତାରି ମଳିମସିଆ ଦେହରେ ଯୌବନ ତାର କାଉଁରୀ ହାତକୁ ବୁଲାଇ ଆଣିଛି । ତା ଆଖିର ମଳିନ ଚାହାଁଣି ଏବେ ଚଞ୍ଚଳ ହୋଇଯାଇଛି—ତାର ଶୁଖିଲା ଚିବୁକ ଦୁଇଟି ସତେଜ ଫିକା ଲାଲ ହୋଇ ଉଠିଛି। ତାର ମନରେ ଆସିଛି ବଡ଼ ଗୋଳମାଳିଆ ପରିବର୍ତ୍ତନ—ତାର ଦେହ ମୁଣ୍ଡରେ ଆସିଛି ରୂପଲାବଣ୍ୟର ଢେଉ । କିନ୍ତୁ ସେ ଗରୀବ—ଦାଣ୍ଡର ଭିକାରି, ତାର ଦୁନିଆରେ ବାପଟି ଛଡ଼ା କେହି ନାହିଁ ।

 

ସକାଳ ହୁଏ । ସବୁଦିନ ପରି ଦାନ୍ତପତ୍ର ଘସି ଅନୁ ଚାଲେ ଆଗେ ଆଗେ—ବୁଢ଼ା ଚାଲେ ପଛେ ପଛେ—ଲକ୍ଷ୍ୟହୀନ ହୋଇ ଭିକ୍ଷା କରି ।

 

ଅନୁ ବାଟ ଚାଲୁ ଚାଲୁ ତାର ସବୁଜ ମନଟିରେ କେତେ ଗୋଳମାଳିଆ କଥା ଗଜୁରି ଉଠେ—ଅନୁ ନିଜକୁ ଭୁଲି ଆଗକୁ ପାଦ ପକାଏ....କିନ୍ତୁ ପ୍ରତି ମୁହୂର୍ତ୍ତରେ ଅନୁକୁ ଦେଖି ଦେଖି ବୁଢ଼ାଟିର ଅନ୍ତରରେ କିଏ ତତଲା ଶାବଳ ଭୁଷିଦିଏ । ...ଅନୁ ତ ଆଉ ନିହାତି ଛୋଟ ପିଲା ନୁହେଁ ! ଆଉ କେଇଟି ଦିନେ....ବୁଢ଼ାର ମନ ଗୋଳମାଳ ହୋଇଯାଏ । ଉପାୟ ! ଏହାପରେ ସେ କ’ଣ ଅନୁକୁ ନେଇ ବାରଦୁଆର ବୁଲି ପାରିବ ! ସେ ଯଦି ଆଉ କେଇଦିନେ ଆଖି ବୁଜେ । ମଣିଷ ଜୀବନ ପାଣି ଫୋଟକା । ବୁଢ଼ାର ଆଖି ଆଗରେ କଳା ପଟଳ ପଡ଼ିଯାଏ । ବୁଦ୍ଧି ଦିଶୁନାହିଁ, ବୁଢ଼ାର ପାଦ ଅଟକି ଯାଏ ।

 

ହାଟ ପାଳି ଦିନ ବାର ଦୋକାନ ବୁଲି ବୁଲି ଭିକ ମାଗୁ ମାଗୁ କିଏ ଅନୁ ଆଡ଼େ ତରାଟି ଚାହେଁ, କିଏ ସାତପାଞ୍ଚ ମନରେ ଭାବି, ରହି ରହି ପଚାରେ—କି ଜାତିକିରେ ବୁଢ଼ା ? ତା’ ପାଟିରୁ କଥା ନସରୁଣୁ ବୁଢ଼ା ଜାତି ଭୁଲାଇ କହେ—ବାବୁ ଜାତିରେ ପାଣ । ଲୋକଟା ମୁହଁ ଖଟା ପଡ଼ିଯାଏ-। ଆଉ କାହା ପାଖରେ ପଲମଟି ଦେଖାଇଲେ ସେ ଥରେ ଅନୁ ମୁହଁକୁ ଅନାଇଁ ଦେଇ ଭଲ ଭଲ ବାଇଗଣ ଦି’ଟା ପକାଇ ଦିଏ । କିଏ ହଳଦୀ ଦିଏ—କିଏ ରସୁଣ ଦିଏ । କିଏତ କାହିଁକି ଆଗପରି ଦୁରଦୁର ମାରମାର କରନ୍ତି ନାହିଁ ! ଏସବୁ କାହିଁକି ହୁଏ, ବୁଢ଼ା ସେସବୁ ବୁଝେ । ତା’ ମନଟା ତତଲା ପାଣିରେ ପଡ଼ି ଛଟପଟ ହେଲାପରି ଲାଗେ । ଆଉ ଉପାୟ ନାହିଁ—ସେ ଭିକାରି–ଦାଣ୍ଡର ଭିକାରି-। ଭଗବାନଙ୍କର ଏଡ଼େବଡ଼ ଦୁନିଆ ଭିତରେ ତାର ଭାଗ ନାହିଁ । ସେ କେହି ନୁହେଁ-

 

ବେଳେ ବେଳେ ଅନୁ ହଠାତ୍‌ ଅଟକି ଯାଇ କହେ–ବାପା, ଦେଖିଲଣି ସେ ପିତଳ ଖଡ଼ୁଟି କି ସୁନ୍ଦର ହୋଇଛି, ପଇସା ନାହିଁ, ନଇଲେ ନିଅନ୍ତି । ସେ ପିତଳ କାଚ ଗୁଡ଼ିକ ଆଉରି ସୁନ୍ଦର ବାବା ! ଚାରିପଟ ନିଅନ୍ତି....ଅନୁ କିଛି ନ କହି ବୁଢ଼ା କଥାକୁ ଅପେକ୍ଷା କରେ । ବୁଢ଼ା ଗୋଟାଏ ଦୀର୍ଘ ନିଶ୍ୱାସ ମାରି ମନେ ମନେ ଭାବେ–ହେ ଭଗବାନ ! ମୁଁ ଥିଲି କ’ଣ, ହେଲି କ’ଣ-। ତାର ଆଖି କ୍ଷଣକ ପାଇଁ ବୁଜି ହୋଇ ଆସେ । ଅନୁ କଥାରେ ଉତ୍ତର ଦେଇ ବୁଢ଼ା କହେ–ମା’ ଆମେ–ପରା ଦାଣ୍ଡର ଭିକାରି, ଏତେ ପଇସା କେଉଁଠୁ ଆସିବ ! ଆଜି ସେଇ କାଚ ଚାରିପଟି କିଣ, ଆର ପାଳିକୁ ସେ ପିତଳ ଖଡ଼ୁଟିକୁ ଦେଖିବା ।

 

ଅନୁ ସେ ଦୋକାନ ଉପରେ ନଇଁପଡ଼ି ଭାରି ଆନନ୍ଦ ହୋଇ ଡାକେ—ହେ ଦୋକାନୀ ବାବୁ, ସେ କାଚ ଚାରିପଟ ଦେଖାଇଲ, ମୋ ହାତକୁ ହଉଛି କି ନାହିଁ ମୁଁ ଦେଖେଁ ।

 

ଦୋକାନୀ ତା’ ଆଡ଼େ ନିମିଷେ ଅନାଇଁ କହେ—ଦେଖୁଛ ପରା ଇଆଡ଼େ ଗହକିଙ୍କୁ ଦେଉଛି । ତୁ କି ଘର ଝିଅ କିଲୋ ! ଉଠାଇ ନେଇ ହାତକୁ କଣ୍ଟି ପକାଉନୁ ।

 

ଅନୁ ସେ ଗହଣା ଲୋଭ ଆଉ ସମ୍ଭାଳି ପାରେ ନାହିଁ । ହାତ ବଢ଼ାଇ କାଚକୁ ନେଇ ହାତରେ କଣ୍ଟେ । କାଚ ଚାରିପଟିତ ହାତକୁ ବେଶ୍‌ ହେଉଛି । ସୁନ୍ଦର ହସଟିଏ ଆପେ ଆପେ ତା’ ମୁହଁରେ ମଣ୍ଡି ହୋଇଯାଏ । ବୁଢ଼ା ଆଡ଼େ ଅନାଇ ବଡ଼ ଖୁସି ହୋଇ କହେ—ବାବା ଦେଖିଲ, ହାତକୁ କିମିତି ହେଉଛି । ଏଇଆକୁ ନେବା ।

 

ଅନୁର ଆନନ୍ଦରେ ବୁଢ଼ା ମୁହଁରେ ବି କ୍ଷଣକ ପାଇଁ ହସ ଫୁଟି ଉଠେ । କିନ୍ତୁ ଭିତର ତାର ପୋଡ଼େ । କେତେ ସୁନା ରୂପାର ଖଡ଼ୁ ଏଇ ହାତରେ ଚଢ଼ାଇଛି—କେଇଟା ବର୍ଷ ଭିତରେ ସବୁ ଶେଷ ହୋଇଗଲା—ଆଜି ସେ ଦାଣ୍ଡର ଭିକାରି । ଅନୁ ପିତଳ କାଚ ଚାରିପଟ ପାଇଁ—ଏତେ ଆନନ୍ଦ ! ବୁଢ଼ା ଅନୁପିଠିରେ ହାତ ମାରି କହେ—ମୋ ମାଆଟାର ହାତକୁତ ବେଶ୍‌ ସୁନ୍ଦର ଦେଖାଯାଉଛି । ପଚାର, କେତେ ପଇସା ଦୋକାନୀ ବାବୁ ନେବେ । ବୁଢ଼ା ନିଜ ଅଣ୍ଟାରେ ହାତ ମାରେ ।”

 

ଅନୁ ହାତର କାଚକୁ ଦେଖୁ ଦେଖୁ ପଚାରେ—ଆମେ କେତେ ବାଟ ଯିବୁ ପରା, କେତେ ନେବ—କୁହ ?

 

ଦୋକାନୀ ଥରେ ତା’ ମୁହଁକୁ ଥରେ ତା ହାତକୁ ଅନାଇଁ କହେ—କେତେ ଦବୁ ତୁ ଆଉ-! ଦେ ବାରଣା ପଇସା—କାଢ଼େ ! ଅନୁ ଆଖି ତରାଟି କହେ—ଏଁ, ବାରଣା । ଆମେ କ’ଣ ଥିଲାବାଲା ହେଇଛୁ କି ? ଏତେ ଦାମ୍‌ କସି ଦେଉଚ । ଜଣକଠୁଁ ଲାଭ ନନେଲେ କ’ଣ ତମର ଖେତି ହୋଇଯିବ । ଠିକ୍‌ କଥା କୁହ । ନୋହିଲେ ଓହ୍ଲେଇ ଥୋଇ ଦେବି—ଏତେ ପଇସା ଆମେ ପାଇବୁ କେଉଁଠୁ-

 

ବୁଢ଼ା ଆଉ ପାଦେ ଆଗକୁ ଯାଇ କହେ—ସାହୁ ବାବୁ, ଭିକାରି ଲୋକ, କେଉଁଠୁ ପଇସା ଆଣିବୁ । ତମର ଦୟା, ଯାହା ନବ ଠିକ୍‌ କହି ଦିଅ । ତମର ଭଗବାନ ମଙ୍ଗଳ କରିବେ ଯେ-

 

ଦୋକାନୀ ଅନ୍ୟ କାମ କରୁ କରୁ ଅନୁ ମୁହଁକୁ ଥରେ ଚାହିଁ ଦେଇ ମୁହଁ ଶୁଖାଇ କହେ–ବଡ଼ ମୁସ୍କିଲ୍‌ତ ତୁ କଲୁ । କ’ଣ ତୁ ଦଉଛୁ ଦେ ।

 

ଅନୁ କହେ—ହେଇତ ସମସ୍ତେ ଆଠଅଣାକୁ କିଣୁଛନ୍ତି, ସେହି ଆଠଅଣା ନିଅ । ବୁଢ଼ା ଅନୁ ହାତକୁ ଅଣ୍ଟାରୁ କାଢ଼ି ଆଠଣିଟିଏ ବଢ଼ାଇ ଦିଏ । ଅନୁ ଦୋକାନୀ ପାଖକୁ ଆସ୍ତେ ପକାଇ ଦେଇ କହେ—ହେଇ ବାବୁ, ସେ କରାଟ ତଳେ ପଡ଼ିଲା, ଗୋଟେଇ ରଖ ।

 

ଦୋକାନୀ ପୁଣି ଥରେ ପଇସା ଖୋଜୁ ଖୋଜୁ ତା’ ମୁହଁଆଡ଼େ ଆଖି ବୁଲାଇ ଆଣି କହେ—ହାତରୁ ଗଲା ଲୋ—ହାତରୁ ଗଲା । ତମେତ କିଛି ବୁଝିବ ନାହିଁ—ଲାଭତ ଦୂରର କଥା, ମୂଳରୁ ଚାରିପଇସା ଗଲାଣି ।

 

ବୁଢ଼ା ଆଗକୁ ଯାଉ ଯାଉ କହେ—ହଉ ବାବା, ତମର ଦୟା, ଭଗବାନ କେଉଁ ବାଟରେ ଦି’ ପଇସା କମାଇ ଦେବେ ଯେ ।

 

ଦୁହେଁଯାକ ଚାଲନ୍ତି ଆଗକୁ ।

 

ଦୋକାନୀ ଆଉ ଥରେ ଦେଖିବା ବାହାନାରେ କହେ—ହଇଲୋ ! ଅନୁ ଫେରି ଚାହେଁ...

 

ଦୋକାନୀ କହେ—ଆଉ କ’ଣ ନେଲୁନୁ ? ହଉ ହଉ ଏଥର ଯା, ଆର ହାଟ ପାଳିକୁ ମୋର ଭଲ ଭଲ ଜିନିଷ ଆସି ପହଞ୍ଚିବ । ଆସିବୁତ ଅଳ୍ପ ଦାମରେ ପାଇବୁ ।

 

ଅନୁ ମୁଣ୍ଡ ଟୁଙ୍ଗାରେ ।

 

ବୁଢ଼ା କହେ—ବାର ଦୁଆର ବୁଲିବା ଲୋକ ବାବୁ—ଆଖ ପାଖରେ ଥିଲେ ସିନା !

 

ଅନୁ, ବୁଢ଼ା ଆଗକୁ ଚାଲନ୍ତି ।

 

ବୁଢ଼ା ବାଟ ଚାଲିବା ଭିତରେ ତାର ଭାବନା ଆଉ ଶେଷ ହୁଏ ନାହିଁ । ସେ ଭାବେ—ଅନୁତ ଆଗପରି ଆଉ ଛୋଟ ଝିଅଟିଏ ନୁହେଁ ? ତାର ବଅସ ଲାଗି ଆସୁଛି, ତା’ ପାଇଁ କି ଉପାୟ ସେ କରିବ ! ମନକୁ ତାର କିଛି ଆସେ ନାହିଁ ।

 

—ବାଟର ବାଟୋଇ ଯାଉ ଯାଉ ପଚାରେ—କି ଜାତିକିରେ ବୁଢ଼ା ? ଏ ଝିଅକୁ ନେଇ କେତେ ଦିନ ଆଉ ଭିକ ମାଗିବୁ । ଏବେଠୁଁ କଣ ଉପାୟ କର । କି ଜାତି କହିଲୁନୁ ? ହେଇ ଥାଆନ୍ତା ତ....

 

—ବାରବୁଲାଙ୍କର ଆଉ ବା କି ଜାତି । ସେ ତ ଛୋଟରେ ଗଣା ।

 

—ହଁ, ହଁ, ଆମର ବାମୁଣ ଘର, ବିଲ ବାରି କାମ କରିବାକୁତ ତୋର ଆଉ ବଳ ବଅସ ନାହିଁ । ହେଇଥାନ୍ତାତ—ତୋର ଏ ଝିଅଟା ଘରକୁ ପାଣି ଫାଣି ଦେଇଥାନ୍ତା, ବୋଲହାକ କରିଥାନ୍ତା-। ହେଲେ ଛୋଟ ଜାତି ତ !

 

ଅନୁର କଅଁଳ ମନଟି ତା’ କଥାରେ ଜଳି ଉଠେ । ଏଁ ଭାରି ମଣିଷ ତ । ୟା ଘରକୁ ପୁଣି ପାଣି ଦେବେ, ବୋଲହାକ କରିବେ । ଏକଥା ଭାବୁ ଭାବୁ ସଙ୍ଗେ ସଙ୍ଗେ ତା ମନ ନରମି ଯାଏ । ସତେତ ! ସେ କେଉଁ ବଡ଼ ଲୋକ କି ! ଦାଣ୍ଡର ଭିକାରି । ଗଛମୂଳ ତାଙ୍କର ଆଶ୍ରା । ମୋ କରମରେ ଆଉ କ’ଣ ଅଛି—ଇମିତି କାମ ନକରି !

 

—ହଁ ବାବା, ଶାସ୍ତ୍ରରେ ଅଛି ଛତିଶ ପାଟକରେ ରଜା ବାମୁଣ । ଅଜାତିକି ବଣିଜ ଅଡ଼ୁଆ ।

 

ବାଟୋଇଟି କହେ—ହଁ, ହଁ, ଯା ବୁଢ଼ା, ଦିନରାତି ଯେ କରୁଛି ସେ ସବୁ କଥା ବୁଝିବେ ଯେ ।

 

ଏଣିକି ବୁଢ଼ା ସବୁଦିନେ ଭିକ ମାଗିବାକୁ ଅନୁକୁ ନେଇ ଗାଁ ଗଣ୍ଡା ବୁଲିଯାଏ ନାହିଁ । ଯାହା ଦିନେ ମାଗି ଆଣନ୍ତି ତାହା ଦୁଖେ ସୁଖେ ତିନିଦିନ ଖାଇ ପୁଣି ଥରେ ବାଧ୍ୟହୋଇ ଗାଁ ଆଡ଼େ ବୁଲି ବାହାରନ୍ତି ।

 

ବୁଢ଼ାର ଆଜି କାଲି ଭାରି ଚିନ୍ତା । ସେ ରାତିରେ ଭାବି ଭାବି ଶୋଇପାରେ ନାହିଁ, ଖାଇବା ପିଇବା ଭୁଲିଯାଏ । ସବୁବେଳେ ସେଇ ଚିନ୍ତା ; ଅନୁତ ଆଉ ସବୁଦିନେ ଛୁଆ ହୋଇ ରହିବ ନାହିଁ ତାର ବଅସ ଲାଗି ଆସୁଛି । ସେ ତା’ ପାଇଁ କି ଉପାୟ କରିପାରିବ । ତାର ସେ ଯେ ଶେଷ ସମ୍ବଳ ।

 

ଅନୁ ଏବେ ବାପକୁ ଲଗାଇ ଲଗାଇ ବେକକୁ ପିତଳ ହାରଟିଏ—କାନକୁ ଛ’ଅଣା ଦେଇ କାପ ଦୋଟି କିଣି ଆଣିଛି । ତାର ମନରେ ଏଣିକି ଆନନ୍ଦର ସୀମା ନାହିଁ, ସବୁବେଳେ ତା’ ମୁହଁଟି ହସ ହସ ହୋଇ ଆସିଲାଣି ।

 

‘‘ଯୌବନ ଧନୀ ଦରିଦ୍ର ଜାଣେ ନାହିଁ । ସେ ଚାହେଁ ସବୁରି ଦେହ, ମନରେ ସବୁଜ ପରିବର୍ତ୍ତନ ଆଣିବାକୁ—ସମସ୍ତଙ୍କ ଆଖିରେ ମନଭୁଲା ଚାହାଣୀ—ଅଧରରେ ମଧୁବୋଳା ସିଆଣୀ ହସ ଦେଖିବାକୁ ।’’

 

ଦିନ ରହେ ନାହିଁ.....

 

ବୁଢ଼ାଟି ଏବେ କୁଡ଼ିଆ ଖଣ୍ଡିକୁ କୁଟା ଝାଟି ଆଣି ନିବୁଜ କରି ବୁଜି ଦେଲାଣି । ଦୁଆରେ ଖଣ୍ଡେ ଦେବଦାରୁ ଝାଟିର ତାଟି....ଏଣିକି ରାତିରେ ବୁଢ଼ା କହେ—ତୁ ଝିଅ, ସେଇ ଘର ଭିତରେ ଶୁଅ, ମୁଁ ଏଇ ଦୁଆର ମୁହଁରେ ଶୋଉଛି ।

 

ଅନୁ କହେ—ହଉ ।

 

ଦିନକୁ ଦିନ ଅନୁ ଆଖିରେ ଦିଶେ—ଦୁନିଆ ସୁନ୍ଦର, ସବୁଠି ଆନନ୍ଦ ଝର ଝର ହୋଇ ଝରୁଛି ।

 

.....ବୁଢ଼ାକୁ ଦୁନିଆ ଦିଶେ ଅନ୍ଧାର । ଉପାୟ ! ଉପାୟ !! ଶୂନ୍ୟ–ଶୂନ୍ୟ ମହାଶୂନ୍ୟ-

 

ବୁଢ଼ା ଭଗବାନଙ୍କୁ ଦିନ ରାତି ଡାକେ ।

 

ସେଦିନ ରାତି ନ’ଟା । ଗରମ ଭାରି । ଚନ୍ଦ୍ରକିରଣ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି ।

 

ସେଦିନ ବୁଢ଼ାର ମନଟା କାହିଁକି କିମିତ ହେଉଥାଏ । ସେ ତାର ଅତୀତ ଜୀବନର କଥା ଭାବିଲାବେଳକୁ ଯେତିକି ସୁଖ ଲାଗୁଥାଏ ସେତିକି ବି ଦୁଃଖ ଲାଗୁଥାଏ । ତଣ୍ଟି ପାଖରେ ସେସବୁ ଯେମିତି ଡବ ଡବ ହେଉଛି । ସବୁ ଅତୀତ କଥା ଅନୁ ଆଗରେ କହିଦେଲେ ସତେ ଯେପରି ତାର ମନଟା ବଡ଼ ହାଲୁକା ହୋଇଯିବ ।

 

ବୁଢ଼ା ଗଛମୂଳ ଛାଇରେ କତରାପାରି—ଗରମରେ କ’ଣ କରୁଛୁ । ଏଇଠିକୁ ଆ ।

 

ଅନୁ ସେତେବେଳକୁ ସେହି ଛୋଟ କୁଡ଼ିଆ ଭିତରେ ଡିବିଟି ଜାଳି, ତାର ପୁଟୁଳି ଭିତରେ ସେହି ପିତଳ ହାରଟିକୁ ଥରକୁ ଥର ଦେଖି ପୁଣି ତା’ ଭିତରେ ସଜାଡ଼ି ରଖୁଥାଏ । ସେ ପୁଟୁଳି ଭିତରେ ସେତିକି ନାହିଁ—ଆଉରି ଅଛି, ଛୋଟ ଛୋଟ ଆରସି ପାନିଆ, ଆଙ୍ଗୁଠିଏ ଲମ୍ବର ନାଲିଆ ଫୁଲରି ତେଲଟିଏ । ଅନୁ ତାକୁ ବାପକୁ ଲୁଚାଇ କିଣିଛି ।

 

ଦିନ ଯାଏ—ବଅସ ଲାଗେ, ଦାଣ୍ଡର ଭିକାରୁଣୀ ମନରେ ବି ଜାଗିଉଠେ ରୂପ ସଜାଇବାର ମୋହ ।

 

ବୁଢ଼ା ଡାକରେ ଅନୁ ତରତର ହୋଇ ପୁଟୁଳାଟି ବାନ୍ଧିଦେଇ କତରା ଉପରେ ବସିଯାଇ କହିଲା—କ’ଣ ବାବା ? ଆଜି ଜହ୍ନ ରାତିଟି ଭାରି ସୁନ୍ଦର ଦେଖାଯାଉଛି—ନୁହେଁ ?

 

ବୁଢ଼ା କହିଲା—ଏ ରାତି ଆମ ଭଳି ଦୁଃଖୀ ଦରିଦ୍ରଙ୍କ ପାଇ ନୁହେଁ ମାଆ । ଏଇ ଜମିଦାରଙ୍କ ଭଳି ଧନୀ ବଡ଼ଲୋକଙ୍କ ପାଇଁ ଏ ରାତି ।

 

ଅନୁ ବୁଢ଼ାର କଥା ଉପରେ କଥା ମଡ଼ାଇ କହିଲା—ନା ବାବା, ତମେ ବଡ଼ ମିଛ କଥା କହୁଛ ! ଏକା ଧନୀ ବଡ଼ଲୋକଙ୍କ ପାଇଁ କାହିଁକି ଏ ଜହ୍ନରାତି ହେବ, ଆମ ଗରିବଙ୍କ ପାଇଁ ବି ଏ ଜହ୍ନରାତି ହୋଇଛି । କାହିଁକ—ବାବା, ମୋ ମନତ ଆଜି ଭାରି ଦିନ ରହେରେ ହେଉଛି—ଚନ୍ଦ୍ର କିରଣଗୁଡ଼ା ଯଦି ଧଳା ଧଳା ହୋଇ ଏଇଠି ଓଜାଡ଼ି ହୋଇ ପଡ଼ନ୍ତା—ମୁଁ ତା’ ଉପରେ ଗଡ଼ିକି ଯାଆନ୍ତି । ଆମ ଗରିବଙ୍କ ପାଇଁ ଏ ରାତିଟି ଭାରି ଭଲ, ନୁହେଁ ବାବା ?

 

....ମନ ତଳେ ଲାଗିଛି ଯୌବନର ସବୁଜ ମଧୁ ପରଶ ।

 

ବୁଢ଼ା ସବୁ କଥା ଆଖି ପିଛୁଳାକେ ବୁଝିନେଇ କହିଲା—ହିଁ ମା’, ଏ ରାତିଟି ସମସ୍ତଙ୍କ ପାଇଁ ବେଶ୍‌ ଭଲ । ମୁଁ ସିନା ବୁଢ଼ା ହୋଇଗଲିଣି ବୋଲି ମୋତେ କିଛି ଜଣାଯାଉ ନାହିଁ । ଗୋଟିଏ କଥା କହିବି ଶୁଣିବୁ—ଧନୀ ସଉଦାଗର କଥା ।

 

ଅନୁ ସଜାଡ଼ିହୋଇ ବସି ବୁଢ଼ା ଗୋଡ଼କୁ ଆଉଁସୁ ଆଉଁସୁ କହିଲା—କୁହ ବାବା, ମୋତେ ଆଜି ଜମାରୁ ନିଦ ମାଡ଼ୁନାହିଁ, ମୁଁ ଚେଇଁବି ଯେ !

 

ବାହାରେ ଭାରି ଗରମ । ରହି ରହି ଦମକାଏ ସଲ ସଲ ପବନ କାହିଁ କେଉଁ ରାଇଜରୁ ବହି ଆସୁଛି । ଜମିଦାର ନରେନ୍ଦ୍ରବାବୁ ପବନ ଖାଇବାପାଇଁ ଏକୁଟିଆ ଆସି ବସିଛନ୍ତି ପୋଖରୀ ଚଟାଣ ବେଞ୍ଚ ଉପରେ ।

 

ଶୁଣ୍‌—ଖଣ୍ଡାୟତ ଘରଟିଏ । ତାଙ୍କର ସାତପୁରୁଷ ଥିଲେ ଖୁବ୍‌ଧନୀ ! ସାତ ସାତଖଣ୍ଡ ବୋଇତ ଦେଶ ବିଦେଶକୁ ବେପାର ବଣିଜ କରିବାକୁ ଯାଉଥିଲା । ତାଙ୍କର ବୋହୂ ଝିଅମାନେ ସୁନା ଖଡ଼ୁ ପିନ୍ଧୁଥିଲେ.....

 

—ସେଉଠୁ କ’ଣ ହେଲା ? ଅନୁ ପଚାରିଲା—

 

ଯୋଗକୁ ମା’ କାହାର ହାତ ସବୁଦିନେ ସମାନ ଯାଏନାହିଁ । ଦରିଆ ମଝିରେ ବୋଇତ ସବୁ ବୁଡ଼ିଗଲା—ଲୋକବାକ ମରି ହଜି ଗଲେ, କାରବାର ଆଉ ଚଳିଲା ନାହିଁ....

 

—ସେଇଠୁ ?

 

—ଘରେ ଯାହା ଧନ ସମ୍ପତ୍ତି ଥିଲା ତାହା ଆସ୍ତେ ବିକା କିଣା କରି ଖର୍ଚ୍ଚ କରିବାକୁ ଲାଗିଲେ । ବସି ଖାଇଲେ ନଈବାଲି ସରେ । କେତେ ଦିନ ଆଉ ଯିବ । ଯାହା ହେଉ ଦୁଃଖ ସୁଖରେ ପ୍ରାୟ ଅନେକ ଦିନ କଟିଗଲା । ସେଇଠୁ ସମସ୍ତେ ହେଲେ ଗରିବ । କ୍ରମେ କ୍ରମେ କିଏ ଭିନ୍ନେ ହୋଇଗଲା, କିଏ କଲିକତା, କାଳିମାଟିରେ ଘର କରି ରହିଲା । ଲୋକବାକ ବି ଅକାଳ ମୃତ୍ୟୁରେ ମରି ହଜିଗଲେ । ଶେଷକୁ ରହିଲା ମୋ ଭଳି ଲୋକଟିଏ । ସେତେବେଳକୁ ଜମି ଥିଲା ଦଶ ପନ୍ଦର ମାଣ, ଘର ବାରି, ବାଗ ବଗିଚା ଇତ୍ୟାଦି । ତାର ଥିଲା ଭାର୍ଯ୍ୟାଟିଏ ଆଉ.....

 

—ସେଉଠୁ କଣ ହେଲା ? କହୁନା ବାବା, ରହିଗଲ କାହିଁକି ? ନିଦ ମାଡ଼ିଲାଣି ?

 

—ହଁ ମା, ତାର ଥିଲା ସତୀ ସାବିତ୍ରୀ ପରି ସ୍ତ୍ରୀ ଟିଏ, ଆଉ ଯୋଡ଼ିଏ ପୁଅ । ବଡ଼ ପୁଅର ବୋହୂ । ଆଉ ତାର ତୋରି ଭଳି ଠିକ୍‌ ସୁନ୍ଦର ଝିଅଟିଏ । ସୁଖରେ ସଂସାରଟି ବେଶ୍‌ ଚଳି ଯାଉଥିଲା । ସୁନା ରୂପାର ଗହଣା ଗାଣ୍ଠିବି ଯାଇ ତାଇ ନାଉଥିଲେ ।

 

ତା’ ପରେ ?

 

—ତା’ପରେ ମା’ ? ତା’ପରେ ତାଙ୍କ ଉପରେ ବିପଦ ପରେ ବିପଦ ଝଞ୍ଜା ବହିବାକୁ ଲାଗିଲା । ସେବର୍ଷ ହଇଜା ରାଇଜଟା ଯାକ କିମିତି ପ୍ରବଳ ହେଉଥିଲା ଯେ ଗୋଟାଏ ଗୋଟାଏ ଗାଁବି ନିର୍ମଳ ହୋଇ ଯାଉଥିଲା ।

 

ଅନୁ ଟିକିଏ ଚଞ୍ଚଳ ହୋଇ କହିଲା—ସେମାନଙ୍କୁ ହଇଜା ଧଇଲା ନାହିଁ ତ ।

 

ବୁଢ଼ା ଆଉ କହିପାରିଲା ନାହିଁ, ନିଜକୁ ଭୁଲିଗଲା ।

 

ଅନୁ ଦି’ଥର ହଲାଇଦେଇ କହିଲା—ସେଇଠୁ କଣ ହେଲା କହୁନା ବାବା, ଶୋଇ ପଡ଼ିଲାଣି ?

 

—ହଁ ମା, ତା’ପରେ ସବୁ ଶେଷ ହୋଇଗଲା । ଚାରିଟା ଦିନରେ ଆଗପଛ ହୋଇ ତା ସ୍ତ୍ରୀ ମଲା, ବଡ଼ ପୁଅ ବୋହୂ ମଲେ ଶେଷରେ ସାନ ପୁଅ ବି ମଲା ।

 

କେବଳ ଛାତିକୁ ପଥର କରି ବଞ୍ଚି ରହିଲା—ସେଇ ବୁଢ଼ା ଆଉ ବଡ଼ ପୁଅର ତିନି ବରଷର ଝିଅଟିଏ । ଝିଅଟି ବି ବଞ୍ଚିବାର ଆଶା ନଥିଲା । ମରୁ ମରୁ ବଞ୍ଚିଲା । ଭଗବାନ ତାକୁ ରଖିଗଲେ ଦୁନିଆରେ ହୀନିମାନ କରାଇବାକୁ—ଆଉ ବୁଢ଼ାକୁ ରଖିଗଲେ ସାରାଦିନ ଆଖିରୁ ଲୁହ ଗଡ଼ାଇବାକୁ—

 

ଅନୁ ବଡ଼ ନରମ ଗଳାରେ କହିଲା—ଆହା କି ବିପଦ । ମାଆ ନାହିଁ । ସାନ ଝିଅଟିଏ, ବୁଢ଼ାଟି କିମିତି ଚଳିଥିବ? ଭାରି କଷ୍ଟ ହୋଇଥିବ ନୁହେଁ ।

 

ହଁ, ଭାରି କଷ୍ଟ, ବୁଢ଼ାଟି ସେଇ ମାଆ ବାପ ଛେଉଣ୍ଡଟିକୁ କାନ୍ଧରେ ପକାଇ ସବୁବେଳେ ବୁଲେ—ତାର ଖାଇବା ପିଇବାରେ ନଜର ଦେଇ ଦେଇ ତାର ପୋଡ଼ା ପାଉଶଁ ଦିନ ଗୁଡ଼ାକ କଟାଇ ଦିଏ ।

 

—ତା’ ପରେ ?

 

—ତା’ପରେ ? ସେତିକି ବିପଦରେ ବି ବିଧାତାର ମନ ଶାନ୍ତି ହେଲାନାହିଁ । ସେଇ ବୁଢ଼ାର ବାପ ଅମଳର ଥିଲା ଜମିଦାର ପାଖରୁ କିଛି କରଜ । ତା’ଛଡ଼ା ଶୁଦ୍ଧି ହେବାପାଇଁ ହାତଟିପ ଦେଇ ଆଣିଥିଲା ପଞ୍ଚସ୍ତରିଟି ଟଙ୍କା । ଶେଷକୁ ସୁଧ ମୂଳ ହୋଇ ଜମିଦାରର ଟଙ୍କା ପ୍ରତିଶୋଧ କରିବାକୁ ବି ଡିହ ଖଣ୍ଡକ ଅଣ୍ଟିଲା ନାହିଁ । ଶେଷକୁ ଜମିଦାର ସେଖଣ୍ଡିକ ନେଇ ଟଙ୍କା ପ୍ରତିଶୋଧ ପାଇଲା । ବୁଢ଼ା ହେଲା ଦାଣ୍ଡର ଭିକାରି । ବୁଢ଼ାର ବି ସେ ଘର ଦୁଆରକୁ ଅନାଇଁ, ପୁଅ ବୋହୂଙ୍କ କଥା ମନେ ପକାଇ କାନ୍ଦିବାରେ ଇଚ୍ଛା ନଥିଲା । ତା’ପରେ ସେଇ ଛୋଟ ଝିଅଟିକୁ କାନ୍ଧରେ ପକାଇ ବୁଢ଼ା ବାହାରିଗଲା ଅନ୍ୟ ଦେଶକୁ ଭିକାରି ହୋଇ ।

 

ଅନୁ ବିରକ୍ତ ହୋଇ କହିଲା—ଓଃ ! କି ନିର୍ଦ୍ଦୟ, ସେଇ ଜମିଦାରଟା । ଦେଖିଲା ବୁଢ଼ା ଆଉ ସାନ ଝିଅଟିଏ ଛଡ଼ା ବଂଶରେ ଆଉ କେହି ନାହାନ୍ତି । ଆଉ ତାରି ମନରେ କ’ଣ ଟିକିଏ ଦୟା ହେଲାନାହିଁ । ଘର ଖଣ୍ଡକ ଛାଡ଼ି ଦେଇଥିଲେ ତାର ଟଙ୍କାରୁ କେଉଁବା ଊଣା ହୋଇ ଯାଇଥାନ୍ତା । ବୁଢ଼ାଟି ଛୁଆଟାକୁ କାନ୍ଧରେ ପକାଇ ଚାଲିଗଲା—ସେ ଏହା ଦେଖି ଦୟା ବି ଟିକିଏ କଲାନାହିଁ ?

 

—ନାଇଁ ମା’; ସେମାନଙ୍କ ମନରେ ଦୟା ମମତା କିଛି ନାହିଁ । ସେମାନେ ପରର ଦୁଃଖ ଦେଖିଲେ ସେମାନଙ୍କର ମନ କୁଣ୍ଢେ ମୋଟ ହୋଇଯାଏ, ଭିକାରି ମୂଲିଆ ଦେଖିଲେ ସେମାନେ କେତେ ଉଚ୍ଚରେ—ଅଛନ୍ତି ବୋଲି ତାଙ୍କ ମନ ଆନନ୍ଦରେ ଫୁଲିଉଠେ । ଦୁନିଆରେ ଏକା ତାଙ୍କୁ ଜମିଦାର ତଡ଼ି ଦେଇନାହିଁ, ଆମରି ପରି କେତେ ଯେ ରୋଜିନା ଇମିତି ବାଟର ଭିକାରି ହେଉଛନ୍ତି, ତାର କଣ ମା’ କିଛି କଳନା ଅଛି ?

 

ଅନୁ କ’ଣ ଭାବି ଟିକିଏ ନୀରବ ରହି କହିଲା—ଆହା, ଆମରି ଭଳି ସେମାନେ ଯଦି ଦିନେ ଇମିତି କଷ୍ଟ ପାଆନ୍ତେ, ତାଙ୍କର ଝିଅ ବୋହୂମାନେ କଳାକନା ପିନ୍ଧି ଭୋକ ଉପାସରେ ଯଦି ଦିନେ ଦାଣ୍ଡର ଭିକାରି ହୁଅନ୍ତେ, ତାହେଲେ ସେମାନେ ଜାଣନ୍ତେ ଭିକାରି କିମିତି ତା’ ଦିନ କାଟେ । ଦୁଃଖୀ କିମିତି ତା ସଂସାର ଚଳାଏ । ସେମାନଙ୍କ ମନରେ କ’ଣ ବାପା ଟିକିଏ ଦୟା ନାହିଁ ?

 

—ନାଇଁ ମା’, ଆମରି ପାଇ କେବଳ ସେମାନଙ୍କ ମନରେ ଦୟା ନାହିଁ । ଆମକୁ ପଇସାଟିଏ ଦେବାବେଳେ ତାଙ୍କର ନାକ ଟେକି ଉଠେ । ତା’ ଛଡ଼ା, ସେ କ’ଣ ନ କରୁଛନ୍ତି ! ସଉକି କରୁଛନ୍ତି, ଭଲମନ୍ଦ ଖାଉଛନ୍ତି, ବାସନା ତେଲ ନଗଉଛନ୍ତି । ତୁ କଣ ଶୋଷଣ ଝଡ଼ ତୋଫାନ । ଅନୁ ପୁଣି ପଚାରିଲା—ସେଇଠୁ ସେ ବୁଢ଼ାଟି ପିଲାଟିକୁ କାନ୍ଧରେ ପକାଇ କୁଆଡ଼େ ଗଲା ବାବା-?

 

—କୁଆଡ଼େ ଆଉ ଯିବ ମା’, ଏଇ ଦୁନିଆ ଭିତରେ ମାଡ଼ିଯାକି ଖୁଆଇ ଝିଅଟିକୁ ତାର.....କଲା ।

 

ଭିକାରି ! କି ଉତ୍ତର ଦେବ ସେ, ଆଖିରୁ ଲୁହ ପୋଛି ଚାଲେ ଆଗକୁ ।

 

ଅନୁ ବୁଢ଼ାର ଆଙ୍ଗୁଠିଗୁଡିକ ଫୁଟାଉ ଫୁଟାଉ କହିଲା—ନା ବାବା, ଏସବୁ ଦୋଷ ସେମାନଙ୍କର କାହିଁକି ହେବ । ସବୁ ଦୋଷ ଭଗବାନଙ୍କର । ସେ ମଣିଷକୁ ଜନମ ଦେଲାବେଳେ ତା’ପାଇଁ ସଂସାରରେ ସମ୍ପତ୍ତିବାଡ଼ି ଭାଗକରି ପଠାଇଲେ ନାହିଁ । ରାଜା ଜମିଦାରଙ୍କୁ କାହିଁକି ଏତେ ସମ୍ପତ୍ତିବାଡ଼ି, ଧନ ଦଉଲତ ଦେଲେ ? ତାଙ୍କର ତ ଏତେ ଲୋଡ଼ା ନାହିଁ । ଯେତିକି ଦରକାର ସେତିକି ଦେଲେନାହିଁ ? ତାଙ୍କର ଏତେ ବଳୁଛି, ଆଉ ଲୋକେ ଖାଇବାକୁ ଗଣ୍ଡିଏ ନପାଇ ଭୋକରେ ଛଟପଟ ହେଉଛନ୍ତି । ସେମାନେ ଖଟ ପଲଙ୍କରେ ଶୋଇଛନ୍ତି । ଆଉ ଲୋକଙ୍କର ଚାଳ ନାହିଁ । ଗଛମୂଳେ, ଅରମାରେ ପଡ଼ି ପଡ଼ି ସଢ଼ୁଛନ୍ତି

 

—ନାଇଁଲୋ ପାଗଳୀ, ଭଗବାନ ଯେତେବେଳେ ଛୁଆକୁ ଏ ମାଟିରେ ପକାଇଲେ, ସେତେବେଳେ ତା’ ପାଇଁ ଦୁନିଆରେ ଭାଗ ରଖି ପକାଉଛନ୍ତି । ଆଉ ସେ ଭାଗକୁ ଅନ୍ୟାୟ କରି ଛଡ଼ାଇ ନେଉଛନ୍ତି ଅନ୍ୟମାନେ । ଏବକୁ ସିନା ମା’ ରଜା ଜମିଦାରମାନେ ଇମିତି ଧର୍ମଛଡ଼ା ହେଉଛନ୍ତି; ପର ତଣ୍ଟି ଚିପି ନେବାକୁ ସୁଖ ଆଉ କେହି ନାହାନ୍ତି । ଆଉ ତାରି ମନରେ କ’ଣ ଟିକିଏ ଦୟା ହେଲାନାହିଁ । ଘର ଖଣ୍ଡକ ଛାଡ଼ି ଦେଇଥିଲେ ତାର ଟଙ୍କାରୁ କେଉଁବା ଊଣା ହୋଇ ଯାଇଥାନ୍ତା-। ବୁଢ଼ାଟି ଛୁଆଟାକୁ କାନ୍ଧରେ ପକାଇ ଚାଲିଗଲା—ସେ ଏହା ଦେଖି ଦୟା ବି ଟିକିଏ କଲାନାହିଁ-?

 

ଅମଳରେ କଣ ଦୁଃଖୀରଙ୍କି କେହି ଥିଲେ ? କହୁଥିଲି ପରା, ଜଣେ ଧୋବାର କଥା ଶୁଣି ରାମଚନ୍ଦ୍ର ମହାପ୍ରଭୁ ସୀତା ଠାକୁରାଣୀଙ୍କୁ ବନସ୍ତରେ ନେଇ ଛାଡ଼ି ଆସିଲେ ।

 

—ଅନୁ ପତର ଫାଙ୍କ ଦେଇ ଜହ୍ନଆଡ଼େ ଅନାଇ ରହି ରହି କହିଲା—ସେ ଯୁଗ କୁଆଡ଼େ ଗଲା ବାବା ? ଆମର ଏଇ ଜମିଦାରଙ୍କ ଇଲାକାରେ କଣ ଆମରି ଭଳି କମ୍‌ ଭିକାରି ଅଛନ୍ତି ? କମ୍‌ ଗରିବ ଅଛନ୍ତି ? କଲିକତା, କାଳିମାଟିରେ ପରା କୁଆଡ଼େ କଳ କାରଖାନାରେ ଶହ ଶହ ଲୋକ କାମ କରି ପୋଷି ହେଉଛନ୍ତି । ଆମ ଏ ଜମିଦାର ବାବୁଙ୍କର କଣ ଟଙ୍କା ନାହିଁ । ସେମିତି ଗୋଟେ କଳ ବସାଇଲେ ଆମେ ଭିକ ମାଗନ୍ତେ କାହିଁକି ? କାମ କରି ଖାଆନ୍ତେ । ବାର ଦୁଆର ବୁଲି—ଏତେ ଗାଳି ମନ୍ଦ କୁକୁର ମାଙ୍କଡ଼ଙ୍କ ଭଳି ଶୁଣନ୍ତେ କାହିଁକି ? ଲୋକମାନେ କେଡ଼େ ଖୁସି ହୁଅନ୍ତେ ! ଜମିଦାରଙ୍କର ବି ଧର୍ମ ହୁଅନ୍ତା ।

 

.....ଜହ୍ନ ଖଣ୍ଡେ ଫିକା କଳା ବଉଦ ପଛରେ ଲୁଚି ଯାଉଥିଲା ।

 

ଜମିଦାର ନରେନ୍‌ ବାବୁଙ୍କର କାନ ଆଉ କେଉଁଠି ନାହିଁ ଭିକାରି ଜୀବନର କରୁଣ କାହାଣୀ ତାଙ୍କ ମନରେ ସୃଷ୍ଟି କରିଛି—ଶୋଷଣ ଝଡ଼ ତୋଫାନ । ଅନୁ ପୁଣି ପଚାରିଲା—ସେଇଠୁ ସେ ବୁଢ଼ାଟି ପିଲାଟିକୁ କାନ୍ଧରେ ପକାଇ କୁଆଡ଼େ ଗଲା ବାବା ?

 

—କୁଆଡ଼େ ଆଉ ଯିବ ମା’, ଏଇ ଦୁନିଆ ଭିତରେ ମାଗିଯାଚି ଖୁଆଇ ଝିଅଟିକୁ ବାର ତେର ବରଷର କଲା ।

 

—ତା’ ପରେ ।

 

ବୁଢ଼ା ନୀରବ ।

 

—ତା’ପରେ କ’ଣ ହେଲା ବାବା ? ଏଡ଼େବଡ଼ ଝିଅଟିକୁ ବୁଢ଼ାଟି କିମିତି ଆଉ ଚଳାଇଥିବ ! କେଉଁଠି ବାହା କରି ଦେଲା ନାହିଁ ।

 

ବୁଢ଼ା ନୀରବ ।

 

—ବାବା ?

 

—ଶୋଇପଡ଼ ମା’, ମୋତେ ଟିକିଏ ଘୁମ ମାଡ଼ିଲାଣି । ଆଉ ଦିନେ ଶୁଣିବୁ ।

 

—ହେ ବୁଢ଼ା ! ହେ ବୁଢ଼ା ! ଇଆଡେ ଆସିଲୁ ? ଜମିଦାର ନରେନ୍ଦ୍ର ବାବୁ ଡାକିଲେ ।

 

କାହାର ଗମ୍ଭୀର ଡାକରେ ଅନୁ ବୁଢ଼ାକୁ ହଲାଇଦେଇ ଚୁପ୍‌ ଚୁପ୍‌ କରି ଡାକିଲା—ବାବା-! କିଏ ଡାକୁଛନ୍ତି ?

 

—ହେ ବୁଢ଼ା ?

 

ବୁଢ଼ା ଚାଉଁକିନା ଉଠି ଯବାବ ଦେଲା—ଆଜ୍ଞା ଯାଉଛି । ଅନୁ ଭୟରେ ଆଖି ତରାଟି ବୁଢ଼ା କାନ ପାଖରେ ଫୁସୂର ଫୁସୂର ହେଲା, ଜମିଦାରଙ୍କର କେହି ଲୋକ ହେବ ନା କଣ ! ଆମେତ ଦେଖି ନଥିଲେ ! ଆମ କଥା ସେ ଶୁଣି ନାହାନ୍ତି ତ !

 

—ହଉ ମା’, ତୁ ବସ, ଯାହା କରମରେ ଥିବ । ବୁଢ଼ା ଉଠିଗଲା ।

 

—ଏଠିକୁ ଆ’ରେ ?

 

ବୁଢ଼ା ଡରି ଡରି ଚଟାଣ ଉପରକୁ ଉଠି ଲମ୍ୱ ହୋଇ ଦଣ୍ଡବତ ପକାଇଲା । କାହାକୁ ସେ ଦଣ୍ଡବତ କଲା ଜାଣି ନାହିଁ—ଯେ ହେଉ ସେ ବାବୁ ।

 

ନରେନ୍ଦ୍ର ବାବୁ ପଚାରିଲେ—ମୁଁ କିଏ ବୁଢ଼ା ତୁ ଚିହ୍ନିଛୁ ?

 

ବୁଢ଼ା ରହି ରହି କହିଲା—ବାବୁ ମୁଁ ଭିକାରି ଲୋକ । ରାତି ପାହିଲେ ଭିକ ମୁଠିଏ ମାଗି ଚାଲିଯାଏ । ଆପଣଙ୍କୁ କିଏ ନ ଚିହ୍ନିଛି , ଆଜ୍ଞା ! ଆପଣ ପରା ଆମ ଜମିଦାରବାବୁଙ୍କ ବଡ଼ ଗୁମାସ୍ତା ବାବୁ ।

 

ନରେନ୍ଦ୍ର ବାବୁ ମନେ ମନେ ଟିକିଏ ହସି କହିଲେ—ନା ବୁଢ଼ା, ତୁ ମୋତେ ଚିହ୍ନିନାହୁଁ । ମୁଁ ନିଜେ ଜମିଦାର ।

 

ଜମିଦାର ନାଁ ଶୁଣି କତରା ଉପରେ ବସି କାନ ପାରିଥିବା ଅନୁଟି ଚମକି ପଡ଼ିଲା ।

 

ନିଜେ ଜମିଦାର ନାଁ ଶୁଣି, ବୁଢ଼ା ଆଉ ଥରେ ମୁଣ୍ଡ ଲଗାଇ ଓଳଗି ହୋଇ ଡରି ଡରି କହିଲା—ମୁଁ ଭିକାରି ଲୋକ । ଚିହ୍ନି ପାରିଲି ନାହିଁ—ଦୋଷ ମୋର, କ୍ଷମା କରନ୍ତୁ ହଜୁର । ବୁଢ଼ା ଆଉ କହି ପାରିଲା ନାହିଁ, ତାଙ୍କ କଥାବାର୍ତ୍ତା ନିଜେ ଜମିଦାର ଶୁଣି ରାଗି ନାହାନ୍ତି ତ ! ବୁଢ଼ା ଦେହ ଥରିବାକୁ ଲାଗିଲା ।

 

ନରେନ୍ଦ୍ର ବାବୁ ବୁଢ଼ାର ଥରଥରିଆ କଥାରୁ ସବୁ ବୁଝି ନେଇ କହିଲେ—ବୁଢ଼ା, ତମର କଥା ମୁଁ ସବୁ ଶୁଣିଛି । ତୋ’ ଝିଅଟି କୁଆଡ଼େ ଗଲା ।

 

ବୁଢ଼ା ଥରି ଥରି କହିଲା—ଆଜ୍ଞା, ସେ ମୋ ଝିଅ ନୁହେଁ । ବାପ ମା’ ଛେଉଣ୍ଡ ବଡ଼ ପୁଅର ଝିଅ । ପିଲାଦିନୁ ବାପ ମା’କୁ ନଦେଖି ମୋତେ ଆଦରି ଯାଇଁ ବାବା ବାବା ଡାକେ । ପିଲାଲୋକ ତା ଦୋଷ କ୍ଷମା କରନ୍ତୁ ।

 

ନରେନ୍ଦ୍ର ବାବୁ, ବୁଢ଼ା ଡରୁଛି ବୋଲି ନରମ ଗଳାରେ କହିଲେ—ଡରନାହିଁ ବୁଢ଼ା, ମୁଁ କିଛି କହୁନାହିଁ । ତୋ ନାତୁଣୀକୁ ଏଠିକୁ ଡାକିଲୁ ।

 

ବୁଢ଼ା ଥର ଥର ଗଳାରେ ଡାକିଲା – ଝିଅ ?

 

ଅନୁ, ମସିଆ ଚିରା ଲୁଗା ଖଣ୍ଡିକ ଦେହ ମୁଣ୍ଡରେ ଭଲ କରି ଘୋଡ଼ାଇ ଶଙ୍କି ଶଙ୍କି ଯାଇଁ ବୁଢ଼ା ପଛ ପଟେ ଠିଆ ହେଲା ।

 

ଚନ୍ଦ୍ର ପଶ୍ଚିମ ପଟକୁ ଧୀରେ ଧୀରେ ଢଳି ପଡ଼ୁଥାଏ । ତାରି ରୂପେଲି ଜ୍ୟୋତ୍ସ୍ନାରେ ଅନୁର ଗୋରା ସୁନ୍ଦର ମୁହଁଟି ଜମିଦାରଙ୍କୁ ବେଶ୍ ଦେଖାଗଲା ।

 

ଜମିଦାର, ଅନୁର ସେହି ମସିଆ ରୂପ, ଅଲରାବାଳ ଭିତରେ ଶାନ୍ତ ସୁନ୍ଦର ମୁହଁଟିକି ଦେଖି କାହିଁକି କେଜାଣି ତାଙ୍କ ଅନ୍ତର ଭିତରେ କେଉଁଠି ଖଟ୍‌ କରି ହୋଇଗଲା । ଠିକ୍‌ ତ ଇମିତି ! ଠିକ୍‌ ୟା’ରି ମୁହଁ—ହଁ ୟା’ଠୁ ଟିକିଏ ସାନ ହେବ ସୁଷମା ! ତିନିବର୍ଷ ହେଲା ମରିଗଲାଣି । ଜମିଦାରଙ୍କ ଆଖିରେ ଲୁହ ଜକେଇ ଆସିଲା । ସେ ତାକୁ କେତେ ଭଲପାଉ ନଥିଲେ ? ଅନ୍ତର ଭିତରୁ ଘନ ଘନ ନିଶ୍ୱାସ ବାହାରି ଆସିଲା । ବାଁରେଇ ରୁମାଲରେ ଆଖି ପୋଛି ଅତି ନରମ ଗଳାରେ କହିଲେ—ତୋ ନାଁ କ’ଣ ଲୋ ମା’ ?

 

ଅନୁ ଡରି ଡରି ତଳକୁ ମୁହଁ ପୋତି କହିଲା—ଅନୁ ।

 

—‘‘ତୁ ଏଇକ୍ଷଣି ମୋତେ ଗାଳି ଦେଉଥିଲୁ, ନା ?’’

 

ଅନୁ ଥରି ଥରି କହିଲା—ନା ଆଜ୍ଞା, ଆପଣଙ୍କୁ, କାହିଁକି ଗାଳିଦେବୁ । ଆମେ ଭିକାରି ଲୋକ । ଖାଲି କହୁଥିଲି ବଡ଼ ଲୋକମାନେ ଦୁଃଖିଙ୍କ ପାଇଁ ଚେଷ୍ଟାକଲେ, ଦୁଃଖୀର ଦୁଃଖ ରହନ୍ତା ନାହିଁ । ମୁଁ ତ ଆଉ କିଛି କହିନାଇଁ । ଅନୁ ନୀରବ ରହିଲା ।

 

ଜମିଦାରବାବୁ ଘଣ୍ଟାଏ ହେଲା ସେମାନଙ୍କର କଥା ଶୁଣି, ନିଜର ମଲା ଝିଅଟି ଭଳି—ଏ ଭିକାରି ଝିଅଟିକୁ ଦେଖି, ଆକାଶ ପାତାଳ କେତେ କ’ଣ ଯେ ଭାବୁଥିଲେ ତାର ଇୟତ୍ତା ନାହିଁ ।

 

ଅନୁ କଥା କହି ସାରି ନୀରବ ରହିବାର ଟିକିଏ ପରେ ଜମିଦାର ତା’ କଥାରେ ହଁ ଭରି କହିଲେ—ନା ଝିଅ, ତୁ ମୋତେ ଡର ନାହିଁ । ମୁଁ ତୋତେ କିଛି କହିବି ନାହିଁ ।

 

ଜମିଦାର ନରେନ୍ଦ୍ରବାବୁ ବାଡ଼ି ଧରି ଉଠି ଠିଆହେଲେ ଯିବାକୁ । ସତେ ଯେମିତି ସେ କେତେ କ’ଣ କହିବେ କହିବେ ହୋଇ ଅକୁହା ରହିଗଲେ । ଚଟାଣ ଉପରେ ଏପାଖ ସେପାଖ ବୁଲୁ ବୁଲୁ ଡାକିଲେ—ବୁଢ଼ା ?

 

ଆଜ୍ଞା ?

 

—ଆଜିଠୁଁ ଆଉ ବେଶି ପରିଶ୍ରମ କରି ତମକୁ ଭିକ ମାଗିବାକୁ ପଡ଼ିବ ନାହିଁ । ମୁଁ କାଲି ସକାଳେ ଆମ ଠାକୁର ଘରେ କହି ବରାଦ କରାଇ ଦେଇଥିବି, ରାତିବେଳା ସେଇଠି ପ୍ରସାଦ ପାଇବ, ବୁଝିଲୁ ।

 

ବୁଢ଼ାର ଆନନ୍ଦରେ ମନ ଉଛୁଳି ଉଠିଲା । ଅନୁର ମଧ୍ୟ । ବୁଢ଼ା ଆନନ୍ଦରେ ହାତଯୋଡ଼ି କହିଲା—ହଜୁରଙ୍କର ମଙ୍ଗଳ ହେଉ । ମୋ କରମ ଖୋଲିଲା ।

 

ନରେନ୍ଦ୍ର ବାବୁ ଚାଲି ଯାଉଁ ଯାଉଁ କହିଲେ—ଏଇ ଆସନ୍ତା ରବିବାରଦିନ ଦି’ପହରେ ଆମ ଫାଟକ ପାଖରେ ଅପେକ୍ଷା କରିବ । ସେଠି ଯିଏ ଥିବ, ମୋତେ ଦେଖା କରିବାପାଇଁ ମୁଁ କହିଛି ବୋଲି ତାକୁ କହିଲେ, ସେ ସଙ୍ଗେ ସଙ୍ଗେ ସବୁ ସୁବିଧା କରାଇଦେବ ।

 

ବୁଢ଼ା ଆନନ୍ଦରେ ଆଖି ବୁଜି କହିଲା—ହଉ ଆଜ୍ଞା ! ତାର ମନ ହେଉଥିଲା, ଅନୁ ପାଇଁ ଖଣ୍ଡେ ପୁରୁଣା ପୁରୁଣି ଲୁଗା କଥା କହନ୍ତା । କିନ୍ତୁ କହି ପାରିଲା ନାହିଁ । ମନେ ମନେ ସ୍ଥିର କଲା, ଆଉଦିନେ ସେ ନିଶ୍ଚୟ କହିବ ।

 

ନରେନ୍ଦ୍ର ବାବୁ ଚାଲିଗଲେ । ରାତି ପ୍ରାୟ ବାରଟା ହେବ । ଚାରିଆଡ଼ ନିଶବ୍ଦ, ପୋଖରୀ ହୁଡ଼ାରେ ଥିବା ବଉଳ ଗଛରେ ବାଦୁଡ଼ି ଗୁଡ଼ାକ ଫଡ଼ ଫଡ଼ ହେଉଥାନ୍ତି ।

 

ବୁଢ଼ା, ଅନୁର ପିଠିରେ ହାତ ବୁଲାଇ କହିଲା—ଭଗବାନ ତୋ କଥା ଶୁଣିଛନ୍ତି । ଜମିଦାର ବାବୁ ଦୟା କଲେ ଆମ ଦୁଃଖ ଫେରିଯାଆନ୍ତା । ମୋ ପାଇଁ କ’ଣ କଥା ଥିଲା, କେବଳ ତୋରି ପାଇଁ ...... ବୁଢ଼ା ନୀରବ ରହିଲା ।

 

ଅନୁ ଡାକିଲା—ଆସ ଶୋଇବ ।

 

—ଚାଲେ ମା’ ।

 

ନରେନ୍ଦ୍ର ବାବୁ ସେଦିନ ଯାଇଁ ବିଛଣାରେ ପଡ଼ିଲେ, କିନ୍ତୁ କାହିଁକି କେଜାଣି ବହୁତ ରାତିଯାଏ ତାଙ୍କ ଆଖି କଷା ପଡ଼ିଲା ନାହିଁ । ସେହି ଭିକାରି ଝିଅଟିକୁ ଦେଖିଲାବେଳୁ ତାଙ୍କ ମନ ଭିତରେ କ’ଣ ଗୋଟାଏ ହଜେଇଲା ହଜେଇଲା ପରି ଲାଗୁଛି । ତାଙ୍କ ଆଖିରେ ଛାଇ ଭଳି ଦିଶିଯାଉଛି—ତାଙ୍କର ଅତି ଆଦରର ସୁଷମା ଯେମିତି ଆଜି ମଶାଣିରୁ ଉଠି ଆସିଛି—ଠିକ୍‌ ଏଇ ଘର ଦୁଆରେ ସେହି ନୀଳ ଲୁଗା ଖଣ୍ଡିକ ପିନ୍ଧି ଦଉଡ଼ା ଧାପଡ଼ା କରୁଛି—ସେ ଘରେ ଯାଇଁ ମାଆ ପାଖରେ କ’ଣ ପାଇଁ ଅଳି କରୁଛି । ତାଙ୍କ ଝିଅ ସତେ ମରିଛି ! ସେ ଭିକାରି ବୁଢ଼ାଟା ଗୁଣି ବିଦ୍ୟା ଜାଣେ ନାହିଁ ତ ! ସୁଷମାକୁ ବଞ୍ଚାଇ ସଙ୍ଗରେ ରଖି ନାହିଁ ତ ! ଠିକ୍‌ ...... ଠିକ୍‌ତ ସୁଷମା ପରି ! ନୀଳ ଲୁଗାଖଣ୍ଡିଏ ପିନ୍ଧାଇଦେଲେ ଆଦୌ ଚିହ୍ନି ହେବନାହିଁ !

 

ମୁଣ୍ଡପାଖ କାନ୍ଥ ଘଡ଼ିରେ ଢ ହୋଇ ବାଜିଲା ଦୁଇଟା । ତଥାପି ତାଙ୍କ ଆଖିକୁ ନିଦ ଆସିଲା ନାହିଁ । ନା, ସେ ଝିଅଟିକୁ ଏ ଉଆସକୁ ନେଇ ଆସିବେ । ସୁଷମା ମଲା କଥାକୁ ସେ ଭୁଲିଯିବେ । ତା’ ମାଆ ବି ଭୁଲିଯିବ ? ଲୋକେ କ’ଣ ଭାବିବେ ! କିଛି ନାହିଁ, କିଏ ସାହସ କରି କ’ଣ କହିବ !

 

ମିନିଟ କଣ୍ଟା ଟିକ୍‌ ଟିକ୍‌ ହୋଇ ଆଗକୁ ମାଡ଼ି ଚାଲିଛି । ନରେନ୍ଦ୍ର ବାବୁ କର ଲେଉଟାଇ ଡାକିଲେ—କିଏ ଚେଇଁଚରେ, ପାଣି ଗ୍ଲାସେ ଆଣିଲ ? ପାଖରେ ନିଜର ସ୍ତ୍ରୀ ନିରୁପମା ଶୋଇଥିଲେ । ନିଦ ମଳ ମଳ ହୋଇ କହିଲେ—ତମକୁ ନିଦ ମାଡ଼ୁନାହିଁ ନା କ’ଣ ? ଦୁଇଟା ବାଜିବ, ଦିହ କ’ଣ ଭଲ ଲାଗୁନାହିଁ ? ଚାକରଟାକୁ ଡାକିଦେବି ଆଉଁସି ଦେବାକୁ ?

 

ନା, ଦରକାର ନାହିଁ, ପାଣି ଗ୍ଲାସେ ଦିଅ ।

 

ନିରୁପମା ଦେବୀ ସୂରେଇରୁ ପାଣି ଗ୍ଲାସେ ଢାଳି ନରେନ୍ଦ୍ର ବାବୁଙ୍କ ହାତକୁ ବଢ଼ାଇଦେଲେ । ନରେନ୍ଦ୍ର ବାବୁ ଏକ ନିଃଶ୍ୱାସରେ ପାଣିତକ ପିଇ କହିଲେ—ଓଃ ! ବଡ଼ ଆରାମ ଲାଗିଲା ।

 

ନିରୁପମା ଦେବୀ ବଡ଼ ବ୍ୟଗ୍ର ହୋଇ ପଚାରିଲେ—ଦେହ କ’ଣ ତମର ଖରାପ ଲାଗୁଛି-?

 

ନା, କିଛି ଖରାପ ନାହିଁ । ଝିଅ କଥା ଭାବୁଥିଲି । ଝିଅ ମୋର ସତେ ମରିଛି ! ମୋର କାହିଁକି ଆଜିଯାଏ ବି ବିଶ୍ୱାସ ହେଲା ନାହିଁ । ସୁଷମା ମୋର ମରିନାହିଁ—ବଞ୍ଚିଛି !

 

ନିରୁପମା ଦେବୀ ସଙ୍ଗେ ସଙ୍ଗେ ଆଖିରେ ଲୁଗା ଦେଇ ନରମ ଗଳାରେ କହିଲେ—ସେ ଝିଅ ମରିନାହିଁ ଯେ, ସାରାଦିନ କନ୍ଦାଇବାକୁ ଆମକୁ ରଖିଯାଇଛି । ଏଇ ଅଧଘଣ୍ଟା ହେଲା ତାକୁ ମୁଁ ସପନ ଦେଖିଛି, ଭାରି ଦୁଷ୍ଟ ହୋଇଛି ସେ—କହୁ କହୁ ତାଙ୍କ ଓଠ ଥରିବାକୁ ଲାଗିଲା । ଥରକୁ ଥର ଆଖିରୁ ଲୁହ ପୋଛିଲେ ।

 

ନରେନ୍ଦ୍ର ବାବୁ, ନିରୁପମା ଦେବୀଙ୍କ ଆଖି ଉପରୁ ହାତ ଟାଣି ନେଇ କହିଲେ—ଆଉ କାନ୍ଦିଲେ କ’ଣ ଝିଅ ଫେରି ଆସିବ ଆଜି ଗୋଟିଏ ଭିକାରି ଝିଅକୁ ଦେଖି ମନେ ହେଲା—ସୁଷମା ମୋର ମରିନାହିଁ—ବଞ୍ଚିଛି । ଠିକ୍‌ ତାରି ପରି—ଠିକ୍‌ ତାରି ମୁହଁ—ତାରି ଆଖି । ରବିବାର ଦିନ କହିଛି, ତା ବୁଢ଼ାବାପ ତାକୁ ନେଇ ଆସିବ ତମକୁ ଦେଖାଇବା ପାଇଁ । ସତରେ ତମେ ତାକୁ ଦେଖିଲେ କେବେ ଆଉ ଛାଡ଼ିବ ନାହିଁ ।

 

ନିରୁପମା ଦେବୀ ତୁନି ହୋଇ ରହିଲେ ।

 

ତିନିଟା ବଜିଲା—ନରେନ୍ଦ୍ର ବାବୁଙ୍କୁ ଛାଇ ନିଦ ଲାଗିଛି କି ନାହିଁ, ସତପରି ସ୍ୱପ୍ନ ଦେଖିଲେ ତାଙ୍କ ଖଟ ପାଖରେ ସେହି ଭିକାରୁଣୀ ଝିଅଟି ଠିଆହୋଇ ଆଖିରୁ ଲୁହ ଗଡ଼ାଇ ଡାକୁଛି–ବାପା, ବାପା, ମୁଁ ତମ ଝିଅ ପରା ?

 

ନରେନ୍ଦ୍ର ବାବୁ ଚାଉଁକିନା ଖଟ ପାଖକୁ ଅନାଇଁ ଦେଲେ । କେହି କୁଆଡ଼େ ନାହିଁ, ଘରଟା ଭିତରୁ କିଏ ଯେମିତି ଖୁବ୍‌ ଚଞ୍ଚଳ ବାହାରି ଯିବା ପରି ଲାଗୁଛି । ନରେନ୍ଦ୍ର ବାବୁ ସୁଇଚ୍‌ ଟିପି କବାଟକୁ ଅନାଇଁଲେ, ଠିକ୍‌ ଆଗପରି କବାଟ ଦିଆ ହୋଇଛି.....

 

ପୁଣି ଆଲୁଅ ବନ୍ଦ କରି ଶୋଇଲେ । ତହିଁ ଆରଦିନ ଉଠୁ ଉଠୁ ଦିନ ଆଠ ।

 

—ବାବା ! ବାବା ! ସକାଳ ହେଲାଣି ଉଠ । ଭାରି ଖରା ହେଉଛି, ଆଜି ହାଟ ପାଳି ପରା ! ଠେକିରେ ମୋଟେ ଦି’ମୁଠା ଚାଉଳ ଅଛି । ସେଇଥିରେ କ’ଣ ଆଜି ଚଳିବ ! କାମ ସାର, ବେଳାବେଳି ବାହାରି ଯିବା ।

 

—ହଁ, ମା’ ଚାଲେ । ବାଟରେ ପୋଖରୀ ପାଣିରେ ବି ଦାନ୍ତ ଘଷି ପକାଇବା । କତରା ଖଣ୍ଡକ ଉଠାଇ ନେଇଆ । ବୁଢ଼ା ଆଗେ ଆଗେ ଉଠିଗଲା । ଅନୁ ଛିଣ୍ଡାକତରା ଖଣ୍ଡିକ ଉଠାଇ କୁଡ଼ିଆ ଭିତରେ ରଖିଦେଇ ତାଟି ଦେଇହେଲା । ତା’ପରେ ଅନୁ ଚାଲିଲା ଆଗେ ଆଗେ—ବୁଢ଼ା ପଛେ ପଛେ ।

 

ବୁଢ଼ା ଯାଉଁ ଯାଉଁ ଆରମ୍ଭ କଲା—ଜାଣିଲୁ ଝିଅ, ଠାକୁରଙ୍କର ଏତେଦିନେ ଆମଠାରେ ଦୟା ହେଲା । ଏ ଓଳି ହାଟରେ ଚୂଡ଼ା, ଭୁଜା କିଛି କିଣି ଖାଇଦେବା । ରାତିକି ତ ଜମିଦାରଙ୍କ ଠାକୁର ଘରେ ଦିଅଙ୍କ ପ୍ରସାଦ ପାଇବା । ଜମିଦାର ବାବୁ ଅନ୍ୟ କାହାକୁ ଦୟା କରନ୍ତୁ ନ କରନ୍ତୁ ଆମଠାରେ ବଡ଼ ଦୟା କରିଛନ୍ତି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ।

 

ଆଜି ହାଟ ପାଳି । କେତେଆଡ଼ୁ କେତେ ଲୋକ ଆସିଛନ୍ତି । ବିକା କିଣା ପାଟି ଗୋଳରେ ଚାରିଆଡ଼ ଘୋ ଘୋ କମ୍ପୁଛି । ଅନୁ ବୁଢ଼ା ସଙ୍ଗରେ ଚାରିଆଡ଼ୁ ବୁଲି ବୁଲି ଆସି, ସେଇ ପାଟରା ଦୋକାନରେ ଅଟକି ଯାଇ କହିଲା—ବାବା, ଆରଥର କହୁଥିଲି ପରା ଏ ପାଳିରେ ଏ ଖଡ଼ୁ ଦି’ଟା କିଣି ଦବାକୁ ? ଦଉନା, ଭାରି ସୁନ୍ଦର ହୋଇଛି ।

 

—ବୁଢ଼ା ଥକା ମାରି ଠିଆ ହୋଇଯାଇ କହିଲା—ମୋଟେ ମୋଠେଇଁ ଚଉଦସୁଉକା ଅଛି । ମନେ କରିଛି, ଏ ହାଟରୁ ଖଣ୍ଡେ ତୋ ପାଇଁ ଆଠହାତି କସ୍ତା ଲୁଗା କିଣି ଦେବି । ନୋହିଲେ ଏଇ ଛିଣ୍ଡା ନେକଡ଼ା କନା ଖଣ୍ଡକ ପିନ୍ଧି ତୁ ଦିଅଙ୍କ ମନ୍ଦିର ହତାକୁ କିମିତି ଯିବୁ ! ଯେ ଦେଖିବ ନାକ ଉଠାଇବ । ପଚାରେ, ସେ କେତେ ଦାମ ପଡ଼ିବ ।

 

ଲୁଗା ପିନ୍ଧିବ ! ଖଡ଼ୁନାଇବ—ଆନନ୍ଦରେ ଅନୁର ମନ ଘର ଧରୁ ନଥାଏ । ମୁରୁକି ମୁରୁକି ହସି ପଚାରିଲା—ଏ ଖଡ଼ୁବାଲା ବାବୁ, ସେ ଖଡ଼ୁ ଯୋଡ଼ାକ କେତେ ନେବ ?

 

ବେପାରୀ ଲୋକଟି ଥରକୁ ଥର ଅନୁ ମୁହଁକୁ ଅନାଇଁ କହିଲା, ହାଟ ଦି’ପାଳି ତଳେ ତୁ ଏ କାଚ ଏଇଠୁ ନେଇଥିଲୁ ନା ?

 

ଅନୁ କହିଲା—ହଁ, କଣ ହେଲାକି ବାବୁ !

 

ବେପାରୀ ଲୋକଟି ଥରକୁ ଥର ତା ମୁହଁଆଡ଼େ ଅନାଇ ମୁରୁକି ହସି କହିଲା—ନା, କିଛି ନା । ଏ ଖଡ଼ୁ ଆରପାଳିଠୁ ବିକା ସରନ୍ତାଣି । ସେପାଳି—ତୋତେ ଭଲ ଖଡ଼ୁ ଦେବି ବୋଲି ଜବାବ ଦେଇଥିବାରୁ ଆଜିଯାଏ ରଖିଛି । ଏ ପାଳି ଭାବିଥିଲି, ହାଟ ଶେଷ ହେବାଯାଏ ନଆସିଲେ ବିକି ଦେଇଥାନ୍ତି ।

 

ବୁଢ଼ା ହସି ହସି କହିଲା—ତମର ବଡ଼ ଦୟା, ଭିକାରି ଲୋକ, ଅନେକ ଦୂରକୁ ଚାଲି ଯାଇଥିଲୁ ।

 

—ଅନୁ ହାତ ବଢ଼ାଇଲା—ଦିଅ ବାବୁ ?

 

—ସେଇଠୁ ହାତ ବଢ଼ାଇ ନଉନୁ । କଣ ଚୋରି କରି ନେଇ ଯାଉଛୁ ନା କଣ—

 

ଅନୁ ହାତ ବଢ଼ାଇ ଖଡ଼ୁ ଦୋ’ଟି ଆଣି ହାତରେ ନାଇଲା । ବେଶ୍ ଭାରି ସୁନ୍ଦର । ଖଡ଼ୁ ଉପରୁ ଅନୁ ଆଖି ଆଉ ଉଠିଲା ନାହିଁ ।

 

ବୁଢ଼ା ଅନୁ ହାତକୁ ଅନାଇଁ ଭାରି ଖୁସିହୋଇ ବେପାରୀ ଆଡ଼କୁ ଅନାଇଁ କହିଲା—କ’ଣ ବେପାରୀ ବାବୁ ନେବ, ସତ ସତ କହି ଦିଅ । ଭିକାରି ଲୋକ—ଲାଭ ନେବ ନାହିଁ ।

 

ବେପାରୀ ଅନୁ ଆଡ଼କୁ ଅନାଇଁ କହିଲା—ଏପାଖକୁ ବୁଲି ଆସିଲୁ, ହାତ ନେଡ଼ି ଲାଗୁଛିକି କ’ଣ ମୁଁ ଦେଖେ ।

 

ଅନୁ ସେପାଖକୁ ବୁଲିଗଲା । ବେପାରୀଟି ଅନୁର ବାଁ ହାତ ପାପୁଲିଟିକୁ ନିଜ ଡାହାଣ ହାତ ଭିତରେ ରଖି, ବାଁ ହାତରେ ଖଡ଼ୁ ପଟିକ ବୁଲାଉ ବୁଲାଉ କହିଲା—ନା, ବସୁତ ନାହିଁ, ବେଶ୍‌ ହେଉଛି । ବେପାରୀ ମୁହଁରେ ହସ ଫୁଟି ଉଠିଲା, ମନରେ ତାର ଆଶା ଆକାଙ୍‌କ୍ଷା ।

 

ଅନୁ ଉଠି ଆସି କହିଲା—କେତେ ଦାମ ନେବ କୁହ ? ଦୂର ବାଟ—ଯାଉଁ ଯାଉଁ ପରା ସନ୍ଧ୍ୟା ହୋଇଯିବ ।

 

ବେପାରୀ ବି ବୁଢ଼ା ଆଡ଼େ ଅନାଇଁ କହିଲା—କେଉଁଠି ରହୁଛୁରେ ବୁଢ଼ା ? ଏଇ ହାଟ–ଘରମାନଙ୍କରେ କେତେ ଭିକାରିତ ରହୁଛନ୍ତି; ତାଙ୍କରି ସାଙ୍ଗ ମେଳରେ ଏଠି ରହୁନ, ଏତେ ବାଟ ଦଉଡ଼ୁଛୁ କାହିଁକି ?

 

—ସେ ଗାଁରେ କୁଡ଼ିଆ ଖଣ୍ଡେ କରିଛୁ ପରା ବାବୁ । ଏଠି କିମିତି ରହିବୁ । କେତେ ଦାମ ହେଲା—କହି ଦିଅ ?

 

ବେପାରୀଟି ଅନୁ ମୁହଁକୁ ଥରକୁ ଥର ଚାହିଁ କହିଲା—କ’ଣ ଆଉ ଦାମ ଦେବୁ । ଯାହା ଦଉଛୁ ଦେ, ପିନ୍ଧିତ ସାରିଲୁଣି, କିଣା ଦାମ ପାସୂକା ପଡ଼ିଛି ।

 

ଅନୁ କହିଲା—ଏତେ ପଇସା କେଉଁଠୁ ପାଇବୁ ? ସେଇଥିପାଇଁ ପରା ଆଗରୁ ଦାମ ପଚାରୁଥିଲୁ । କାଢ଼ି ନେବତ କାଢ଼ିନିଅ, ତିନି ସୁଉକାତ ସଜିଲ କରି ଆର ହାଟପାଳିରୁ ରଖିଛି ।

 

ବେପାରୀଟି କ୍ଷଣେ ନୀରବ ରହି ଅନୁଆଡ଼େ ଅନାଇଁ କହିଲା, କିଣା ଦାମ୍‌ରୁ ଯାଉଛି—ଆଉ କିଛି ଦବୁନୁ ବୁଢ଼ା ?

 

ଅନୁ କହିଲା—ନାଇଁ, ଆଉ ଅଧଲାଟିଏତ ନାଇଁ, ମୁଁ ପରା ପଇସା ଅଣ୍ଟାରେ ମାରିଛି ।

 

—ଆଛା, ହଉ ଦେ, କ’ଣ କରାଯିବ ।

 

ଅନୁ ସେଠୁ ଆସି ଲୋକ ଗହଳିରେ ମିଶିଗଲା । ବେପାରୀଟି ସେଇଆଡ଼କୁ ଥରକୁ ଥର ଚାହିଁ ଦେଉଥାଏ, ଯେମିତି ସେ କାହାକୁ ଅପେକ୍ଷା କରି ବସି ରହିଛି । ଦେଖିଲେ କେତେ ଗୁପ୍ତ କଥା କହିଯିବ ।

 

ଅନୁ ଚାଲେ ଆଗେ ଆଗେ । ବୁଢ଼ା ଚାଲେ ପଛେ ପଛେ । ଅନୁ କାହାକୁ ପଇସାଟିଏ ମାଗିଲେ ଆଗପରି କେହି ଖିଙ୍କାର ହୁଅନ୍ତି ନାହିଁ । ଅନୁ ମୁହଁଆଡ଼େ ଥରେ ଚାହିଁ ଅଣ୍ଟାରୁ କାଢ଼ନ୍ତି ପଇସା । ଯେଉଁଠି ମାଗେ, କେହି ମନା କରନ୍ତି ନାହିଁ । ଥରେ ମାତ୍ର ଅନୁ ମୁହଁକୁ ଚାହିଁ, ଦେବାକୁ ତାଙ୍କ ହାତ ପସରା ଭିତରକୁ ଚାଲିଆସେ । କେଉଁ ବୁଢ଼ା ବେପାରୀ ଅନୁ ମୁହଁକୁ ଦଣ୍ଡେ ଅନାଇଁ କହେ—ଭଗବାନ ଗରିବ ଘରେ ଇମିତି ରୂପ ଦିଅନ୍ତି ! ଆହା ପିଲାଟା ଖାଇ ପିଇ, ନଗେଇଲେ ରଜା ଝିଅ ପରି ଦିଶନ୍ତା । ହେଲେ ଭିକାରିତ ! ଖତ ଗଦାରେ ପଦ୍ମ ଫୁଲ ।

 

—ହାଟରୁ ବୁଢ଼ା ନ’ସୁକା ଦେଇ ଦେଶି କସ୍ତା ଖଣ୍ଡିଏ କିଣିଲା, ସଅଳ ସଅଳ ନିଜ କୁଡ଼ିଆକୁ ବାହାରି ଗଲେ ।

 

ସେଦିନ ଅନୁର ଆନନ୍ଦରେ ମନ ଘର ଧରୁନାହିଁ । ସେ ଖଡ଼ୁ କିଣିଛି—ଲୁଗା ବି ଆସିଛି–ଆଉ କ’ଣ ଦରକାର ! ଆନନ୍ଦରେ ମନ ଉବେଇ ଟୁବେଇ ହେଉଥାଏ—ଖଡ଼ୁ ଉପରୁ ତା’ ଆଖି ଆଉ ଫେରି ଆସେ ନାହିଁ ।

 

ସେତେବେଳକାର ବୁଢ଼ା ବେପାରୀ କଥା ତାର ମନେପଡ଼େ, ‘‘କି ସୁନ୍ଦର ପିଲାଟାଏ । ଖାଇ ପିନ୍ଧି, ନାଇଲେ ରଜାଘର ଝିଅ ପରି ଦିଶନ୍ତା’’ ତା ମନଟା ଭିତରେ କିଏ କେଉଁଠି ଆନନ୍ଦରେ ଡିଆଁ ମାରେ । ସେ ଏଡ଼େ ସୁନ୍ଦର ! ରଜାଘର ଝିଅ ପରି ଦିଶିବ ! ଅନ୍ତର ଭିତରଟା ଉଠେ–ଫୁଲି ଫୁଲି । ମନକୁ ମନ ଭାବି ହୁଏ, ଏ ଖଡ଼ୁ ନାଇ, ସେହି କସ୍ତା ଲୁଗାଖଣ୍ଡି ପିନ୍ଧିଲେ, ଠିକ୍‌ ରଜାଘର ଝିଅ ପରି ଦିଶିବ ।

 

ସେ ଯେ ଭିକାରି ଏକଥା ଭୁଲିଯାଏ କ୍ଷଣକ ପାଇଁ ।

 

ମନ ତଳେ ଲାଗିଛି ଯୌବନ ଦେବତାର ସବୁଜ କାଉଁରୀ ପରଶ—ରୂପ ସଜାଡ଼ିବାର ମହୁଆ ନିଶା । ଜୁଆର ଆସୁଛି କିଛି ମାନିବ ନାହିଁ ।

 

କୁଡ଼ିଆରେ ପହଞ୍ଚିଲାବେଳକୁ ଦିନ ରତ ରତ । ଅନୁର ମନ ହେଉଥାଏ ଲୁଗାଖଣ୍ଡି ଏଇକ୍ଷଣି ପିନ୍ଧି ପକାଇ ଗଛ ଚାରିପାଖ, ପୋଖରୀ ହୁଡ଼ା ଚାରିପାଖ ଥରେ ବୁଲି ଆସନ୍ତା । ଥରକୁ ଥର ଲୁଗା ଖଣ୍ଡିକ କନା ଭିତରୁ ଫିଟାଇ ଥରକୁ ଥର ଦେଖେ । ତା’ ଅଜାଣତରେ ତା’ ମୁହଁରେ ହସ ମଣ୍ଡି ହୋଇଯାଏ ।

 

ପଦାରୁ ବୁଢ଼ା ଡାକେ ଝିଅ ଲୋ ଝିଅ, ମୁଁ ଯାଉଛି ପୋଖରୀରେ ଗୋଡ଼ହାତ ଧୋଇ ଆସିବି । ଲୁଗା ଖଣ୍ଡିକ ଏଇକ୍ଷଣି ପିନ୍ଧିବୁ ନାହିଁ, କନାରେ ଗୁରାଇ ରଖି ଦେଇଥା । ଜମିଦାରବାବୁ ଦେଖି ଯାଇଛନ୍ତି, ଯଦି ତାଙ୍କର ଦୟା ହେବ ପୁରୁଣା ଲୁଗା ଖଣ୍ଡିଏ ଦେବେ । ଏ ଲୁଗା ତୁ ଏଇକ୍ଷଣି ପିନ୍ଧିଲେ ତାଙ୍କର ଆଉ କ’ଣ ଦବାକୁ ଇଚ୍ଛା ହେବ ? ରଖି ଦେଇଥା । ସେ ଖଣ୍ଡିଏ ଦେଇ ସାରନ୍ତୁ, ତା’ପରେ ଯାଇଁ ପିନ୍ଧିବୁ ।

 

ଅନୁ ଘର ଭିତରୁ କହେ—ହଁ ବାବା, ମୁଁ ପରା ରଖିଦେଲିଣି, ଯାଉଛି ଚାଲ, ପାଣି ମାଠିଆଏ ଆଣିବି ।

 

ସେଦିନ ଆଉ ରୋଷେଇବାସ ନଥାଏ । ବୁଢ଼ା ଗୋଡ଼ହାତ ଧୋଇ ସାରି ଆସି କୁଡ଼ିଆ ପଛପଟେ ଆଖି ବୁଜି ଦିଅଙ୍କୁ ଡାକିଲା । ଅନୁ ସେଇ କୁଡ଼ିଆ ଭିତରକୁ ପଶି ଡିବି ଲଗାଇ ଆଉ ଥରେ ଲୁଗା ଖଣ୍ଡକ ଦେଖି ବସିଲା । ଯେତେ ଓଲଟପାଲଟ କରି ଦେଖିଲେ ମଧ୍ୟ ଆହୁରି ଦେଖିବାକୁ ମନ ହେଉଥାଏ । ଥରକୁ ଥର ଖଡ଼ୁକୁ ଅନାଇ ତା ମନ କୁରୁଳି ଉଠୁଥାଏ । ଭଙ୍ଗା ଅଇନା ଖଣ୍ଡିକରେ ନିଜ ମୁହଁକୁ ଦେଖି ଭାବୁଥାଏ—ସେ ଭାରୀ ସୁନ୍ଦର,‘‘ବେପାରୀ ବୁଢ଼ା କହୁଥିଲା, ଖାଇଲେ ପିନ୍ଧିଲେ ରଜାଝିଅ ପରି ଦିଶିବ !’’ ଆଉ ଭାବି ପାରେ ନାହିଁ । ଆନନ୍ଦରେ ତା ଆଖି ବୁଜି ହୋଇ ଆସେ । ସେ ଭୁଲିଯାଏ ଭିକାରି ହୋଇ ପତର କୁଡ଼ିଆରେ ବସିଥିବା କଥା ।

 

ଘୋଡ଼ା ଘାସିଆର ବୁଢ଼ା ଡାକିଲା—ଆଜି ନିଆଁ ନାହିଁ କିଲୋ ଝିଅ । ଅନୁ ଡିବି ଲିଭାଇ ବାପ ପାଖକୁ ଉଠି ଆସି କହିଲା—ନା, ମଉସା ନାହିଁ—

 

—ହଁ, ମୁଁ ଜାଣେ ଜମାରୁ ନଥିବ । ସେଥିପାଇଁ ମୁଁ ପିଙ୍କା ଲଗାଇ ଆଣିଛି । ନିଜେ ଜମିଦାର ବାବୁ ଦୟା କରିଛନ୍ତିରେ ବୁଢ଼ା । ତମ କରମ ବଦଳିଯିବ । ଠାକୁର ଘର ପୁଝାରୀ ପରା ମୋ ହାତରେ କହି ପଠାଇଛି, ଦିଅଙ୍କ ଧୂପ ଘଣ୍ଟା ବାଜିଲା ସଙ୍ଗେ ସଙ୍ଗେ ତମେ ସେଠାକୁ ଯିବାକୁ ।

 

—ବୁଢ଼ା ଟିକିଏ ହସି କହିଲା—ମଣିଷ ହାତରେ କ’ଣ ଅଛି ଭାଇ ! ସେହି ଭଗବାନଙ୍କର ଇଚ୍ଛା ।

 

—ହଁ ଭାଇ, ମଣିଷ ହାତରେ କ’ଣ ଅଛି ! ତୁ କ’ଣ କାଲି ଭାବିଥିଲୁ ଖୋଦ ଜମିଦାର ତମ ଉପରେ ଏତେ ଦୟା ଦେଖାଇବେ ବୋଲି । ସେଇ ଭଗବାନଙ୍କର ସବୁ ଖେଳ ।

 

ମନ୍ଦିରରେ ଦିଅଙ୍କ ବଡ଼ିଧୂପ ଘଣ୍ଟା ବାଜିଲା । ବୁଢ଼ା ଡାକିଲା—ଚାଲେ ଝିଅ, ପଲମଟା ଆଣ ! ଆମେ ଟିକିଏ ଆଗରୁ ଯାଇଁ ସେଠି ବସିଥିବା ।

 

ଠାକୁରଙ୍କ ଧୂପ ବଢ଼ିଲା, ଅତିଥି ଅଭ୍ୟାଗତ, ମନ୍ଦିର ସେବକ ପଙ୍ଗତରେ ବସିଗଲେ । ତା ସଙ୍ଗେ ଗୋଟିଏ ବଡ଼ ପିତ୍ତଳ ଥାଳିରେ ପୁଝାରୀ ପ୍ରସାଦ, ଡାଲି, ତରକାରୀ ଖୁବ୍‌ ବେଶି ବେଶି ଆଣି ଡାକିଲା କେଉଁଠି କିରେ ବୁଢ଼ା ! କି ଜାତି ବା ତୁ ?

 

—ଆଜ୍ଞା, କୁଳରେ ଖଣ୍ଡାଏତ, କରମ ଇମିତି କରିଛି ।

 

—ଆରେ ଭଲ ଜାତିତ ! ଆସୁନୁ ଏ ଚଟାଣ ଉପରକୁ । ତୋ ନାତୁଣୀ କୁଆଡ଼େ ଗଲା-! କ’ଣ ଯାଗା ଆଣିଛ ଦେଖା । ନା, ପୁରା ଖାଇବ—ପତର ଦେବି ? ଗୋଟିଏ ଝିଅକୁ

 

—ନା ପୁଝାରୀ ବାବୁ, କୁଡ଼ିଆକୁ ନେଇଯିବୁ ।

 

—ହଉ ଯାଗା ଦେଖା ।

 

ଅନୁ ପଲମ ଦେଖାଇ, ମାଟି ତାଟିଆ ତାରି ପାଖରେ ଥୋଇଦେଲା ।

 

—ଆରେ ! ଏଡ଼େ ଛୋଟ ଯାଗାରେ କିମିତି ପ୍ରସାଦ ନେବ । କାଲିକୁ ବଡ଼ ଯାଗା ଆଣିବ । ଆଜି ମୁଁ ଖଲି ପତର ଦି’ଟା ଦେଉଛି, ସେଥିରେ ପ୍ରସାଦ ପୂରାଇ କାନିରେ ବାନ୍ଧି ଦିଅ । ପଲମ ତାଟିଆରେ ଡାଲି ତରକାରୀ ନିଅ !

 

—ହଉ ଆଜ୍ଞା, ତମର ଦୟା ।

 

ଛୋଟ କୁଡ଼ିଆ ଘର । ଅନୁ ଡିବିଟିଏ ଜଳାଇ ଯେତେବେଳେ ପ୍ରସାଦ ଲୁଗା ଭିତରୁ ଫିଟାଇ ଡାଲି ତରକାରୀ ପାଖରେ ଥୋଇଲା, ସେତେବେଳେ ମହ ମହ ବାସନାରେ ସେହି ଛୋଟ ପତର କୁଡ଼ିଆଟି ମହକି ଗଲା । ଦିହେଁ ଆଗେ ପ୍ରସାଦ ଆଡ଼େ ଅନାଇଁ ଆବା କାବା ହୋଇଗଲେ । ଏତେ ପ୍ରସାଦ, ଏତେ ଡାଲି, ଏତେ ତରକାରୀ ! ସେକରରେ ପୁଣି କ୍ଷିରୀ ! କେତେ ବର୍ଷ ହେବ କାହିଁ ମନେତ ପଡ଼ୁନାହିଁ—ଇମିତି ସେ କେଉଁଠି ଖାଇଥିଲେ ବୋଲି ।

 

ଖୁସି ମନରେ ପ୍ରସାଦ ପାଉ ପାଉ, ବୁଢ଼ା ଅନୁ ଆଡ଼େ ଅନାଇଁ ବଡ଼ ଗମ୍ଭୀର ହୋଇ କହିଲା—ନାଇଁଲୋ ଝିଅ, କାଲିଠୁ ତୋତେ ସାଙ୍ଗରେ ନେଇ ଆଉ ଭିକ ମାଗି ଯିବି ନାହିଁ, ଆଉ ଆମର ଭିକ ମଗାରେ କି କାମ ! ହେଇତ ଆଜି ଯେତେ ଭୋଗ ଦେଇଛନ୍ତି, ଓଳି ଖାଇଲେ ସରିବ ନାହିଁ । ଭଗବାନ ଯେତେବେଳେ ଲଗାଇ ଆଣିଛି । ଭିକ ମାଗି ଯିବା କାହିଁକି ?

 

ଅନୁ, କ୍ଷୀରୀ ଟିକିଏ ପାଟିରେ ମାରୁ ମାରୁ କହିଲା—କେତେ ମିଠା ଲାଗୁଛି ୟା’କୁ ଟିକିଏ ଚାଖିଲ ? ହଁ ବାବା, କାଲିଠୁଁ ଆଉ ଭିକ ମାଗି ଯିବାନାହିଁ । ଭିକ ମାଗିବା ଭଲ କଥା ନୁହେଁ ।

 

ରାତି ପାହିଲେ ରବିବାର, ଅନୁ ସକାଳୁ ବୁଢ଼ା ବାବାକୁ ଉଠାଇ ଦେଇ କହିଲା—ଜମିଦାରବାବୁ କହୁଛନ୍ତି ଆଜି ତାଙ୍କ ଦରଜା ପାଖକୁ ଯିବାକୁ । ଉଠି କାମ ସାର, ଯିବା ପରା ।

 

ବୁଢ଼ା କହିଲା—ଭଗବାନ ଭରସା, ତାଙ୍କ କଣ୍ଠରେ ଦୟା ଆସୁ । ସେଦିନ ଠାରୁ ଦି’ଦିନ ଦି’ରାତି କଟିଗଲାଣି, କିନ୍ତୁ ମୁହୂର୍ତ୍ତକ ପାଇଁ ସୁଦ୍ଧା ନରେନ୍ଦ୍ର ବାବୁଙ୍କ ମନ ସ୍ଥିର ନାହିଁ । ତାଙ୍କୁ କଚେରୀ କାମ କଲାବେଳେ, ଖାଇଲାବେଳେ, ଶୋଇଲାବେଳେ ଲାଗୁଛି ସତେ ଯେପରି ସେହି ଝିଅଟି ତାଙ୍କ ପଛେ ପଛେ ଗୋଡ଼ାଇ ବାପା ବାପା ଡାକୁଛି ।

 

ସେଦିନ ସକାଳୁ ନରେନ୍ଦ୍ର ବାବୁ ଗାଧୋଇ ସରବତ୍‌ ଖାଇସାରି ନିରୁପମା ଦେବୀଙ୍କୁ ଡାକିଲେ । ନିରୁପମା ଦେବୀ ପାଖକୁ ଆସି କହିଲେ—କ’ଣ କହୁଛ ?

 

—ଜଳଖିଆ ଖାଇ ସାରିଲଣି ?

 

—ହଁ, ଖାଇ ସାରିଲିଣି ?

 

—ସମସ୍ତଙ୍କୁ ମନା କର, କେହି ଏପାଖକୁ ଆସିବେ ନାହିଁ । ତମେ ପରା ତମ ଗେହ୍ଲା ଝିଅ ସୁଷମା ଭଳି ଆଉ ଗୋଟିଏ ଝିଅକୁ ଦେଖିବ । ଯେ ଭିକାରି ବୁଢ଼ାକୁ କହି ଆସିଥିଲି, ଆଜି ଆସି ତମକୁ ଦେଖା କରିବାକୁ । ଆମରି ଘୋଡ଼ାଶାଳ ଆମ୍ବଗଛ ମୂଳେ ପତର କୁଡ଼ିଆଟିଏ କରିଅଛନ୍ତି । ମୁଁ ସେଦିନ ରାତିରେ ପୋଖରୀ ଉପର ବେଞ୍ଚ ଉପରେ ବସି ସେମାନଙ୍କ କଥାବାର୍ତ୍ତା ଶୁଣିଥିଲି । ସେମାନେ ଖଣ୍ଡାୟତ, ଦିନେ ସେମାନେ ବି ଧନୀ ଥିଲେ । ଭାଗ୍ୟ ତାଙ୍କୁ ଇମିତି କରିଛି । ମୁଁ ଭାବୁଛି ସେଇ ଝିଅଟିକୁ ଆମେ ଝିଅ କରି ଏଠି ଆଣି ରଖିବା । ତମର କଣ ଇଚ୍ଛା ? ମୋର ମନେ ହେଉଛି ତମେ ତାକୁ ପାଇଲେ ସୁଷମାକୁ ଭୁଲିଯିବ । ମୋର ଇଚ୍ଛା, ତାକୁ ଏଇକ୍ଷଣି ଆମ ଘରକୁ ଆଣିବା ନାହିଁ । ଠାକୁର ମନ୍ଦିରରେ ସେ କିଛିଦିନ ଦିଅଙ୍କ ଫୁଲ ତୋଳା ତୋଳି କରୁ । ତମେ କେବଳ ତା’ ଉପରେ ନଜର ରଖିଥା । କ’ଣ କହୁଛ ?

 

—ନିରୁପମା ଦେବୀ ନରେନ୍ଦ୍ର ବାବୁଙ୍କ କଥାରେ ଆଗ୍ରହ ଦେଖାଇ କହିଲେ—ତମର ଯଦି ମନ ମାନୁଛି, ମୁଁ କ’ଣ ମନା କରିବି । ଭଗବାନ ଯଦି ଆମ ମନରେ ସୁଖ ଦେବାକୁ ଇଚ୍ଛା କରିବେ ତାହାହେଲେ ତାହା ପୂରଣ ହେବ । ମଣିଷର କ’ଣ ହାତ, କାହିଁ ତାକୁ ଡାକମ ! ଦେଖନ୍ତି ଟିକିଏ ।

 

—ନରେନ୍ଦ୍ର ବାବୁ ହସି ହସି କହିଲେ—ତମ ମନ ଦେଖିବାକୁ ବ୍ୟାକୁଳ ହେଲାଣି ନା ! ମୁଁ କହି ଆସିଥିଲି—ଦି’ ପ୍ରହରେ ଫାଟକ ପାଖରେ ରହି ଖବର ଦେବାକୁ ଏଇକ୍ଷଣି ସମୟ ହୋଇନାହିଁ । ସେଥିପାଇଁ ବୋଧହୁଏ ଆସି ନାହାନ୍ତି । ଚଉକି ଉପରେ ବସ । ମୁଁ ଡାକି ପଠାଉଛି ।

 

ଜମିଦାର ଡାକିଲେ—କିଏ ଅଛରେ ?

 

ଚାକର ଗୋଟାଏ ଆସି ହାତଯୋଡ଼ି ଠିଆ ହେଲା ।

 

—ତୁ ଗଲୁ ଆମ ଘୋଡ଼ାଶାଳ ଆମ୍ବଗଛ ମୂଳେ ଯେଉଁ ଭିକାରି ବୁଢ଼ା ଆଉ ତାର ଝିଅଟିଏ ଅଛନ୍ତି, ତାଙ୍କୁ ଡାକି ଆଣିବୁ ।

 

ହଜୁର କହି ଚାକରଟି ଚାଲିଗଲା ।

 

ଚାକରଟି କଣ ଭାବି ଭାବି ଫାଟକ ଡେଇଁ ପଚାଶ ହାତ ଯାଇଛି କି ନାହିଁ, ସେ ବୁଢ଼ା ଆଉ ଝିଅଟି ସେଇଆଡ଼କୁ ଆସୁଥିବାର ଦେଖିଲା । ଚାକରଟି ସେହି ବୁଢ଼ାର ଝିଅଟିର ଗୋଡ଼ରୁ ମୁଣ୍ଡ ପରିଯନ୍ତେ ଥରେ ଚାହିଁଦେଇ କହିଲା—ହେ ବୁଢ଼ା, ତୁ ଏଇ ଘୋଡ଼ାଶାଳ ପାଖ ଆମ୍ବଗଛ ମୂଳେ ଥାଉନା ?

 

ହଁ ବାବୁ, ସେଉଠି ଆଶ୍ରା ନେଇଛି । ଜମିଦାରବାବୁ ଆଜି ଆସିବାକୁ କହିଥିଲେ, ତାଙ୍କରି ସାକ୍ଷାତ କରିବାକୁ ଯାଉଛି । କାହାକୁ କହିଲେ ଭିତରକୁ ଟିକିଏ ସଅଳ ଖବର ଯାଆନ୍ତା, କହିଲ ବାବୁ ?

 

—ଆରେ ବୁଢ଼ା, ମୁଁ ପରା ତୋତେ ଡାକିବାକୁ ଯାଉଥିଲି, ଖୋଦ ଜମିଦାର ସାହେବ ବାରଣ୍ଡାରେ ବସି ଡକାଇଛନ୍ତି। କ’ଣ ଘଟଣା ବୁଢ଼ା କହିଲୁ, କିଛି ଦୋଷ କରିଛୁ କି ରେ !

 

—ନା ବାବୁ, ଭିକାରି କାହାରି କ’ଣ କିଛି କରି ପାରିବ । ଦୁଃଖ ଜଣାଇଥିଲି, ସେଇଥିପାଇଁ ଦେଖା କରିବାକୁ ଆମକୁ ହୁକୁମ ହୋଇଥିଲା ।

 

ଆଚ୍ଛା ଆ ଆ, ଏଇ ଫାଟକ ପାଖରେ ଠିଆ ହୋଇଥା । ତୁ ଏଇକ୍ଷଣି ଭିତରକୁ ଯିବୁ କି ନାହିଁ ପଚାରି ଆସୁଛି ।

 

ଚାକରଟି ଜମିଦାରଙ୍କ ପାଖରେ ଯାଇଁ ଜଣାଇଲା—ଆଜ୍ଞା, ଆସିଯାଇଛି, ଏଠିକି ହଜୁର ଡାକିବି ?

 

—‘‘ହଁ, ଡାକି ଆଣେ !’’

 

ନିରୁପମା ଦେବୀ ଦଣ୍ଡେ ସେହି ଝିଅଟିକୁ ଦେଖି ଅବାକ ହୋଇ ଚାହିଁ କହିଲେ—ଠିକ୍‌ ମୋ ଝିଅ ପରି ତ ! ତାରି ଭ୍ରୂଲତା, ତାରି ଚାଲି—ତାରି ଓଠ ।

 

ନରେନ୍ଦ୍ର ବାବୁ ଏକ ଦୃଷ୍ଟିରେ ନିଜର ସ୍ତ୍ରୀଙ୍କ ମୁହଁକୁ ଚାହିଁ ରହିଥାନ୍ତି ।

 

ନିରୁପମା ଦେବୀ ସ୍ୱାମୀଙ୍କ ଆଡ଼କୁ ବିସ୍ମୟରେ ଅନାଇଁ କହିଲେ, ତୁମେ ଯାହା କହୁଥିଲ ଠିକ୍‌ କଥା । ଝିଅଟାକୁ ଭଲ ଲୁଗା ଖଣ୍ଡିଏ ପିନ୍ଧାଇଦେଲେ ମୋ ସୁଷମା କି ଆଉ କିଏ ଚିହ୍ନି ହେବ ନାହିଁ ଆହା ! ଝିଅଟି କେତେ ହୀନିମାନିଆ ହୋଇଛି ।

 

ସେହି ଝିଅଟିକୁ ଦଣ୍ଡେ ଅନାଇ ତାଙ୍କ ମୁହଁରେ ହସ ଫୁଟି ଉଠିଲା । ଡାକିଲେ—ଝିଅ, ଏଇଠିକୁ ଆଇଲୁ ?

 

ଅନୁ ଡରି ଡରି ପାହାଚ ଉପରକୁ ଉଠିଲା । କିନ୍ତୁ ସେଠି ବସିବାକୁ ତାର ସାହସ ହେଲା ନାହିଁ ।

 

ନିରୁପମା ଦେବୀ ତାକୁ ବସିବାକୁ କହି, ତା’ ଶୁଖିଲା ମୁହଁଟିକୁ ଅନାଇ ପଚାରିଲେ—କ’ଣ ଖାଇଛୁ ?

 

ନରେନ୍ଦ୍ର ବାବୁ ସେମିତି ଅନାଇ ଥାଆନ୍ତି ।

 

ନିରୁପମା ଦେବୀ ଆଉ କିଛି ପଚରା ପଚରି ନକରି ଘର ଭିତରକୁ ପଶିଯାଇ ଜଳଖିଆ ଆଣିବାକୁ ପୁଝାରୀକୁ ଡାକି ଦେଲେ । ପୁଝାରୀ ଥାଳିଆଏ ଜଳଖିଆ ଆଣି ନିରୁପମା ଦେବୀଙ୍କ ପାଖରେ ଠିଆ ହେଲା ।

 

ନିରୁପମା ଦେବୀ ଅନୁର ନୁଖୁରା ବାଳ ଉପରେ ପ୍ରଥମ କରି ହାତ ବୁଲାଇ କହିଲେ—ଭୋକ କରିବଣି ? ବାପାକୁ ଅଧେ ଦେଇ ଆ, ଆଉ ତୁ ବସି ସବୁ ଖା ।

 

ଅନୁର ସେ ଥାଳି ଛୁଇଁବାକୁ ସାହସ ହେଲା ନାହିଁ । ଜମିଦାର ବାବୁଙ୍କ ଘର ଥାଳି ! ପଲମରେ ଖାଇ ଖାଇ ତାଙ୍କ ଦିନ ଯାଇଛି...ଅନୁ ଚୁପ୍‌ ହୋଇ ତଳକୁ ମୁହଁ ପୋତି ବସି ରହିଲା ।

 

ନିରୁପମା ଦେବୀ ପୁଣି କହିଲେ—ବସିଲୁ କାହିଁକି ? ଖା ।

 

ଅନୁ ଡର ଡର ରହି ରହି କହିଲା—ଏଇ ଥାଳୀ...... ମୋ କାନିରେ ଓଜାଡ଼ି ଦିଅ ମା’ ।

 

ନିରୁପମା ଦେବୀ ହସିଲେ, ନରେନ୍ଦ୍ର ବାବୁ ନ ହସି ରହି ପାରିଲେ ନାହିଁ । ଅନୁ ଆହୁରି ଶଙ୍କିଗଲା ।

 

ନିରୁପମା ଦେବୀ ପୁଣି ତା ମୁଣ୍ଡରେ ହାତ ବୁଲାଇ କହିଲେ—ଖଣ୍ଡାୟତ ଘର ତ । ଥାଳୀରେ ଖାଇଲେ କ’ଣ ହେଲା ?

 

ଅନୁ ମୁରୁକି ହସି ତଳକୁ ମୁହଁ ପୋତି କହିଲା—ନା, ମା’, ଏଇକ୍ଷଣି ଖାଇବି ନାହିଁ । ସିଆଡ଼େ ଖାଇବି ।

 

ଅନୁ ଲାଜ କରୁଛି ବୋଲି ନିରୁପମା ଦେବୀ ଆଉ ବଳାଇଲେ ନାହିଁ । ହଉ କହି ସେଠୁ ଉଠି ଚାଲିଗଲେ ।

 

ଅନୁ କାନ୍ଥକୁ ଆଉଜି ବସି ରହିଲା । ବୁଢ଼ା ଗଛମୂଳେ ବସି ତାର ଆଉ ଆନନ୍ଦରେ ସୀମା ନଥାଏ । ନରେନ୍ଦ୍ର ବାବୁ ଏକ ଦୃଷ୍ଟିରେ ଅନୁ ଆଡ଼େ ଅନାଇ ତାର ଭବିଷ୍ୟତ ଚିନ୍ତା କରୁଥାନ୍ତି-

 

ଅଳ୍ପ ସମୟ ପରେ ନିରୁପମା ଦେବୀ ହାତରେ ଖଣ୍ଡିଏ ସୁନ୍ଦର ନାଲି ଧଡ଼ିଆ ଲୁଗା ଆଉ ତେଲ ବୋତଲ ଆଣି ସେଠି ପହଞ୍ଚିଲେ । ଏସବୁ ଦେଖି ନରେନ୍ଦ୍ର ବାବୁଙ୍କ ମନ ଆହୁରି ଖୁସି ହୋଇଗଲା । ନିରୁପମା ଦେବୀ ଲୁଗାଟିକୁ ଅନୁ କାନ୍ଧ ଉପରେ ପକାଇ, ତେଲ ବୋତଲଟି ତା’ ହାତରେ ଧରାଇ ଦେଇ କହିଲେ, ଏସବୁ ନେଇଥା, ପୁଣି କାଲିକୁ ମୁଁ ସବୁ ଦେବି। ତୋ ବାପା ପାଇଁ ଭଲ ଲୁଗା ଦେବି । ପୋଖରୀରେ ଯାଇ ତେଲ ଲଗାଇ ସଫା ସୁତୁରା ହୋଇ ଗାଧୋଇ ପଡ଼ିବୁ । ଚିରା ଲୁଗା ଫୋପାଡ଼ି ଦେଇ, ଏ ଲୁଗା ପିନ୍ଧିବୁ । ସାବୁନ ଖଣ୍ଡେ ଦେଉଛି ନେଇଯା । କାଲିଠୁଁ ଆଉ ସେଠି ରହିବ ନାହିଁ । ଆମ ଠାକୁର ଘର ପଛପଟେ ଭଲ ଘର ଖାଲି ପଡ଼ିଛି, ସେଇଠି ରହିବ । ଦି’ବେଳା ଠାକୁରଙ୍କ ଭୋଗ ସେଇଠି ପାଇବ । ତୁ ଠାକୁରଙ୍କୁ ଫୁଲ ନିତି ତୋଳି ଗୁନ୍ଥି ଦେବୁ । ଠାକୁରେ ତୋର ଖୁବ୍‌ ମଙ୍ଗଳ କରିବେ । ବୁଝିଲୁ ମା’ ! ଯା, ଭୋକ କରିବଣି ।

 

ନରେନ୍ଦ୍ର ବାବୁ ଆନନ୍ଦରେ ବିଭୋର ହୋଇ ସେଇଆଡ଼କୁ ଚାହିଁ ରହିଥାନ୍ତି । ଅନୁ ଉଠି ଠିଆ ହୋଇ ଶଙ୍କି ଶଙ୍କି କହିଲା—ଜଳଖିଆ ମା’ କାନିରେ ଓଜାଡ଼ି ଦିଅ....... ।

 

ନିରୁପମା ଦେବୀ ନିଜେ ଉଠି ପଡ଼ି ଥାଳୀଟିକୁ ତା’ ହାତରେ ଧରାଇ ଦେଇ କହିଲେ—ପାଗଳିଟା ନେଇ ଯା । ପଛକୁ କିଏ ଯାଇ ନେଇ ଆସିବ ।

 

ଅନୁ ଚମକିଲା ପରି ହୋଇ କହିଲା—ନା ମା’, କାନିରେ ଓଜାଡ଼ି ଦିଅ, ଗଛମୂଳ ପତର କୁଡ଼ିଆ ଭିତରେ ଏ ଥାଳୀ ଦେଖିଲେ ଚୋରି କରିଛୁ ବୋଲି, ଯଦି କିଏ ବାନ୍ଧି ନେବ !

 

ନିରୁପମା ଦେବୀ ତା’ ପିଠିରେ ହାତ ମାରି କହିଲେ, କାହାର ଏଡ଼େ ସାହସ ! କେହି କିଛି କହିବେ ନାହିଁ, ନେଇଯା ।

 

ଅନୁ ଭାରି ଖୁସି ହୋଇ ଚାଲିଲା ଆଗେ ଆଗେ । ବୁଢ଼ା ନରେନ୍ଦ୍ରବାବୁ ଓ ନିରୁପମା ଦେବୀଙ୍କୁ ନମସ୍କାର ହୋଇ ଆଶୀର୍ବାଦ କରି କରି ଚାଲିଲା—ଭଗବାନ ମଙ୍ଗଳ କରିବେ—ଧନ ଜନ ବଢ଼ିଯିବ । ସେମାନେ ଚାଲିଗଲା ପରେ, ନରେନ୍ଦ୍ର ବାବୁ ନିରୁପମାଦେବୀଙ୍କୁ କହିଲେ—ବାଃ, ତୁମେ ତ ମୋ ଅପେକ୍ଷା ଅନେକ ବରାଦ କରି ଦେଲଣି ।

 

—ହଁ, ସତେ ମ ! ତମେ ଯାହା କହୁଥିଲ ଠିକ୍‌ କଥା । ଠିକ୍‌ତ ତାରି ପରି ମୁହଁ, ଠିକ୍‌ ତାରି ଆଖି, ତାରି ଚାଲି । କୁଆଡ଼େ ଗଲା ! ନିରୁପମା ଦେବୀଙ୍କ ଆଖି କୋଣରେ ଲୁହ ଜକେଇ ଆସିଲା । ଟିକିଏ ନୀରବ ରହି ନିରୁପମା ଦେବୀ ନିଜ କାନିରେ ଆଖି ଲୁହ ପୋଛି କହିଲେ, ତମେ ଯାହା କହୁଥିଲ ସେଇଆ କରିବା । ପିଲାଟା ଠାକୁରଙ୍କର କିଛି ଦିନ ସେବା କରୁ । ବୁଢ଼ା ଆଉ କେତେଦିନ ବଞ୍ଚିବ । ତା’ପରେ ଏଠିକୁ ତାକୁ ନେଇ ଆସିବା । ଭାରି ଶାନ୍ତ ଝିଅଟିଏ ।

 

ନରେନ୍ଦ୍ର ବାବୁ ଖାମଖିଆଲଙ୍କ ଭଳି ବାହାରଆଡ଼େ ଚାହିଁ ଉତ୍ତର ଦେଲେ—ମୁଁ ତ ପିଲାଟାକୁ ଦେଖିଲାବେଳୁ ମୋର ମନ ମାନିଛି । ଏଣିକି ତମର ଇଚ୍ଛା, ତମେ ତାକୁ ଯେପରି ରଖି ପାର ।

 

ନରେନ୍ଦ୍ର ବାବୁଙ୍କର ସାତବର୍ଷର ଏକମାତ୍ର ପୁଅ ପୂର୍ଣ୍ଣ ପାଠ ପଢ଼ି ଯାଇଥିଲା, ଫେରିଆସି ବହିପତ୍ର ଖଟ ଉପରେ ପକାଇ ଦେଇ ବୋଉ ବୋଉ ଡାକି ସେଇଠି ହାଜର ହୋଇଗଲା । ନିରୁପମାଦେବୀ ତାକୁ କୋଡ଼ ଭିତରକୁ ଟାଣିନେଇ ହସି ହସି କହିଲେ—ତୋର ଗୋଟିଏ ନୂଆ ଅପା ଆସିଛି । ତା’ ସଙ୍ଗରେ ତୁ ଖେଳିବୁ ?

 

ପୂର୍ଣ୍ଣ ହସି ହସି ମୁହଁ ଶୁଖେଇ କହିଲା—ସୁଷମା ଅପା ପରା ମରିଗଲା, ଆଉ ଅପା କାହିଁ ?

 

ନିରୁପମା ଦେବୀ କୋହଟାକୁ ପେଟ ଭିତରେ ଚାପି ରଖି କହିଲେ, ନାହିଁରେ ଠିକ୍‌ ସୁଷମା ଅପା ଭଳି ଆଉ ଗୋଟିଏ ଅପା ଆମେ ଆଣିବା । ଆମେ ତାକୁ ଘରେ ରଖିବା ନା ରଖିବା ନାହିଁ, କହିଲୁ ?

 

ପୂର୍ଣ୍ଣ ହସି ହସି କହିଲା—ନା ରଖିବା, ଆମେ ଦିହେଁ ସାଙ୍ଗ ହୋଇ ପଢ଼ିବୁ । କାହିଁ ସେ ଅପା, ମୋତେ ଦେଖେଇ ଦେ ।

 

—‘‘ନରେନ୍ଦ୍ରବାବୁ, ପୂର୍ଣ୍ଣଆଡ଼େ ଅନାଇ ମନେ ମନେ ଭାରି ଆନନ୍ଦ ଅନୁଭବ କରୁଥାଆନ୍ତି ।’’

 

ନିରୁପମା ଦେବୀଙ୍କର ଇଚ୍ଛା ହେଉଥିଲା, ପୂର୍ଣ୍ଣକୁ ଚାକର ସଙ୍ଗରେ ପଠାଇ ସେ ଝିଅଟିକୁ ଦେଖାଇ ଆଣିବାକୁ, କିନ୍ତୁ ଲୋକେ ହଠାତ୍‌ କ’ଣ ଭାବିବେ । ପୂର୍ଣ୍ଣର ଭିକାରୁଣୀ ଛୁଆଟା ବୋଲି ତାର ଛୋଟ ମନରେ ଏଇଦିନୁ କାଳେ ଧାରଣା ହୋଇଯିବ, ସେଥିପାଇଁ ତାକୁ ବାଁରେଇ କହିଲେ—ସେ କ’ଣ ଏଇକ୍ଷଣି ଆସିବ । ଆମେ ସବାରୀ ପଠାଇ ଦେବା, ସେ କାଲିକୁ ଆସି ପହଞ୍ଚିବ ନା ? ତୁ କାଲି ସକାଳେ ମୋ ସାଙ୍ଗରେ ଆମ ଠାକୁର ଘରକୁ ଯିବୁ ଯେ ଦେଖାଇଦେବି ।

 

ପୂର୍ଣ୍ଣ ତାଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଡେଇଁ ଡେଇଁ ଘର ଆଡ଼େ ଚାଲିଗଲା ।

 

ଅନୁ କୁଡ଼ିଆ ତାଟି ଫିଟାଇ ଜଳଖିଆ ଥାଳିଟିକୁ ଘୋଡ଼ାଇ ରଖି ଦେଇ ଡାକିଲା–ବାବା-?

 

—କ’ଣ ମା’

 

—ହଁ ମା’ ଭଗବାନଙ୍କର ଇଚ୍ଛା ଯାହା । ତୋତେ ଆଉ ଏ କୁଡ଼ିଆରେ ରଖିବାକୁ ତାଙ୍କର ଇଚ୍ଛା ନାହିଁ ।

 

ଅନୁ ନୀରବ, ସତେ ଯେପରି କେତେ କ’ଣ ସେ ଭାବୁଛି । ବୁଢ଼ା ସେ ଗଛମୂଳେ ବସି ପଡ଼ି ଅନୁକୁ ଆକଟି ଡାକିଲା—ଯା ଝିଅ ସଫା ସୁତୁରା ହୋଇ ଗାଧୋଇ ପଡ଼ । ସାଆନ୍ତାଣୀଙ୍କ ସ୍ନେହ ହେଇଛି ପରା । ଏ ଓଳି ଆଉ କାହିଁକି ଭାତ ବସାଇବୁ । ଯାହା ଜଳଖିଆ ଦେଇଛନ୍ତି ଆମର ଢେର ହେବ ।

 

ଅନୁ ହଁ ଯାଉଛି କହି—ସାବୁନ ଖଣ୍ଡିକ, ତେଲ ବୋତଲ, ଗାମୁଛା ଖଣ୍ଡିକ ନେଇ ପୋଖରୀ ତୁଠକୁ ଚାଲିଗଲା । ପାଣିରେ ପଶି ସାବୁନ ଲଗାଇ, ଦେହ ହାତକୁ ଘଷି ହେଉ ହେଉ ନିଜେ ନିଜର ସଫା ସୁତୁରା ହାତ ଗୋଡ଼କୁ ଦେଖି କୁରୁଳି ଉଠିଲା । କି ସୁନ୍ଦର ତାର ଦେହର ରଙ୍ଗ, ମସିଆ ଲାଗି ଇମିତି ଖରାପ ହେଇଥିଲା ନା ! ଗାଧୋଇ ସାରି ମୁଣ୍ଡରେ ତେଲ ଲଗାଉ ଲଗାଉ ବାସନା ତେଲର ମହକରେ ତା’ ମନରେ ବି ମହକ ଉଠିଲା । ମନେ ମନେ ଭାରି ଖୁସି ହୋଇ ଭାବି ଚାଲିଲା—‘‘ସେଦିନ ହାଟରେ ବୁଢ଼ା ଯାହା କହୁଥିଲା ଠିକ୍‌ କଥା, ଖାଇ ପିନ୍ଧି ନଗେଇଲେ ରଜା ଝିଅ ପରି ଦିଶିବ !’’ ତା’ପରେ ଅନୁ ଆଉ କିଛି ଭାବିପାରେ ନାହିଁ—ସବୁ ଗୋଳମାଳିଆ ହୋଇଯାଏ ।’’

 

‘‘ମନ ତଳେ ଲାଗି ଆସୁଛି ଯୌବନର ମହୁଆ ନିଶା ।’’

 

କୁଡ଼ିଆକୁ ଫେରି ଆସି ଆଣିଥିବା ସଫା ଲୁଗା ଖଣ୍ଡିକ ପିନ୍ଧି, ମୁଣ୍ଡଟି ଭଲ କୁଣ୍ଡାଇ ପକାଇଲା । ତାର ନୁଖୁରା ବାଳ ଗୁଡ଼ିକ ଏତେଦିନକେ ତେଲ ବାଜି ଆହୁରି କଳା ଆହୁରି ସୁନ୍ଦର ଦେଖା ଯାଉଥାଏ । ଅନୁ ନିଜକୁ ଥରକୁ ଥର ଅଇନାରେ ଦେଖି ନିଜକୁ ଆଉ ଚିହ୍ନି ପାରୁ ନଥାଏ । ସେ ଏଡ଼େ ସୁନ୍ଦର ! ବୁଢ଼ା ଠିକ୍‌ କଥା କହିଛି । ହାତକୁ ଅନାଇଲା—ଖଡ଼ୁ ଅପେକ୍ଷା ପିତଳ କାଚ ଚାରି ଚାରି ପଟି ସଫା ହୋଇ ଭାରି ସୁନ୍ଦର ଦେଖାଯାଉଛି । ଅନୁ ସଙ୍ଗେ ସଙ୍ଗେ ଖଡ଼ୁ ଦି’ପଟ କାଢ଼ି ପକାଇ ଭାବିଲା—କେତେ ବଡ଼ଲୋକଙ୍କର ଝିଅତ ଇମିତି ଖାଲି କାଚ ନାଇଛନ୍ତି, ସେ ଖଡ଼ୁ ନାଇବ କାହିଁକି ? ହାତକୁ ଏ’ତ ଭାରି ସୁନ୍ଦର ଦେଖାଯାଉଛି !

 

ବୁଢ଼ା ଗାଧୋଇ ଆସି ଡାକିଲା—ପିନ୍ଧିବାକୁ ଖଣ୍ଡେ କ’ଣ ଦେଲୁ ?

 

ଅନୁ ତରତର କରି ଲୁଗା ଖଣ୍ଡିକ ହାତରେ ଧରି ହସି ହସି ବୁଢ଼ାବାପ ଆଗରେ ଠିଆ ହୋଇ ଯାଇ କହିଲା—ମୁଁ କିମିତି ଦେଖା ଯାଉଛି ବାବା ?

 

ବୁଢ଼ା ଅନୁଆଡ଼େ ଅନାଇ ଦେଇ ତାକୁ ନିଜ ଆଡ଼କୁ ଆଉଜେଇ ଆଣି କହିଲା—ମା’ଟା ମୋର ରଜାଝିଅ ପରି ଦେଖାଯାଉଛି । ବୁଢ଼ା ଆଖିର ଆନନ୍ଦରେ ଦି’ଠୋପା ଲୁହ ଗଳି ପଡ଼ିଲା ।

 

ଅନୁ ଉପରକୁ ଅନାଇ ଦେଇ ମୁହଁ ଶୁଖାଇ କହିଲା—ତମେ ପରା ବାବା ସେଦିନ କହିଥିଲ, ଆଉ କାନ୍ଦିବ ନାହିଁ । ପୁଣି କାନ୍ଦିଲ ?

 

ବୁଢ଼ା ଅନୁର ଓଠଟାକୁ ଧରି ପକାଇ ଖୁସି ହୋଇ କହିଲା—ନା ମା’, ମୁଁ କଣ କାନ୍ଦୁଛି ? ତୋର ଖୁସିରେ ପରା ମୋ ଆଖିରୁ ଆନନ୍ଦରେ ଦି’ଠୋପା ପାଣି ଗଡ଼ି ପଡ଼ିଲା ।

 

ଛାଇ ନେଉଟା ବେଳ । ଅନୁ ଜମିଦାରଙ୍କ ଥାଳିଟିକୁ ଭଲ କରି ଧୋଇ ଅନାଇ ବସିଛି–ଯଦି କିଏ ଆସେ, ପଠାଇ ଦେବ । ଭଙ୍ଗା କୁଡ଼ିଆ ! ଚୋର ଯଦି ନେଇ ଯିବ, ତାହାହେଲେ ଭଲକଥା ଆଉ ହେବ ନାହିଁ ।

 

କିଛି ସମୟ ବିତିଗଲା । ଅନୁ ଦେଖିଲା, ଜମିଦାରଙ୍କ ଚାକର ସେହିଆଡ଼କୁ ଆସୁଛି । ସତକୁ ସତ ଚାକରଟି ସେଇଠି ପହଞ୍ଚି ଯାଇ କହିଲା—ମା’ଙ୍କର ହୁକୁମ ହୋଇଛି, ଆଜି ତମେ ଏଠି ଆଉ ରହିବ ନାହିଁ । ଦିଅଙ୍କ କତିରେ ଘର ସଫା ହୋଇ ସାରିଲାଣି, ମୋ ସାଙ୍ଗରେ ଚାଲ, ମୁଁ ଏଇକ୍ଷଣି ତମକୁ ସଙ୍ଗରେ ନେଇ ସେଠିକୁ ଯିବି ।

 

ବୁଢ଼ା ଏକଥା ଶୁଣିଲାକ୍ଷଣି ଖୁସି ହୋଇ କହିଲା—ଆମର ଆଉ କ’ଣ ସମ୍ବଳ ଅଛି ମା’ । ଲୁଗା ଖଣ୍ଡକ ଧର, ମାଆଙ୍କର ତୋ ପ୍ରତି ଦୟା ହୋଇଛି, ଚାଲ !

 

ଅନୁର ଛାତିଟା କାହିଁକି ଦପ୍‌ କରି ହେଲା ।

 

ତାକୁ ଜଣାଗଲା, ସେ ଏଇକ୍ଷଣି ଚାଲିଯିବ ବୋଲି ପତର କୁଡ଼ିଆଟି ତାକୁ ଅନେଇ କାନ୍ଦୁଛି—ଛାଡ଼ିବାକୁ ନାରାଜ । ଏତେ ଦିନର ସେହି ପୁରୁଣା ଖାଇବା ପଲମ, ତାଟିଆ ଯେପରି ତାକୁ ଆକୁଳ ନୟନରେ ଅନାଇ ରହିଛନ୍ତି ।

 

—ବୁଢ଼ା ପୁଣି ଡାକିଲା—ଚାଲେ ମା, ସେ ଠିଆ ହେଲେ ପରା । ଅନୁ ଥର ଥର ହାତରେ କୁଡ଼ିଆଟିର ଗୋଟିଏ କଣରେ ପଲମଟି ଉଗୁରେଇ ଦେଇ ତା ପାଖରେ ତାଟିଆଟି ଥୋଇ ଦେଲା । ସେହି କେତେଦିନର ଦନ୍ଥରା ଛୁରୀ ଖଣ୍ଡିକ, ଲୁଗା ପୁଟୁଳିଟି ହାତରେ ଧରି ଛଳ ଛଳ ଆଖିରେ ତା’ ଭିତରୁ ପଦାକୁ ବାହାରି ଆସିଲା । ଅନୁ ଦିଅଙ୍କ ମନ୍ଦିର ନିକଟ ହେବାଯାଏ, ପଛରେ ପଡ଼ି ରହିଥିବା ସେହି କୁଡ଼ିଆ ଆଡ଼କୁ ଥରକୁ ଥର ଚାହୁଁଥାଏ ।

 

ତହିଁ ଆର ଦିନ ସକାଳ । ସେତେବେଳକୁ ଗୋବିନ୍ଦଜୀଉଙ୍କର ପୂଜା ସରିଯାଇଥାଏ । ନିରୁପମାଦେବୀ ପୂର୍ଣ୍ଣକୁ ସଙ୍ଗରେ ଧରି ଦିଅ ଦର୍ଶନ କରିବାକୁ ଆସିଲେ । ଅନୁ ସେତେବେଳକୁ ଗାଧୋଇ ସାରିଥିଲା । ନିରୁପମାଦେବୀଙ୍କୁ ଦେଖିଲାକ୍ଷଣି ଦଉଡ଼ି ଆସି ତାଙ୍କ ପାଦତଳେ ମୁଣ୍ଡ ଲଗାଇ ନମସ୍କାର କଲା । ନିରୁପମାଦେବୀ ଆନନ୍ଦରେ ହସି ହସି ତା’ ପିଠିରେ ହାତ ବୁଲାଇ କହିଲେ—ଉଠ ମା’, ଦିଅଁ ତୋର ମଙ୍ଗଳ କରନ୍ତୁ ।

 

ପୂର୍ଣ୍ଣ ପାଖରେ ଠିଆ ହୋଇଥିଲା । ଅନୁ ଉଠି ପୂର୍ଣ୍ଣର ହାତ ଧରିଲାକ୍ଷଣି, ନିରୁପମାଦେବୀ ପୂର୍ଣ୍ଣ ଆଡ଼କୁ ଅନାଇ କହିଲେ, ସେହି ପରା ତୋର ଅପା, କାଲି ସବାରି ପଠାଇ ନେଇ ଆସିଛି । ପୂର୍ଣ୍ଣ ଅନୁ ଆଡ଼କୁ ଆଉଜିଗଲା, ନିରୁପମାଦେବୀ ଅନୁ ଆଡ଼କୁ ଅନାଇ କହିଲେ—ନିତି ସାବୁନ ଲଗାଇ ସଫା ସୁତୁରା ହେବୁ । ତୋର ଚାରିଖଣ୍ଡ ଲୁଗା, ବିଛଣା, ବୁଢ଼ା ପାଇଁ ଲୁଗା ଚାକର ଏଇକ୍ଷଣି ଘେନି ଆସିବ । ତୁ ନିତି ସକାଳୁ ଉଠି ଦିଅଁଙ୍କ ଫୁଲ ତୋଳିବୁ ମା’ । ତୋର ଠାକୁରେ ଭାରି ମଙ୍ଗଳ କରିବେ ।

 

ନିରୁପମା ଦେବୀ ଦିଅଁଙ୍କୁ ଦର୍ଶନ କରି ଫେରିଲା ବେଳକୁ ଦେଉଳରେ ଥିବା ସମସ୍ତ ପୁଝାରୀ ଚାକର ବେହେରାଙ୍କୁ କହିଗଲେ, ଏ ମୋର ଧର୍ମ ଝିଅ । ତାର ଯେପରି କିଛି ଅସୁବିଧା ନହୁଏ, ସେଥିପ୍ରତି ନଜର ଦେବ ।

 

ଦିନ ପରେ ଦିନ ବିତିଗଲା । ସେଦିନର ଅନୁ ଆଉ ଆଜିକୁ ରହିଲା ନାହିଁ । ତାର ଦେହ ମୁଣ୍ଡରେ କ୍ରମେ କେତେ ପରିବର୍ତ୍ତନ ହୋଇଗଲା । ତାର କଅଁଳ ମନଟି ନାଲି ନେଳି ରଙ୍ଗରେ ଚିତ୍ରେଇ ହେବାକୁ ଲାଗିଲା ।

 

ଅନୁର ହାତରେ ସେଦିନର ଆଉ ପିତଳ ଚୁଡ଼ି ନାହିଁ କି କାନରେ ପିତଳ କାପ ନାହିଁ । ନିରୁପମାଦେବୀ କାନକୁ ସୁନାର କାପ ଦୁଇଟି, ହାତକୁ ସରୁ ଚୁଡ଼ି ଚାରି ଚାରି ପଟ, ବେକରେ ସୁନାର ଚେନଟିଏ ନିଜେ ନାଇ ଦେଇ ଯାଇଛନ୍ତି ।

 

ଅନୁ ସମୟ ପାଇଲେ ଅଇନା ଖଣ୍ଡିକରେ ଲୁଚାଇ ଲୁଚାଇ ନିଜକୁ ନିଜେ ଦେଖେ, ନିଜର ରୂପରେ ଆତ୍ମହରା ହୁଏ—ସେ ଏଡ଼େ ସୁନ୍ଦର ! ଏଇ କେଇଦିନ ତଳେ ସେ ଯେ ଭିକାରିର ଝିଅ ଥିଲା, ତାର କାହିଁକି ବିଶ୍ୱାସ ହୁଏ ନାହିଁ ।

 

ଦିନେ ଦିନେ ପୁଝାରୀ ଗୋବିନ୍ଦଜୀଉଙ୍କୁ ଗାଧୋଇ ଲୁଗା ପିନ୍ଧାଉ ପିନ୍ଧାଉ, ଅନୁ ଫୁଲଡ଼ାଲାଟି ନେଇ ଡାକେ—ନନା, ପୂଜା ଏତେବଳଯାଏ ସରିନାହିଁ ? ମୋର ତ ଫୁଲଗୁନ୍ଥା ସରିଲାଣି ଯୁବକ ପୁଝାରୀଟି ଠାକୁରଙ୍କ ବେକରେ ଉତ୍ତରୀ ଦେଉ ଦେଉଁ ଅନୁ ଆଡ଼େ ଅନାଇଁ ଦିଏ । କ୍ଷଣକ ପାଇଁ ଅନୁ ମୁହ ଉପରୁ ତାର ଆଖି ଆଉ ଫେରେ ନାହିଁ । ଅନୁ ବି ସିଧା ସଳଖ ଚାହିଁ ପାରେ ନାହିଁ । ତଳକୁ ମୁହଁ ପୋତି କହେ—ଚଞ୍ଚଳ ପୂଜା ସାର । ଏଇଠି ଫୁଲ ରହିଲା । ମୁଁ ଯାଉଛି ।

 

ପୁଝାରୀ ତା’ ଉପରୁ ଆଖି ଫେରାଇଆଣି କହେ—ରହ ରହ ଅନୁ ମୋର ହେଇ ସରିଲା । ତୁ ଠିଆ ହ । ଦିଅଁ ତୋ ହାତର ଫୁଲମାଳଟି ନାଇଲେ ତାଙ୍କ ମୁହଁରେ ହସ ଫୁଟି ଉଠେ । ଦେଖିବୁ ରହ, ତୋ ଫୁଲ ନାଇ ଦିଅଁ କେମିତି ଆଜି ଦେଖାଯିବେ ।

 

ଅନୁ ଡାଲାଟି ଥୋଇ ଦେଇ କାନ୍ଥକୁ ଆଉଜି ଠିଆ ହୋଇ ରହେ । ପୁଝାରୀ ଠାକୁରଙ୍କୁ ସଜାଉ ସଜାଉ ଅନୁ କଥା ଭାବି, ତାର ହାତ ଦିଅଙ୍କ ଉପରେ ଅଟକି ଯାଏ । ଅନୁର ବି ପୁଝାରୀର ସେ ଚାହାଁଣୀରୁ ତା ମନ ଭିତରେ ସ୍ୱପ୍ନ ପରି ସୃଷ୍ଟି ହୁଏ କେତେ ଗୋଳମାଳିଆ କଥା ।

 

ପୁଝାରୀ ପୂଜା ସାରି କହେ—ଦେଖ ଅନୁ, ଠାକୁରେ ତୋ ଫୁଲ ନାଇ କିମିତି ହସୁଛନ୍ତି । ଅନୁ ସେହିଆଡ଼କୁ ଚାହିଁ ମୁରୁକି ହସି ଆଖି ଫେରାଇ ଆଣେ ?

 

ପୁଣି ପୁଝାରୀ କହେ—ନେ ପାଦୁକ । ଅନୁ ହାତ ଦେଖାଏ । ପୁଝାରୀ ରହି ରହି ଡାକେ–ଅନୁ..... ? ଅକୁହା ରହିଯାଏ ତା କଥା । ଦେହରେ ଚମକ ଲାଗେ । ମା’ ତାକିଦ୍‌ କରି କହିଯାଇଛନ୍ତି, ସେ ତାଙ୍କର ଧର୍ମର ଝିଅ.....

 

ଅନୁ କିଛି ଉତ୍ତର ଦିଏନାହିଁ । ସେ ଡାକରେ ତାକୁ ବଡ଼ ସଙ୍କୋଚ ଲାଗେ ।

 

ଅନୁ ନୀରବରେ ଚାଲିଯାଏ ସେଠୁ ।

 

ନରେନ୍ଦ୍ର ବାବୁ ବରାବର ତାଙ୍କ ସ୍ତ୍ରୀଙ୍କୁ କହନ୍ତି, ଅନୁକୁ ସେଠି ରଖିବା ଆଉ ଠିକ୍‌ ନୁହେଁ–ତାକୁ ଘରକୁ ନେଇ ଆସ । ସେ ଖୁବ୍‌ ଠାକୁରଙ୍କ ସେବା କଲାଣି । ପୂର୍ଣ୍ଣ ବି ପଢ଼ା ସମୟ ଛାଡ଼ି ଅନୁ ପାଖରେ ଦିନ ରାତି ଖେଳୁଛି । ମୁଁ ଭାବୁଛି ଆଜି ତାକୁ ନେଇ ଆସିବା ।

 

ନିରୁପମା ଦେବୀ କହିଲେ—ମୋ ଅପେକ୍ଷା କ’ଣ ତମେ ତାର କଥା ବେଶି ଭାବୁଛ ? ଯେତେହେଲେ ସେ ବାହାର ଜାଗା, ତାର ବଅସ ଲାଗିଗଲାଣି—ଆଉ କେଇଟା ଦିନେ......ସେ ଆଉ କ’ଣ ଛୁଆ ହୋଇ ରହିବ ।

 

ପୂର୍ଣ୍ଣ ପାଖ ଘରୁ ଦଉଡ଼ି ଆସି ନିରୁପମା ଦେବୀଙ୍କ କାନି ଧରି କହିଲା—କହିଥିଲୁ ପରା ବୋଉ, ଅନୁ ଅପାକୁ ନେଇ ଆସିବୁ, କାହିଁ ଆଣିଲୁ ତ ନାହିଁ ?

 

ନିରୁପମା ଦେବୀ ତାକୁ ବୋଧ ଦେଇ କହିଲେ—କାଲି ନିଶ୍ଚୟ ନେଇଁ ଆସିବି । ଏ ଟୋକା ଆଉ ମୋତେ ବସାଇ ଉଠାଇ ଦେଲା ନାହିଁ ।

 

ନରେନ୍ଦ୍ର ବାବୁ ହସିଲେ ।

 

ତହିଁ ଆର ଦିନ ସନ୍ଧ୍ୟା । ଅନୁ ବୁଢ଼ାବାପ ପାଖରେ ବସି ଡାକିଲା—ବାବା ?

 

—କ’ଣ ମା’ କ’ଣ ?

 

—ତମର କ’ଣ କିଛି ମନେ ରହେ ନାହିଁ ? ସେଦିନ ଗଛମୂଳେ ପରା ସେ କଥାଟା ଅଧା କରି ରଖିଲ ! ସେଇଠୁ କ’ଣ ହେଲାତ କହିଲ ନାହିଁ ?

 

ସେଦିନ ପରି ବୁଢ଼ାର ମନ ଆଜି ଆଉ ନାହିଁ । ବୁଢ଼ା ମୁହଁରେ ହସ ଫୁଟି ଉଠିଲା, କହିଲା—ହଉ ମା’ ଶୁଣ !

 

—କୁହ !

 

‘‘ସେଇଠୁ ସେମାନେ ଗଛମୂଳେ କେତେଦିନ ରହିଲେ, ଦୁଃଖରେ ଦିନ ଗୁଡ଼ିକ ତାଙ୍କର କଟି ଯାଉଥାଏ । ଝିଅଟି ବଡ଼ ହୋଇଗଲା । ତା’ ବୁଢ଼ାବାପ ସଙ୍ଗରେ ଲଗାଇ ଲଗାଇ ମଗା ଯଚା ପଇସାରୁ—ହାଟରୁ ପିତଳ କାଚ ଚାରିପଟ, କାନକୁ କାପ ଯୋଡ଼ିଏ କିଣିଲା ।

 

ଅନୁ ହସିଦେଇ କହିଲା—ଏଁ, ଏ ତ ଆମରି କଥା ।

 

ବୁଢ଼ା ଅନୁ ପିଠିରେ ହାତ ବୁଲାଇ କହିଲା—ହଁ ମା’, ଆମରି କଥା । ଆମ ସାତ ପୁରୁଷର କଥା । ତୁ ଏଡ଼ୁଟିଏ ହୋଇଥିଲୁ, ତୋତେ କାନ୍ଧରେ ପକାଇ ମୁଁ ବୁଲାଇ ବୁଲାଇ—ତୁ ଆଜି ଏଡ଼ୁଟିଏ ହେଲୁଣି । ଭଗବାନ ତୋତେ ଦୟା କରିଛନ୍ତି—ତୋର ଦୁଃଖ ଫେରିଛି, ମୋର ଏଇଥିରେ ଭାରି ଶାନ୍ତି ।

 

ଅନୁ ତା’ ବୁଢ଼ାବାପ ଉପରକୁ ଆଉଜି ପଡ଼ି ରହି ରହି କହିଲା—ମୋ ଲାଗି ତମେ ଏତେ କଷ୍ଟ ପା–ଇ–ଛ ବା–ବା ? ଅନୁର ଭାବନା ଅଣ୍ଟିଲା ନାହିଁ.......

 

ବାହାରେ କିଏ ଡାକିଲା—ଅନୁ ?

 

ଅନୁ ପିଣ୍ଡା ଉପରକୁ ଆସି ଅନାଇଁ ଦେଲା—ଜମିଦାରବାବୁ, ତାଙ୍କ ସ୍ତ୍ରୀ ଆଉ ପୂର୍ଣ୍ଣ ଆଗପଛ ହୋଇ ପିଣ୍ଡା ଉପରକୁ ଉଠି ଆସୁଛନ୍ତି । ଅନୁ ତରତର ହୋଇ ଘର ଭିତରକୁ ଦଉଡ଼ି ଯାଇ କହିଲା; ବାବା, ଜମିଦାରବାବୁ ଆସିଛନ୍ତି, ଉଠି ବସ ।

 

ବୁଢ଼ା ଉଠି ବସିଲା ।

 

ଦେଉଳର ଚାକର ସଙ୍ଗେ ସଙ୍ଗେ ଯୋଡ଼ାଏ ଚୌକି ଆଣି ସେଠି ପକାଇ ଦେଇଗଲା । ପୂର୍ଣ୍ଣ ଅନୁ କୋଡ଼ରେ ବସିଥାଏ ।

 

ଜମିଦାରବାବୁ ପ୍ରଥମ କରି ଆରମ୍ଭ କଲେ—ବୁଢ଼ା, ତମକୁ ଗୋଟାଏ କଥା ପଚାରିବାକୁ ଆସିଛି, ତମର ଇଚ୍ଛା କ’ଣ ? ଅନୁ ତ ଆଉ ଛୋଟ ଛୁଆଟିଏ ନୁହେଁ, ଭଗବାନ ତାକୁ ଯେତେଦିନ ହୀନିମାନିଆ କରି ରଖିଥିଲେ, ସେଦିନ ଚାଲିଯାଇଛି । ମୋ ସ୍ତ୍ରୀଙ୍କ କଥାତ ଦେଖୁଛ, ସେ ନିଜ ଝିଅଠାରୁ ତାକୁ ଆହୁରି ଶ୍ରଦ୍ଧା କରୁଛନ୍ତି । ଆଉ ଏ ପୂର୍ଣ୍ଣ, ନଖାଇ ନପିଇ ଦିନ ରାତି ଅନୁକୁ ଖୋଜିବାରେ ଲାଗିଛି । ଏଠି ତମର କ’ଣ ଅସୁବିଧା ଆଉ ହେବ, ଅନୁ ଆମ ଘରକୁ ଚାଲୁ ?

 

ବୁଢ଼ା ଏକଥା ଶୁଣି ଆନନ୍ଦରେ ଏକାଥରେ କେତେ କ’ଣ ସାଇତା କଥା କହିବ କହିବ ହୋଇ କହିଲା—ବାବୁ, ସେଇ କଥାହିଁ ଆଜିଯାଏ ଭାବି ଆସିଛି । ଛୁଆଟାର ଭବିଷ୍ୟତ କଥା ଭାବି ଭାବି ଆଖିରୁ ଲୁହ ସରିଲାଣି । କିଛି ଉପାୟ ପାଇ ନଥିଲି । ଆଜି ବାବୁ ଉପାୟ ପାଇଛି—ଶାନ୍ତିରେ ଟିକିଏ ନିଶ୍ୱାସ ମାରିବା ପାଇଁ ଆଜି ସମୟ ମିଳିଛି । ଆଜି ଟିକିଏ ନିଶ୍ଚିନ୍ତରେ ଶୋଇବି । ସେ ଆଉ ମୋର ଛୁଆ ନୁହେଁ—ଆପଣଙ୍କର ଛୁଆ । ତାକୁ ନେଇ ଯାଆନ୍ତୁ, ମୋତେ କାହିଁକି ପଚାରିବାକୁ ଆସିଛନ୍ତି ।

 

ନିରୁପମା ଦେବୀ ମୁରୁକି ହସି କହିଲେ—ତମର ସେ ଝିଅ, ମାଆ ବାପ ପରି ପଦାର୍ଥଠାରୁ ସହଜରେ କ’ଣ ଲୋଭ ତୁଟିଯାଏ । ସେ ତମକୁ ନିତି ଥରେ ଲେଖାଏଁ ଦେଖିବାକୁ ଆସିବ ଯେ—

 

ବୁଢ଼ା ଆନନ୍ଦରେ କୁରୁଳି ହୋଇ କହିଲା—ହଉ ମା’ ତମର ଦୟା । ପୂର୍ଣ୍ଣ, ଅନୁ କାନିକୁ ଧରି ଟାଣିଲା—ଆ, ଆମ ଘରକୁ ଚାଲ ଯିବା । ବୁଢ଼ା ଆନନ୍ଦରେ ଗଦ ଗଦ ହୋଇ ପୂର୍ଣ୍ଣ ମୁଣ୍ଡରେ ହାତ ବୁଲାଇ କହିଲା—ବୁଢ଼ାଟିଏ ହୋଇଥା ବାବା ।

 

ନିରୁପମା ଦେବୀ ପୂର୍ଣ୍ଣକୁ ବୁଝାଇ କହିଲେ—ସୁନାଟା ପରା ! ସେ ତା ବୁଢ଼ାବାପ ପାଖରେ ଆଜିକ ଥାଉ, କାଲି ଆସି ନେଇଯିବୁ, ନୋହିଲେ—ତା’ ବୁଢ଼ାବାପ କାନ୍ଦିବ ଯେ......

 

ପୂର୍ଣ୍ଣ ତାଙ୍କ କଥାରେ ବୁଝିଗଲା ।

 

ନରେନ୍ଦ୍ରବାବୁ ଆସିଲା ବେଳକୁ ଅନୁ ପିଠିରେ ହାତ ବୁଲାଇ ଫେରି ଆସୁଥିଲେ, ବୁଢ଼ା ଡାକିଲା—ବାବୁ, ଟିକିଏ ରହି ଯାଆନ୍ତେ ।

 

ନରେନ୍ଦ୍ର ବାବୁ ହସି ପଡ଼ିଲେ ।

 

Unknown

ବୁଢ଼ା ରହି ରହି କହିଲା—ବାବୁ, ଆପଣ ବଡ଼ଲୋକ, ମୁଁ ଭିକାରି ହେଲେବି ବୁଢ଼ା । ମୋର ଗୋଟିଏ କଥା ରଖିବେ ?

 

ଜମିଦାରବାବୁ ମୁରୁକି ହସି କହିଲେ—ରଖିବି, କ’ଣ କୁହ ?

 

ବୁଢ଼ା ଥର ଥର ହାତରେ ଅଣ୍ଟା ଭିତରୁ ଗାଞ୍ଜ ଆଟି କାଢ଼ିଲା । ତା’ ଭିତରୁ ଗୋଟି ଗୋଟି କରି ପନ୍ଦରଟି ସୁନା ମୋହର ବାହାର କରି ହାତରେ ଧରି ଜମିଦାରଙ୍କ ଆଗରେ ଠିଆ ହୋଇ ଯାଇ କହିଲା—ଏତେ ଦୁଃଖକଷ୍ଟ ଭିତରେବି ଏଇ ଛୁଆ ପାଇଁ ଏ ଥିଲା ମୋର ଶେଷ ସମ୍ବଳ । ଏ ମୋର ନିଜର ନୁହଁ ବାବୁ, ବାପ ଅମଳର । ଏତିକି ନୁହେଁ, ସେ ମଲାବେଳକୁ ସେରେ ହବ ଦେଇଥିଲା, ସେସବୁ ଯାଇଛି । ଅନୁବି ୟାକୁ ଆଜିଯାଏ ଦେଖିନାହିଁ—ଦିନେ ବି ଜାଣି ଜାଣି ମୁଁ ଦେଖାଇ ନାହିଁ । ମୋର କ’ଣ ହେବ । ତାକୁ ପାଳିନେଇଛି ଏତକ ନିଅ, ମୁଁ ଶାନ୍ତିରେ ଟିକିଏ ରହେ-

 

ଅନୁ, ବୁଢ଼ାବାପ ପାଖରେ ଏତେ ସୁନା ମୋହର ଦେଖି ଆବା କାବା ହୋଇଗଲା । ଜମିଦାରବାବୁ ଟିକିଏ ଭାବି ରହି ରହି କହିଲେ—ବୁଢ଼ା, ତମେ ଏସବୁ ରଖ । ଅନୁର କିଛି ଅଭାବ ହେବ ନାହିଁ ।

 

ବୁଢ଼ା ମିନତି ହୋଇ କହିଲା—ମୋତେ ବାବୁ ଖରାପ ଭାବ ନାହିଁ । ଆପଣଙ୍କର ତୁଳନାରେ ଏ କେଇଟା ଅଧଲା ସଙ୍ଗେ ସମାନ । ମୋର ମୂଳରୁ ଆଶା ଥିଲା, ଅନୁଟି ବଡ଼ ହୋଇଗଲେ କେଉଁ ଅନାଥାଶ୍ରମରେ ତାକୁ ଛାଡ଼ି ତାର ଭବିଷ୍ୟତ ପାଇଁ ଏତିକି ସେଇଠି ଦେଇ ଦେଇଥାନ୍ତି । ଅନୁକୁ ଆପଣ ନେଇଛନ୍ତି । ତା’ ପାଇଁ ଏତିକି ଦେବାକୁ ମୁଁ କହୁନାହିଁ ।

 

ନିରୁପମା ଦେବୀ ବୁଢ଼ାର ହାତ ଧରି ପକାଇ କହିଲେ—ଅନୁ ପାଇଁ କିଛି ଭାବନା କର ନାହିଁ—ଏଇକ୍ଷଣି ଏସବୁ ତମ ପାଖରେ ଥାଉ । ଦେବା ବେଳତ ଅଛି !

 

ବୁଢ଼ା ନିରୁପମା ଦେବୀଙ୍କ ହାତ ଧରି ପକାଇ କହିଲା– ନା, ମା’, ମୋ କଥା ମାନ । ମୁଁ ବୁଢ଼ା ମଣିଷ, ମୁଁ ଏତକ ଅନୁ ପାଇଁ ଦଉ ନାହିଁ । ମୋରି ଭଳି ଦୁଃଖୀ ଦରିଦ୍ରଙ୍କ ହିତ ପାଇଁ ଦଉଛି । ମୁଁ ବୁଢ଼ା ହେଲିଣି ମା’, ମୋ କଥା ରଖିବ ଯଦି କହିବି । ଏଇ ସାମାନ୍ୟତକ ମୂଳ କରି ଗୋଟିଏ ‘ଅନାଥାଶ୍ରମ’ ଖୋଲିବ । ସେଥିରେ ଦୁଃଖୀ, ରଙ୍କି ନିଃସହାୟଙ୍କୁ ସ୍ଥାନ ଦେବ । ଭାରି ମଙ୍ଗଳ ହେବ ମା’ । ଗୋଟିକରୁ କୋଟିଏ ହେବ । ଦାନ ଖଇରାତ କରି କେହି କେବେ ଛୋଟ ହୋଇ ଯାଇନାହିଁ । ଦୁଃଖୀ ଦରିଦ୍ରଙ୍କୁ ହାତ ଉଠାଇ ଦେଲେ ଭଣ୍ଡାର ଅସରନ୍ତି ହୋଇଯାଏ । ଅତିଥି ଅଭ୍ୟାଗତ, ଦୁଃଖୀ ରଙ୍କିଙ୍କୁ କେବେ ମା’ ନିରାଶରେ ଦୁଆରୁ ଫେରାଇବ ନାହିଁ । ଦୁଃଖୀର ନିଶ୍ୱାସ କମ୍‌ ନୁହେଁ, ତା’ ଆଖିର ଲୁହ, ଲୁହ ନୁହେଁ—ବାରୁଦ । ବର୍ଷେ ନୁହେଁ, ଦି’ବର୍ଷ ନୁହେଁ, ବାର ବରଷ କାଳ—ମୁଁ ସବୁକଥା ଅଙ୍ଗେ ନିଭେଇଛି । ରାଜା ହେଉ, ଜମିଦାର ହେଉ, ବଡ଼ଲୋକ ହେଉ, ଯିଏ ପାରି ସିଏ ହେଉ, ଦୁଃଖୀଙ୍କ ମନରେ ଅଶାନ୍ତି ଦେଲେ, ଦୂର ଦୂର ମାର ମାର କଲେ, ତା’ ଆଖିରୁ ଯେଉଁ ଲୁହ ବୁହେ, ତା’ ଅନ୍ତର ଭିତରୁ ଯେଉଁ ଅଭିଶାପ ବାହାରେ, ସେଥିରେ ଯେଡ଼େ ବଡ଼ ସୁନା ଘର, ଦିନେ ନା ଦିନେ ମା’, ପୋଡ଼ି ପାଉଁଶ ହୋଇଯିବ । ଆଉ ଦୁଃଖୀ ମନରେ ଶାନ୍ତି ଦେଲେ, କଅଁଳ କଥା ପଦେ କହିଲେ ତା’ ଅନ୍ତରରେ ଯେଉଁ ସନ୍ତୋଷ ଆସେ—ସେଥିରେ ମାଟି ଧଇଲେ ସୁନା ହୋଇଯିବ । ମୋ କଥା ରଖିବ ମା’ । ମୁଁ ବୁଢ଼ା ହେଲିଣି, ବାଳ ପାଚି ଗଲାଣି—ନିଅ ବାବୁ ଏତକ ରଖ, ଦୁଃଖୀ ଦରିଦ୍ରଙ୍କ ସେବାରେ ଲଗାଇବ ।

 

ଜମିଦାରବାବୁ ନୀରବରେ ବୁଢ଼ା କଥା ଶୁଣୁ ଶୁଣୁ ଭିତରେ ଭିତରେ ଚମକି ପଡ଼ୁଥିଲେ । ତାଙ୍କ ଦେହରେ ବିଜୁଳି ଖେଳି ଯାଉଥିଲା । ତାଙ୍କର ମନେ ହେଉଥିଲା—ସେ ଯେପରି ଆଜିଯାଏ ମସ୍ତବଡ଼ କିଛି ଭୁଲ କରି ଆସିଛନ୍ତି—ଏଣିକି ସେ ଭୁଲ୍‌କୁ ସେ ସୁଧାରିବେ । ତାଙ୍କର ଆଜି ବୁଦ୍ଧି ଫେରିଛି ।

 

ଶେଷରେ ନରେନ୍ଦ୍ର ବାବୁ ବୁଢ଼ାର କଥା ଭାଙ୍ଗି ଦେଇ ପାରିଲେ ନାହିଁ । ହାତ ଦେଖାଇ ସେହି ସୁନା ମୋହର ପନ୍ଦରଟି ବୁଢା ହାତରୁ ନେଲେ । ବୁଢ଼ା, ନରେନ୍ଦ୍ର ବାବୁଙ୍କ ହାତକୁ ସେତକ ବଢ଼ାଇ ଦେଇ ଆନନ୍ଦରେ ବିଭୋର ହୋଇ ଉଠିଲା । ସେ ଆଜି ଜୀବନରେ ଶାନ୍ତି ପାଇଛି ।

 

ନରେନ୍ଦ୍ର ବାବୁ ମନରେ ଅସୁମାରି ଭାବନା ଧରି ଉଠି ଠିଆ ହେଲେ । ନିରୁପମାଦେବୀଙ୍କ ପାଖରେ ଅନୁ ଠିଆ ହୋଇ ରହିଥାଏ । ନରେନ୍ଦ୍ର ବାବୁ ଅନୁ ମୁଣ୍ଡ ଉପରେ ହାତ ବୁଲାଇ କହିଲେ—ମା’, ବୁଢ଼ାବାପାଙ୍କୁ ଯା ଆଉଁସି ଦେବୁ, କାଲି ସକାଳେ ପୂର୍ଣ୍ଣ ଆସି ତୋତେ ନେଇଯିବ । ଅନୁ ମୁରୁକି ହସି ମୁଣ୍ଡ ହଲାଇଲା । ସେଦିନ ବୁଢ଼ାଠାରୁ ବିଦାୟ ନେଇ ସେମାନେ ଫେରି ଆସିଲେ ।

 

ସେଦିନ ରାତି ବାରଟା । ମନ୍ଦିର ଭିତରୁ ଗୋଳମାଳ କମି ଆସିଥିଲା । ଅନୁ ବିଛଣାରେ ଅନେକ ସମୟ ହେଲା ଗଡ଼ପଡ଼ ହେଉଥିଲେ ବି ତା’ ଆଖିକୁ ଯମାରୁ ନିଦ ଆସୁ ନଥାଏ । ବୁଢ଼ା ଯେପରି କେତେ କ’ଣ ଭାବନାରେ ନୀରବ । କେତେ ସମୟ ପରେ ବୁଢ଼ା ଅନୁ ପିଠିରେ ହାତ ବୁଲାଇ କହିଲା—ଏତେବେଳଯାଏ ତୋ ଆଖିକୁ ନିଦ ଆସି ନାହିଁ ମା’ । କଣ ଗରମ ଲାଗୁଛି ?

 

ଅନୁ କର ଲେଉଟାଇ ନରମ ଗଳାରେ କହିଲା—ନା ବାବା, ଗରମ ତ ହେଉନାହିଁ । ତମକୁ ଛାଡ଼ିଯିବାକୁ ମନଟା କାହିଁକି କିମିତି କିମିତି ହେଉଛି ।

 

ବୁଢ଼ା, ଅନୁ ପିଠିକୁ ସେମିତି ଆଗପରି ଆଉଁସୁ ଆଉଁସୁ କହିଲା—ଛି ମା’, ମନକୁ ସେମିତି କରନ୍ତି ନାହିଁ । ମୁଁ ତ ଏଠି ବେଶ୍‌ ଅଛି, ତୁ ଜମିଦାରଙ୍କ ଘରେ ରହିବୁ । ସେ ପରା କହିଗଲେ ତୁ ନିତି ଆସି ମୋତେ ଦେଖିଯିବୁ । ଆଉ କ’ଣ ଭାବନା ।

 

ଅନୁ ଆହୁରି ନରମ ଗଳାରେ କହିଲା—ନା ବାବା ! ତମ ଖବର କିଏ ବୁଝିବ ? ତମ ଗୋଡ଼ ହାତ କିଏ ଆଉଁସି ଦେବ ? ତମକୁ ଛାଡ଼ି ବାବା ମୁଁ ରହି ପାରିବି ନାହିଁ, ଅନୁର ଆଖି ଛଳ ଛଳ ହୋଇ ଆସିଲା—ତାର ଚିବୁକ ଥରିବାକୁ ଲାଗିଲା ।

 

ବୁଢ଼ା ଅନୁର ବାଳଗୁଡ଼ିକୁ ସଜାଡ଼ି ଦେଇ ତାର ଓଠଟିକୁ ଧରି କହିଲା—ଛି ମା’, ତୁ କାନ୍ଦୁଛୁ ? ଭଗବାନ ଆମ ଦୁଃଖ ଶୁଣିଛନ୍ତି, ତୁ ସେଠିକୁ ଗଲେ କେଡ଼େ ସୁଖରେ ରହିବୁ । ସୁନା ଗହଣା ନାଇବୁ, ଭଲ ଲୁଗା ପିନ୍ଧିବୁ, ଦାସୀ ପରିବାରୀ ଖଟିବେ । ଜମିଦାରି ପରା ତୋତେ ନିଜ ଝିଅ ଭଳି କରି ନେଲେଣି । ଦେଖୁନୁ ତାଙ୍କ ସ୍ତ୍ରୀଙ୍କର ତୋ ଉପରେ କେତେ ସ୍ନେହ ଶରଧା । ତୋ ସୁଖ ଦେଖିଲେ ପରା ମୋ ଛାତି କୁଣ୍ଢେ ମୋଟ ହୋଇଯିବ । ତୁ ମୋ ସେବା ଖୁବ୍‌ କଲୁଣି, ଆଉ କେତେ କରିବୁ । ମୋ ସୁନାଟା ପରା, ମନ କଷ୍ଟ କର ନାହିଁ । ମୁଁ କ’ଣ କୁଆଡ଼େ ପଳାଇ ଯାଉଛି । ଛି ମା’, ବୁଢ଼ା ଅନୁର ବାଳଗୁଡ଼ିକୁ ସାଉଁଳିବାକୁ ଲାଗିଲା ।

 

ଅନୁ ଶୂନ୍ୟ ମନ, ଶୁଖିଲା ମୁହଁରେ ଆଖିରେ ଲୁହ ଢଳ ଢଳ କରି ତାରି ବୁଢ଼ାବାପ ଆଡ଼େ ଚାହିଁ ରହିଥାଏ ।

 

ତିନି ମାସ ପରେ

 

ଭାଗ୍ୟଚକ୍ର ଘୂରି ଯାଇଛି । ଅନୁ ଆଉ ଭିକାରିର କନ୍ୟା ନୁହେଁ, ଦାଣ୍ଡର ଭିକାରୁଣୀ ନୁହେଁ—ଜମିଦାର ନରେନ୍ଦ୍ର ବାବୁଙ୍କ ସ୍ନେହର ପାଳିତା କନ୍ୟା ।

 

ଅନୁ ସମସ୍ତଙ୍କର ସ୍ନେହର ଆଦର ପାଇ ଭୋଗବିଳାସରେ ବଢ଼ି ତାର ରୂପ ଲାବଣ୍ୟ ଆହୁରି ସୁନ୍ଦର ହୋଇଗଲାଣି । ଅନୁ, ଯେଉଁ ପିତଳ ହାରଟି ଆଉ ପିତଳ ଖଡ଼ୁ ଦି’ପଟିକୁ କିଣି ଏତେ ଖୁସି ହେଉଥିଲା, ସେତେବେଳେ ତା ପକ୍ଷରେ ଥିଲା ସେସବୁ ଖୁବ୍‌ ଦାମିକା । ସେକଥା ଆଜି ଆଉ ନାହିଁ । ତା ବେକରେ ଗିନି ସୁନାର ତିନି ସରିଆ ହାର, କାନରେ ସୁନାର ଦୁଲ, ହାତରେ ସୁନାର କାଚ । ଅନୁ ଏସବୁ ଦେଖି ତାର ଆନନ୍ଦରେ ସୀମା ରହେ ନାହିଁ ।

 

ଅନୁକୁ ପାଇ ଜମିଦାର ନରେନ୍ଦ୍ର ବାବୁ ଆଉ ନିରୁପମାଦେବୀ ଏକାବେଳକେ ତାଙ୍କର ଯେ ଦିନେ ଗୋଟିଏ ଆଦରର ଝିଅ ମରିଯାଇଛି, ଏକଥା ମନରୁ ଭୁଲି ଗଲେଣି । ତାଙ୍କର ନିତିଦିନିଆ ସଂସାର ଆଜି କାଲି ସୁଖ ଶାନ୍ତିରେ ପୂରି ଉଠିଛି ।

 

ସେଦିନ ନିରୁପମା ଦେବୀ ନରେନ୍ଦ୍ର ବାବୁଙ୍କ ଉପରେ ଦୋଷ ଲଦି ବଡ଼ ଅଭିମାନ କରି କହିଲେ—ସେଦିନୁ ପରା ମୁଁ କହିଲିଣି ଅନୁ ପାଇଁ ମାଷ୍ଟର ଗୋଟିଏ ଠିକ୍‌ କରିଦିଅ । ସେ ଆଉ କେଉଁଦିନ ପାଠ ପଢ଼ିବ । ସେ ଏଇ କେଇଦିନ ମଧ୍ୟରେ ମନକୁ ମନ ପୂର୍ଣ୍ଣକୁ ପଚରାପଚରି କରି ଓଡ଼ିଆ ବହି ସବୁ ପଢ଼ିଗଲାଣି । ମାଷ୍ଟର ଗୋଟିଏ ରଖିଲେ ହାରମୋନିୟମ ଶିଖନ୍ତା, ଇଂରେଜି ଟିକିଏ ବି ପଢ଼ାଇ ଦିଅନ୍ତା ।

 

ନରେନ୍ଦ୍ର ବାବୁ ହସି ହସି କହିଲେ—ଆଚ୍ଛା କଥା କହୁଛ ତମେ, ମୁଁ କ’ଣ ଟଙ୍କା ପଇସା ଖର୍ଚ୍ଚ ପାଇଁ ଡରି ମାଷ୍ଟର ଯୋଗାଡ଼ କରୁନାହିଁ । ଭଲ ହାରମୋନିୟମ ବଜାଇ ଗୀତ ଗାଇବା ମାଷ୍ଟର ଦରକାର । ମୁଁ ତହସିଲଦାରଙ୍କୁ କହିଛି—ଏଇ ଦିନେ ଦୁଇଦିନ ମଧ୍ୟରେ ସବୁ ସଜିଲ ହୋଇଯିବ ।

 

ଅନୁ ପ୍ରତିଦିନ ସକାଳେ ବଗିଚାରୁ ଭଲ ଭଲ ଫୁଲ ତୋଳି ନିଜ ହାତରେ ସୁନ୍ଦର ସୁନ୍ଦର ଦୁଇଟି ହାର ଗୁନ୍ଥେ । କେଉଁଦିନ ଜଣେ ଚାକର କିମ୍ୱା ଚାକରାଣୀ ସଙ୍ଗରେ ଧରି ଦିଅଁଙ୍କ ପାଖକୁ ଯାଏ । ଦିଅଁ ଗୋଧୋଇ ସାରିଲେ, ପୁଝାରୀ ଅନୁ ହାତରୁ ଫୁଲ ଦି’ମାଳକୁ ନେଇ ଗୋଟିଏ କୃଷ୍ଣ ଅନ୍ୟଟି ରାଧାଙ୍କ ବେକରେ ଲମ୍ୱାଇ ଦିଏ । ଅନୁ ଠାକୁରଙ୍କ ଆଡ଼େ ଏକ ନୟନରେ ଅନାଏ, ଆପେ ଆପେ ତା’ ଆଖି କ୍ଷଣକ ପାଇଁ ବୁଜି ହୋଇଯାଏ । ସତେ ଯେପରି ସେ ଫୁଲ ଦି’ମାଳକ ନାଇ ଦିଅଁ ହସୁଛନ୍ତି ।

 

ଅନୁ ଦିଅଁଙ୍କ ପାଦୁକ ପାଇ ତା’ ବୁଢ଼ାବାପା ରହୁଥିବା ଘରକୁ ଫେରି ଆସେ । ବୁଢ଼ାବାପାକୁ ଦେଖିଲା ସଙ୍ଗେ ସଙ୍ଗେ ତାର ମନେ ହୁଏ, ସତେ ଯେପରି ସେ ତା’ରି ବାଟକୁ ଚାହିଁ ରହିଛନ୍ତି । ଅନୁକୁ ଦେଖି, ଅନୁର ହସ ହସ ମୁହଁଟିକୁ ଚାହିଁ ବୁଢ଼ା ମୁହଁର ଉଛୁଳା ହସ ଫୁଟି ଉଠେ । ଅନୁ ହସି ହସି ବୁଢ଼ା ପାଖରେ ବସି କହେ—ବାବା, ତମର କ’ଣ ଅସୁବିଧା ହେଉଛି ? ବୁଢ଼ାର ଅନୁର ଓଠଟିକୁ ସ୍ନେହରେ ହଲାଇ ଦେଇ କହେ—ନା ମା’, ମୋର ଆଉ କ’ଣ ଅସୁବିଧା ? ଚାକର ଗୋଟିଏ ତ ମୋ ପାଖରେ ବରାବର ରହିଛି । ମୁଁ ଆଉ କେତେଦିନ ରହିବି ମା’ ? ତୋରି ସୁଖ ତୋରି ଆନନ୍ଦରେ ମୋର ସୁଖ—ମୋର ଆନନ୍ଦ । ବୁଢ଼ାର ଗଳା ଥରି ଉଠେ ।

 

ଅନୁ ମୁହଁ ବୁଲାଇ କହେ—ଛି ବାବା, ସିମିତି କଥା କହନ୍ତି ! ଅନୁ ବିଦାୟ ନେଇ ଫେରିଆସେ ।

 

ଏଇ କେଇଟା ଦିନ ମଧ୍ୟରେ ଅନୁ ଭଲ ଭାବରେ ଇଂରେଜି ଶିଖିଗଲାଣି । ହାରମୋନିୟମ ମଧ୍ୟ ବଜାଇ ଗୀତ ବୋଲି ପାରିଲାଣି ।

 

ସେ ଦିନ ଖରାବେଳ । ଶୋଇବା ଘର ଭିତରେ ନରେନ୍ଦ୍ର ବାବୁ ନିରୁପମାଦେବୀ ତାଙ୍କ ଖଟ ଉପରେ ବସି ଏଣୁ ତେଣୁ ଗପସପ ହେଉଥିଲେ । ଅନ୍ୟ ଘରୁ ପୂର୍ଣ୍ଣ ଆଉ ଅନୁ ଚାଲି ଚାଲି ସେଇଠି ପହଞ୍ଚିଲାକ୍ଷଣି ନରେନ୍ଦ୍ର ବାବୁ ଅନୁ ଆଡ଼କୁ ହସି ହସି କହିଲେ ମା’ ଗଲୁ ତୋ ହାରମନିୟମ ଆଣିବୁ, ଗୋଟିଏ ଗୀତ ଶୁଣିବାକୁ କାହିଁକି ଆଜି ଇଚ୍ଛା ହେଉଛି ।

 

ନରେନ୍ଦ୍ର ବାବୁଙ୍କ ପାଟିରୁ କଥା ନ ସରୁଣୁ ପୂର୍ଣ୍ଣ ଦଉଡ଼ି ଯାଇଁ ଆର ଘରୁ ହାରମୋନିୟମଟା ଆଣି ଅନୁ ପାଖରେ ଥୋଇ କହିଲା—ବଜା ଅପା !

 

ଅନୁ ଲାଜ ଲାଜ ହୋଇ ଗୀତ ବୋଲି ସାରିବା ପରେ ନରେନ୍ଦ୍ର ବାବୁ ତା’ପିଠିରେ ହାତ ବୁଲାଇ କହିଲେ—ବାଃ, ମା’ଟାକୁ ମୋରତ ଭଲ ଗୀତ ବୋଲି ଆସିଲାଣି, ଏଥର ମୁଁ କଟକ ଗଲେ ଏସ୍‌ରାଜ ଗୋଟିଏ ଆଣି ଦେବି ।

 

ନିରୁପମା ଦେବୀ ହଠାତ୍‌ ବିସ୍ମିତ ହେଲାପରି ନରେନ୍ଦ୍ର ବାବୁଙ୍କ ଆଡ଼କୁ ଅନାଇଁ କହିଲେ–ତୁମେ ଆଜିକାଲି ବଡ଼ ଭୋଳାନାଥ ପାଲଟି ଗଲଣି । କାଲି ପରା ଟଙ୍କା କଚେରୀରେ ଦାଖଲ କରିବାକୁ ତହସିଲଦାର କଟକ ଯିବ । ବାକ୍‌ସରୁ ଟଙ୍କା ନେବାକୁ ଆସି ଏଠି ଛୁଆଙ୍କ ସାଙ୍ଗରେ ଗପସପ ହେଉଛନା ?

 

ନରେନ୍ଦ୍ର ବାବୁ ହସିଦେଇ କହିଲେ—ହଁ ସତେତ । ମୁଁ ଏକାବେଳେକେ ଭୁଲି ଯାଇଥିଲି-। ଦିଅ ସେ ଟ୍ରେଜେରୀ ଫିଟାଇ ଦଶ ହଜାର ଟଙ୍କା, ତହସିଲଦାର କଚେରୀ ଘରେ ଅପେକ୍ଷା କରି ରହିଥିବ ।

 

ନିରୁପମା ଦେବୀ ତାଙ୍କ ପାଖକୁ ଚାବି ପକାଇ ଦେଇ କହିଲେ ତୁମେଯାଇଁ ଆଣ । ମୋ ହାତରେ ଚଞ୍ଚଳ ଜମାରୁ ଫିଟାଇ ହେବନାହିଁ ।

 

ନରେନ୍ଦ୍ର ବାବୁ ଚାବି ନେଇ ଟ୍ରେଜେରୀ ଫିଟାଇଲେ । ପୂର୍ଣ୍ଣ ଦେଖିବା ପାଇଁ ସେଠି ଯାଇ ଠିଆ ହୋଇଗଲା । ଅନୁ ବି ପୂର୍ଣ୍ଣ କାନ୍ଧ ଉପରେ ହାତ ପକାଇ ଏକ ନୟନରେ ଟ୍ରେଜେରୀ ଭିତରକୁ ଚାହିଁ ରହିଥାଏ । ନରେନ୍ଦ୍ରବାବୁ ହଜାରେ ହଜାରେ କରି ବନ୍ଧା ହୋଇଥିବା ଦଶଟା ନୋଟ ବିଡ଼ା ପଦାରେ ରଖି ଅନୁ ଆଡ଼େ ଚାହିଁ ଖୁସି ମନରେ କହିଲେ—ଏଥିରେ କେତେ ଟଙ୍କା ଅଛି କହିଲୁ ଅନୁ-? ଅନୁ ମୁରୁକି ମୁରୁକି ହସି କହିଲା—ମୁଁ କହି ପାରିବି ନାହିଁ ।

 

ନରେନ୍ଦ୍ର ବାବୁ ଅନୁ ଆଡ଼େ ଅନାଇଁ କହିଲେ—ଏ ସବୁଯାକ ଆଠ ଲକ୍ଷ । ଏସବୁ ତୋ ପାଇଁ ଆଉ ପୂର୍ଣ୍ଣ ପାଇଁ ରଖାଯାଇଛି । ବୁଝିଲୁ ?

 

ଅନୁ ହସି ହସି କହିଲା—ପୂର୍ଣ୍ଣ ଏସବୁ ନେଉ, ମୋର କ’ଣ ହେବ ! ନରେନ୍ଦ୍ର ବାବୁ ଟ୍ରେଜେରୀ ବନ୍ଦ କରୁ କରୁ କହିଲେ, ଏସବୁ ପରା ମା’ ତୋ ବାହାଘରରେ ଖର୍ଚ୍ଚ ହେବ ! ଅନୁ ଲାଜ ଲାଜ ହୋଇ ସେଠୁ ନିରୁପମା ଦେବୀଙ୍କ ପାଖକୁ ଚାଲି ଆସିଲା ।

 

ସେହିଦିନ ରାତି ଆଠଟା । ଜ୍ୟୋସ୍ନା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି । ଟିକିଏ ଗରମ ପଡ଼ୁଥିବାରୁ ନରେନ୍ଦ୍ର ବାବୁ ଦି’ତାଲା ଛାତ ଉପରେ ବୁଲାଚଲା ‘କରୁଥାନ୍ତି । ପାଠ ପଢ଼ି ସାରି ଅନୁ ଆଉ ପୂର୍ଣ୍ଣ ସେଇଠି ଯାଇ ପହଞ୍ଚିଲେ । ପୂର୍ଣ୍ଣ କୋଠାର ଏମୁଣ୍ଡରୁ ସେମୁଣ୍ଡ ଯାଏ ଦଉଡ଼ା ଦଉଡ଼ି କଲା । ଅନୁ ନରେନ୍ଦ୍ର ବାବୁ ଯେଉଁଠି ଠିଆ ହୋଇଥିଲେ ସେଇଠି ଯାଇ ଠିଆ ହେଲା ।

 

ନରେନ୍ଦ୍ର ବାବୁ ଖୋଲା ଆକାଶ ଆଡ଼େ ଚାହିଁ କହିଲେ, ଆଜି ଜହ୍ନ ଭାରି ସଫା ପଡ଼ିଛି । ଦେଖିଲୁ ଝିଅ, କେତେ ଦୂରରୁ ସେ ତାଳଗଛଟା ବି ଦେଖା ଯାଉଛି ।

 

ଅନୁ ହାତ ଦେଖାଇ କହିଲା—ହଁ ବାପା, ଆମେ ଯେଉଁ ଗଛ ମୂଳେ ଥିଲୁ, ସେତ ହେଇ ଦେଖା ଯାଉଛି ।

 

ନରେନ୍ଦ୍ର ବାବୁ ନରମ ଗଳାରେ କହିଲେ—ଛି ମା’, ସେକଥା କ’ଣ ଆଉ ମନରେ ଧରନ୍ତି ।

 

—‘‘କାହିଁକି ବାପା ? ଏତେ ଚଞ୍ଚଳ କ’ଣ ସବୁ କଥା ପାଶୋରି ହୋଇଯିବ । ନିତି ଯେତେବେଳେ ମୁଁ ଭିକ ଆଣି ଦାଣ୍ଡ ଦୁଆର ମୁହଁରେ ଦିଏ, ସେତେବେଳେ ଛୋଟ ଛୋଟ ପୁଅ ଝିଅଙ୍କୁ ଦେଖି ମୋର ସବୁ ମନେ ପଡ଼େ...ଭାରି କଷ୍ଟ ବାପା ! ଅନୁ ଟିକିଏ ନୀରବ ରହି ପୁଣି ନରେନ୍ଦ୍ର ବାବୁଙ୍କ ଆଡ଼କୁ ଅନାଇ ବାହାରକୁ ହାତ ଦେଖାଇ କହିଲା—ଦେଖିଲ ବାପା ! ଆମ ଘର ଆଗରେ କେତେ ଲମ୍ୱ ଓସାର ପଡ଼ିଆଟିଏ ପଡ଼ି ରହିଛି, ବହିରେ ଯେମିତି କଳ କାରଖାନାର ଛବି ଅଛି—ସେମିତି ଗୋଟାଏ କାରଖାନା ଏଠି ହେଲେ ଭାରି ସୁନ୍ଦର ଏ ଜହ୍ନ ରାତିରେ ଦେଖାଯାଆନ୍ତା–ନୁହେଁ ?

 

ନରେନ୍ଦ୍ର ବାବୁଙ୍କ ଆଖିରେ ନାଚି ଉଠିଲା, ଆଗରେ ବିରାଟ କଳ ଘରର ଏକ ଛାଇ—ଲୋକ କୋଳାହଳ—ବିରାଟ ଲୁହା ନଳି ଦେଇ ଧୂଆଁ ଉପରକୁ ଉଠୁଛି ଭୁସ୍‌ ଭୁସ୍‌ । ନରେନ୍ଦ୍ର ବାବୁ ନୀରବ ।

 

ଅନୁ ପୁଣି କହି ଚାଲିଲା—ଏଠି ବାପା କେତେ ଲୋକ ଆସି କାମ କରି ପୋଷି ହୁଅନ୍ତେ–କିଏ କାହିଁକି ବାର ଦୁଆର ବୁଲି ଭିକ ମାଗନ୍ତେ ? କଲିକତା, ରେଙ୍ଗୁନରେ ପରା କେତେ ଲୋକ ଘର ଦୁଆର ଛାଡ଼ି କାମ କରୁଛନ୍ତି, ସେମାନେ ଆଉ ଏତେ ଦୂରକୁ ଯାଆନ୍ତେ କାହିଁକି ? ଏଇଠିତ କାମ କରି—ହସ ଖୁସିରେ ଦିନ କଟାନ୍ତେ—ଭାରି ଭଲ ହୁଅନ୍ତା ବାପା ? ଆମର ଏତେ ଟଙ୍କା ଅଛି, ସେ ଥୁଆ ହୋଇ କ’ଣ ହେବ ! ସେଇଥିରେ ବାପା, ଏଠି ଗୋଟାଏ କଳ ଘର ତିଆରି କର । କେତେ ଲୋକ ପୋଷି ହେବେ । ଆମର ଟଙ୍କା ଆମର ରହିବ, ତା’ ଉପରେ କ’ଣ ଲାଭ ହେବ ନାହିଁ ?

 

ନରେନ୍ଦ୍ର ବାବୁ ଆଉ ଶୁଣି ପାରିଲେ ନାହିଁ । ଅନୁ ପାଟିରୁ ଏକଥା ଶୁଣୁ ଶୁଣୁ ତାଙ୍କ ରକ୍ତରେ ଚମକ ଲାଗିଥିଲା । ତାଙ୍କୁ ଜଣା ଯାଉଥିଲା, ସେ ସିନ୍ଦୁକରେ ଟଙ୍କା ରଖିଦେବା ଦ୍ୱାରା ଯେପରି ଲୋକେ ଭୋକ ଉପାସରେ ରହୁଛନ୍ତି । ଛୁଆ ଦୁଧ ଟିକିଏ ନପାଇ ଅସ୍ଥିସାର ହେଉଛି । କାହାର ଘର ଦି’ବର୍ଷ ହେଲା ଛପର ହୋଇ ନାହିଁ, କିଏ ଅର୍ଥ ଅଭାବରେ ବାପ, ମାଆ, ସ୍ତ୍ରୀ, ଭାଇ, ଭଉଣୀଙ୍କୁ ଛାଡ଼ି ବିଦେଶରେ ଖଟି ଖଟି, ଶେଷରେ ଚିରଦିନ ପାଇଁ ଆଖି ବୁଜୁଛି । ତାଙ୍କରି ପାଇଁ ଏ ସବୁ । ତାଙ୍କରି ସବୁ ଅନ୍ୟାୟ । ସେ ଏସବୁ କଥା କାହିଁ ଦିନେ ହେଲେ ତ ଭାବି ନାହାନ୍ତି !

 

ଅନୁ ପୁଣି ତାଙ୍କୁ ହଲାଇ ଦେଇ କହିଲା—ବାପା, ମୋ ଉପରେ ରାଗିଲ ?

 

ଏଇଠି ବାପା, ଗୋଟାଏ କଳ ଘର ବସାଇବ କି ନାହିଁ କହିଲ ? ଭାରି ଭଲ ହୁଅନ୍ତା—ବାପା ।

 

ନରେନ୍ଦ୍ର ବାବୁ ଆଉ କିଛି ନକହି ଅନୁକୁ ତାଙ୍କ ଛାତି ଉପରକୁ ଟାଣିନେଇ ସ୍ନେହରେ ତାର ଚିବୁକରେ ଗୋଟିଏ ଚୁମା ଦେଇ କହିଲେ—ମା’, ତୁ ମୋର ଆଖି ଖୋଲିଛୁ ! ତୁ ମୋର ଝିଅ ନୋହୁ, ତୁ ମୋର ମା’ । ସୁନାଟା ପରା, ଅପେକ୍ଷା କର । ମୋର ବୁଦ୍ଧି ଫେରିଛି, ଏଠି ସବୁ ହେବ–କଳ କାରଖାନା ବସିବ—ଅନାଥାଶ୍ରମ ହେବ । ତୁ ଯାହା କହିବୁ ତା’ ହେବ । ତୁ ମୋର ମା’, ତୋ କଥା ଭାଙ୍ଗି ପାରିବି ନାହିଁ—ତୁ ଯାହା କହିବୁ ତା’ କରିବି ।

 

ଅନୁ ଆଗପରି ନରେନ୍ଦ୍ର ବାବୁଙ୍କ ଛାତି ଉପରେ ଆଉଜି ରହି ଖୁବ୍‌ ନରମ ଗଳାରେ ଡାକିଲା—ବାପା, ମୁଁ କ’ଣ ଖରାପ କଥା କହିଲି ?

 

—ନା ମା, ତୁ ମୋର ଝିଅ ନୁହଁ—ସାକ୍ଷାତ ଲକ୍ଷ୍ମୀ, ତୋ କଥା କ’ଣ କେବେ ଖରାପ ହେବ ? କାଲିଠାରୁ ମା’ ଏଇ ପଡ଼ିଆରେ କାମ ଆରମ୍ଭ ହେବ ।

 

—ଅନୁ ତାଙ୍କ ମୁହଁଆଡ଼େ ଅନାଇ ମୁରୁକି ମୁରୁକି ହସି କହିଲା, ସତେ ?

 

—ନରେନ୍ଦ୍ର ବାବୁ ଖୁସିହୋଇ ଅନୁର ମୁଣ୍ଡଟିକୁ ଛାତି ଉପରେ ଚାପି ରଖି କହିଲେ—ହଁ ମା’ ।

 

କେତୋଟି ସପ୍ତାହ ପରେ

 

ନରେନ୍ଦ୍ର ବାବୁଙ୍କ ଘର ଆଗରେ ଥିବା ୪୦ଏକର ଜମି ଉପରେ କାମ ଆରମ୍ଭ ହୋଇଛି-। ପ୍ରତିଦିନ ଶହ ଶହ ମୁଲିଆ, ରାଜ ମିସ୍ତ୍ରୀ, କାମରେ ଲାଗି ଯାଇଛନ୍ତି । ଗୋଟାଏ ବିରାଟ ଲୁଗା ତିଆରି କାରଖାନା ଏବଂ ଆଉ ଏକ ଝୋଟ କାରଖାନା ବା ଚଟକଳ ବସିବ । ଓଡ଼ିଶାର ଏମୁଣ୍ଡରୁ ସେମୁଣ୍ଡ ଯାଏ, ଏପରିକି କାହିଁ ରେଙ୍ଗୁନ, କଲିକତାରେ ଓଡ଼ିଶାର କୁଲି ମଜୁରିଆଙ୍କ ଭିତରେ ଏକଥା ବିଜୁଳିପରି ଖେଳି ଗଲାଣି । ‘‘ଏଥର ଆମ ଦୁଃଖ ଯିବ । ଆମ ଦେଶରେ ରହି ଆମେ କାମ କରିବା, ପର ଦେଶରେ ରହି ଆଉ ଗୋଲାମିଗିରି କରି ଲାଞ୍ଛିତ ହେବା ନାହିଁ—ପର ପାଖରେ ହିନିମାନିଆ ହୋଇ ଜାତିର ନିନ୍ଦା ଆଉ ଶୁଣି ପାରିବା ନାହିଁ । ସମସ୍ତଙ୍କ ପାଖରେ ଆମେ ବି ହେବା ବଡ଼ । ଏଥର ଆମକୁ ଯିଏ ହୀନିମାନିଆ କରି କହିବ—ତା’ ଜିଭ ଆମେ ଉପାଡ଼ି ଦେବା-।’’ ସମସ୍ତଙ୍କ ମନରେ ଆଶା ଉତ୍ତେଜନାର ଢେଉ ଖେଳୁଛି ।

 

—ଏତିକି ନୁହେଁ, କେଉଁ ନବବିବାହିତା ତରୁଣୀ, ତା ସ୍ୱାମୀ ପାଖକୁ କାଳିମାଟି ଚିଠି ଲେଖିଲାଣି—ଶୁଣୁଛି, ଆମର ଏଠି କଳ କାରଖାନା ଖୋଲୁଛି । ମୋ ରାଣ, ସେଠି ଆଉ ରୁହ ନାହିଁ-। ଆମର ସେ ହାଡ଼ଭଙ୍ଗା ଖଟଣିରେ ଟଙ୍କା ଆଣିବା ଦରକାର ନାହିଁ । ଏଇଠି ଦି’ପଇସା ମିଳିଲେ ସେଇ ଆମର ଢେର ହେବ । ଯେତେବେଳେ ଇଚ୍ଛା କରିବ ସେତେବେଳେ ଘରକୁ ଆସି ପାରିବ, ଦି’ହ ପା କଥା ବୁଝି ହେବ । ମୋ ରାଣ, କେବେ ସେଠି ରୁହ ନାହିଁ । କାଳିମାଟି କଥା ମନେ ପଡ଼ିଲେ ମୋ ଛାତି ଥରି ଉଠୁଛି । ଏଇଠିକୁ ଆସିବା ପାଇଁ ଯୋଗାଡ଼ କରିବ । ମୋ ହରିଭାଇ ମୁଷାବଣିରେ ଅଛନ୍ତି ପରା, ତାଙ୍କୁ ବି ଟିକିଏ ଖବର ଦେବ ।

 

ଆଉ କେଉଁ ବୁଢ଼ା ତା’ ପୁଅ ପାଖକୁ ରେଙ୍ଗାମ ଲେଖିଲାଣି, ମୋତେ ଆଉ କେତେଦିନ ଅନ୍ଧ କରି ରଖିବୁ ! ତୋ ମାଆର ତୋ କଥା ଦିନରାତି ଭାବି ଭାବି ତା’ଆଖିରୁ ପାଣି ମଲାଣି—ଦେହରେ କେବଳ କଣ୍ଟା ଝୁଲୁଛି । ଆମର ଏଠି ଆଉ ମାସ ଦି’ଟାରେ କଳ କାରଖାନା ବସୁଛି—ତୁ ଯେଉଁ ଚଟ କଳରେ କାମ କରୁଥିଲୁ ସେଇ ଚଟକଳ ଏଠି ଖୋଲୁଛି । ତୁ ଆସିଲେ ନିଶ୍ଚେଁ ଏଠି କାମ ଖଣ୍ଡେ ପାଇବୁ । ଆମର ବେଶି ପଇସାରେ ଦରକାର ନାହିଁ । ଘର ପାଖରେ ଦି’ପଇସା ରୋଜଗାର କଲେ ସେଇ ଆମର ଯଥେଷ୍ଟ ହେବ । ମଝିରେ ମଝିରେ ତୋତେ ଟିକିଏ ଦେଖୁଥିଲେ ସେଇ ଆମର ସ୍ୱର୍ଗ ସୁଖ । ଏଠି କାମ ଆରମ୍ଭ ହେଲାବେଳକୁ ଚିଠି ଦେବି । ଚିଠି ପାଇ ଯେପରି ହେଉ ନଶ୍ଚୟ ଆସିବୁ । ମା’ ଜୋର ହେଇ ମୋ ପାଖରେ ବସି କାନ୍ଦି କାନ୍ଦି ବାରମ୍ୱାର ଆସିବାକୁ ତୋତେ’ ବୁଝାଉଛି । ନିଶ୍ଚେ ଆସିବୁ । ଚିଠି ଦେବୁ ।

 

—ଇମିତି କିଏ କାହା ପାଖକୁ କେତେ ରକମ ଚିଠି ଲେଖି ଦେଲେଣି ।

 

କାମ ଚାଲିଛି ଦିନ ରାତି । ଚଞ୍ଚଳ କାମ ସାରିବା ପାଇଁ ନରେନ୍ଦ୍ର ବାବୁଙ୍କର କଡ଼ା ତାକିଦ୍‌-। କାଳେ ଟଙ୍କାର ଅଭାବ ହେବ ସେଥିପାଇଁ ଧର୍ମକୁ ଭରସା ରଖି ନରେନ୍ଦ୍ର ବାବୁ ବ୍ୟାଙ୍କରୁ ଆହୁରି ପାଞ୍ଚଲକ୍ଷ ଟଙ୍କା କରଜ ଆଣିବାପାଇଁ ବ୍ୟବସ୍ଥା କରୁଛନ୍ତି । ଅନେକ ଯନ୍ତ୍ରପାତି କଲିକତା ବୋମ୍ୱେରୁ ଆସି ଯମା ହେବାରେ ଲାଗିଛି ।

 

ଅନୁର ଆନନ୍ଦରେ ସୀମା ନାହିଁ ।

 

ଦିନ ରହେ ନାହିଁ ।

 

ସବୁଦିନ ପରି ସେଦିନ ଆଉ ଅନୁ ଫୁଲମାଳ ନେଇ ଠାକୁରଙ୍କ ପାଖକୁ ଗଲା ନାହିଁ । ପୁଝାରୀ ଅନାଇ ଅନ୍ୟ ଫୁଲମାଳ ଦିଅଙ୍କ ବେକରେ ପିନ୍ଧାଇଦେଲା । କିନ୍ତୁ ନିଜେ ପୁଝାରୀ ମନ ବି ମାନିଲା ନାହି । ସବୁଦିନ ପରି ଅନୁ ହାତରୁ ଫୁଲମାଳ ନାଇ ଠାକୁରେ ଯେପରି ହସନ୍ତି, ଆଜି କାହିଁକି ତ ସେମିତି ହସୁନାହାନ୍ତି । ପୁଝାରୀ ଥରକୁ ଥର ଚାହେଁ ଉପରକୁ । ଖାଲି ଖାଲି ତା’ ଛାତି ଭିତରେ କେଉଁଠି ଦପ୍‌ ଦପ୍‌ ହୋଇ ଉଠେ । ଅନୁକୁ ନ ଦେଖିବାରେ ତା’ ମନ ଭିତରେ କିଛି ଯେପରି ରହିଯାଏ କେତେ କ’ଣ ଅଭାବ ।

 

ସେଦିନ ଅନୁର ଆସିବା ସମୟ ଅନେକ ଗଡ଼ି ଯାଇଥିଲା । ବୁଢ଼ା ତା’ ଘର ଭିତରେ ଝରକା ବାଟ ଦେଇ ଅନୁ ଆସିବା ବାଟକୁ ଅନାଇ ଅନାଇ ବଡ଼ ହତାଶ ହୋଇଗଲାଣି । ସବୁଦିନ ଅନୁ ଆସିବା ମୁହୂର୍ତ୍ତଟି ବୁଢ଼ାକୁ ଭାରି ଆନନ୍ଦ ଦିଏ । ଆଉ ଅନୁକୁ ଦେଖିଦେଲେ ବୁଢ଼ା ଦୁନିଆକୁ ଭୁଲିଯାଏ । ବର୍ଷେ ନୁହେଁ, ଦି’ବର୍ଷ ନୁହେଁ, ଦୀର୍ଘ ଚଉଦବର୍ଷ କାଳ ଅନ୍ତୁଡ଼ିଶାଳରୁ କେତେ ଦୁଃଖ କଷ୍ଟ ସହି ସହି ସେ ଅନୁକୁ ଏଡ଼ୁଟିଏ କରିଛି । ପଛକୁ ଆଖି ଫେରାଇ ବୁଢ଼ା ଆଉ ଭାବି ପାରେ ନାହିଁ......-

 

ସେଦିନ ବୁଢ଼ା ଦିଅଁଙ୍କ ପ୍ରସାଦ ପାଇଲା, କିନ୍ତୁ ପେଟ ପୂରାଇ ଖାଇଲାପରି କାହିଁକି ତାକୁ ଲାଗିଲା ନାହିଁ । ତାର ପ୍ରାଣର ଅଧିକ ଅନୁର ହସ ହସ ମୁହଁ, ଚାଲି ଚଳନ ତା ଆଖିରେ ନାଚିଗଲା-

 

ଚାରିଟା ବାଜିଲା । ବୁଢ଼ା ପ୍ରତି ମୁହୂର୍ତ୍ତରେ ଅନୁକୁ ଟିକିଏ ଦେଖିବା ପାଇଁ ତା ଅନ୍ତର ଭିତରଟା ଛଟପଟ ହେଉଥାଏ । ନରେନ୍ଦ୍ର ବାବୁ ପୂର୍ଣ୍ଣକୁ ସାଙ୍ଗରେ ଧରି ବାଡ଼ିଖଣ୍ଡିକ ହଲାଇ ହଲାଇ ମନ୍ଦିର ହତାରେ ଥିବା ଫୁଲବଗିଚା ଭିତର ବେଞ୍ଚ ଉପରେ ଆସି ବସିଲେ । ପୂର୍ଣ୍ଣ ଦଉଡ଼ି ଯାଇ ବୁଢ଼ାକୁ ଡ଼ାକି ଆଣିଲା ।

 

ବୁଢ଼ା ସବୁଦିନେ ଦେଖେ, ନରେନ୍ଦ୍ରବାବୁ ଅନୁ ଆଉ ପୂର୍ଣ୍ଣକୁ ସଙ୍ଗରେ ନ ଆଣିଲେ କୁଆଡ଼େ ବୁଲି ବାହାରନ୍ତି ନାହିଁ । ଆଜି ପୂର୍ଣ୍ଣ ତାଙ୍କ ସାଙ୍ଗରେ ଏକା ଥିବାରୁ ବୁଢ଼ା ଅନୁ କଥା ବୁଝିବାପାଇଁ ପଚାରିଲା—ଆଜ୍ଞା, ଝିଅକୁ ଟିକିଏ ଆଣିଲେ ନାହିଁ ? ଆଜି ତ କାହିଁକି ଠାକୁରଙ୍କ ପାଖକୁ ବି ଆସି ନାହିଁ । ତାକୁ ଥରେ ନଦେଖିଲେ ବାବୁ, ମନ ଥୟ ହୁଏ ନାହିଁ ।

 

ନରେନ୍ଦ୍ର ବାବୁ ମୁରୁକି ହସି କହିଲେ—ପାଖରେ ଥାଇ ଦିନେ ଆସିନାହିଁ ବୋଲି ତ ତମ ମନ ଏତେ ବ୍ୟସ୍ତ ହେଉଛି, ସେ ଯଦି ଦୂରରେ ଥାଆନ୍ତା, ତାହାହେଲେତ ତମେ ଖାଇବା ପିଇବବା ଛାଡ଼ି ଦିଅନ୍ତ । ତମର ତା’ଠାରେ ଆଉ କ’ଣ ଅଛି ! ସେ ତ ମୋ ଝିଅ ! ଆଣିବା ନ ଆଣିବା ମୋର ଖୁସି ।

 

ବୁଢ଼ା ମୁହଁରେ ହସ ଉଛୁଳାଇ କହିଲା—ହଁ ବାବୁ, ତମ ଝିଅ ବୋଲି ମୁଁ କ’ଣ ମନା କରୁଛି ! କାହିଁକି ଆସିଲା ନାହିଁ, ସେଇଥିପାଇଁ ପଚାରୁଥିଲି ।

 

ନରେନ୍ଦ୍ରବାବୁ ପୂର୍ଣ୍ଣକୁ କୋଡ଼ରେ ଆଉଜାଇ ତା’ ମୁଣ୍ଡର ବାଳଗୁଡ଼ିକୁ ସାଉଳୁଁ ସାଉଳୁଁ କହିଲେ—ବୁଢ଼ା, ଅନୁ କାହିଁକି ଆସି ନାହିଁ ତୁମେ ଜାଣ ? ସେ ତ ସବୁଦିନେ ଆଉ ପିଲା ହୋଇ ରହି ନଥାନ୍ତା ! ସେ ଆଜି ଦୁନିଆରେ ମଣିଷ ହୋଇଲା । ସେ କଣ ଆଗ ପରି ଆଉ ତମ ପାଖକୁ ଆସିପାରିବ ! ତାର ତ କିଛି ଅସୁବିଧା ନାହିଁ, ତେବେ ସେ ଦିନେ ଦୁଇ ଦିନରେ ଥରେ ଆସି ତମକୁ ଦେଖି ଯାଉଥିବ ଯେ ! ଆଜି ନରେନ୍ଦ୍ରବାବୁଙ୍କ ମୁହଁରୁ ଅନୁ କଥା ଶୁଣି, ବୁଢ଼ା ଆଖିରେ କେତେ କଥା ନାଚିଗଲା । ଯେଉଁ ଝିଅଟିକୁ ସେ କାନ୍ଧରେ ରାତିଦିନ ପକାଇ ଏଡ଼ୁଟିଏ କରିଛି, ସେ ଆଜି ଦୁନିଆରେ ମଣିଷ ହୋଇଛି । ଅନୁ ପାଇଁ ବୁଢ଼ା ମନରେ କେତେ ସୁନେଲି ଆଶା ଉଙ୍କି ମାରି ଉଠିଲା-

 

ସାତଦିନ ପରେ

 

—‘‘ପୂର୍ଣ୍ଣ ବୋଉକୁ ଡାକିଲୁ ?—ନରେନ୍ଦ୍ର ବାବୁ କହିଲେ । ପୂର୍ଣ୍ଣ ସଙ୍ଗେ ସଙ୍ଗେ ଦଉଡ଼ି ଯାଇ ନିରୁପମା ଦେବୀଙ୍କୁ ଡାକି ଆଣିଲା । ନିରୁପମା ଦେବୀଙ୍କୁ ଦେଖି ନରେନ୍ଦ୍ରବାବୁ ମୁରୁକି ହସି ବଡ଼ ଗମ୍ଭୀର ହୋଇ କହିଲେ—କିହୋ ! ଦାଣ୍ଡ ଆଗରେ କି ବିରାଟ କାରଖାନା ଲାଗିଛି, ତମ ଆଖିକୁ ଦେଖା ଯାଉଛିତ !’’

 

ନିରୁପମା ଦେବୀ ଆବାକାବା ହୋଇ କହିଲେ—ମଲା କାରଖାନା ଲାଗିଛି ବୋଲି ତ ମୁଁ ସବୁବେଳେ ଏଇ ଝରକା ବାଟେ ଦେଖୁଛି । ମୁଁ ଆଉ କ’ଣ କରନ୍ତିକି, ତମେ କହୁଛ ! ସେଠି କ’ଣ ମୁଁ ମାଟି ବୋହିବି ନା ଇଟା ଉଠେଇବି ।

 

—ନା, ସେକଥା ମୁଁ କହୁନାହିଁ । ଯିଏ କାରଖାନା କରାଇଛି, ଯାହା କଥାରେ ଏସବୁ ହୋଇଛି, ତାକୁ ତ ସାତଦିନ ହେଲା କାହିଁ ମୁଁ ଆଖିରେ ପକାଇବାକୁ ଟିକିଏ ପାଉନାହିଁ ! ତାକୁ କ’ଣ ଘର କ’ଣରେ ଇମିତି ଲୁଚାଇ ରଖିବ ନା କ’ଣ ?

 

ନିରୁପମା ଦେବୀ ବଡ଼ ଆଗ୍ରହରେ କହିଲେ—ମୁଁ କାହିଁକି ତାକୁ ଲୁଚାଇ ରଖିବି । ଝିଅଟା ସେ ଘରେ ପଶି ରହିଛି ଯେ, ବାହାରକୁ ଆସିବାକୁ ଲାଜ କରୁଛି । ମୁଁ ତାକୁ କେତେ କହିଲିଣି, ଏତେ ଲାଜକୁଳି ହେବା ଠିକ୍‌ ନୁହେଁ । ସେ କ’ଣ ମୋ କଥା ମାନୁଛି ।

 

ନରେନ୍ଦ୍ର ବାବୁ ତାଙ୍କ କଥା ଉପରେ ବଡ଼ ଜୋର ଦେଇ କହିଲେ—ନା, ପୂର୍ଣ୍ଣବୋଉ, ତାକୁ ସେପରି କଲେ ଆଉ ଚଳିବ ନାହିଁ । ସେତ ଆଉ ହାଟୁଆ ଘରର ଝିଅ ହୋଇ ରହି ନାହିଁ ଯେ, ଏତେ ଲାଜ ନକଲେ ଚଳିବ ନାହିଁ । ଆମ କରଣ ଘରେ ଗୋଟାଏ ଏତେ ଲାଜ କଣ ? ଅନୁ ପିଲା ମଣିଷ, କ’ଣ ବୁଝି ଯାଇଛି । ଲାଜ ସରମ ଛାଡ଼ି—ସମସ୍ତଙ୍କ ସଙ୍ଗରେ ଠିକ୍‌ ଆଗ ପରି କଥାବାର୍ତ୍ତା କରୁଛି, ଏ ଯେଉଁ ବିରାଟ କାରଖାନା ହେଉଛି କେବଳ ତାରି କଥାରେ । ସେ ଯେବେ ଲୁଚି ରହିବ ମୁଁ କ’ଣ ଏସବୁ ବୁଝିବି । ତମେ ଆଉ ତାକୁ ଘର କଣରେ ଲୁଚାଇ ରଖ ନାହିଁ । ତାକୁ ଭଲ ଶିକ୍ଷା ଦିଅ, ସେ ନିଜେ ଯାଇଁ କାମ ଦାମ ବୁଲି ଦେଖୁ । ତାର କିଛି ଚିନ୍ତା ନାହିଁ, ସେ ଜମିଦାର ଝିଅ । ଆଚ୍ଛା ଡାକିଲ ତାକୁ, ମୁଁ ତା ଲାଜ କ୍ଷଣକେ କିମିତି ଛଡ଼ାଇ ଦେବି, ଦେଖିବ ।

 

ନିରୁପମା ଦେବୀ ସେଇଠି ଥାଇ ଅନୁ ଅନୁ ଡାକୁ ଡାକୁ ପୂର୍ଣ୍ଣକୁ ଅପାକୁ ଡାକି ଆଣିବା ପାଇଁ ପଠାଇ ଦେଲେ । କେତେ ସମୟ ପରେ ନିରୁପମା ଦେବୀଙ୍କ ଘନ ଘନ ଡାକରେ ଅନୁ ଲାଜ ଲାଜ ହୋଇ ଆସି କବାଟ ପାଖରେ ଠିଆ ହେଲା ।

 

ନରେନ୍ଦ୍ରବାବୁ ସେଇଆଡ଼କୁ ଅନାଇଁ ଖୁସି ହୋଇ ଡାକିଲେ—ଅନୁ ?

 

—ଆ ଜ୍ଞା ।

 

—ଆ, ମୋ ପାଖକୁ ଆ ।

 

—ଅନୁ ରହି ରହି ତାଙ୍କ ପାଖରେ ଆସି ଠିଆ ହେଲା । ନରେନ୍ଦ୍ରବାବୁ ଠିକ୍‌ ଆଗ ପରି ଅନୁକୁ ତାଙ୍କ ଛାତି ଆଡ଼କୁ ଆଉଜେଇ ଆଣି ତା’ ପିଠିରେ ହାତ ବୁଲାଇ କହିଲେ—ତୋର ଭଗବାନ ମଙ୍ଗଳ କରନ୍ତୁ । ତୁ ପାଗଳି ଏତେ ଲାଜ କରୁଛୁ କାହିଁକି ? ଦେଖିଲୁ ତୋ କଥାରେ ପଡ଼ି କି ବିରାଟ କାରଖାନା ତିଆରି ହେଉଛି । ତୁ ଯଦି ଲାଜ କରି ଘରେ ରହିବୁ, ଏ କଳ କାରଖାନା ଚାଲୁ ହେଲେ, ତାକୁ ଦେଖାଚାହାଁ କରିବ କିଏ ! ମୁଁ ! କେଭେ ନୁହେଁ । ଆଜି ଯଦି ଲାଜ କରିବୁ, ତାହାହେଲେ ଏତିକିରେ ଏ କାମ ରହିଲା । ତୁ ଏ ବିରାଟ କଳ କାରଖାନା ମାଲିକ—ତୁ ଲାଜ କଲେ ଚଳିବ କେମିତି ! ତୁ ତୋ ବୁଢ଼ାବାପାକୁ ଆଜିଯାଏ ବି ଦେଖି ଯାଇନୁ । ବୁଢ଼ାର ମନ ବ୍ୟସ୍ତ କହିଲେ ନସରେ । ଆଜି ଯା’ ଆଗପରି ବୁଲାଚଲା କରି ଦେଖି ଆସିବୁ ।

 

ଅନୁ ତଳକୁ ମୁହଁ ପୋତି ମୁଣ୍ଡ ଟୁଙ୍ଗାରିଲା ।

 

ନରେନ୍ଦ୍ର ବାବୁ ପୁଣି ତାକିଦ୍‌ କରି କହିଲେ—ତୁ ପୂର୍ଣ୍ଣକୁ ସଙ୍ଗରେ ଧରି ନିଜେ ଯାଇ ସମସ୍ତ କାମ ଦେଖି ଆସିବୁ ବୁଝିଲୁ ?

 

‘‘ଅନୁ ମୁରୁକି ମୁରୁକି ହସି କହିଲା—ହଉ ।’’

 

ସେହିଦିନ ଛ’ଟା ବେଳ । ଅନୁ ସଙ୍ଗରେ ଜଣେ ଚାକରାଣୀ ଆଉ ପୂର୍ଣ୍ଣକୁ ସଙ୍ଗରେ ଧରି ଦିଅଁଙ୍କ ମନ୍ଦିରକୁ ଆସିଲା । ଭଲ କରି ଫୁଲମାଳ ଦୁଇଟି ପୁଝାରୀ ପାଖରେ ଥୋଇ ଦେଇ ମୁଣ୍ଡ ଲଗାଇ ଦିଅଁଙ୍କୁ ନମସ୍କାର କଲା । ପୁଝାରୀଟି, ଅନୁ ଯେ କାହିଁକି ସାତଦିନ ହେଲା ଆସି ନାହଁ, ତା ଅନୁର ଢଙ୍ଗ ଢାଙ୍ଗରୁ ବେଶ୍‌ ବୁଝି ନେଇ ସାରିଥିଲା । ଅନୁ ନମସ୍କାର କରି ଉଠି ଠିଆ ହେଲାକ୍ଷଣି ପୁଝାରୀ ଜଣକ ଫୁଲମାଳ ଦୁଇଟି ରାଧା କୃଷ୍ଣର ବେକରେ ଲମ୍ୱାଇ ଦେଇ ବଡ଼ ଖୁସି ହୋଇ ଅନୁ ଆଡ଼େ ଅନାଇଁ କହିଲା—ଦିଅଁଙ୍କ ମନ ଆଜିଯାଏ ବିରସ ଥିଲା, ଏତେଦିନ ତମ ହାତରୁ ଫୁଲମାଳ ନାଇ ଦିଅଁ ଆଜି ହସୁଛନ୍ତି ।

 

ଆଗପରି ଅନୁ ଆଉ ପୁଝାରୀ ମୁହଁକୁ ସାମନା ସାମନି ଅନାଇଁ କଥାର ଉତ୍ତର ଦେଇ ପାରିଲା ନାହିଁ । ତଳକୁ ମୁହଁ ପୋତି ତା ବୁଢ଼ାବାପ ଥିବା ଘରକୁ ଚାଲି ଆସିଲା ।

 

ବୁଢ଼ା ମନରେ କେତେ କ’ଣ ଭାବନାର ସୀମା ନାହିଁ । ଅନୁ ସେ ଘରକୁ ପଶି ଯାଇଁ ବୁଢ଼ାବାପ ପାଖରେ ଠିଆ ହୋଇଗଲା । ଆଗପରି ଠୋ ଠୋ କରି କଥା କହି ପାରିଲା ନାହିଁ ।

 

ବୁଢ଼ା ଅନୁକୁ ଦେଖିପକାଇ ଆନନ୍ଦରେ କୁରୁଳି ହୋଇ ତା’ ହାତ ଧରି ପକାଇ କହିଲା–ତୁ ଆସିଛୁ ! ଏ ବୁଢ଼ାଟାକୁ ମନେ ରଖିଛୁ ମା’ ! ବୁଢ଼ା ଆଖିରୁ ଠପ୍‌ ଠପ୍ ହୋଇ ଲୁହ କେତେ ବୁନ୍ଦା ଗଡ଼ି ପଡ଼ିବାକୁ ଲାଗିଲା । ଅନୁ ଆଉ ସମ୍ଭାଳି ପାରିଲା ନାହିଁ । ନିଜ ଲୁଗା କାନିରେ ବୁଢ଼ାର ଆଖି ଦୁଇଟିକୁ ପୋଛିଦେଇ ବଡ଼ କଅଁଳେଇ କହିଲା, ତମେ ବାବା କାନ୍ଦୁଛ ? ମତେ ନ ଦେଖି ଖିଆପିଆ ଛାଡ଼ି ଶୁଖିଗଲଣି, ନୁହେଁ ? ଏତେଦିନଯାଏ ନଆସି ମୋର ବଡ଼ ଭୁଲ୍ ହୋଇଛି—ଅନୁ ଆଖିରେ ଛଳ ଛଳ ହୋଇ ଆସିଲା ଲୁହ ।

 

ବୁଢ଼ା ଅନୁ ମୁହଁକୁ ଅନାଇ ଦେଇ ବ୍ୟଥିତ ସ୍ୱରରେ କହି ଉଠିଲା—ଛି ମା’, ଥରେ ପରା କହିଛି, ତୋ ଆଖିରେ ଲୁହ ଦେଖିଲେ ମୁଁ କଦାପି ସହି ପାରିବି ନାହିଁ । ମୋ ଆଖିରୁ କ’ଣ ମା’, ମୋର କିଛି ଅଭାବ ପାଇଁ ଲୁହ ଗଡ଼ିଲା ? ତା ନୁହେଁଲୋ ପାଗଳି ! ହେଇ କାଲିପରି ଲାଗୁଛି, ତୁ ଏଡ଼ୁଟିଏ ହୋଇଥିଲୁ, ରାତି ରାତି ଅନିଦ୍ରା ହୋଇ କେତେ କଷ୍ଟ ସହିଛି ତୋରି ପାଇଁ । ଭଗବାନ ଆଜି ତୋତେ ବଞ୍ଚାଇ ଦୁନିଆରେ ମଣିଷ କରିଛନ୍ତି, ସେହିକଥା ଭାବି ଆନନ୍ଦରେ ଆଖିରୁ ଦି’ଠୋପା ଲୁହ ଗଡ଼ି ପଡ଼ିଲା । ଭଗବାନଙ୍କ ଲୀଳା ଅପାର । ତୁ ଦୁନିଆରେ ସୁଖ ଶାନ୍ତିରେ ରହି ଘର କର, ଏହି ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ।

 

ଅନୁ ମୁଣ୍ଡ ପୋତି ନୀରବ ରହିଲା !

 

ବୁଢ଼ା ଅନୁ ପିଠିରେ ହାତ ବୁଲାଇ କହିଲା—ଯା ଝିଅ, ଡେରି ହେଲାଣି ।

 

ଦି’ଦିନ ପରେ କାରଖାନା ତିଆରି ହେଉଥିବା ସ୍ଥାନ ବୁଲି ଦେଖୁ ଦେଖୁ ଅନୁ କହିଲା—ବାପା ? ଏ ପାଖରେ ଏଇଟା କ’ଣ ତିଆରି କରୁଛନ୍ତି ?

 

ନରେନ୍ଦ୍ରବାବୁ ମୁରୁକି ହସି କହିଲେ—ଏଇଟି ପରା । ମା’ ତୋ ବୁଢ଼ାବାପ କହିଥିବା ‘ଅନାଥାଶ୍ରମ’ । ସେ ମୋ ଉପରେ ଯେଉଁ ଭାର ପକାଇ ଦେଇଛନ୍ତି, ତା’ ନକରିବା ଯାଏ ମୋ ମନରେ ଶାନ୍ତି ନାହିଁ । ଏତେ ଖର୍ଚ୍ଚ ଭିତରେ ଏ ବି ହୋଇଯିବ ।

 

ଅନୁ କହିଲା—କାହିଁକି ବାପା, ଏଇକ୍ଷଣି ଏ ‘ଅନାଥାଶ୍ରମ’ ନ କରିଥିଲେ କଣ ହୋଇ ନଥାନ୍ତା ! ଏଥିରେ ତ ପୁଣି କେତେ ହଜାର ଟଙ୍କା ଖର୍ଚ୍ଚ ହୋଇଯିବ ।

 

ନରେନ୍ଦ୍ର ବାବୁ ଆନନ୍ଦରେ ଅନୁ ମୁହଁଆଡ଼କୁ ଅନାଇ କହିଲେ—ନା, କିଛି ଅଭାବ ହେବ ନାହିଁ । ତୁ ମୋର ଲକ୍ଷ୍ମୀ, ତୋର କଲ୍ୟାଣରୁ ସବୁ ପୂର୍ଣ୍ଣ ହୋଇଯିବ ।

 

କଳଘର, ଅନାଥାଶ୍ରମ, ଡାକ୍ତରଖାନା ଶ୍ରମିକମାନଙ୍କର ରହିବାର ଘର, ପାଣି କଳ, ବିଜୁଳିକାରଖାନାର କାମ ଶେଷ ହୋଇଯାଇଛି । ବମ୍ୱେ, କଲିକତାରୁ ବଡ଼ ବଡ଼ ମିସ୍ତ୍ରୀ ଆସି ଯନ୍ତ୍ରପାତି ବସାଇବାରେ ଲାଗିଛନ୍ତି । କାମ ପ୍ରାୟ ତିନି ଭାଗରୁ ବେଶି ଶେଷ ହୋଇ ଆସିଲାଣି । ମିସ୍ତ୍ରୀମାନେ ଆଶା ଦେଇଛନ୍ତି ଆଉ ମାସ ଗୋଟାକରେ ସମସ୍ତ କାମ ଶେଷ ହୋଇ କଳ ଚାଲୁ ହୋଇ ପାରିବ । ସେଥିପାଇଁ ନରେନ୍ଦ୍ରବାବୁ ଠିକ୍‌ କରିଛନ୍ତି ଏହି ଆସନ୍ତା ଶ୍ରୀପଞ୍ଚମୀ ଦିନ କଳଘର ପ୍ରତିଷ୍ଠା ହୋଇ କାମ ଆରମ୍ଭ କରାଯିବ ।

 

ଶ୍ରୀପଞ୍ଚମୀ ରହିଲା ଆଉ ମୋଟେ ପନ୍ଦରଦିନ । ସେଥିପାଇଁ ଓଡ଼ିଶାର ଚାରିଆଡ଼ୁ ଝୋଟ, ତୁଳା ଆସି ଗଦା ହେଉଛି ତା’ ଛଡ଼ା କଲିକତାରୁ ମଧ୍ୟ ହଜାରେ ଗାଣ୍ଠି ତୁଳା ଆସି ପହଞ୍ଚିଲାଣି ।

 

କଳ ଚାଲିବା ଆଗରୁ ଶହ ଶହ କୁଲି, ମିସ୍ତ୍ରୀ ପ୍ରଭୃତି କାମ କରିବା ପାଇଁ ଦରକାର । ସେଥିପାଇଁ ପିମ୍ପୁଡ଼ି ଧାର ପରି ଶହ ଶହ ଲୋକ କଳଘରେ କାମ କରିବାପାଇଁ ରୁଣ୍ଡ ହେଉଛନ୍ତି । କାହିଁ କଲିକତା; ରେଙ୍ଗନରୁ ବହୁତ ଲୋକ ନିଜ ନିଜର ପ୍ରଶଂସାପତ୍ର ଧରି ହାଜର ହୋଇଗଲେଣି ।

 

ଜଣେ ସୁଦକ୍ଷ ମ୍ୟାନେଜରଙ୍କ ପାଇଁ ‘ସମାଜ’ ଓ ‘ନିଉ–ଓଡ଼ିଶା’ରେ ନୋଟିସ ଦିଆଗଲା-। ଅନେକଆଡ଼ ଅନେକଲୋକ ନିଜ ନିଜର ପ୍ରଶଂସାପତ୍ର ସହ ଆସି ନରେନ୍ଦ୍ରବାବୁଙ୍କୁ ସାକ୍ଷାତ କଲେ-। କିନ୍ତୁ ନରେନ୍ଦ୍ରବାବୁ ସେମାନଙ୍କୁ ସାକ୍ଷାତ ଦେଲା ବେଳେ ଅନୁକୁ ପାଖରେ ବସାଇ ସେମାନଙ୍କର ପ୍ରଶଂସାପତ୍ର ତାକୁ ଦେଖାଇ ତାର ମତ ଲୋଡ଼ନ୍ତି । ଅନୁ ଜଣେ ମାତ୍ର ସାକ୍ଷାତ କରୁଥିବା ଲୋକର ମୁହଁକୁ ଅନାଇ ତାର ମତ ନେଇ ଦିଏ । ଶେଷରେ ଜଣେ ସମ୍ୱଲପୁରରୁ ଓଡ଼ିଆ ସୁନ୍ଦର ସ୍ୱାସ୍ଥ୍ୟବାନ ଯୁବକ ଅହମଦାବାଦ ଲୁଗା କାରଖାନାରେ ବଡ଼ବାବୁ କାମ କରୁଥିବା ବାବୁଙ୍କର ପ୍ରଶଂସାପତ୍ର ଅନୁ ଓଲଟାଉ ଓଲଟାଉ ତାଙ୍କ ମୁହଁଆଡ଼େ କଣେଇ କଣେଇ ଚାହିଁ; ସେହି ବାବୁଟିକୁ ନିଯୁକ୍ତ କରିବାକୁ ନରେନ୍ଦ୍ରବାବୁଙ୍କୁ ଚୁପୁ କରି କହିଲା । ନରେନ୍ଦ୍ରବାବୁ ଅନୁ କଥାରୁ ବାହାରିଗଲେ ନାହିଁ । ଶେଷରେ ସେହି ବାବୁଟିଙ୍କୁ କାରଖାନାର ମ୍ୟାନେଜର ରୂପେ ନିଯୁକ୍ତ କରି ଶ୍ରୀଘ୍ର ପ୍ରାଥମିକ କାମ ସବୁ ଆରମ୍ଭ କରିବାପାଇଁ ପରାମର୍ଶ ଦେଲେ ।

 

ନୁଆ ନିଯୁକ୍ତ ହୋଇଥିବା ମ୍ୟାନେଜର ସୁରେନ୍ଦ୍ରବାବୁଙ୍କର ବୟସ ଖୁବ୍‌ ବେଶି ହେଲେ ତିରିଶରୁ ବେଶି ହେବ ନାହିଁ । ଜାତିରେ କରଣ । ଆଧୁନିକ, ସୁନ୍ଦର, ସ୍ୱସ୍ଥ୍ୟବାନ ଯୁବକ । ତାଙ୍କର ଦେହର ରଙ୍ଗ ଏତେ ସଫାଯେ, ବାହାରର ଲୋକେ ତାଙ୍କର ସାହେବି ଠାଣମାଣି–ପୋଷାକପତ୍ର ଦେଖିଲେ ହଠାତ୍‌ ବିଲାତି ସାହେବ କିମ୍ୱା କାଶ୍ମୀର ଲୋକ ଛଡ଼ା ଅନ୍ୟ କିଛି ଧାରଣା କରିପାରିବେ ନାହିଁ ।

 

ସୁରେନ୍ଦ୍ରବାବୁଙ୍କର ଏଇ କେତେଦିନ ହେଲା ଚାଲି ଚଳନ, ବ୍ୟବହାରରୁ ନରେନ୍ଦ୍ରବାବୁ, ଅନୁ ଇତ୍ୟାଦି ବୁଝି ନେଇଛନ୍ତି ଯେ, ସୁରେନ୍ଦ୍ରବାବୁ ଯେପରି କର୍ମଠ, ସେହିପରି ମଧ୍ୟ ମେଳାପି । ସେଥିପାଇଁ ଅନୁ ବେଳେ ବେଳେ ନରେନ୍ଦ୍ର ବାବୁଙ୍କୁ ହସି ହସି କହେ—ଦେଖିଲେ ବାପା, ମୋ ଅନୁମାନ କିପରି ଠିକ୍‌ । ସୁରେନ୍ଦ୍ରବାବୁ କ’ଣ ଖରାପ ଲୋକ !

 

ନରେନ୍ଦ୍ରବାବୁ ହସି ହସି କହନ୍ତି—ମୁଁ କ’ଣ କହିଲି, ତୋ ଅନୁମାନ ଠିକ୍‌ ନୁହେଁ ବୋଲି ।

 

ଅନୁ ହସି ହସି ଅନ୍ୟ ଘରକୁ ଚାଲିଯାଏ ।

 

ଏଇ ଆଠଦିନ ହେବ ଶହ ଶହ କୁଲି, ମିସ୍ତ୍ରୀ, ଖଲାସୀ ନିଯୁକ୍ତ ହୋଇ ବଡ଼ ଜୋରସୋରରେ ଚାଲିଛି । ନୂଆ ନିଯୁକ୍ତ ହୋଇଥିବା ମ୍ୟାନେଜରଙ୍କ ସହିତ ଅନୁର ମଧ୍ୟ ବେଶ୍‌ ପରିଚୟ ହୋଇ ଗଲାଣି । ସକାଳେ ସନ୍ଧ୍ୟା ବେଳେ ଅଫିସ ବାରଣ୍ଡାରେ ପାଖାପାଖି ଦୁଇଟି ଚେୟାରରେ ଦୁହେଁ ବସି ପରସ୍ପର ପରାମର୍ଶରେ କୁଲି ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀ ନିଯୁକ୍ତ କରନ୍ତି । କାରଖାନା ଭିତରେ ଏଣେ ତେଣେ କୁଲି, ବାକୀ ରହିଥିବା କାମକୁ ଶେଷ କରିବା ପାଇଁ ମିସ୍ତ୍ରୀ ମାନଙ୍କୁ ପରାମର୍ଶ ଦିଅନ୍ତି । ଶ୍ରୀପଞ୍ଚମୀ ଆଉ ରହିଲା ମୋଟେ ଆଠଦିନ, ସେଥିପାଇଁ କାହାକୁ ମୁହୁର୍ତ୍ତେ ମାତ୍ର ଫୁର୍‌ସତ୍‌ ନାହିଁ ।

 

ବେଳେ ବେଳେ ନିରୁପମା ଦେବୀ ନରେନ୍ଦ୍ରବାବୁଙ୍କୁ କହନ୍ତି, ଅନୁ ତ ଆଉ ଛୁଆ ନୁହେଁ–ଯୁବତୀ ଝିଅ....ତାକୁ ଏପରି ଭାବରେ....

 

ନିରୁପମା ଦେବୀଙ୍କ ପାଟିରୁ କଥା ନସରୁଣୁ ନରେନ୍ଦ୍ରବାବୁ ମୁରୁକି ହସି ବୁଝାଇ କହନ୍ତି–ତମ କଥା ମୁଁ ବେଶ୍‌ ବୁଝି ପାରିଲିଣି। ସେ ସ୍ୱାଧୀନ ଭାବରେ ଏ ସବୁ ବୁଝାସୁଝା ନକରିବ ତ ଆଉ ବୁଝିବ କିଏ ! ତୁମେ କ’ଣ ବୁଝିପାରୁନା, ତା’ ମନ କେଡ଼େ ସରଳ କେଡ଼େ ନିର୍ମଳ । ସେ କମ୍‌ ବୁଦ୍ଧିମାନ ଛୁଆ ନୁହେଁ—ପୂର୍ଣ୍ଣ ବୋଉ ! ଯିଏ ମୋ ମନକୁ ବୁଝାଇ ପାରି ପ୍ରାୟ ପନ୍ଦରଲକ୍ଷ ଟଙ୍କା ଖରଚ କରାଇ ସାରିଲାଣି, ସେ କ’ଣ କମ୍‌ ବୁଦ୍ଧିମାନ ପିଲା ! ଯଦି ଭଗବାନଙ୍କ କୃପାରୁ ଏଇ କାରଖାନା ଭଲରେ ଚାଲେ, ତେବେ କମ୍‌ ଲୋକଙ୍କର କ’ଣ ଦୁଃଖ ଯିବ ! ଅନୁ ଏସବୁ କରାଇଛି–ସେହି ସବୁ ବୁଝୁ । ଅନୁକୁ ସ୍ୱାଧୀନ ଭାବରେ ସମସ୍ତ ଛାଡ଼ି ଦିଆଯିବ । ତାକୁ ଘର କଣରେ ଲୁଚାଇଲେ ଆଉ ଏ କାମ ଚଳିବ ନାହିଁ ।

 

ଅନୁ ପ୍ରତିଦିନ ତାର ବୁଢ଼ା ବାପର ଖବର ଅନ୍ତର ବୁଝିବାକୁ ଯାଏ । ଦିନେ ଦିନେ ବୁଢ଼ା ଅନୁ ମୁହଁଆଡ଼େ ଚାହିଁ ଆନନ୍ଦରେ ହସି ହସି କହେ—ମା’ଟା ମୋର ‘ରଜାଘର ଝିଅ ।’ ସେଦିନ ହାଟରେ ବୁଢ଼ା ଯାହା କହୁଥିଲା ଠିକ୍‌କଥା । ମୋ ପାଖରେ ଅନେକ ଦିନ ରହି ତୁ ମା’ ବହୁତ କଷ୍ଟ ସହିଛୁ । ଏତେଦିନ ଭଗବାନ ତୋ କଷ୍ଟ କାଢ଼ି ନେଇଛନ୍ତି । କାହାରି ମନରେ କେବେ ମା’ କଷ୍ଟ ଦେବୁ ନାହିଁ । ଅନୁ ମୁରୁକି ମୁରୁକି ହସେ । କଅଁଳେଇ ପଚାରେ—କ’ଣ ବାବା, ତମର ଅଭାବ ହେଉଛି ?

 

ବୁଢ଼ା ଅନୁର ବାଁ ହାତଟିକୁ ଧରି, ଆଙ୍ଗୁଠିରେ ନାଇଥିବା ସୁନା ମୁଦିଗୁଡ଼ିକ ଦେଖୁ ଦେଖୁ କହେ—ତୁ ଯେତେବେଳେ ଅଛୁ, ମୋର ଆଉ ଅଭାବ କ’ଣ ?

 

ଅନୁ ଗେହ୍ଲେଇ ହୋଇ କହେ—ବାବା, ତମେ ଗୋଟିଏ ସୁନା ମୁଦି ନାଇବ ?

 

ବୁଢ଼ା ହସି ହସି କହେ—ପାଗଳୀ, ଏ ବୁଢ଼ା ହାତକୁ କ’ଣ ଏମୁଦି ସାଜିବ ... । .... କିନ୍ତୁ ଦିନେ ଅନୁ ବୁଢ଼ା କଥାକୁ ନମାନି ତାର ଡାହାଣ ହାତ ଅଙ୍ଗୁଠିରେ ଗୋଟିଏ ସୁନାମୁଦି ପିନ୍ଧାଇ ଦେଇଛି । ବୁଢ଼ା ଦିଅଁଙ୍କ ପ୍ରସାଦ ପାଇ—ଅନୁର ସୁଖ ଶାନ୍ତି ଦେଖି ଅନୁଭବ କରୁଛି ସ୍ୱର୍ଗସୁଖ ।

 

ତିନି ହଜାର ଲୋକ ନିଯୁକ୍ତ ହୋଇ ସାରିଲେଣି । କାମ ଚାଲୁ ହେଲେ ଆର ମାସରେ ଆହୁରି ଲୋକ ନିଯୁକ୍ତ ହେବେ । ଓଡ଼ିଶାର ଏ ମୁଣ୍ଡରୁ ସେମୁଣ୍ଡ ଯାଏ ନରେନ୍ଦ୍ରବାବୁଙ୍କର ପ୍ରଶଂସା ନଈସୁଅ ପରି ଚହଟି ଗଲାଣି ।

 

ଆଜି ଶ୍ରୀପଞ୍ଚମୀ । କାରଖାନା ପ୍ରତିଷ୍ଠା ପରେ ଯେତେବେଳେ କଳ ଚାଲୁ ହୋଇ ତାଳଗଛ ପରି ଉଚ୍ଚ ବିରାଟ ଲୁହା ନଳି ଭିତରୁ ଧୂଆଁ ଭୁସ୍‌ଭୁସ୍‌ ହୋଇ ବାହାରିଲା; ସେତେବେଳେ ଲୋକଙ୍କର ଆନନ୍ଦରେ ଆଉ ସୀମା ରହିଲା ନାହିଁ। ଶହ ଶହ ଦେଖଣାହାରୀ ହଜାର ହଜାର କାରଖାନାର କର୍ମଚାରୀ, ଏତେ ଦିନକେ ଓଡ଼ିଶାର ଦୁଃଖ କେତେକ ପରିମାଣରେ ଦୂର ହେବ ବୋଲି, ଭଗବାନଙ୍କ ପାଖରେ କାରଖାନାର ଉନ୍ନତି କାମନା କଲେ । ନିଜେ ନରେନ୍ଦ୍ରବାବୁ ମଧ୍ୟ ଏ ବିରାଟ କାରଖାନାର କାମଦାମ ଲୋକ କୋଳାହଳ ଦେଖି ଆନନ୍ଦରେ ତାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ଅନୁର ଆନନ୍ଦ ତ କହିଲେ ନସରେ । ପୂର୍ଣ୍ଣ, କଳ କିପରି ଚାଲୁଛି, ଶହ ଶହ ହାତ ଲୁଗା କିପରି ବାହାରୁଛି, ତାହା ଦେଖିବାରେ ଲାଗି ଯାଇଥାଏ । ନିରୁପମା ଦେବୀ ଦି’ତାଲା କୋଠା ଛାତ ଉପରେ ଠିଆ ହୋଇ ମୁଗ୍ଧ ନୟନରେ କାରଖାନା ଆଡ଼େ ଚାହିଁ ରହିଥାଆନ୍ତି । ସମସ୍ତଙ୍କ ଅନୁରୋଧ କ୍ରମେ ସେହି କାରଖାନା ତିଆରି ହୋଇଥିବା ସ୍ଥାନର ନାମ ଦିଆଗଲା—‘ନରେନ୍ଦ୍ରପୁର’ ଏବଂ ପୁଣି ଅନୁକୁ ବାଧ୍ୟ କରାଇ ସେହି ଲୁଗା କାରଖାନାର ନାମ ଦିଆଗଲା—ଅନ୍ନପୂର୍ଣ୍ଣା (ଲୁଗା କଳ) କ୍ଲଥ ମିଲ୍‌।

 

ସେଦିନ ସେତିକି କେବଳ ପ୍ରତିଷ୍ଠା ହେଲା ନାହିଁ, ଡାକ୍ତରଖାନା, ଅନାଥାନର ମଧ୍ୟ ପ୍ରତିଷ୍ଠା ହେଲା । ସେଦିନ ପ୍ରଥମ କରି ଆଖପାଖ ଦଶଖଣ୍ଡ ଗାଁରୁ ନିରାଶ୍ରୟ ୭ଟି ବାଳକ ୫ଟି ବାଳିକାଙ୍କୁ ଆଣି ସେଠାରେ ରଖାଗଲା । ନରେନ୍ଦ୍ରବାବୁ ଅନୁର ବୁଢ଼ାବାପକୁ ସେଠାକୁ ଅଣାଇ ‘ଅନାଥାଶ୍ରମ’ ଚଳାଚଳ ଭାର କିଛିଦିନ ପାଇଁ ତାଙ୍କ ଉପରେ ଲଦି ଦେଲେ ।

 

‘ଅନାଥାଶ୍ରମ’ ପ୍ରତିଷ୍ଠା ବେଳେ ବ୍ରାହ୍ମଣ ହୋମବେଦୀ ପାଖରେ ବସି ଯେତେବେଳେ ପଚାରିଲା—ଅନାଥାଶ୍ରମର ନାମ କାହା ନାମ ଅନୁସାରେ ହେବ, ସେତେବେଳେ ଅନୁର ବୁଢ଼ା ବାପ ହସି ହସି କହିଲା—ଆଉ କ’ଣ ପଚାରୁଛନ୍ତି ପଣ୍ଡିତେ ! ଯିଏ ହଜାର ହଜାର ଟଙ୍କା ଦୁଃଖି ଦରିଦ୍ରଙ୍କ ଉପକାର ପାଇଁ ‘‘ନିଃସ୍ୱାର୍ଥରେ ଖର୍ଚ୍ଚ କରିଛନ୍ତି, ତାଙ୍କରି ନାମରେ ହେଉ । ଜମିଦାରବାବୁଙ୍କ ନାମ ତୁମକୁ କ’ଣ ଆଉ ଜଣାଇବାକୁ ହେବ ପଣ୍ଡିତେ ?

 

ନରେନ୍ଦ୍ରବାବୁ ଠୋ ଠୋ ହୋଇ ହସି କହିଲେ—ଏଥିରେ ମୋର ମୂଳଧନ ଗୋଟାଏ ଅଧଲା ବି ଖର୍ଚ୍ଚ ହୋଇନାହିଁ। ମୂଳଧନର ସାମାନ୍ୟ ସୁଧ ମାତ୍ର ମୁଁ କେବଳ ଏଥିରେ ଖର୍ଚ୍ଚ କରିଛି । ତୁମରି ନାମରେ ଏ ‘ଅନାଥାଶ୍ରମ’ ହେବ । ଅନୁ ଆଡ଼େ ଅନାଇଁ ପଚାରିଲେ ବୁଢ଼ାଙ୍କ ପୁରା ନାମ କ’ଣ କହିଲୁ ମା’ ! ଅନୁ ସବୁ ଦେଖି ମୁହଁରେ ଲୁଗା ଦେଇ ହସୁଥାଏ ।

 

ବୁଢ଼ା, ନରେନ୍ଦ୍ରବାବୁଙ୍କ ମୁହଁରୁ ଏକଥା ଶୁଣି ତାଙ୍କ ହାତ ଧରି ପକାଇ କହିଲା—ଛି ବାବୁ, ସେକଥା କୁହନ୍ତୁ ନାହିଁ । ମୁଁ ଏଥିରେ କଣ କରିଛି । ମୁଁ ଗରିବ ବାବୁ ।

 

ନରେନ୍ଦ୍ରବାବୁ ଓଲଟି ବୁଢ଼ାର ହାତ ଧରି ପକାଇ କହିଲେ, ତୁମେ ମତେ ଆଉ ବାଧ୍ୟ କର ନାହିଁ । ସେଦିନ ତମର କଥା ମୁଁ ମାନିଛି, ଆଜି ମୋ କଥା ତୁମକୁ ମାନିବାକୁ ପଡ଼ିବ । ତୁମେ ଏ ଅନାଥାଶ୍ରମ ପାଇଁ ନ କରିଛ କ’ଣ ? ଏଥିପାଇଁ ତୁମର ଥିଲା ମନ, ପ୍ରଥମ କରି ଦେଇଛ ଧନ, ଆଉ କ’ଣ କରିଥାଆନ୍ତ ? ମୋ ପାଖରେ ଟଙ୍କା ଥିଲେ ବି, କାହିଁ ଏକଥା ତ ମୁଁ ଦିନେ ହେଲେ ଭାବି ନଥିଲି । ତୁମର ସେଦିନ କେଇପଦ କଥାରୁ ମୋର ବୁଦ୍ଧି ଫେରିଛି । ତୁମ ମୂଳଧନର କିଞ୍ଚିତ ସୁଧ ମାତ୍ର ମୁଁ ଏଥିରେ ଲଗାଇଛି । ତୁମରି ନାମରେ ଏ ‘ଅନାଥାଶ୍ରମ’ ହେଉ । କହ ଅନୁ, ବୁଢ଼ାଙ୍କ ପୁରା ନାମ ?

 

ଅନୁ ହସି ହସି କହିଲା—ଦୀନବନ୍ଧୁ ମହାପାତ୍ର ।

 

ନରେନ୍ଦ୍ରବାବୁ ନାଁଟି ଶୁଣିବଡ଼ ଖୁସି ହୋଇ କହିଲେ, ଦୀନବନ୍ଧୁ ନହେଲେ କିଏ ଦୀନମାନଙ୍କ ପାଇଁ ଚିନ୍ତା କରନ୍ତା । ନାମ ଦିଅ ପଣ୍ଡିତେ, ଆଜିଠାରୁ ଏହାର ନାମ ହେବ, ‘‘ଦୀନବନ୍ଧୁ ଅନାଥାଶ୍ରମ’’ ।

 

ସକାଳ ହୁଏ—ସନ୍ଧ୍ୟା ଆସେ, ପୁଣି ହୁଏ ସକାଳ, ଦିନପରେ ଦିନ ଗଡ଼ିଯାଏ । ସବୁଦିନ ପରି ରାତି ପାହିଲେ କଳ ଘରେ ‘ସିଟି’ ବାଜି ଉଠେ—ଲୁହା ନଳି ଦେଇ ଧୂଆଁ ବାହାରେ ଭୁସ୍‌ଭୁସ୍‌ । ହଜାର ହଜାର ଲୋକ ପିମ୍ପୁଡ଼ି ଧାର ପରି କଳଘର ଭିତରକୁ ପଶି ଯାଆନ୍ତି । କାମ ଚାଲେ ଅନବରତ । କଳ ଘର ଭିତର କଥା ଛାଡ଼ିଦେଲେ—ବାହାରେ ମଧ୍ୟ ଗୋଳମାଳ କମ୍‌ନଥାଏ । ଯାଜପୁର ରୋଡ଼ ଷ୍ଟେସନରେ ଗଦା ହୋଇଥିବା ଶହ ଶହ ତୁଳା ଓ ଝୋଟ ଗାଣ୍ଠି ଚାରି ପାଞ୍ଚଟା ମାଲ ବୁହା ମଟର ଦିନ ତମାମ ବୋହିବାରେ ଲାଗିଥାଏ । ପୁଣି ଶହ ଶହ ଲୁଗା ଗାଣ୍ଠି, ଅଖା ଗାଣ୍ଠି କାରଖାନାରୁ ଆଣି ଷ୍ଟେସନରେ ପକାଇ ଦେଇ ଯାଉଥାଏ । ସେଇଠୁ ମାଲ ଯିବ କଟକ, ପୁରୀ, ବାଲେଶ୍ୱର, ବ୍ରହ୍ମପୁର । ତା’ଛଡ଼ା ପ୍ରତିଦିନ ଯାଜପୁର ରୋଡ଼ରୁ ନରେନ୍ଦ୍ରପୁର ଖୁବ୍‌ କମ୍‌ବାଟ ହୋଇଥିବାରୁ ଚାକିରି ଓ ବ୍ୟବସାୟ ବାଣିଜ୍ୟ କରିବା ପାଇଁ ପ୍ରତିଦିନ ପ୍ରାୟ ଅନେକ ଲୋକ ସେଠାରେ ଓହ୍ଲାନ୍ତି । ବାହାର ଲୋକଙ୍କର ଖାଇବା ପିଇବା ବସବାସ ପାଇଁ ନରେନ୍ଦ୍ରପୁରରେ କାରଖାନାକୁ ଲାଗି ପ୍ରାୟ ଲମ୍ବ ଓସାରରେ ଅଧମାଇଲି ଯାଏ ହୋଟେଲ, ଲୁଗା ଦୋକାନ, ଡାଲି ଚାଉଳ ଦୋକାନ ଇତ୍ୟାଦିର ଗୋଟିଏ ଛୋଟ ଧରଣର ବଜାର ହୋଇଗଲାଣି ।

 

କାରଖାନାର ଦକ୍ଷିଣ ପଟକୁ ଖୁବ୍‌ ଲମ୍ବା ବଡ଼ ବାରଣ୍ଡା ଥିବା ଅଫିସ ଘର । ତା’ ଭିତରେ ପ୍ରାୟ ଦୁଇଶହ କିରାନୀ କାମ କରନ୍ତି । ଘରର ଶେଷ ମୁଣ୍ଡରେ ସାଜସଜା ହୋଇଥିବା ତିନୋଟି ସୁନ୍ଦର କୋଠରୀ । ପ୍ରଥମଟି ମାନେଜର ସୁରେନ୍ଦ୍ରବାବୁଙ୍କ ଅଫିସ, ମଝିଟି (ଅନୁ) ଶ୍ରୀମତୀ ଅନ୍ନପୂର୍ଣ୍ଣାଙ୍କର ଏବଂ ଶେଷଟି ନରେନ୍ଦ୍ରବାବୁଙ୍କର । ପ୍ରଥମ ଓ ମଝି କୋଠରୀ ଦୁଇଟି ଛାଡ଼ିଦେଲେ ଶେଷଟି ପ୍ରାୟ ବନ୍ଦ ଥାଏ । ନରେନ୍ଦ୍ରବାବୁ, ସୁରେନ୍ଦ୍ରବାବୁ ଓ ଅନୁର ଉପରେ ସମସ୍ତ ଭାର ଛାଡ଼ିଦେଇ ସେ ନିଶ୍ଚିନ୍ତରେ ଘରଆଡ଼େ ରହନ୍ତି । ଦିନେ ଦିନେ କେବଳ ଉପରବେଳା ଖୁସିରେ ଟିକିଏ ଗପସପ କରିବା ପାଇଁ ଅଫିସ ଆଡ଼େ ବୁଲି ଆସନ୍ତି । ତାଙ୍କର ଧାରଣା, ଅନୁ ଯେତେବେଳେ ଅଛି ତାଙ୍କର ବୁଝାସୁଝା କରିବା ଆଉ ଦରକାର ନାହିଁ । ବୁଦ୍ଧି ବିବେକରେ ଅନୁର ତାଙ୍କ ଠାରୁ ଖୁବ୍‌ବେଶୀ । ପୂର୍ଣ୍ଣ ବେଳେ ବେଳେ ଯାଇଁ ଅନୁ ପାଖରେ ବସୁଥିଲା—କିନ୍ତୁ ସେ ପଢ଼ିବା ପାଇଁ ଆଠଦିନ ହେଲା କଟକ ଚାଲିଗଲାଣି ।

 

ପାଖାପାଖି ଦୁଇଟି କୋଠରୀ । ଏ ପାଖରେ ଅନୁ, ସେ ପାଖରେ ସୁରେନ୍ଦ୍ରବାବୁ । ଅକୁହା ଆଶା ଆକାଂକ୍ଷା ମଝିରେ ପାଷାଣ କାନ୍ଥ ମୁଣ୍ଡ ଟେକି ରହିଛି ।

ସେଦିନର ଅନୁ ଆଜି ଆଉ ନାହିଁ । ଯୌବନରେ ସେ ଢଳ ଢଳ । ତାର ସାରା ଅଙ୍ଗରେ ଲାବଣ୍ୟ ଖେଳେ । ତାର ସୁନ୍ଦର ଚିକ୍କଣ ମୁହଁରୁ ଶାନ୍ତି ସୁଧା ଝରେ । ତାର ଘୁମନ୍ତ ଆଖିର ପ୍ରତି ପଲକରେ ଖେଳେ ବିଜୁଳି । ତାର ଫିକା ନାଲି ଚିବୁକ, ଋଷି ମନଭୁଲା ଅଳପ ହସ ଟିକକ ତରୁଣ ରକ୍ତରେ ଚମକ ଆଣେ ।

ପ୍ରତିଦିନ ଅନୁ ଠିକ୍‌ ବାରଟା ବେଳକୁ, କେଉଁଦିନ ଦାମିକା ଜରିଧଡ଼ିଆ ନୀଳଶାଢ଼ି, କେଉଁଦିନ ଖଇରା ଶାଢ଼ି ପିନ୍ଧି, ଗୋଡ଼ରେ ମଖମଲ ଚଟି ମାଡ଼ି ସୁରେନ୍ଦ୍ରବାବୁଙ୍କ ଅଫିସ ଘରକୁ ପଶିଯାଇ ଅଳପ ହସି କହେ—ନମସ୍କାର ! ସୁରେନ୍ଦ୍ରବାବୁ ଲେଖା ଲେଖି କାମ ବନ୍ଦ କରି ଉଠିପଡ଼ି ହସି ହସି କହନ୍ତି—ନମସ୍କାର । ମୁଁ ଅନେକବେଳୁ ଆସି ଅନେକ କାମ କରି ସାରିଲିଣି । ଆପଣଙ୍କର ଆସିବାରେ ଆଜି ଟିକିଏ ଡେରି ହୋଇଯାଇଛି ।

ଅନୁ କଅଁଳ ଗଳାରେ କହେ—ବାପାଙ୍କ ହାବୁଡ଼ରେ ପଡ଼ିଲେ କ’ଣ ସଅଳ ଆଉ ଆସିହେବ—ଇଆଡ଼ୁ ସିଆଡ଼ୁ କେତେ କଥା ପଚାରି ବସିବେ ।

ସୁରେନ୍ଦ୍ରବାବୁ ମୁରୁକି ହସି କହନ୍ତି—ଜମିଦାରବାବୁଙ୍କର ଆପଣ ଗେହ୍ଲା ଝିଅ । ଆପଣଙ୍କୁ ସେଥିପାଇଁ ଦଣ୍ଡେ ମାତ୍ର ପାଖରୁ ଛାଡ଼ିବାକୁ ସେ ଚାହାନ୍ତି ନାହିଁ ।

ଅନୁ ତଳକୁ ମୁହଁ ପୋତି ଟିକିଏ ଅଭିମାନ ଭଙ୍ଗୀରେ କହେ ଆପଣ ମୋ କଥା ଦିନେ ହେଲେବି ମାନିଲେ ନାହିଁ । ମୁଁ ପରା କେତେଥର ଆପଣକୁ କହିଲିଣି—ମୋତେ ଘଣ୍ଟାକୁ ଦଶଥର ‘ଆପଣ’ ‘ଆପଣ’ କହିବେ ନାହିଁ ! ‘ତୁମେ’ କହିଲେ କ’ଣ ଆପଣଙ୍କର କ୍ଷତି ହେଉଛି ! ମୋତେ ‘ଆପଣ’ କହିଲେ ନିଜକୁ ବଡ଼ ସଙ୍କୋଚ ଲାଗୁଛି । ଆପଣ ମୋ ଅପେକ୍ଷା ବଡ଼, ଶିକ୍ଷିତ, ମୋତେ ଆପଣ ନ କହିଲେ କ’ଣ ଚଳିବ ନାହିଁ ।

ସୁରେନ୍ଦ୍ରବାବୁ ଅନୁର କଥା ଶେଷ ନହେଉଣୁ, ମୁରୁକି ହସି ଦମ୍ଭରେ କହନ୍ତି—ନା, ତା ମୁଁ କେବେ କରିପାରିବି ନାହିଁ । ଏଡ଼େ ବଡ଼ କାରଖାନାର ମାଲିକ ଯିଏ—ବୁଦ୍ଧି ବିବେକ ଆମ ସମସ୍ତଙ୍କ ଠାରୁ ଯାହାର ଖୁବ୍‌ବେଶୀ, ତାଙ୍କୁ ‘ଆପଣ’ ନ କହି ଅନ୍ୟ କିଛି କହିପାରିବି ନାହିଁ । ଆପଣଙ୍କ କଥା ମୁଁ କେବେ ରଖିପାରିବି ନାହିଁ । ସୁରେନ୍ଦ୍ର ବାବୁ ହସନ୍ତି ।

ଅନୁ ଅଭିମାନ କରି କହେ—ତା ହେଲେ ମୋ କଥା ଆପଣ ରଖିବେ ନାହିଁ ?

ସୁରେନ୍ଦ୍ର ବାବୁ ହସିଦେଇ କହନ୍ତି—ନା !

ଅନୁ ହସି ହସି ସେ ଘରୁ ଚାଲି ଯିବାକୁ ଛଳନା କରେ ।

ସୁରେନ୍ଦ୍ରବାବୁ ମୁରୁକି ହସି କହନ୍ତି—ବସନ୍ତୁ ଟିକିଏ ?

ଅନୁ ମୁହଁ ଫେରାଇ ଅଧରରେ ମଧୁବୋଳା ହସ ଆଙ୍କି କହେ; ଆପଣ ଆପଣଙ୍କ କାମ କରନ୍ତୁ । ମୁଁ ଯାଉଛି ଗୋଟାଏ ବହି ବସି ପଢ଼ିବି ।

ଅନୁ ପରଦା ଟେକି ସେ ଘରୁ ବାହାରି ତା’ କୋଠରୀକୁ ଚାଲି ଆସି ଆରାମଚେୟାର ଉପରେ ବସିପଡ଼ି ଉପନ୍ୟାସ ଗୋଟାଏ ଫିଟାଇ ପଢ଼ିବାକୁ ଆରମ୍ଭ କରେ । କେଉଁଦିନ ବା ମାସିକ ପତ୍ରିକା ।

 

ଦିନେ ଦିନେ ଅନୁ ଉପନ୍ୟାସର ସରଳ ମନ ମତାଣିଆ ଧାଡ଼ିଗୁଡ଼ିକୁ ପଢ଼ୁ ପଢ଼ୁ ତା’ର ଉତ୍ତଳମାନ ଭିତରେ କେଉଁଠି ଖଟ୍‌କରି ହେଲାପରି ଲାଗେ । ମନଟା ବଡ଼ କିଟିମିଟିଆ ଧରେ, କ’ଣ ଯେମିତି କେଉଁଠି ହଜେଇ ଦେଇଛି—ତାର ନିଜର ଦେହ ନିଜକୁ ବଡ଼ ଭାରୀ ବୋଧହୁଏ । ପ୍ରତି ମୁହୂର୍ତ୍ତରେ ସେ ଅନୁଭବ କରେ ତା’ ଭିତରେ କେତେ କ’ଣ ଅଭାବ ପୁରି ରହିଛି ।

......ବହି ପଢ଼ା ଆଉ ହୁଏ ନାହିଁ, ତେଣିକି ବହିର ଧାଡ଼ି ଗୁଡ଼ିକ ଜାଲୁ ଜାଲୁଆ ଦିଶେ । ମନ ଉଡ଼ି ବୁଲେ ଆକାଶ—ପବନ କାହିଁ—କେଉଁଆଡ଼େ । ସେହି ଖୋଲା ବହି ଖଣ୍ଡିକ ଛାତି ଉପରେ ପକାଇ ଚାହିଁ ରହେ ଉପରକୁ । ଉପରେ ବିଜୁଳି ପଙ୍ଖା ଘୁରୁଛି ଘର୍‌ଘର୍‌ ହୋଇ, ତା’ ସଙ୍ଗରେ ଅନୁର ମନ ଆହୁରି ଜୋରରେ ଘୁରେ ଘର୍‌ଘର୍‌..... ।

ସେ ପାଖରେ ସୁରେନ୍ଦ୍ର ବାବୁ ଲେଖାଲେଖି କାମ କରୁ କରୁ ହଠାତ୍‌ ଅନୁ କଥା ତାଙ୍କର ମନେ ପଡ଼ିଗଲେ, କାଗଜ ଉପରେ କଲମ ମୁନ ଅଟକିଯାଏ । ଅନୁର ରୂପ ଲାବଣ୍ୟ ଆଖି ଆଗରେ ନାଚି ଉଠି ତାଙ୍କର ଅନ୍ତରରେ ଉଠେ ଭୀଷଣ ଝଡ଼ ତୋଫାନ । ଅନୁର ମଧୁବୋଳା ହସ, ତାର ଚାହାଣୀ ମନେ ପଡ଼ିଗଲେ ସୁରେନ୍ଦ୍ର ବାବୁଙ୍କ ଦେହରେ ଆଣେ ଶିହରଣ । ସିଗାରେଟ୍‌ ଖଣ୍ଡେ ଲଗାଇ ମୁଣ୍ଡରେ ହାତ ଦେଇ ପୁଣି ଲେଖାଲେଖି କରିବାରେ ମନ ବଳାନ୍ତି । କିନ୍ତୁ କଲମ ଆଉ ଆଗକୁ ଚାଲେ ନାହିଁ । କାରଖାନାର ସମସ୍ତ ନବ ଯୋଜନା ଗୋଳମାଳ ହୋଇଯାଏ ।

ତାଙ୍କ ମନ ଭିତରେ ଏକମାତ୍ର ସେହି ସୁନେଲି ଭାବନା, ଅନୁ ଭାରି ସୁନ୍ଦର । ସେ ଯଦି ତାକୁ ବିବାହ କରି ପାରନ୍ତେ....ମନର ଏଡ଼େ ବଡ଼ ଆଶାଟା ଇସ୍ପାତ କାନ୍ଥରେ ବାଡ଼େଇ ହେଲାପରି ଅଟକିଯାଏ । ସେ ଯେ ବିବାହ ହୋଇଛନ୍ତି । ତାଙ୍କ ଘରେ ସୁନ୍ଦରୀ ତରୁଣୀ ସ୍ତ୍ରୀ ଅଛି । ସେ ତ ରୂପ ଲାବଣ୍ୟରେ ଅନୁ ଠାରୁ ପ୍ରାୟ କୌଣସି ଗୁଣରେ ଊଣା ନୁହେଁ । ତାର ପିଲାଳିଆ ମୁହଁଟିତ ବେଶ୍‌ ସୁନ୍ଦର । ତାର ପତଳା ପତଳା ନାଲି ଚିବୁକତ ତା’ ମୁହଁକୁ ଖୁବ୍‌ ମନାଏଁ ! ତାର ସରଳ ଚାହାଁଣିରେ ତ ମାୟା ମମତା କେତେ କ’ଣ ପୁରି ରହିଛି, ତେବେ..... ।

ମନ ଅମାନିଆ ହୁଏ—ଅନୁ ଆହୁରି ସୁନ୍ଦର । ଦୁଇଟି ସ୍ତ୍ରୀ ହେଲେ କ୍ଷତି କ’ଣ ? ଦୁଇପାଖରେ ଦୁଇଟି ସୁନ୍ଦରୀଙ୍କୁ ବସାଇ ସେ ଜୀବନକୁ ଆହୁରି ଶାନ୍ତିମୟ କରିବେ । ଧନରତ ଅଭାବ ନାହିଁ । କ’ଣ ଆଉ ଅସୁବିଧା ହେବ ? ସେ ତ ଏଠି କାହା ଆଗରେ ବିବାହିତ ବୋଲି କହି ନାହାନ୍ତି । ତାଙ୍କ ମନରେ ଆଶାର ସ୍ତର ପଡ଼ିଯାଏ । ଅନ୍ନପୂର୍ଣ୍ଣାଙ୍କୁ ପୁଣି ଥରେ ଦେଖି ଆସିବା ପାଇଁ–କୌଣସି କାମ ବାହାନାରେ ଫାଇଲଟା ହାତରେ ଧରି ଠିଆ ହୋଇପଡ଼ନ୍ତି । ତା’ପରେ ସିଗାରେଟ ଲଗାଇ ଯୋତା ମଚ୍‌ମଚ୍‌କରି ଚାଲି ଆସନ୍ତି ଅନ୍ନପୂର୍ଣ୍ଣା ବସିଥିବ କୋଠରୀ ଦୁଆର ମୁହଁକୁ ।

ଜୋତା ମଚ୍‌ ମଚ୍‌ ଶବ୍ଦରେ ଅନୁର ଭାବନା ଭାଙ୍ଗିଯାଏ । ଦେହର ଲୁଗାପଟା ସଜାଡ଼ି ସିଧା ହୋଇ ବସି ପଡ଼େ ।

ସୁରେନ୍ଦ୍ରବାବୁ ପରଦା କରବାଟେ କଣେଇ କଣେଇ ଚାହୁଁଥିଲେ ବି ଭଦ୍ରତା ଦେଖାଇ ପରଦା ଏ ପାଖରେ ଟହଲୁ ଟହଲୁ କହନ୍ତି ଭିତରକୁ ଯାଇପାରେ ?

ଅନୁ ଭିତରୁ ଭଦ୍ରତା ହସଟିଏ ହସି କହେ—ବାପରେ ସାହେବି କାଇଦା କଟକଣା । ଆସନ୍ତୁ ।

ସୁରେନ୍ଦ୍ରବାବୁ ଭିତରକୁ ପଶିଯାଇ କହନ୍ତି—ଏ କାଗଜ ପତ୍ରରେ ଜମିଦାରବାବୁଙ୍କର ଦସ୍ତଖତ କରିବାର କଥା । ତାଙ୍କ ବଦଳରେ ଆପଣ କରି ଦିଅନ୍ତୁ । ସୁରେନ୍ଦ୍ରବାବୁ ଫାଇଲି ଫିଟାଇ ଦସ୍ତଖତ କରିବାକୁ କାଗଜ ବଢ଼ାଇ ଦିଅନ୍ତି । ଅନୁ ଦସ୍ତଖତ କରି ବସେ, ସୁରେନ୍ଦ୍ରବାବୁ ଅନୁର ସୁନ୍ଦର ରୂପକୁ ପ୍ରାଣେ ପ୍ରାଣେ ଅନୁଭବ କରନ୍ତି ।

ଅନୁ ତିନିଚାରିଖଣ୍ଡ କାଗଜରେ ଦସ୍ତଖତ କରି ସାରି ଟିକିଏ ହସି ଦେଇ କହେ—ନିଅନ୍ତୁ ଆପଣଙ୍କର କାଗଜପତ୍ର । ସୁରେନ୍ଦ୍ରବାବୁ ହସ ହସ ମୁହଁରେ କାଗଜ ନେଉ ନେଉ କହନ୍ତି—ମୁଁ କହୁଛି ବୋଲି ମୋତେ କ୍ଷମା କରିବେ, ଏ ଫିକା ନୀଳଶାଢ଼ିଟି ଆପଣଙ୍କ ଦେହକୁ ବିଶେଷ କିଛି ସୁନ୍ଦର ଦେଖା ଯାଉନାହିଁ । ସେ ଗାଢ଼ ନୀଳ ଆଉ ନାଲି ଶାଢ଼ିଗୁଡ଼ିକ ବେଶ ମନାଏ...କେତେ କଥା ତାଙ୍କ ତଣ୍ଟି ପାଖରେ ଅକୁହା ରହିଯାଏ ।

ଅନୁ ଲାଜ ଲାଜ ହୋଇ ହସି ହସି କହେ—ସେମିତି ଖଣ୍ଡେ ପିନ୍ଧି ଆସିଲି । ଆପଣଙ୍କୁ ବି ଏ କୋର୍ଟଟି ବିଶେଷ ସୁନ୍ଦର ଦେଖାଯାଏ ନାହିଁ । ସେ ଡୋରିଆ କଳାନେଳି ମିଶିଥିବା କୋର୍ଟଟି ବେଶ୍‌, ମନାଏ... ଅନୁ ବି କେତେ କ’ଣ କହିବାକୁ ଭାବେ, କହେନାହିଁ । ବାଁରେଇ ପଚାରେ ଚାରିଟା ତ ବାଜିବଣି, ଯିବା ଚାଲନ୍ତୁ ।

ସୁରେନ୍ଦ୍ରବାବୁ ହସି ଦେଇ କହନ୍ତି—ମୁଁ ତ ଏ ବିରାଟ କାରଖାନାର ମାଲିକ ନୁହଁ—ଚାକର । ମୋର ପ୍ରାୟ ଆହୁରି ଘଣ୍ଟାଏ ଡେରି ହେବ—ଆପଣ ଯା’ନ୍ତୁ ।

ଅନୁ ହସି ଦେଇ କହେ—ଆପଣଙ୍କର ଖାଲି ସବୁଦିନେ ଏହି ଭଳିଆ କଥା । ଆଛା ମୁଁ ଯାଉଛି—ଆପଣଙ୍କୁ ଆଜି ସନ୍ଧ୍ୟାବେଳକୁ ଆମ ଘରେ ନିମନ୍ତ୍ରଣ ରହିଲା । ଅନୁଗ୍ରହ କରି ସାମାନ୍ୟ ଜଳଖିଆ ଖାଇବାକୁ ଯିବେ ।

ସୁରେନ୍ଦ୍ରବାବୁ ହସି ଦେଇ କହନ୍ତି—ଧନ୍ୟବାଦ ।

ସବୁ ଦିନ ପରି ଅନୁ ହସି ହସି ସୁରେନ୍ଦ୍ର ବାବୁଙ୍କୁ ନମସ୍କାର କରି ଅଫିସ ଘରୁ ବାହାରିଯାଏ ।

କାରଖାନା ଭିତରେ, ବାହାରେ କାମ କରୁଥିବା ହଜାର ହଜାର ଲୋକଙ୍କ ମୁଖରେ ଅନୁର ଦୟା ଧର୍ମ, ଲୋକସେବା ପାଇଁ ପ୍ରଶଂସା । ଅନୁ ପ୍ରତିଦିନ ଥରେ—ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଦେଖି ତାଙ୍କର ଅଭାବ ଅସୁବିଧା ବୁଝିବା, ଅନାଥାଶ୍ରମରେ ତା ବୁଢ଼ାବାପ ପାଖରେ ବସି ଛୋଟ ଛୋଟ ପୁଅ ଝିଅଙ୍କ ସଙ୍ଗେ ଖୁସି ଗପ ସପ କରିବା ଇତ୍ୟାଦି ଏବଂ କାରଖାନାର ଭିତରେ କାମ କରୁଥିବା ଲୋକମାନଙ୍କର ଭଲ ମନ୍ଦ ଦୈନିକ ଥରେ ବୁଝି ନ ଆସିଲେ–ତାକୁ ଆଦୌ ଭଲଲାଗେ ନାହିଁ ।

ସେଦିନ ଅନୁ ଗୋଟାଏ ଲୁହାର ମେସିନ ପରି ଚାରିଆଡ଼େ ଥରେ ବୁଲି ଦେଖି ଆସିଲା-। କିନ୍ତୁ ତାର ସେଦିନ ଏକମାତ୍ର ଭାବନା ‘‘ଭଲ ନୀଳ ଶାଢ଼ି ଖଣ୍ଡିଏ ପିନ୍ଧିଲେ—ସୁରେନ୍ଦ୍ରବାବୁଙ୍କ ଆଖିରେ ସେ ବଡ଼ ସୁନ୍ଦର ଦେଖାଯାଏ’’ । ସୁରେନ୍ଦ୍ରବାବୁ ବି ଭାରି ଭଲ ଲୋକ । ମନଟା କିମିତି କିମିତି ହୋଇଯାଏ—ମନହୁଏ ସୁରେନ୍ଦ୍ରବାବୁ ତା’ ପାଖେ ପାଖେ ଥିଲେ, ସେ ଖୁବ୍‌ ଶାନ୍ତି ଅନୁଭବ କରନ୍ତା ।

ସନ୍ଧ୍ୟା ବେଳ । ଅନୁ, ସୁରେନ୍ଦ୍ରବାବୁଙ୍କ ଆଖିରେ ସୁନ୍ଦର ଦେଖାଯାଉଥିବା ସେହି ନୀଳଶାଢ଼ି ଖଣ୍ଡିକ ପିନ୍ଧି ଭଲକରି ମୁଣ୍ଡ କୁଣ୍ଡାଇ; ନିରୁପମା ଦେବୀଙ୍କ ପାଖରେ ଠିଆ ହୋଇ ଯାଇ କହିଲା, ବୋଉ’ ମୁଁ ଆଜି ସୁରେନ୍ଦ୍ରବାବୁଙ୍କୁ ଜଳଖିଆ ଖାଇବା ପାଇଁ ନିମନ୍ତ୍ରଣ କରିଛି । ନିରୁପମା ଦେବୀ ହସି ହସି ନରେନ୍ଦ୍ରବାବୁଙ୍କ ପାଖକୁ ଯାଇ କହିଲେ, ଦେଖୁଛ ଏ ପାଗଳିକୁ । ସୁରେନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରି—ଏଇକ୍ଷଣି ମୋତେ ଆସି କହୁଛି । ପ୍ରତିଦିନ ଯାହା ଜଳିଖିଆ ପତ୍ର ହେବାର କଥା, ତା’ ଛଡ଼ା ଅଧିକା କିଛି ହୋଇ ନାହିଁ ।

ଅନୁ, ନରେନ୍ଦ୍ରବାବୁ ବସିଥିବା ଚୌକିର ପଛପଟେ ଠିଆ ହୋଇ ଯାଇ କହିଲା—ବାପା, ସୁରେନ୍ଦ୍ରବାବୁତ ଆମରି ଲୋକ, ସେ ନିମନ୍ତ୍ରଣ ଖାଇବାକୁ ଆସି, ନିଜ ଭଳି ଆମର ଯାହା ହୋଇଛି ସେଇଆ ଖାଇ ଯଦି ସନ୍ତୁଷ୍ଟ ନ ହୁଅନ୍ତି, ତେବେ—ତାଙ୍କ ପାଇଁ ଅଧିକା ଖାଇବା ଜିନିଷ କରି ଖୁଆଇ ଖୁସି କରାଇଲେ କ’ଣ, ତାଙ୍କର ଆମଠାରେ ବେଶି ସ୍ନେହ ଶରଧା ଅଛି ବୋଲି ଜଣାଯିବ ।

ନରେନ୍ଦ୍ରବାବୁ ଠୋ ଠୋ ହସି କହିଲେ—ଦେଖିଲ, ଅନୁର କିମିତି ବୁଦ୍ଧି । ଏଇକ୍ଷଣି ତ ବେଳ ଚାଲି ଯାଇ ନାହିଁ, ପୂଜାରୀକୁ ବରାଦ କରିଦିଅ, ଆଉ କିଛି କରି ଦେଉ ।

ପ୍ରାୟ ପନ୍ଦର ମିନିଟ୍‌ ପରେ ସୁରେନ୍ଦ୍ରବାବୁ ଶାନ୍ତିପୁରୀ ଲୁଗା, ଧୋବ ଲମ୍ବା ପଞ୍ଜାବୀ ଏବଂ କାନ୍ଧରେ ସେହି ଶାନ୍ତିପୁରୀ ଚାଦର ଗୁଡ଼ାଇ ପକାଇ ନରେନ୍ଦ୍ରବାବୁଙ୍କ ବୈଠକଖାନାରେ ପହଁଞ୍ଚିଲେ । ନରେନ୍ଦ୍ରବାବୁ ତାଙ୍କୁ ପାଛୋଟି ନେଇ ଚୌକିରେ ବସାଇ କାରଖାନାର ହାଲଚାଲ ପଚାରି ବସିଲେ ।

ଅନୁ ଉପର ମହଲାର ଗୋଟାଏ ଘରେ ଖାଇବା ଜିନିଷ ସଜାଡ଼ି ରଖି, ନରେନ୍ଦ୍ର ବାବୁଙ୍କ ପଛପଟେ ଠିଆ ହୋଇ ମୁରୁକି ହସି ଡାକିଲା, ଆସନ୍ତୁ ସୁରେନ୍ଦ୍ର ବାବୁ ? ଜଳଖିଆ ଟିକକ ଶୀତଳ ହୋଇଯିବ ଯେ । ନରେନ୍ଦ୍ରବାବୁ କଥା ବନ୍ଦ କରି ହସି ହସି କହିଲେ, ଯା ବାବା, ସେ ପାଗଳିଟା ତମ ପାଇଁ କ’ଣ କରିଛି ଯେ ଖାଇବ ? ଉଠ ।

ସୁରେନ୍ଦ୍ରବାବୁ ଅନୁର ପଛେ ପଛେ ଉପର ମହଲାକୁ ଗଲେ । ସୁରେନ୍ଦ୍ରବାବୁ ଆସନିରେ ବସିବା ସଙ୍ଗେ ସଙ୍ଗେ ଅନୁ ବିଜୁଳି ପଙ୍ଖା ଖୋଲିଦେଇ ଦୁଆର ମୁହଁରେ ଠିଆ ହୋଇ ରହିଲା । ସୁରେନ୍ଦ୍ରବାବୁ ଲୁଚି ଖଣ୍ଡେ ମାଂସରେ ବୁଡ଼ାଉ ବୁଡ଼ାଉ କହିଲେ—ଆପଣ ଠିଆହୋଇ ରହିଲେ ! ଅନୁ ମୁରୁକି ହସି କହିଲା—ଏତ ସାହେବ ଘର ନୁହେଁ—ଆମ ହିନ୍ଦୁ ଓଡ଼ିଆ ଘର । ଆପଣ ଖାଆନ୍ତୁ, ସୁରେନ୍ଦ୍ରବାବୁ ଖାଇବା ଭିତରେ ଏଣୁତେଣୁ କଥା ପଚାରି ଅନୁ ଆଡ଼କୁ ଚାହିଁ ଦେଉଥାନ୍ତି । ଅନୁ ସିଧାସଳଖ ତାଙ୍କ ମୁହଁକୁ ଚାହିଁ ପାରେନାହିଁ, ତଳକୁ ମୁହଁକୁ ପୋତି କଥାର ଉତ୍ତର ଦିଏ ।

ସେଦିନ ଖାଇସାରି କେତେକ ଖୁସି ଗପସପ ପରେ ସୁରେନ୍ଦ୍ର ବାବୁ ତାଙ୍କ ବସାକୁ ଫେରି ଆସିଲେ । ରାତି ପ୍ରାୟ ସାଢ଼େ ନ’ଟା ହେବ । ସବୁଦିନ ପରି ସେ ବସାରେ ଅଫିସ କାମ କରି ପାରିଲେ ନାହିଁ । ବାରଣ୍ଡାରେ ଆରାମ ଚେୟାରଟା ପକାଇ ମନରେ ଅସୀମ ଭାବନା ଧରି ବସି ରହିଲେ । ଭାବି ଚାଲିଲେ ଅନୁ ତାଙ୍କୁ ନିଶ୍ଚୟ ଅନ୍ତରର ସହିତ ଭଲ ପାଏ, ନୋହିଲେ ସେ ଯେଉଁ ନୀଳ ଶାଢ଼ିଟି ପିନ୍ଧିଲେ ସୁନ୍ଦର ଦେଖାଯାଏ ବୋଲି ଅଫିସ ଘରେ ସେ ଅନୁକୁ କହିଥିଲେ—ସେ ଶାଢ଼ିଟି ଅନୁ ଏଇକ୍ଷଣି ପିନ୍ଧନ୍ତା କାହିଁକି ? ସେ ଚାହେଁ ତାର ରୂପ ମୋତେ ଦେଖାଇବାକୁ । ତାର ବି ମୋର ବେଶଭୂଷା ଦେଖିବାକୁ ଖୁବ୍‌ ଇଚ୍ଛା ! ଅଫିସ ବେଳରେ ତା କଥାରୁ ଏହା ବେଶ୍‌ ଜଣା ଯାଇଛି—ମୋତେ କଳା ନୀଳ ମିଶା ଡୋରିଆ କୋର୍ଟଟି ବେଶ୍‌ ମନାଏ । ସତେ ସେ ଅନୁକୁ ଜୀବନରେ ପାଇବେ । ତାଙ୍କ ଭିତରଟା ଆନନ୍ଦରେ ଫୁଲି ଉଠେ ।

ଦିନକୁ ଦିନ ଅନୁ ବଡ଼ ଉଦାସୀ ହୋଇ ଯାଉଛି । ବସିଲା ବେଳେ, କଥାବାର୍ତ୍ତା ହେବାବେଳେ, ତାର ଖାମଖେୟାଲି ଭାବ ନିରୁପମା ଦେବୀ ବେଶ୍‌ ଅନୁମାନ କରୁଛନ୍ତି । ନାରୀ ହୃଦୟ ନାରୀ ପାଇଁ ତରଳିଯାଏ । ନିରୁପମା ଦେବୀଙ୍କର ଏକମାତ୍ର ଭାବନା, ଅନୁକୁ କିପରି ବିବାହ ଦେଇ ପାଖରେ ରଖି ତାର ସୁଖ ଶାନ୍ତି ଦେଖିବେ । ତାଙ୍କ ମନରେ ଆଶାର ସଞ୍ଚାର ହୁଏ—ସୁରେନ୍ଦ୍ର ସହିତ ଯଦି ଅନୁର ବିବାହ ହୁଅନ୍ତା .... । ମନେ କରିଥାନ୍ତି କାହା ଜରିଆରେ ଖବର ବୁଝିବେ, ସୁରେନ୍ଦ୍ରବାବୁ ବିବାହ ହୋଇଛନ୍ତି କି ନାହିଁ ବୋଲି ।

ଅନୁର ଭିତରେ ଭିତରେ ଯୌବନର ଜୁଆର ଉଠୁଥିଲେ ବି ସେ ବାହାରକୁ ବଡ଼ ସଂଯତ ହୋଇ ଠିକ୍‌ ଆଗପରି କାମ କରିବାକୁ ଚେଷ୍ଟା କରେ । ସେ ସବୁଦିନ ପରି ‘ଅନାଥାଶ୍ରମ’ ଯାଏ, କାରଖାନା ବୁଲେ—ଡାକ୍ତରଖାନାରେ ରୋଗୀଙ୍କର ସୁବିଧା ଅସୁବିଧା ବୁଝେ, କିନ୍ତୁ ଆଗପରି ତା’ ମୁହଁରେ ସରଳ ହସ ଫୁଟେ ନାହିଁ—ତାର ଆଖିର ଚାହାଣୀ, ତାର ଚାଲି ଚଳନରୁ ତାର ଉଦାସୀ ଭାବ ପଦାକୁ ଫୁଟି ଉଠେ । ନରେନ୍ଦ୍ରବାବୁ ମଧ୍ୟ ସେ କଥା ବେଶ୍‌ ଅନୁଭବ କଲେଣି । ତାଙ୍କର ବି ସେହି ଚିନ୍ତା, ଅନୁର ସୁଖଶାନ୍ତି ସେ କିପରି ଦେଖିବେ ।

 

ଅନୁ ତାର ଭିତର ଭାବକୁ ଲୁଚାଇବା ପାଇଁ ବଡ଼ ସାବଧାନ ଥିଲେ ବି ଅଫିସ ଗଲାବେଳକୁ ଭଲ ଶାଢ଼ି ଖଣ୍ଡେ ପିନ୍ଧିବାପାଇଁ ଆଲଣା ଉପରକୁ ହାତ ବଢ଼ାଇଲାବେଳେ, ସେହି ଜରିଧଡ଼ିଆ ନୀଳ ଶାଢ଼ିଟି ଉପରକୁ ତା’ ହାତ ଆପେ ଆପେ ଚାଲିଯାଏ । ସୁରେନ୍ଦ୍ରବାବୁଙ୍କ ଆଖିରେ ଏଇ ନୀଳଶାଢ଼ି ପିନ୍ଧିଲେ ଭାରି ସୁନ୍ଦର ଦେଖାଯାଏ ! ସୁରେନ୍ଦ୍ରବାବୁଙ୍କ କଥା ଭାବି କ୍ଷଣକ ପାଇଁ ତା ମନ କୁରୁଳି ଉଠେ । ଅଇନା ଆଗରେ ଠିଆ ହୋଇ ନିଜ ରୂପକୁ ନିଜେ ଥରେ ଦେଖି ବାହାରିପଡ଼େ ଅଫିସକୁ ।

 

ବିଳାସପ୍ରିୟ ସୁରେନ୍ଦ୍ର ବାବୁଙ୍କର ଅସଂଖ୍ୟ ବିଭିନ୍ନ ଧରଣର ପୋଷାକପତ୍ର ଥିଲେ ବି ଅଫିସ ଗଲାବେଳକୁ କାହିଁକି ସେହି କଳା ନୀଳ ମିଶା ଡୋରିଆ କୋର୍ଟଟି ଉପରେ ତାଙ୍କ ହାତ ପିନ୍ଧିବାକୁ ଆପେ ଆପେ ପଡ଼ିଯାଏ । ଅନୁ କହିଛି—‘ସେ କୋର୍ଟଟି ପିନ୍ଧିଲେ ତାଙ୍କୁ ବେଶ୍‌ ମନାଏ ।’

 

ଦୁହେଁ ଦୁହିଁଙ୍କୁ ପରସ୍ପରର ଅଜାଣତରେ ଖୁବ୍‌ ଭଲ ପାଆନ୍ତି । ଅନୁ ମନେ ମନେ ଆଶାର ଦେଉଳ ଗଢ଼େ, ସେ ଯଦି ସୁରେନ୍ଦ୍ରବାବୁଙ୍କୁ ବିବାହ ହୁଅନ୍ତା.....ତା’ ଆଖି ଆନନ୍ଦରେ ବୁଜି ହୋଇଆସେ । ବାହାର ଭିତର ଉଲସି ଉଠେ ।

 

ସୁରେନ୍ଦ୍ରବାବୁ ଦିନ ରାତି ଭାବନ୍ତି—ଅନୁକୁ ଯଦି ଜୀବନରେ ପାଆନ୍ତି, ତାହାହେଲେ ସେ ଦୁନିଆକୁ ଭୁଲିଯିବେ । ସୁଖ ଶାନ୍ତି ତାଙ୍କ ଜୀବନରେ ଝର ଝର ହୋଇ ଝରିବ । ଅନୁକୁ ପାଇ ଶୂନ୍ୟ ଛାତି ପୂର୍ଣ୍ଣ ହେବ । ଅନୁ କେଡ଼େ ସୁନ୍ଦର ! ସୁରେନ୍ଦ୍ରବାବୁଙ୍କ ରକ୍ତରେ ଲାଗେ ଚମକ ।

 

ଅନୁ କେତେଥର ଭାବିଛି, ସୁରେନ୍ଦ୍ରବାବୁଙ୍କୁ ପଚାରିବ, ସେ ବିବାହ ହୋଇଛନ୍ତି କି ନାହିଁ । ଦିନେ ଦିନେ ଗୋଟାଏ ଉତ୍ତେଜନାରେ ଅନୁ ସୁରେନ୍ଦ୍ରବାବୁଙ୍କ ଅଫିସ ଘରକୁ ପଚାରିବାକୁ ପଶିଯାଏ, କିନ୍ତୁ ସାମନାସାମନି ହୋଇଗଲେ ସେକଥା ପଚାରିବାକୁ ପାଟିଭିତରୁ କଥା ବାହାରେ ନାହିଁ । ସୁରେନ୍ଦ୍ରବାବୁ କ’ଣ ଭାବିବେ । ସଙ୍କୋଚରେ ଅନୁର ଗୋରା ତକତକ ମୁହଁଟି ଲାଲ ପଡ଼ିଯାଏ । ସୁରେନ୍ଦ୍ରବାବୁ ତା’ ଆଡ଼କୁ ହସି ହସି ଅନାଇଁଲେ—ଅନୁ ବାଁରେଇ ଅନ୍ୟ କିଛି ପଚାରି ପୁଣି ତା କୋଠରୀକୁ ଫେରି ଆସେ ।

 

ନରେନ୍ଦ୍ରବାବୁ ଏଥିମଧ୍ୟରେ ବୁଝି ନେଇଛନ୍ତି—ସୁରେନ୍ଦ୍ରବାବୁ ଅବିବାହିତ । ସେ ମନେ ମନେ ଠିକ୍‌ କରିଛନ୍ତି ଅନ୍ୟ କାହାଦ୍ୱାରା ଅନୁ ସହିତ ବିବାହ ବିଷୟରେ ସୁରେନ୍ଦ୍ରବାବୁଙ୍କର ମତ ବୁଝିବେ ।

 

ତିନୋଟି ମାସ ହାହୁତାଶ, ଆନନ୍ଦ ଉତ୍ସାହ, ଆଶା ଆକାଂକ୍ଷା ଦେଇ କଟି ଯାଇଛି ।

 

କାରଖାନା କାମ ଛମାସ ମଧ୍ୟରେ ଖୁବ୍‌ ବଢ଼ିଯାଇଛି । ଛ’ମାସିଆ ହିସାବ କିତାବରେ କେତେ ଲାଭ କ୍ଷତି ହେଲା ଦେଖିବାପାଇଁ ସବୁ ବିଭାଗର କିରାନୀମାନଙ୍କୁ ଟିକିଏ ମାତ୍ର ଫୁରୁସତ ନାହିଁ । ସୁରେନ୍ଦ୍ରବାବୁଙ୍କର କଡ଼ା ହୁକୁମ, ପନ୍ଦର ଦିନ ମଧ୍ୟରେ ସବୁ ହିସାବ କିତାବ କାମ ଯେପରି ଶେଷ ହେବ ।

 

ସବୁଦିନ ପରି ସେଦିନ ଅନୁ ଅତି ଉତ୍ତଳା ମନରେ ଅଫିସକୁ ଆସି ସୁରେନ୍ଦ୍ରବାବୁଙ୍କ ଅଫିସକୁ ପଶିଯାଇ ଦେଖିଲା—ସୁରେନ୍ଦ୍ରବାବୁ ନାହାନ୍ତି । କାରଖାନା ଆଡ଼େ କାମ ଦେଖିବା ପାଇଁ ଚାଲି ଯାଇଥିବେ ଭାବି ନିଜ କୋଠରୀକୁ ଫେରି ଆସୁଥିଲା । ସୁରେନ୍ଦ୍ରବାବୁଙ୍କ ଦରଓ୍ୟାନି ଜଣାଇଲା–ସାହେବ ଆଜି ଅଫିସକୁ ଆସିବେ ନାହିଁ, ତାଙ୍କ ଦେହ ଖରାପ ଅଛି । କୋଠିରେ ଶୋଇଛନ୍ତି ।

 

ଅନୁ ବଡ଼ ବ୍ୟଗ୍ର ହୋଇ ପଚାରିଲା—ଡାକ୍ତରବାବୁ ଆସିଥିଲେ ?

 

—ହଁ ଆଜ୍ଞା, ଔଷଧପତ୍ର ଦେଇ ଯାଇଛନ୍ତି ।

 

ଅନୁ ଆଉ କିଛି ନପଚାରି ତରତର ହୋଇ ଅଫିସ ଘରକୁ ପଶିଗଲା ଏବଂ ପାଞ୍ଚମିନିଟ ମଧ୍ୟରେ ବାହାରି ଆସି ସିଧା ଚାଲିଆସିଲା ସୁରେନ୍ଦ୍ରବାବୁଙ୍କ କୋଠିକୁ ।

 

ସେତେବେଳକୁ ସୁରେନ୍ଦ୍ରବାବୁ ଟିକିଏ ସୁସ୍ଥ ବୋଧ କରି ଗୋଟାଏ ଆରାମ ଚେୟାରରେ ଆଉଚ୍ଚି ସେହି ଅନୁ କଥା ଭାବୁଥିଲେ, ହଠାତ୍‌ ଅନୁ ଘର ଭିତରକୁ ପଶିଯାଇ ତାଙ୍କ ପାଖରେ ପଡ଼ିଥିବା ଗୋଟାଏ ଚେୟାରରେ ବସି ପଡ଼ି ବଡ଼ ବିସ୍ମିତ ହୋଇ କହିଲା—ହଠାତ୍‌ ଆପଣଙ୍କ ଦେହ ଇମିତି କ’ଣ ହେଲା ?

 

ସୁରେନ୍ଦ୍ରବାବୁ ସିଧାହୋଇ ବସି କହିଲେ—ଆପଣ କାହିଁକି କଷ୍ଟ କରି ଆସିଲେ । ମୋ ଦେହ ବିଶେଷ ସେମିତି କିଛି ଖରାପ ହୋଇନାହିଁ । ସାମାନ୍ୟ ଜର, ମୁଣ୍ଡଟା ବିନ୍ଧୁଛି । ଡାକ୍ତରବାବୁ ଏଇ ପନ୍ଦରମିନିଟ ହେବ ଆସି ଔଷଧ ଦେଇ ଯାଇଛନ୍ତି । ଏକରକମ ମତେ ଭଲ ଲାଗୁଛି । ଏତେବେଳେ ଦେହ ଖରାପ ହେଲେ ବଡ଼ ମୁସ୍କିଲ, ହିସାବ କିତାବଟା ଅନ୍ତତଃ ନ ସରିଲେ ମନରେ ଆଦୌ ଶାନ୍ତି ନାହିଁ ।

 

ଅନୁ ପ୍ରଥମ ଥର ପାଇଁ ତାର କଅଁଳ ହାତଟି ସୁରେନ୍ଦ୍ରବାବୁଙ୍କ ମସ୍ତକରେ ବୁଲାଉ ବୁଲାଉ କହିଲା—ଏପର୍ଯ୍ୟନ୍ତ ଆପଣଙ୍କ ଦେହରେ ସାମାନ୍ୟ ଜର ଅଛି ! ଆପଣ ମୋତେ ସକାଳୁ କାହିଁକି ଖବର ଦେଲେନାହିଁ ଶୁଣେ ? ଅନୁର ଅଜାଣତରେ ତା ପାଟିରୁ ବାହାରି ପଡ଼ିଲା, ମୁଁ ଆପଣଙ୍କର ନିହାତି ପର ନୁହେଁ ?

 

ସୁରେନ୍ଦ୍ରବାବୁ ମସ୍ତକରେ ଅନୁର କଅଁଳ ହାତର ସରଣ ପାଇ ସ୍ୱର୍ଗଶାନ୍ତି ଅନୁଭବ କରୁଥିଲେ । ଅନୁର କଥାରେ ଉତ୍ତର ଦେଇ କହିଲେ—ଖବର ଦେବା ବିଶେଷ କିଛି ଦରକାର ନଥିଲା । ମୋର ତ ବିଶେଷ ସେମିତି କିଛି....

 

ଅନୁ ବଡ଼ ଆକଟିଲା ଭଙ୍ଗୀରେ କହିଲା—ଆପଣଙ୍କୁ ଏଥର ଆଉ ଏକୁଟିଆ ରଖିଦିଆଯିବ ନାହିଁ—ଆପଣ ଠିକଣା ଦିଅନ୍ତୁ, ମୁଁ ଆପଣଙ୍କ ଘରକୁ ଚିଠି ଲେଖେ, ଆପଣଙ୍କର ମା’ ଇତ୍ୟାଦି ଆସନ୍ତୁ ।

 

ସୁରେନ୍ଦ୍ରବାବୁ ସେଇ ଅବସ୍ଥାରେ ବି ମୁରୁକି ହସି କହିଲେ, ଇତ୍ୟାଦି ମାନେ ? ମା’, ବାପା, ଭାଇ, ଭଉଣୀଙ୍କ ଛଡ଼ା ଅନ୍ୟ କିଏ ଆସିବ ? ମୁଁ ତ ବିବାହ କରି ନାହିଁ ।

 

ଅନୁ ସଙ୍କୋଚରେ ତଳକୁ ମୁହଁ ପୋତିଲା । କିଛିକ୍ଷଣ ନୀରବ ରହି ପୁଣି କହିଲା—ସେମାନଙ୍କୁ ଲେଖନ୍ତୁ । ସେମାନେ କ’ଣ ଆସି ପାରିବେ ନାହିଁ ।

 

ସୁରେନ୍ଦ୍ରବାବୁ କହିଲେ—ଆସିବାରେ କୌଣସି ଅସୁବିଧା ନାହିଁ । ବାପା ସେଠି ନରହିଲେ ଏତେ ଜମିବାଡ଼ି ଅନ୍ୟ କାହା ପକ୍ଷରେ ବୁଝିବା କଷ୍ଟକର । ବାପାଙ୍କୁ ଛାଡ଼ି ମା’ଙ୍କୁ ଆସିବା ପାଇଁ ଲେଖିବା ମୁଁ କାହିଁକି ପସନ୍ଦ କରୁନାହିଁ ।

 

ଅନୁ ମନେ ମନେ ଏତେଦିନ ଯାଏ ଯେଉଁ କଥା ପଚାରିବ ପଚାରିବ ହୋଇ ପଚାରି ପାରି ନଥିଲା, ତାହା ଦୈବାତ୍‌କଥା ପ୍ରସଙ୍ଗରେ ବୁଝିନେଇ, ଭିତରେ ଭିତରେ କୁରୁଳି ଉଠିଲା । ସୁରେନ୍ଦ୍ରବାବୁ ଅବିବାହିତ । ଅନୁର ପ୍ରେମଭରା ଅନ୍ତର ଭିତରେ ମଣି ମାଣିକ୍ୟ ଖଞ୍ଜା କେତେ ସୁନାର ଦେଉଳ ମୁଣ୍ଡ ଟେକି ଉଠିଲା ।

 

ଅନୁ ସୁରେନ୍ଦ୍ରବାବୁଙ୍କ କଥାରେ କିଛି ଉତ୍ତର ଦେଇ ପାରିଲା ନାହିଁ, ନୀରବ ରହିଲା । ସୁରେନ୍ଦ୍ରବାବୁ ବି ଟିକିଏ ନୀରବ ରହି ପଚାରିଲେ—ଅଫିସ ଆଡ଼େ ଯାଇଥିଲେ ?

 

ଅନୁ ଉତ୍ତର ଦେଲା—ହଁ ଯାଇଥିଲି । ଦରଓ୍ୟାନ ଠାରୁ ଆପଣଙ୍କ ଦେହ କଥା ଶୁଣି ସଙ୍ଗେ ସଙ୍ଗେ ଚାଲି ଆସିଲି ।

 

ସୁରେନ୍ଦ୍ରବାବୁ କହିଲେ—ଆପଣ ଟିକିଏ ଅଫିସ ଆଡ଼େ ଯାଆନ୍ତୁ । ବଡ଼ବାବୁଙ୍କୁ କହିବେ, ହିସାବ କିତାବ କାମରେ ଯେପରି କେହି ହେଳା ନ କରନ୍ତି । ଲାଭ କ୍ଷତି ଜଣା ନଗଲା ଯାଏ ମନରେ ମୋର ଆଦୌ ଶାନ୍ତି ନାହିଁ ।

 

ଅନୁ ମୁରୁକି ହସି କହିଲା—ଆପଣତ କହିଛନ୍ତି, ମୁଁ ଆଉ ଅଧିକା କଣ କହିବି ? ମୁଁ ଏଠି ବସିଲେ ଆପଣଙ୍କୁ ବୋଧହୁଏ ଅସୁବିଧା ଲାଗୁଛି—ନୁହେଁ ?

 

ପ୍ରଥମ ଥର ପାଇଁ ସୁରେନ୍ଦ୍ରବାବୁ ଗୋଟାଏ ଖେୟାଲରେ ଅନୁର ହାତ ଧରି ପକାଇ କଥା ଉଚ୍ଛ୍ୱାସରେ କହିଲେ—କଦାପି ନୁହେଁ, ବରଂ ମୁଁ ଶାନ୍ତି ପାଇଛି ଅନ୍ନପୂର୍ଣ୍ଣା ।

 

ସେହି ମୁହୂର୍ତ୍ତରେ ପ୍ରଥମ ହୋଇ ସୁରେନ୍ଦ୍ରବାବୁଙ୍କ ହାତର ପରଶରେ ଅନୁର ସର୍ବାଙ୍ଗ ଉଲସି ଉଠିଲା ।

 

ଅନୁ ତଳକୁ ମୁହଁ ପୋତି କହିଲା—ତାହାହେଲେ ମୁଁ ଯାଉଛି, ଅଫିସର ବଡ଼ ବାବୁଙ୍କୁ କହିଦେଇ ଘରୁ କମଳା ରସ ଗ୍ଲାସେ ପଠାଇଦେବି । ଆପଣ ନିଶ୍ଚୟ ପିଇବେ—କିଛି କ୍ଷତି ହେବ ନାହିଁ । ମୁଁ ପୁଣି ଚାରିଟା ବେଳକୁ ଆସିବି । ଅନିଛାସତ୍ୱେ ଅନୁ ସେ ଘରୁ ବାହାରି ଆସିଲା ।

 

ସୁରେନ୍ଦ୍ରବାବୁଙ୍କର ଦେହ ଭଲ ହୋଇ ଯାଇଛି । ପ୍ରଥମ ୬ମାସ ମଧ୍ୟରେ କେତେକ ଅସୁବିଧା ସତ୍ୱେ ବି କାରଖାନାର ଲାଭ ହୋଇଛି ୨ଲକ୍ଷରୁ ବେଶି । ସୁରେନ୍ଦ୍ର ବାବୁ ପ୍ରଥମ ୬ ମାସରେ କ୍ଷତି ଛଡ଼ା କାରଖାନାର ଉନ୍ନତି କରି ପାରିଛନ୍ତି ବୋଲି ତାଙ୍କର ଆନନ୍ଦର ସୀମା ନାହିଁ । ନରେନ୍ଦ୍ରବାବୁ ଓ ନିରୁପମା ଦେବୀଙ୍କ ଖୁସି କାହିଁରେ କ’ଣ ? ଅନୁ ଅନେକ ସମୟରେ ନରେନ୍ଦ୍ରବାବୁଙ୍କୁ ଗେହ୍ଲେଇ ହୋଇ କହେ—ବାପା, ଆମ ଟ୍ରେଜେରୀରେ ଟଙ୍କା ଥିଲେ କଣ ଏତେ ଟଙ୍କା ଲାଭ ହୋଇଥାଆନ୍ତା ?

 

ନରେନ୍ଦ୍ରବାବୁ ହସି ହସି କହନ୍ତି—ତୁ ପରା ମୋର ଘରର ଲକ୍ଷ୍ମୀ । ତୁ ଯେତେବେଳେ କାରଖାନା ତିଆରି କରିଛୁ, ଲାଭ ନ ହୋଇ ଆଉ କ’ଣ କ୍ଷତି ହେବ ।

 

ଅନୁ ହସି ହସି ଅନ୍ୟ ଘରକୁ ଚାଲିଯାଏ ।

 

ନରେନ୍ଦ୍ରବାବୁ, ନିରୁପମା ଦେବୀ ମନେ ମନେ ଭାବି ନେଇଛନ୍ତି—ସୁରେନ୍ଦ୍ରବାବୁ ଅନୁକୁ ଯେତିକି ଭଲ ପାଆନ୍ତି, ଅନୁ ମଧ୍ୟ ସୁରେନ୍ଦ୍ରବାବୁଙ୍କୁ ସେତିକି ଭଲ ପାଏ । ବର୍ତ୍ତମାନ ତ ବିବାହ ତିଥି ନାହିଁ । ଆସନ୍ତା ଫଗୁଣ ମାସରେ ବିଭାଘର କରିଦେବେ ।

 

ସୁରେନ୍ଦ୍ରବାବୁ କ’ଣ ଏ ପ୍ରସ୍ତାବରେ କେବେହେଁ ଅମଙ୍ଗ ହେବେ ! ସେଥିପାଇଁ ପ୍ରାୟ ଦିନେ ଦୁଇଦିନେ ନରେନ୍ଦ୍ରବାବୁ, ସୁରେନ୍ଦ୍ରବାବୁଙ୍କୁ ଖାଇବାକୁ ନିମନ୍ତ୍ରଣ କରନ୍ତି । ଆଗ ଅପେକ୍ଷା ବେଶି ସ୍ନେହ ଆଦର କରନ୍ତି । ଅନୁ ସହିତ ହସଖୁସିରେ କଥାବାର୍ତ୍ତା ହେଲେ—ସେମାନଙ୍କ ଭବିଷ୍ୟତ ସମ୍ବନ୍ଧ ନେଇ ତାଙ୍କ ମନରେ ଆନନ୍ଦରେ ଜୁଆର ଖେଳିଯାଏ ।

 

ଅନୁ ଯେଉଁଦିନଠାରୁ ସୁରେନ୍ଦ୍ରବାବୁଙ୍କ ମୁହଁରୁ ଶୁଣିଲାଣି, ସେ ଅବିବାହିତ, ସେହିଦିନଠାରୁ ସୁରେନ୍ଦ୍ରବାବୁଙ୍କ ପ୍ରତି ତାର ମାୟା ମମତା ଅନେକ ଗୁଣରେ ବଢ଼ି ଯାଇଛି । ସୁରେନ୍ଦ୍ରବାବୁଙ୍କ ଦେହ ଟିକିଏ ଖରାପ ହେଲେ—ଅନୁ ମନରେ ଅଶାନ୍ତି ଆସେ । ସୁରେନ୍ଦ୍ରବାବୁ ହସିଲେ—ଅନୁ ମୁହଁରେ ମନଭୁଲା ହସ ଫୁଟି ଉଠେ । ଦୁହେଁ ଦୁହିଁଙ୍କ ପାଇଁ ଅନ୍ତରରେ ସଜାଇ ରଖନ୍ତି ସୁବାସିତ ପୁଷ୍ପର କୋମଳ ସିଂହାସନ ।

 

ଏଥିମଧ୍ୟରେ କାରଖାନାର କାମ ଆହୁରି ବଢ଼ିଯାଇଛି । ନୂଆ ହୋଇ ଆହୁରି ପାଞ୍ଚଶ ଲୋକ ନିଯୁକ୍ତ ହୋଇଚନ୍ତି । ଅଫିସ ଇତ୍ୟାଦି ସବୁ ବିଭାଗରେ ବି ଲୋକ ସଂଖ୍ୟା ବଢ଼ିଛି । ଆଉ ଜଣେ ଆସିଷ୍ଟାଣ୍ଟ ମେନେଜର ନ ରଖିଲେ କାମ ଶୃଙ୍ଖଳାରେ ଚାଲିବ ନାହିଁ ବୋଲି ସୁରେନ୍ଦ୍ରବାବୁ ନରେନ୍ଦ୍ରବାବୁଙ୍କର ମତ ଲୋଡ଼ିଛନ୍ତି ।

 

ନରେନ୍ଦ୍ରବାବୁ ଉତ୍ତର ଦେଲେ ମୁଁ କ’ଣ ବାବା କିଛି ବୁଝୁଛି । ଅନୁ ଆଉ ତୁମେ ଦୁହେଁ ପରାମର୍ଶ କରି ଯାହା ଭଲ ହେବ ତାହା କର ।

 

ସୁରେନ୍ଦ୍ରବାବୁ ଉତ୍ତର ଦେଲେ ଅନ୍ନପୂର୍ଣ୍ଣାଙ୍କ ପରାମର୍ଶରେ ତ ମୁଁ ଆପଣଙ୍କ ମତ ଲୋଡ଼ୁଛି-

 

ନରେନ୍ଦ୍ରବାବୁ ହସି ହସି କହିଲେ—ଅନୁର ଯାହାଇଚ୍ଛା, ମୋର ସେଇଆ ଇଚ୍ଛା । ଆସିଷ୍ଟାଣ୍ଟ ମେନେଜର ପାଇଁ ‘‘ସମାଜ’’ରେ ନୋଟିସ ଦିଅ ।

 

‘‘ଅନ୍ନପୂର୍ଣ୍ଣା କ୍ଲଥ ମିଲ’’ରେ ଟ୩୦୦ଙ୍କା ବେତନରେ ଜଣେ ଲୁଗା କଳ କିମ୍ବା ଚଟକଳରେ ଅନ୍ତତଃ ୩ବର୍ଷ ଜ୍ଞାନ ଅର୍ଜନ କରିଥିବା ଶିକ୍ଷିତ ଉଚ୍ଚବଂଶୀୟ ଯୁବକ ଆବଶ୍ୟକ ଅଛି ବୋଲି ‘ସମାଜ’ରେ ନୋଟିସ ଦିଆଗଲା ।

 

ଅନେକ କଳ କାରଖାନାରୁ ପ୍ରାୟ କୋଡ଼ିଏ ଖଣ୍ଡ ଦରଖାସ୍ତ ଏଥିପାଇଁ ଆସି ପହଞ୍ଚିଲା । ସୁରେନ୍ଦ୍ରବାବୁ ଆଉ ଅନ୍ନପୂର୍ଣ୍ଣା ସେଗୁଡ଼ିକ ତନଖି କରି, କେବଳ ପାଞ୍ଚଜଣଙ୍କୁ ଆସି ସାକ୍ଷାତ କରିବା ପାଇଁ ସେମାନଙ୍କୁ ଜଣାଇଦେଲେ ।

 

ସେହି ମାସ ତା୧୫ରିଖରେ ସାକ୍ଷାତ ଦିନ । ଭଦ୍ରଲୋକମାନେ ଆସିଲେ, ସେମାନଙ୍କର ରହିବା ଓ ଖାଇବା ପିଇବାର ବନ୍ଦୋବସ୍ତ ହୋଇଥିଲା । ସେହିଦିନ ଆଗ ପଛ ହୋଇ ପାଞ୍ଚଜଣ ଭଦ୍ରଲୋକ ଆସି ଖାଇ ପିଇ ବିଶ୍ରାମ ନେଇଥିଲେ । ଚାରିଟାବେଳକୁ ସୁରେନ୍ଦ୍ରବାବୁଙ୍କ କୋଠିରେ ସେମାନଙ୍କୁ ସାକ୍ଷାତ ଦେବାପାଇଁ ଜଣାଇ ଦିଆଗଲା ।

 

ସୁରେନ୍ଦ୍ରବାବୁଙ୍କ ଅଫିସ ଘରେ ଅନ୍ନପୂର୍ଣ୍ଣା ଓ ସୁରେନ୍ଦ୍ରବାବୁ ଲଗା ଲଗି ହୋଇ ଯୋଡ଼ିଏ ଚେୟାରରେ ବସି ସାକ୍ଷାତ ସମୟକୁ ଅପେକ୍ଷା କରି ରହିଲେ ।

 

ପାଞ୍ଚଜଣ ଭଦ୍ରଲୋକ ଆସିବା ସଙ୍ଗେ ସଙ୍ଗେ ଦରଓ୍ୟାନା ବାରଣ୍ଡାରେ ପଡ଼ିଥିବା ଗଦି ଚେୟାରରେ ସେମାନଙ୍କୁ ବସାଇ ସୁରେନ୍ଦ୍ରବାବୁଙ୍କୁ ଜଣାଇଲା । ସୁରେନ୍ଦ୍ରବାବୁ ସେମାନଙ୍କୁ ଚା’ ସିଗାରେଟ୍ ଦେବାକୁ କହି ପ୍ରଥମ ଜଣେ ଭଦ୍ରଲୋକକୁ ସାକ୍ଷାତ ଦେବାପାଇଁ ଖଣ୍ଡେ କାଗଜରେ ଲେଖି ଦରଓ୍ୟାନ ହାତରେ ପଠାଇ ଦେଲେ ।

 

ଗୋଟିକ ପରେ ଗୋଟିଏ ହୋଇ ଚାରିଜଣ ବାବୁ ନିଜନିଜର ପ୍ରଶଂସା ପତ୍ର ନେଇ; ଆସି ସାକ୍ଷାତ କଲେ । ସମସ୍ତେ ସାହେବି ପୋଷାକରେ ଚାକଚକ୍ୟ । ଅନ୍ନପୂର୍ଣ୍ଣା ଓ ସୁରେନ୍ଦ୍ରବାବୁ ସେମାନଙ୍କ ବିଷୟ ଟିପାଟିପି କରି ରଖିଲେ । ଶେଷ ଜଣଙ୍କୁ ସାକ୍ଷାତ କରିବା ପାଇଁ ଦରଓ୍ୟାନ ହସ୍ତରେ ଚିଠା ପଠାଇ ଦିଆଗଲା । ସେ ବାବୁଙ୍କର ନାମ ରମଣୀମୋହନ ମହାନ୍ତି ।

 

ରମଣୀବାବୁଙ୍କର ପୋଷାକର ବିଶେଷ କିଛି ଚାକଚକ୍ୟ ନଥିଲା । ତାଙ୍କର ବୟସ ଖୁବ୍ ବେଶି ହେଲେ ପଚିଶରୁ ବେଶି ହେବ ନାହିଁ । ସାଧାରଣ ମନୁଷ୍ୟ ଅପେକ୍ଷା ଉଚ୍ଚ ଟିକିଏ ବେଶି, ଶରୀର ବେଶ ହୃଷ୍ଟପୃଷ୍ଟ—ଗୌରବର୍ଣ୍ଣ—ଶାନ୍ତସୌମ୍ୟ, ସୁନ୍ଦର ଚେହେରା । ଆଖି ଦି’ଟାରେ ଯେପରି ଚଷମା ଭେଦ କରି ବିଜୁଳି ଖେଳୁଛି । ଦେହରେ ଖଣ୍ଡେ ମିଲ ଖଦଡ଼ରେ ଧୋବ ପଞ୍ଜାବୀ–ବେକରେ ସେହି ଖଦଡ଼ର ଖଣ୍ଡେ ଚାଦର ।

 

ରମଣୀବାବୁ ଭିତରକୁ ପଶିଯିବା ସଙ୍ଗେ ସଙ୍ଗେ ନମସ୍କାର କରି ସୁରେନ୍ଦ୍ରବାବୁ ଓ ଅନ୍ନପୂର୍ଣ୍ଣାଙ୍କ ଆଡ଼େ କ୍ଷଣେମାତ୍ର ଅନାଇ ଚେୟାର ଉପରେ ବସି ହସ ହସ ମୁହଁରେ ସୁରେନ୍ଦ୍ରବାବୁଙ୍କ ଆଡ଼କୁ ଚାହିଁ ରହିଲେ ।

 

ଅନ୍ୟାନ୍ୟ ଚାରିଜଣ ଭଦ୍ରଲୋକଙ୍କ ପରି ତାଙ୍କ ମୁହଁରୁ ତିଳେମାତ୍ର ଭୟର ସୂଚନା ମିଳୁ ନଥିଲା । କଥା କଥାକରେ ଅତି ଭଦ୍ରତା ଫୁଟି ଉଠୁଥିଲା । ଏଇଥିରୁ ରମଣୀବାବୁଙ୍କର ନିର୍ଭୀକତା ଓ ଖାମଖେୟାଲ ଭାବ ବେଶ୍ ଜଣା ପଡ଼ୁଥିଲା । କଥାବାର୍ତ୍ତାରେ ଟିକିଏ ହେଲେ ସଙ୍କୋଚ ନାହିଁ । ସୁରେନ୍ଦ୍ରବାବୁ ତାଙ୍କ ସଙ୍ଗରେ କଥାବାର୍ତ୍ତା ହେଲା ବେଳେ ଅନ୍ନପୂର୍ଣ୍ଣା ସେହି ରମଣୀବାବୁଙ୍କ ଆଡ଼େ ଚାହିଁ ରହିଥାଏ—କିନ୍ତୁ ରମଣୀବାବୁଙ୍କର ଆଖି ଭୁଲରେ ହେଲେ ଅନ୍ନପୂର୍ଣ୍ଣା ଆଡ଼କୁ ଯାଇନାହିଁ ।

 

କେତେକ କଥାବାର୍ତ୍ତା ପରେ ସୁରେନ୍ଦ୍ରବାବୁ ଭଦ୍ରତା ହସ ହସି କହିଲେ—ଆପଣ ଯଦି କିଛି ନ ଭାବନ୍ତି ତାହାହେଲେ ମୁଁ ଆପଣଙ୍କୁ କିଛି ପଚାରିବି ।

 

ରମଣୀବାବୁ ଅତି ଖୋଲା ମନରେ ଉତ୍ତର ଦେଲେ ପଚାରନ୍ତୁ ?

 

ସୁରେନ୍ଦ୍ରବାବୁ ସିଗାରେଟ ଖଣ୍ଡ ଖୋଳରୁ ବାହାର କରି, ପକେଟରୁ ଡିଆସିଲିଟା ବାହାର କରୁ କରୁ ରହି ରହି ପଚାରିଲେ, ଏ ମିଲ ଖଦଡ଼ ବୋଧହୁଏ ଆପଣଙ୍କର ପିନ୍ଧିବାର ଅଭ୍ୟାସ ନୁହେଁ-?

 

—ଆଜ୍ଞ ହଁ, ମୋର ଅଭ୍ୟାସ ।

 

ସୁରେନ୍ଦ୍ରବାବୁ ସିଗାରେଟ ଖଣ୍ଡେ ଲଗାଇ ଧୂଆଁ ଛାଡ଼ୁ ଛାଡ଼ୁ ଚେୟାରଟାକୁ ଆଉଜି ପଡ଼ି ମୁରୁକି ହସି କହିଲେ—ମନେ କରନ୍ତୁ ଆପଣ ଏଠି ଆସିଷ୍ଟାଣ୍ଟ ମେନେଜର ଭାବେ ନିଯୁକ୍ତ ହୋଇ ଯଦି ଆପଣଙ୍କୁ ଏ ପୋଷାକ ବଦଳାଇ କୋର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପଡ଼େ; ଅନ୍ତତଃ ଆପଣ ଏକଥା ନିଶ୍ଚୟ ସ୍ୱୀକାର କରିବେ ଯେ, ବ୍ୟବସାୟ କ୍ଷେତ୍ରରେ ବଡ଼ ବଡ଼ ଚାକିରିରେ ସାହେବ ପୋଷାକପତ୍ର ପିନ୍ଧିବାକୁ ହେବ ।

 

ରମଣୀବାବୁ ବଡ଼ ଗମ୍ଭୀର ହୋଇ କହିଲେ—କ୍ଷମା କରିବେ, ଯେ କୌଣସି ବଡ଼ ଚାକିରି ହେଉ ପଛକେ—ମୁଁ ମୋର ଅଭ୍ୟାସଟା, ପୁଣି ନିଜର ପୋଷାକ ପତ୍ରକୁ ମୁଁ କେଭେଁ ବଦଳାଇ ପାରିବି ନାହିଁ । କିନ୍ତୁ ଆପଣ କହିବେ ‘‘ବ୍ୟବସାୟ କ୍ଷେତ୍ରରେ ବଡ଼ ବଡ଼ ଚାକିରି ପାଇଁ ଅନ୍ତତଃ ସାହେବି ପୋଷାକ ପିନ୍ଧିବାକୁ ହେବ’’—କିନ୍ତୁ ସେ କଥାରେ ମୁଁ କାହିଁକି ଏକମତ ହୋଇ ପାରୁନାହିଁ । ଆମରି ଦେଶର କଳକାରଖାନା, ଆମରି ଦେଶର କଉଡ଼ି, ଆମରି ଦେଶର କୁଲି ମଜୁରିଆ କାମ କରିବେ—ପୁଣି ଯାହା ତିଆରି ହେବ, ତାହା ଆମରି ଦେଶର ଲୋକେ ବ୍ୟବହାର କରିବେ । ତା’ ଭିତରେ ଯେ ପୁଣି ପ୍ୟାଣ୍ଟ କୋର୍ଟ ନ ପିନ୍ଧିଲେ ବ୍ୟବସାୟରେ କେଉଁଠି ବାଧା ପଡ଼ିବ ତାହା କାହିଁକି ମୁଁ ବୁଝିପାରୁ ନାହିଁ । ମନେ କରନ୍ତୁ ସୁଦୂର ବିଲାତ କିମ୍ବା ଆମେରିକାରେ ଯେଉଁମାନେ କଳ କାରଖାନାର ମାଲିକ ହୋଇ ବସିଛନ୍ତି—ସେମାନେ କେବଳ ପିନ୍ଧୁଛନ୍ତି ସେହିମାନଙ୍କର ଜାତୀୟ ପୋଷାକ—ସେମାନେ କାହିଁକିତ ଚୀନା, ଜାପାନୀ ପୋଷାକ ପିନ୍ଧୁ ନାହାନ୍ତି ? ଏସବୁ ଆମର କେବଳ ଭୁଲ ଧାରଣା ବୋଲି ମୋର ମନେ ହୁଏ । ମନରେ ଗୋଟାଏ ସାନ୍ତ୍ୱନା ଛଡ଼ା, ଅନ୍ୟ କିଛି ନୁହଁ ।

 

ସୁରେନ୍ଦ୍ରବାବୁ, ରମଣୀବାବୁଙ୍କର କଥାର ଉତ୍ତର ଦେବାକୁ ଆଉ ଖୀଅ ପାଇଲେ ନାହିଁ । କେବଳ ଭଦ୍ରତା ଖାତିରିରେ ହସିବାକୁ ଲାଗିଲେ । ଅନୁ ଏତେବେଳଯାଏ ଚୁପ୍ ହୋଇ ବସିଥିଲା । ଏତେବେଳକୁ ପାଟି ଫିଟାଇ କହିଲା—ଆପଣ ଠିକ୍‌ କହିଛନ୍ତି ।

 

ଏତେବେଳକେ ରମଣୀବାବୁ ଥରେ ମାତ୍ର ସେହିଆଡ଼କୁ ମୁହଁ ବୁଲାଇ ଚାହିଁଲେ । ଚାରିଟା ଉଜ୍ଜଳ ଆଖି ଏକାଠି ମିଶିଗଲା ।

 

ପୁଣି ରମଣୀବାବୁ କହି ଚାଲିଲେ—ଏହି ପୋଷାକ ପତ୍ରରେ ମୁଁ ବେଶ୍ କାମ ଚଳାଇ ଆଣିଛି । କାହିଁ, ଦିନେ ତ କିଛି ଅସୁବିଧା ହୋଇନାହିଁ । ମୁଁ ୩୦୦ ଟଙ୍କା ଲୋଭରେ ସୁଦୂର ପଞ୍ଜାବରୁ ଏଠିକୁ ଦଉଡ଼ି ଆସିନାହିଁ । ମୁଁ ସେଠି ୨୫୦ ଟଙ୍କା ପାଉଥିଲି, ସେଥିରେ ମୋର ବେଶ୍ ଚଳି, ଅନେକ ବଳୁଥିଲା । ମୋର ଦୁନିଆରେ ଏପରି କେହି ନାହିଁ ଯାହାକୁ ନଦେଲେ ନ ଚଳେ । ଭଗବାନ ମୋତେ ସେଥିରୁ ବଞ୍ଚିତ କରିଛନ୍ତି । ଯେତେବେଳେ ଶୁଣିଲି ଆମ ଓଡ଼ିଶାରେ କାରଖାନା ଖୋଲିଛି—ହଜାର ହଜାର ଲୋକଙ୍କର ଦୁଃଖ ଯିବ—ସେଇଥିରେ ଆନନ୍ଦ ଅନୁଭବ କରି ଚାଲି ଆସିଛି । ଯଦି ହୁଏ, ଏଇଠି ରହି ଆମ ଦେଶର ଲୋକଙ୍କର କିଛି ଉପକାର କରି ପାରିବି । ମୋଟେ ୭ ଦିନ ଛୁଟି ଆଣିଛି—ମୋତେ ଅନ୍ତତଃ କାଲି ବାହାରି ଯିବାକୁ ହେବ ।

 

‘‘ଦୁନିଆରେ ୟାଙ୍କର କେହି ନାହାନ୍ତି’’ ଏକଥା ଶୁଣିଲାବେଳୁ ଅନୁର ଅନ୍ତର ଭିତରେ ଗୋଟାଏ ଆଘାତ ଲାଗିଥିଲା । ଗୋଟାଏ କିମିତିକା ମମତାରେ ତାଙ୍କ ପ୍ରତି ଅନୁର ସରଳ ମନଟି ନରମି ଆସିଥିଲା—ସେ ବି ଦିନେ ଥିଲା ଦୁନିଆରେ ନିଃସହାୟ !

 

ଏହାପରେ ଅନ୍ୟାନ୍ୟ ସାଧାରଣ ବିଷୟ କେତେପଦ କଥାବାର୍ତ୍ତା ପରେ ସୁରେନ୍ଦ୍ରବାବୁ, ରମଣୀବାବୁଙ୍କୁ ବିଦାୟ ଦେଲେ । ରମଣୀବାବୁ ଅନ୍ୟାନ୍ୟ ଚାରିଜଣ ଭଦ୍ରଲୋକଙ୍କ ସହିତ ବିଶ୍ରାମ ଘରକୁ ପୁଣି ଫେରି ଆସିଲେ ।

 

ରମଣୀବାବୁ ଚାଲିଗଲା ପରେ ଅନୁ କିଛି ସମୟ ନୀରବ ରହି ତାର ମତ ପ୍ରକାଶ କଲା; ଏଇ ବାବୁହିଁ ଠିକ୍ ଉପଯୁକ୍ତ ଲୋକ । ତାଙ୍କୁ ନିଯୁକ୍ତ କଲେ ଭଲ ହୁଅନ୍ତା ।

 

ସୁରେନ୍ଦ୍ରବାବୁ କହିଲେ—ସେହିକଥା ମୁଁ ଭାବୁଥିଲି । ସେ ଯାହାହେଉ ଏସବୁ ବିଚାର କରି ପରେ ସେମାନଙ୍କ ପାଖକୁ ଜଣାଇ ଦିଆଯିବ ।

 

ସୁରେନ୍ଦ୍ରବାବୁ ଓ ଅନୁ ଅଫିସ ଘରୁ ଚାଲିଗଲେ । ପୁନର୍ବାର ଅଧଘଣ୍ଟା ପରେ କାରଖାନା ଭିତରେ ଆୟୋଜନ ହୋଇଥିବା ଏକ ଚାହା ଭୋଜୀକୁ ଅଗନ୍ତୁକ ପାଞ୍ଚଜଣକୁ ଡକରା ହେଲା । ପ୍ରଥମେ ସୁରେନ୍ଦ୍ରବାବୁ ହସ ହସ ମୁହଁରେ ସେମାନଙ୍କ ଆଗରେ ଅନୁର ପରିଚୟ ଦେବାପାଇଁ ଅନୁଆଡ଼େ ନିର୍ଦ୍ଦେଶ କରି କହିଲେ, ଏ ହେଉଛନ୍ତି ଆମର ଜମିଦାର ନରେନ୍ଦ୍ରବାବୁଙ୍କର ଏକମାତ୍ର ସ୍ନେହର କନ୍ୟା, କୁମାରୀ ଅନ୍ନପର୍ଣ୍ଣା—ଏହି ବିରାଟ କାରଖାନାର ମାଲିକ ।

 

ସମସ୍ତେ ହାତ ଉଠାଇ ନମସ୍କାର କଲେ—ଅନୁ ମଧ୍ୟ ପ୍ରତି ନମସ୍କାର ହସ ହସ ମୁହଁରେ ଜଣାଇଲା । ରମଣୀବାବୁ ଆହୁରି ଥରେ ଜଣେ ଓଡ଼ିଆ ଝିଅ କାରଖାନାର ମାଲିକ ହୋଇଥିବାରୁ ଧନ୍ୟବାଦ ଜଣାଇଲେ—ସେତିକିବେଳେ ଅନୁର ମନ ଭିତରେ ପ୍ରବଳ ଇଚ୍ଛା ହେଉଥିଲା ତାଙ୍କଆଡ଼କୁ ଚାହିଁବାକୁ । କିନ୍ତୁ କାହିଁକି କେଜାଣି ଚାହିଁ ପାରିଲା ନାହିଁ । ମନେ ମନେ କୃତଜ୍ଞତା ଜଣାଇଲା ।

 

ତା’ପରେ କିଛି ସମୟ ଖୁସି ଗପସପ ପରେ ଭୋଜୀ କାମ ସରିଲା । ସୁରେନ୍ଦ୍ରବାବୁ ଓ ଅନ୍ନପୂର୍ଣ୍ଣା ସେମାନଙ୍କୁ ନେଇ କାରଖାନା ଭିତର, ଡାକ୍ତରଖାନା, ବିଜୁଳି କାରଖାନା ଏବଂ କର୍ମଚାରୀ ଓ ଶ୍ରମିକ ମାନଙ୍କର ପିଲା ଛୁଆଙ୍କ ଶିକ୍ଷା ଦେବାପାଇଁ ସ୍କୁଲ ଇତ୍ୟାଦି ଦେଖାଇଲେ । ଏସବୁ ଦେଖି ସମସ୍ତେ ଅନ୍ନପୂର୍ଣ୍ଣାଙ୍କୁ ଧନ୍ୟବାଦ ଜଣାଉଥାନ୍ତି ।

 

ସେହିଦିନ ରାତିକୁ ସମସ୍ତଙ୍କର ଚାଲିଯିବାର କଥା । ସନ୍ଧ୍ୟା ପରେ ସେମାନଙ୍କର ଯିବା ଆସିବା ରାସ୍ତା ଖର୍ଚ୍ଚ ଇତ୍ୟାଦି ପଠାଇ ଦିଆଗଲା ଏବଂ ମଟରକାର୍ ଠିକ୍ ସମୟରେ ଷ୍ଟେସନରେ ଛାଡ଼ିଦେଇ ଆସିବା ପାଇଁ ଡ୍ରାଇଭରକୁ ଜଣାଇ ଦିଆଗଲା ।

 

ତିନିଦିନ ବିତିଗଲା । ଏଥିମଧ୍ୟରେ ଆଗନ୍ତୁକମାନଙ୍କ ଭିତରୁ ନିଯୁକ୍ତି ନେଇ, ସୁରେନ୍ଦ୍ରବାବୁ ଓ କୁମାରୀ ଅନ୍ନପୂର୍ଣ୍ଣାଙ୍କ ଭିତରେ କଥାବାର୍ତ୍ତା ହୋଇ ସେହି ରମଣୀବାବୁଙ୍କୁ ଆଣିବାର ଠିକ୍‌ ହୋଇଛି ।

 

ଆଜି ହଠାତ୍‌ ବ୍ୟବସାୟର ଜରୁରୀ କାମରେ ସୁରେନ୍ଦ୍ରବାବୁଙ୍କୁ କଲିକତା ଯିବାକୁ ପଡ଼ିବ-। ଅନ୍ତତଃ ୭ ଦିନରୁ କମ୍ ସେଠି ସେ ରହିବେ ନାହିଁ-। ରାତି ୧୦ଟା ବେଳେ ମାନ୍ଦ୍ରାଜ ମେଲ-। ସୁରେନ୍ଦ୍ରବାବୁଙ୍କ ଜିନିସପତ୍ର ବନ୍ଧାବନ୍ଧି ହୋଇ ମଟରରେ ଲଦା ହେଲା । ସୁରେନ୍ଦ୍ରବାବୁ ମଟରରେ ବସିଲେ ଏବଂ ଅନୁ ତାଙ୍କୁ ଷ୍ଟେସନରେ ଛାଡ଼ି ଦେଇ ଆସିବା ପାଇଁ ମଧ୍ୟ ମଟରରେ ବସିଲା । ଗାଡ଼ି ଚାଲିଲା ଯାଜପୁର ଷ୍ଟେସନ ।

 

ମାନ୍ଦ୍ରାଜ ମେଲ ଆସିବା ପାଇଁ ଆହୁରି ୧୦ମିନିଟ୍ ବାକୀ । ସୁରେନ୍ଦ୍ରବାବୁ କଥାବାର୍ତ୍ତା ହେଉ ହେଉ ହଠାତ୍ ସ୍ଵର ବଦଳାଇ କହିଲେ—ମୁଁ ତ ଏକାବେଳକେ ଭୁଲି ଯାଇଥିଲି । ମୋ ଟେବୁଲ ଉପର ଫାଇଲରେ ରମଣୀବାବୁଙ୍କ ନିଯୁକ୍ତି ନେଇ ଚିଠି ଲେଖାହୋଇ ଥୁଆ ହୋଇଛି । ଆପଣ ନିଶ୍ଚୟ କାଲି ଦସ୍ତଖତ୍ କରି ଚିଠିଟି ପକାଇ ଦେବେ । ଦିନକୁ ଦିନ କାମ ବିଶେଷ ବଳି ପଡ଼ିଲାଣି । ଆପଣ ଆଉ ଖଣ୍ଡେ ସ୍ୱତନ୍ତ୍ର ଚିଠିରେ ତିନିଦିନ ମଧ୍ୟରେ ସେ ଆସି ପାରିଲେ ଭଲ ହୁଅନ୍ତା—ଖାଲି ଲେଖିଦେବେ ।

 

ଅନୁ କହିଲା—ଆଚ୍ଛା, ମୁଁ ନିଶ୍ଚୟ ସେ ଚିଠିଟା ପକାଇଦେବି ।

 

ମାନ୍ଦ୍ରାଜ ମେଲ ଷ୍ଟେସନରେ ଠିଆ ହୋଇଯିବା ସଙ୍ଗେ ସଙ୍ଗେ ଷ୍ଟେସନଟି କୋଳାହଳରେ ପୂରି ଉଠିଲା । ସୁରେନ୍ଦ୍ରବାବୁ ଗୋଟାଏ ସେକେଣ୍ଡ କ୍ଲାସ ଡବାରେ ଉଠି କହିଲେ—ହଁ, ଦୟାକରି ମୋର ନିଜ ନାମରେ ଆସିଥିବା ଚିଠିଗୁଡ଼ିକ ସାବଧାନ ସହିତ ଆପଣଙ୍କ ଦରୁଓ୍ୟାନ ହାତରେ ମୋ କୋଠିକୁ ପଠାଇ ଦେବେ । ବେହେରାକୁ କହି ଆସିଛି ମୋ ଚିଠିଗୁଡ଼ିକ ସେ ସାବଧାନରେ ରଖିଥିବ-

 

ସିଟି ମାରି ଗାଡ଼ି ଚାଲିଲା ଆଗକୁ । ସୁରେନ୍ଦ୍ରବାବୁ ନମସ୍କାର ଜଣାଇ ବିଦାୟ ନେଲେ । ଅନୁ ମଟରରେ ଘରକୁ ଫେରି ଆସିଲା ।

 

ତହିଁ ଆର ଦିନ ଅନୁ ଅଫିସରେ ବେଳାବେଳି ଆସି ପହଞ୍ଚି ସର୍ବପ୍ରଥମେ ସେହି ରମଣୀବାବୁଙ୍କ ନିଯୁକ୍ତି ଚିଠିଟି କାଢ଼ି, କଲମ ବୁଡ଼ାଇ ଇଂରେଜୀରେ ଚିଠିର ତଳେ ଲେଖିଲା—କୁମାରୀ ଅନ୍ନପୂର୍ଣ୍ଣା ଦେବୀ । ନିଜର ନାମଟି ନିଜେ ଲେଖିଲାବେଳେ ଗୋଟାଏ ଅଜଣା ଆନନ୍ଦରେ ତା’ ମନ ଫୁଲି ଉଠିଲା । ଭାବିଲା—ସେ ବାବୁ ମୋ ନାମ ଦେଖିଲେ ବୋଧହୁଏ ନିଶ୍ଚୟ ଖୁସି ହେବେ ।

 

ତା’ପରେ ନିଜର ନାମ ଛପା ଯାଇଥିବା ଖଣ୍ଡେ ଚିଠି କାଗଜ ଟାଣି ଆଣି ଆରମ୍ଭ କଲା–

 

ଚିଠିଟି ଆରମ୍ଭ କଲାବେଳେ କାଗଜ ଉପରେ ତା’ କଲମ ମୁନ ଅଟକିଗଲା । କଣ ସେ ପ୍ରଥମେ ସମ୍ବୋଧନ କରି ଲେଖିବ ! ‘ମହାଶୟ’, ଏ ଶବ୍ଦଟା ତାକୁ କେମିତି ଟାଁସିଆ ଉପରଠାଉରିଆ ପରି ଜଣାଗଲା । ପୁଣି ଭାବିଲା ଲେଖିବ ପ୍ରିୟ ରମଣୀବାବୁ ! ତା’ ବି ହେଲା ନାହିଁ–ଲଜ୍ଜା ସଙ୍କୋଚରେ ହାତ ତାର ଅଟକି ରହିଲା ।

 

କ’ଣ ସେ ଭାବିବେ ! ନା, ସେ ଲେଖିବ ମାନନୀୟ ରମଣୀବାବୁ ! ବେଶ୍ ତ ! ଏଥିରେ କର୍କଶ ନାହିଁ କି ଲଜ୍ଜା ସଙ୍କୋଚ ବି ନାହିଁ ।

 

ହଠାତ୍‌ ତାର ମନକୁ ଆସିଲା—ପଞ୍ଜାବର ଲୁଧିଆନାରେ ସୁନ୍ଦର ଶିଲ୍କ ଶାଢ଼ି, ବ୍ଲାଉଜ କନା ଇତ୍ୟାଦି ମିଳେ । ସେ ଆସିଲାବେଳେ ବୋଉ, ବାପା ଓ ତା ପାଇଁ ଦୁଇଟା ଶାଢ଼ି ଏବଂ କିଛି ବ୍ଲାଉଜ ଓ କମିଜ କନା ଆଣିବାକୁ ଲେଖିବ । ପୁଣି ଭାବିଲା ନା ଲେଖିବ ନାହିଁ । ଛି, ଲାଜ କଥା, ଅନ୍ୟ କିଛି ଯଦି ସେ ଭାବନ୍ତି ! ମନ ଏପାଖ ସେପାଖ ହୋଇ ପୁଣି ଠିକ୍ କଲା, ଏଥିରେ ଲାଜ କଥା କଣ ଅଛି ! ସେ ସେଠାରୁ ଆସୁଛନ୍ତି ବୋଲି, ନେଇ ଆସିବେ, ଆଉ ଏଠି ଟଙ୍କା ଆମେ ଦେଇଦେବୁ, କ୍ଷତି କଣ ! ଆରମ୍ଭ କଲା—

 

ମାନନୀୟ ରମଣୀବାବୁ,

 

ଆପଣ ଆପଣଙ୍କର ନିଯୁକ୍ତି ପତ୍ର ପାଇ ତିନିଦିନ ମଧ୍ୟରେ ଆସିବାକୁ ନିଶ୍ଚୟ ଚେଷ୍ଟା କରିବେ । ଏ ଆଜିଠାରୁ ଆପଣଙ୍କର କାରଖାନା । କାମ ଖୁବ୍ ଭିଡ଼ ପଡ଼ିଛି—ନିଶ୍ଚୟ ଆସିବେ, ସୁରେନ୍ଦ୍ରବାବୁ କଲିକତା ଯାଇଛନ୍ତି ।

 

ମନରେ କିଛି ଭାବିବେ ନାହିଁ, ଦୟାକରି ଆସିଲା ବେଳକୁ ଦୁଇଖଣ୍ଡ ଭଲ ଶାଢ଼ି, ବାପାଙ୍କ ପାଇଁ ପଞ୍ଜାବି କନା ଓ କିଛି ଛିଟକନା ଆଣିବେ । ଯଦି କିଛି ଅସୁବିଧା ହୁଏ, ତାହାହେଲେ ନଆଣିଲେ ସୁଦ୍ଧା କିଛି ଯାଏ ଆସେ ନାହିଁ । ତେବେ ଟିକିଏ କଷ୍ଟ କରିବେ । ଆପଣ ତିନି ଦିନ ମଧ୍ୟରେ ଆସିବାକୁ ଚେଷ୍ଟା କରନ୍ତୁ ।

 

ଆପଣଙ୍କର

ଶ୍ରୀମତି ଅନ୍ନପୂର୍ଣ୍ଣା ଦେବୀ

 

ଦୁଇଖଣ୍ଡ ଚିଠିକୁ ବଡ଼ ଲଫାପାରେ ବନ୍ଦକରି ରେଜେଷ୍ଟରୀ କରିଦେବା ପାଇଁ ଦରଓ୍ୟାନ ହାତରେ କିରାନୀ ପାଖକୁ ପଠାଇ ଦେଲା ।

 

କିଛି ସମୟ ପରେ ପୋଷ୍ଟ ପିଅନ ସଲାମ ବଜାଇ ଚିଠିଗୁଡ଼ାଏ ଆଣି ଗଦା କରିଦେଲା-। ଅନୁ ଚିଠିଗୁଡ଼ାକ ବାଛି ପକାଇ ସୁରେନ୍ଦ୍ରବାବୁଙ୍କ ନାମରେ ଆସିଥିବା ଛ’ଖଣ୍ଡ ଚିଠି ଓ ନରେନ୍ଦ୍ରବାବୁଙ୍କ ନାମରେ ଆସିଥିବା ଚାରିଖଣ୍ଡ ଚିଠିକୁ ଅଲଗା ରଖି ବାକିତକ ବଡ଼ ବାବୁଙ୍କ ପାଖକୁ ଦରଓ୍ୟାନ ହାତରେ ପଠାଇ ଦେଲା ।

 

ସୁରେନ୍ଦ୍ରବାବୁଙ୍କର ୬ଖଣ୍ଡ ଚିଠି ଭିତରୁ ୩ଖଣ୍ଡ ପୋଷ୍ଟକାର୍ଡ଼ ମାମୁଲି, ତାଙ୍କର ବନ୍ଧୁ ଦେଇଛନ୍ତି । ଅନ୍ୟ ତିନିଖଣ୍ଡ ଲଫାପା ଭିତରୁ ଗୋଟିଏ ଗୋଲାପି ଲଫାପା । ଓଡ଼ିଆରେ କୌଣସି ସ୍ତ୍ରୀଲୋକ ହାତର ଅକ୍ଷର ପରି ଦିଶୁଛି । ଅନୁର ମନରେ ବଡ଼ ଇଚ୍ଛା ହେଲା, ଏଖଣ୍ଡିକ ଖୋଲି ପଢ଼ିବ । ପୁଣି ମନକୁ ମନ ସେଗୁଡ଼ିକ ସଜାଡ଼ି ଥୋଇ ଦେଲା । ନା, ଅଭଦ୍ରାମି ହେବ । କିନ୍ତୁ ମନ ଭିତରେ ଥରକୁ ଥର ଆକାଂକ୍ଷାର ଜୁଆର ଉଠିଲା—ନା, ଖୋଲି ପଢ଼ିବ—ତାପରେ ବନ୍ଦ କରି ରଖିଦେବେ ।

 

ସୁରେନ୍ଦ୍ରବାବୁଙ୍କ ଅଫିସ ଘରୁ ନିଜ କୋଠରୀକୁ ସେହି ଚିଠି ଖଣ୍ଡିକ ଧରି ଉଠି ଆସିଲା । ଆରାମ ଚେୟାର ହାତଉପରେ ଚିଠିଟା ରଖି, ଆସ୍ତେ ଖୋଲି—ଛୋଟ କାଗଜ ଖଣ୍ଡି ବାହାର କଲା-। ନାରୀ ହସ୍ତର ଅକ୍ଷର ! ତଳକୁ ଅନାଇଁ ଦେଲା—ଲେଖା ଅଛି ତମର ଚରଣ ସେବିକା—ପୂର୍ଣ୍ଣିମା-

 

ଅନୁ ବିସ୍ମୟରେ ଚମକି ପଡ଼ିଲା ! ସୁରେନ୍ଦ୍ରବାବୁ ତ ଅବିବାହିତ ବୋଲି ସେ ନିଜେ କହିଛନ୍ତି !

 

ଚିଠିରେ ଲେଖାଅଛି—

 

ଆପଣଙ୍କୁ ବିବାହ ହୋଇ—ପ୍ରଥମ ପ୍ରଥମ ଆପଣଙ୍କ ସ୍ନେହ ସୋହାଗ ପାଇ ଭାବିଥିଲି ସ୍ୱର୍ଗସୁଖରେ ମୋ ଜୀବନଟି କଟିଯିବ । କିନ୍ତୁ ଏବେ ଭାବୁଛି ମୋର କର୍ମ ବଡ଼ ଛୋଟ—ହୀନିମାନିଆ । ମୋ ଦେହ ଖରାପ ଥିଲା; କେତେ ଚିଠି ଲେଖିଲି ଆସିବାପାଇଁ, ଇମିତି କ’ଣ ସମୟ ହେଉନାହିଁ ନିଜ ଘରକୁ ଆସିବାକୁ ? ଏଣିକି ଆଖିରୁ ଲୁହ ଢାଳିବା ହିଁ ସାର ହେଉଛି—ଆପଣ ବଡ଼ ନିଷ୍ଟୁର ।

 

ସୁରେନ୍ଦ୍ରବାବୁ ବିବାହିତ ! ଅନୁ ଚିଠିଖଣ୍ଡିକ ପଢ଼ୁ ପଢ଼ୁ ତାକୁ ଜଣାଗଲା ଯେପରି ତାର ଚାରିପାଖ ଖୁବ୍ ଜୋରରେ ଘୁରୁଛି । ଚାରିଆଡ଼ ଘନ ଅନ୍ଧାର ! ତାର ଭାବନା ଲୋପ ପାଇଗଲା—କେତେଦିନର ଆଶାର ସ୍ୱର୍ଣ୍ଣମନ୍ଦିର ଦଣ୍ଡକେ ଭାଙ୍ଗି ଚୁରମାର ହୋଇଗଲା ।

 

ସୁରେନ୍ଦ୍ରବାବୁ ତାକୁ ମିଛ କହିଛନ୍ତି—ପ୍ରତାରଣା କରିଛନ୍ତି । ଜଣକ ଆଖିରୁ ଲୁହ ବୁହାଇ ଅନ୍ୟ ଜଣକୁ ଖୁସି କରାଇବାକୁ ସେ ଚାହାନ୍ତି । କାହିଁକି ? ତାଙ୍କର ଉଦ୍ଦେଶ୍ୟ କ’ଣ ? ଅନୁର ଭିତରଟା କାନ୍ଦି ଉଠିଲା । ସୁରେନ୍ଦ୍ରବାବୁଙ୍କ ପ୍ରତି ଘୃଣା, ଅଭିମାନରେ ତା’ର ଅନ୍ତରଟା ପୂରି ଉଠିଲା । ସେ କଲିକତାରୁ ଫେରନ୍ତୁ—ସଫା ସଫା ପଚାରିବ । ପୁଣି ପର ମୁହୂର୍ତ୍ତରେ ଭାବିଗଲା ଛି, ପଚାରିବ ନାହିଁ, ତାଙ୍କୁ କଥା କହିବନାହିଁ—ତାଙ୍କୁ ମୁହଁ ଦେଖାଇବ ନାହିଁ । ଅନୁର ଢଳ ଢଳ ସୁନ୍ଦର ଆଖି ଯୋଡ଼ିକ ଲୁହ ଛଳ ଛଳ ହୋଇ ଆସିଲା । ଚିଠି ଖଣ୍ଡକ ସେମିତି ହାତରେ ଶୂନ୍ୟ ମନରେ ନିର୍ବାକ ହୋଇ ବସି ରହିଲା ଅନେକକ୍ଷଣ ।

 

ପାଞ୍ଚଟା ବାଜିଲା, ଅନୁ ସିଧା ଅଫିସ ଘରୁ ଉଠି ସେଦିନ ଆଉ ସବୁଦିନ ପରି କେଉଁ ଆଡ଼େ ଦେଖିବାପାଇଁ ଗଲାନାହିଁ । ଏପରିକି ‘ଅନାଥାଶ୍ରମ’ ଭିତରକୁ ବୁଢ଼ାବାପାକୁ ଦେଖିବାକୁ ନ ଯାଇ ସିଧା ଘରକୁ ଚାଲିଗଲା । ଘରେ ପହଞ୍ଚିବାକ୍ଷଣି ନିରୁପମା ଦେବୀ ଅନୁ ମୁହଁକୁ ଅନାଇଦେଇ ପଚାରିଲେ—ତୋ ଦେହ କ’ଣ ଭଲ ନାହିଁ କି ଲୋ ମା’ ? ମୁହଁ କାହିଁକି ଶୁଖି ଯାଇଛି ତ !

 

ଅନୁ ଠିଆ ହୋଇଯାଇ କହିଲା—ହଁ ବୋଉ, ମୁଣ୍ଡଟା ବଡ଼ ବିନ୍ଧୁଛି । ଆଜି କିଛି ଭଲ ଲାଗୁନାହିଁ । ତା’ର ଜିଭଅଗକୁ ଆସୁଥିଲା କହିଦେବ—ବୋଉ, ସୁରେନ୍ଦ୍ରବାବୁ ବିବାହ କରିଛନ୍ତି, କିନ୍ତୁ ଗୋଟାଏ ସଙ୍କୋଚରେ ଉପରକୁ ଚାଲିଗଲା । ନିରୁପମାଦେବୀ କହିଲେ—କୁଆଡ଼େ ଆଜି ବୁଲି ଯାଆନା । ଯାଇ ଶୋଇପଡ଼ । ଡାକ୍ତର ପାଖକୁ ଲୋକ ପଠାଉଛି ଔଷଧ ନେଇ ଆସୁ ।

 

ସେହିଦିନ ରାତି ଏଗାରଟା, ଜହ୍ନ ଚାରିଆଡ଼େ ବିଛାଡ଼ିହୋଇ ପଡ଼ିଛି । ସମସ୍ତେ ଖାଇ ପିଇ ଶୋଇଲେ—ସେ ପର୍ଯ୍ୟନ୍ତ ବି କଳଘରୁ କଳ ଚାଲି ଲୁହା ନଳି ଦେଇ ଧୂଆଁ ଭୁସ୍ ଭୁସ୍ ହୋଇ ବାହାରୁଥାଏ । କିନ୍ତୁ ଅନୁ ଆଖିକୁ ନିଦ ନାହିଁ । ତାର ମନ ଉଡ଼ି ବୁଲୁଛି—କାହିଁ କେତେ ଦୂର । ବସିବାକୁ କେଉଁଠି ରାହା ନାହିଁ ।

 

କିମିତିକା ବିଷର୍ଣ୍ଣ ମନରେ ଭିତରୁ କବାଟ ଦେଇ, ବିଜୁଳି ଆଲୁଅଟାକୁ ବନ୍ଦ କରିଦେଲା-। ଜହ୍ନ ଆଲୁଅରେ ଘରଟି ବି ବେଶ୍ ଫର୍ଚା ଦେଖା ଯାଉଥାଏ । ମନରେ ଅସୀମ ଭାବନା ଧରି ଝରକା ପାଖରେ ଲୁହାଛଡ଼ିକୁ ଧରି ବସିଲା । ତା’ର ଏତେଦିନର ସୁରେନ୍ଦ୍ରବାବୁଙ୍କ ପ୍ରତି ସ୍ନେହ ମାୟା ମମତା ପୋଡ଼ି ପାଉଁଶ ହୋଇଯାଇଛି, ସବୁ ଓଲଟ ପାଲଟ ହୋଇଯାଇଛି।

 

କଳଘରୁ ଠନ୍‌ ଠନ୍‌ ବାଜିଲା ବାର । ଜହ୍ନ ଖଣ୍ଡେ ଭସାଣିଆ କଳାବଉଦ ଭିତରୁ ଉଙ୍କି ମାରିବା ସଙ୍ଗେ ସଙ୍ଗେ ଅନୁର ଘନ ଅନ୍ଧାର ଅନ୍ତର ଭିତରୁ ହଠାତ୍ ଚକ୍ ଚକ୍ ହୋଇ ରମଣୀବାବୁଙ୍କର ମୁହଁଟି ନାଚି ଉଠିଲା । ମନେ ପଡ଼ିଗଲା—ଦୁନିଆରେ ତାଙ୍କର କେହି ନାହାନ୍ତି !’’ ରମଣୀବାବୁ ଦୁନିଆରେ ନିଃସହାୟ, ସେ ବି ଦୁନିଆରେ ଦିନେ ଥିଲା ନିଃସହାୟ ! ରମଣୀବାବୁ କାହାଠାରୁ ସ୍ନେହ ମମତା ନପାଇ ତାଙ୍କର ଅନ୍ତର ଶୁଷ୍କ, ନୀରସ ହୋଇ ଯାଇଛି । ସେ ସେହି ଶୁଷ୍କ ନୀରସ ଅନ୍ତରକୁ ସରସ କରିପାରିଲେ ଆଉରି ଶାନ୍ତି, ଆଉରି ସୁଖ—ଆଉରି ଆନନ୍ଦ ପାଆନ୍ତା । ଅନୁର ଭାବନା ଅଟକିଯାଏ । ସୁରେନ୍ଦ୍ରବାବୁଙ୍କ ମୁହଁ ବଡ଼ ଅନିଚ୍ଛାସତ୍ୱେ ଘୁଞ୍ଚି ଘୁଞ୍ଚି ଯାଏ ପଛକୁ । ଅନୁ ମନେ ମନେ ଭାବେ ରମଣୀବାବୁଙ୍କୁ ଶୀଘ୍ର ଆସିବାପାଇଁ ଟେଲିଗ୍ରାମ କରିବ ।

 

ନିଶବ୍ଦ ରାତି । ପ୍ରାୟ ତିନିଟା ହେବ । ଅନୁ ସପନ ଦେଖିଲା, ତା’ରି ଖଟ ପାଖରେ କିମିତି ରମଣୀବାବୁ ହସ ହସ ମୁହଁରେ କହୁଛନ୍ତି, ‘‘ଦେଖିଲେ ଏ ଶାଢ଼ିଟି କିମିତି ସୁନ୍ଦର ହୋଇଛି ? ଅଳ୍ପ ସମୟ ଭିତରେ ଯାହା ମିଳିଲା ନେଇ ଆସିଲି । ଆଉ ଟିକିଏ ଖୋଜି ବାହାର କରିଥିଲେ ଆହୁରି ଭଲ ଶାଢ଼ି ମିଳିଥାନ୍ତା ।’’ ଅନୁ କିମିତି ତାଙ୍କ ମୁହଁକୁ ହସ ହସ ମୁହଁରେ ଚାହିଁ ରହି କହୁଛି—ଭାରି ଭଲ ଶାଢ଼ିଟି ହୋଇଛି ତ ?

 

ଅନୁ ଚମକି ଉଠିଲା—ବସି ପଡ଼ି ଅନାଇଦେଲା ଚାରିଆଡ଼କୁ । କିଏ କାହିଁ ? ଜହ୍ନ ଆଲୁଅ ସେମିତି ଫିକାହୋଇ ଘରଟାଯାକ ଦେଖାଯାଉଛି । ଅଳ୍ପ ସମୟ ପାଇଁ ଅନୁ ଆଖିକୁ ଆଉ ନିଦ ଆସିଲା ନାହିଁ । କ୍ରମେ ତାର ସରଳ ଉତ୍ତଳା ମନଟି ରମଣୀବାବୁଙ୍କ ଆଡ଼କୁ ଢଳି ଆସିଲା ।

 

ରମଣୀବାବୁ ସୁଦୂର ପଞ୍ଜାବରେ ନିଜର ନିଯୁକ୍ତି ପତ୍ର ଏବଂ କୁମାରୀ ଅନ୍ନପନୂର୍ଣ୍ଣାଙ୍କ ହାତରୁ ଚିଠି ଖଣ୍ଡିକ ପାଇ ତାଙ୍କର ଅନ୍ତର ଚଞ୍ଚଳ ହୋଇ ଉଠିଲା । ଥରକୁ ଥର ସେହି ଚିଠି ଖଣ୍ଡିକ ପଢ଼ିବାରେ ପ୍ରଥମ ହୋଇ ତାଙ୍କୁ ଖୁବ୍ ଆନନ୍ଦ ଲାଗିଲା । ସେ ବଡ଼ ଖୁସିମନରେ କୁମାରୀ ଅନ୍ନପୂର୍ଣ୍ଣାଙ୍କ ପାଇଁ ଶାଢ଼ି କିଣିବାକୁ ବଜାରକୁ ବାହାରିଗଲେ । ତହିଁ ଆରଦିନ ସେ ଏଠୁ ଛାଡ଼ିବେ—ଦୁଇଦିନ ପରେ ପହଞ୍ଚିବେ ବୋଲି ଗାଡ଼ି ସମୟକୁ ମଟର ପଠାଇବା ପାଇଁ କୁମାରୀ ଅନ୍ନପୂର୍ଣ୍ଣାଙ୍କ ପାଖକୁ ତାଙ୍କ ଚିଠିର ଧନ୍ୟବାଦ ଜଣାଇ ଟେଲିଗ୍ରାମ କରିଦେଲେ ।

 

ଅନୁ ଟେଲିଗ୍ରାମ ପାଇ ଚଞ୍ଚଳ ହୋଇ ଉଠିଲା । ସେହିଦିନ ରାତି ୯ଟାରେ ମାନ୍ଦ୍ରାଜ ମେଲ୍ । ଅନୁ ବଡ଼ ଫୁଲାଣିଆ ମନରେ ନିଜର ରୂପ ସଜାଇ—ନିଜେ ପାଛୋଟି ଆଣିବାପାଇଁ ଡ୍ରାଇଭରକୁ ମଟର ଆଣିବାପାଇଁ କହିଲା । ଯିବା ପୂର୍ବରୁ ନିରୁପମାଦେବୀଙ୍କୁ ନୂଆ ଆସିଷ୍ଟାଣ୍ଟ ମେନେଜର ରମଣୀବାବୁଙ୍କୁ ପାଛୋଟି ଆଣିବାପାଇଁ ଷ୍ଟେସନକୁ ଯାଉଛି ବୋଲି କହିଗଲା ।

 

ମାନ୍ଦ୍ରାଜ ମେଲ୍ ଭୁସ୍ ଭୁସ୍ ହୋଇ ଆସି ପହଞ୍ଚିଲା ଷ୍ଟେସନରେ । ଅନୁ ବ୍ୟଗ୍ର ହୋଇ ସେକେଣ୍ଡକ୍ଲାସ ଗାଡ଼ି ଆଡ଼କୁ ଚାହିଁ ରହିଥାଏ । ଗାଡ଼ି ସ୍ଥିର ହୋଇ ଠିଆ ହେଲା । ରମଣୀବାବୁ ଗୋଟାଏ ସେକେଣ୍ଡ କ୍ଲାସ ଡବା ଭିତରୁ ଓହ୍ଲାଇଲାକ୍ଷଣି ଅନୁ ହସ ହସ ମୁହଁରେ ଯାଇ ତାଙ୍କୁ ନମସ୍କାର କଲା । ନିଜେ କୁମାରୀ ଅନ୍ନପୂର୍ଣ୍ଣା ଆସିଛନ୍ତି ବୋଲି ରମଣୀବାବୁ ଭଦ୍ରତାରେ ସଡ଼୍‍ବଡ଼ ହୋଇ ନମସ୍କାର କରି କହିଲେ, ଆପଣ ନିଜେ କଷ୍ଟ କରି ଆସିଛନ୍ତି ! ମୋର ବଡ଼ ଭାଗ୍ୟ ।

 

ଅନୁ ମୁରୁକି ହସି କହିଲା—ଆପଣ ଯେ ଦି’ଦିନ ହେଲା ଗାଡ଼ିଟାରେ ବସି ବସି ଏତେ କଷ୍ଟ ପାଇଲେ, ଆଉ ମୁଁ ତ ହେଇ ଘରୁ ଆସୁଛି । ମୋର କି କଷ୍ଟ !

 

ଯାଜପୁର ରୋଡ଼ରେ ଗାଡ଼ି ରହିବ ମୋଟେ ପାଞ୍ଚମିନିଟ । ନିଜେ କୁମାରୀ ଅନ୍ନପୂର୍ଣ୍ଣା ଦେଖି କରି ୫ଟା କୁଲି ଦ୍ୱାରା ରମଣୀବାବୁଙ୍କ ଜିନିଷପତ୍ର ମଟରକୁ ବୁହାଇ ଆଣିଲେ । ମଟର ଷ୍ଟାର୍ଟ ହେଲା । କୁମାରୀ ଅନ୍ନପୂର୍ଣ୍ଣା ପଛରେ ବସିବେ ବୋଲି ରମଣୀବାବୁ ଆଗ ଡ୍ରାଇଭର ପାଖରେ ଯାଇ ବସିଲେ । ଅନ୍ନପୂର୍ଣ୍ଣା ପଛରେ ବସିବା ସଙ୍ଗେ ସଙ୍ଗେ ମଟର ଚାଲିଲା ଆଗକୁ । କିନ୍ତୁ ଅନ୍ନପୂର୍ଣ୍ଣାର ମନଟା ଟିକିଏ ମରିଗଲା । ତାର ପାଖଟା ଫାଙ୍କା ଫାଙ୍କା ଲାଗିଲା । ରମଣୀବାବୁ ଏଇଠି ବସିଥିଲେ...... ।

 

ମଟର ଆଗକୁ ଚାଲିଛି, ରମଣୀବାବୁ ପଛକୁ ମୁହଁ ବୁଲାଇ କହିଲେ—ଆପଣଙ୍କ ଚିଠି ପାଇ ହଠାତ୍ ବଜାରରୁ ଯେଭଳି ଶାଢ଼ି ମିଳିଲା ନେଇ ଆସିଛି, ଭଲ ମନ୍ଦ ନ ବିଚାରି କ୍ଷମା କରିବେ-

 

ଅନୁ ବଡ଼ ଆଗ୍ରହ ଦେଖାଇ ଖୁସିହୋଇ କହିଲା—ଆପଣଙ୍କ ପାଖକୁ ଲେଖିବାକୁ ବଡ଼ ଡର ଲାଗୁଥିଲା, ଆପଣ ଯେ ଆଣିଛନ୍ତି ସେହି ଯଥେଷ୍ଟ ହୋଇଛି ।

 

ମଟର ରହିଲା ନରେନ୍ଦ୍ରବାବୁଙ୍କ ଦୁଆର ମୁହଁରେ । ସେତେବବେଳକୁ ନରେନ୍ଦ୍ରବାବୁ ବାରଣ୍ଡାରେ ଗୋଟାଏ ଆରାମ ଚେୟାର ଉପରେ ବସି ଖବରକାଗଜ ପଢ଼ୁଥିଲେ । ଖିଆ ପିଆ ସରି ନଥିଲା । ଅନୁ ପ୍ରଥମେ ରମଣୀମାବୁଙ୍କୁ ଡାକି ମଟରରୁ ଓହ୍ଲାଇ ବାରଣ୍ଡାକୁ ଉଠିଗଲାକ୍ଷଣି ନରେନ୍ଦ୍ରବାବୁ ଖବର କାଗଜ ପଢ଼ା ବନ୍ଦ କରି ପଚାରିଲେ—ସେ ବାବୁ କ’ଣ ମା’ ଆସିନାହାନ୍ତି ?

 

ଅନୁ ହସି ହସି କହିଲା—ହଁ ବାପା, ଆସିଛନ୍ତି ! କଥା ଶେଷ ନହେଉଣୁ ରମଣୀମାବାବୁ ନରେନ୍ଦ୍ରବାବୁଙ୍କୁ ଯାଇ ନମସ୍କାର କଲେ ।

 

ନରେନ୍ଦ୍ରବାବୁ କ୍ଷଣେମାତ୍ର ରମଣୀବାବୁଙ୍କ ଶାନ୍ତ ସୌମ୍ୟ ସୁନ୍ଦର ଚେହେରାକୁ ଅନାଇଁ ଭାରି ଖୁସିହୋଇ ତାଙ୍କ ପାଖରେ ପଡ଼ିଥିବା ଗୋଟାଏ ଚେୟାରରେ ବସିବାକୁ କହି, ପଚାରିଲେ—ଭଲ ସୁବିଧାରେ ଆସିଲେ ତ ? ରମଣୀବାବୁ ଭଦ୍ରତାରେ ବଡ଼ ସଙ୍କୋଚିତ ହୋଇ କହିଲେ—ହଁ ଆଜ୍ଞା, ଭଲରେ ଆସିଛି, ବିଶେଷ କିଛି ଅସୁବିଧା ହୋଇନାହିଁ ।

 

ତା’ପରେ ନରେନ୍ଦ୍ରବାବୁ ଅନୁ ଆଡ଼କୁ ମୁହଁ ବୁଲାଇ କହିଲେ—ସେ ଦାଣ୍ଡ ଘରେ ମୁଁ ସମସ୍ତ ସୁବିଧା କରି ଦେଇଛି । ବର୍ତ୍ତମାନ ତିନି ଚାରିଦିନ ସ୍ୱତନ୍ତ୍ର ଭଲ ଘର ଠିକ୍ ନହେବା ପର୍ଯ୍ୟନ୍ତ ଆମର ଏ ବାବୁ ଏଇଠି ରହନ୍ତୁ, କ’ଣ ଆଉ ଅସୁବିଧା ହେବ ?

 

ଅନୁ ହସି ହସି କହିଲା—କିଛି ନାହିଁ ।

 

ରମଣୀବାବୁ ଖାଇ ପିଇ ସାରିଲା ପରେ ଅନୁ ଭଦ୍ରତା ଦେଖାଇ—ଆପଣ ବହୁତ କ୍ଳାନ୍ତ ହୋଇ ଯାଇଛନ୍ତି—ଶୁଅନ୍ତୁ, ମୁଁ ଯାଉଛି । ରମଣୀବାବୁ ଅତି କୃତଜ୍ଞତା ସ୍ୱରରେ କହିଲେ—ମୋ ଅପେକ୍ଷା ଆପଣ ମୋ ଚର୍ଚ୍ଚା କରି ବେଶି କ୍ଳାନ୍ତ ହୋଇ ପଡ଼ିଲେଣି, ସେଥିପାଇଁ ମୋର ଧନ୍ୟବାଦ ଗ୍ରହଣ କରିବେ ।

 

ଅନୁ ବିଦାୟ ନେଇ ତାଙ୍କ ପାଖରୁ ଫେରି ଆସୁଥିଲା, ରମଣୀବାବୁ ପଛରୁ ଡାକି କହିଲେ—ଦୟାକରି ଟିକିଏ ଅପେକ୍ଷା କରନ୍ତି ।

 

ଅନୁ ଫେରି ଠିଆ ହେଲା । ରମଣୀବାବୁ ତର ତର କରି ସୁଟକେଶଟା ଫିଟାଇ କାଗଜରେ ଗୁଡ଼ା ହୋଇଥିବା ଲୁଗା ପୁଡ଼ିଆଟି ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ—କିଛି ଭାବିବେ ନାହିଁ । ଯାହା ହଠାତ୍ ପାଇଲି ଆଣିଲି । ଅନୁ ହସ ହସ ମୁହଁରେ ତାଙ୍କ ହାତରୁ ସେ ପୁଡ଼ିଆଟିକୁ ଘେନି ଚାଲି ଆସିଲା ।

 

ଖାଇ ପିଇ ସାରି ଉପର ମହଲାରେ ସେ ପୁଡ଼ିଆଟି ଅନୁ ଫିଟାଇ କୁରୁଳି ହୋଇ ଉଠିଲା-। ଭାରି ସୁନ୍ଦର ଶାଢ଼ି ! ତା’ ଭିତରୁ ଯେଉଁଟି ଅତି ସୁନ୍ଦର ଥିଲା, ସେଇଟିକୁ ସେ ଥରକୁ ଥର ଦେଖି ଭାବି ନେଲା ରମଣୀବାବୁ ନିଶ୍ଚୟ ତା’ ପାଇଁ ବହୁ କଷ୍ଟ କରି ବାଛି ବାଛି ଏ ଖଣ୍ଡି ଆଣିଥିବେ-। ଏହାର ମୂଲ୍ୟ ଅନ୍ତତଃ ଟ୧୫୦ଙ୍କାରୁ କମ୍ ହୋଇ ନଥିବ । ଶାଢ଼ି ଖଣ୍ଡିକ ଓଲଟ ପାଲଟ କରି ଦେଖୁ ଦେଖୁ ଭାବିଗଲା କାଲି ଏ ଶାଢ଼ି ଖଣ୍ଡିକ ସେ ପିନ୍ଧିବ । କିନ୍ତୁ ହଠାତ୍ ମନକୁ ମନ ହସିଲା–ଏଇକ୍ଷଣି ଏ ଶାଢ଼ି ଖଣ୍ଡିକ ପିନ୍ଧିବ ନାହିଁ, ଯଦି ଭଗବାନ କରିବେ, ବିଭାଘର ପ୍ରଥମ ରାତିରେ ସେ ଏଖଣ୍ଡି ପିନ୍ଧିବ । ଏକଥା ଭାବିଲାକ୍ଷଣି ଅନୁର ଆଖି ବୁଜି ହୋଇ ତାର ଯୌବନ ଗୁରୁ ଦେହଟିରେ ଅଳସ ଲାଗିଲା ।

 

ତହିଁ ଆର ଦିନ ରମଣୀବାବୁ ଜଳଖିଆ ଖାଇସାରିଲା ପରେ ଅନୁ ହଠାତ୍ ପହଞ୍ଚି କାରଖାନା ବିଷୟରେ ଏଣୁ ତେଣୁ କଥାବାର୍ତ୍ତା କଲା ପରେ କହିଲା—ଶାଢ଼ିଗୁଡ଼ିକ ଅତି ସୁନ୍ଦର ହୋଇଛି । ସମୁଦାୟ କେତେ ପଡ଼ିଛି ?

 

ରମଣୀବାବୁ ପ୍ରଥମ ହୋଇ ଖୁବ୍ ହସି ହସି କହିଲେ—ଆପଣ ତାର ମୂଲ୍ୟ ଦେବାପାଇଁ ଦଉଡ଼ି ଆସିଛନ୍ତି ପରା ! ମୁଁ ତ କରଜ ଲଗାଇଛି । ଏଇକ୍ଷଣି ଟଙ୍କା ମୁଁ ଚାହେଁନାହିଁ, ବର୍ଷ ପୂରିଲେ ସୁଧ ମୂଳ ଧରି ଆଦାୟ କରିବି ।

 

ଅନୁ ମୁରୁକି ମୁରୁକି ହସି ତାଙ୍କ ଆଗରେ ଆଉ କିଛି କହି ପାରିଲା ନାହିଁ ।

 

ସୁରେନ୍ଦ୍ରବାବୁ କାଲି ରାତିରେ କଲିକତାରୁ ଫେରି ଆସିଛନ୍ତି । ଅଫିସ ଘରେ ପ୍ରଥମ କରି ରମଣୀବାବୁ ଯାଇ ତାଙ୍କୁ ଦେଖାକଲେ । କିନ୍ତୁ ଅନ୍ନପୂର୍ଣ୍ଣା ସେ କାଲି ରାତିରୁ ଆସିଛନ୍ତି ବୋଲି ଜାଣି ସୁଦ୍ଧା ଏତେବେଳଯାଏ ନ ଆସିବାରୁ ସୁରେନ୍ଦ୍ରବାବୁଙ୍କ ମନରେ ଯାବତ୍ ସନ୍ଦେହ କଳ୍ପନା ଜଳ୍ପନାରେ ଭରାହୋଇ ଗଲାଣି । ବଡ଼ ଚିଡ଼ି ଚିଡ଼ି ହୋଇ କାହାକୁ ଦେଖା ସାକ୍ଷାତ କରିବାକୁ ଅନୁମତି ଦେଉନାହାନ୍ତି କି ଅଫିସ କାମ ବି ବିଶେଷ କିଛି କରୁନାହାନ୍ତି ।

 

ତିନିଟା ବାଜିଲା । ତଥାପି ଅନ୍ନପୂର୍ଣ୍ଣା ଅଫିସ ଘରକୁ ଆସିଲେ ନାହିଁ । ସୁରେନ୍ଦ୍ରବାବୁଙ୍କ ଛାତି ଦପ୍ ଦପ୍ ପଡ଼ିବାକୁ ଲାଗିଲା । କଥା କ’ଣ ! ତାଙ୍କ ଉପରେ ସେ କୌଣସି ଗୁରୁତର କଥା ନେଇ ରାଗି ନଥିଲେ ସେ କଦାପି ନଆସି ରହିପାରି ନଥାନ୍ତେ ! ସୁରେନ୍ଦ୍ରବାବୁଙ୍କୁ ବୁଦ୍ଧି ଦିଶିଲା ନାହିଁ-

 

ଚାରିଟା ବାଜିଲା । ସୁରେନ୍ଦ୍ରବାବୁ ସେଦିନ ଅଫିସଘରେ ବସି ନରହି ବସାକୁ ଫେରି ଆସିଲେ । ତର ତର କରି ଖଣ୍ଡେ କାଗଜ ବାହାରକରି ବଡ଼ ବ୍ୟଗ୍ରଭାବରେ ଲେଖିଲେ—

 

ପ୍ରିୟ କୁମାରୀ ଅନ୍ନପୂର୍ଣ୍ଣା,

 

ଆପଣ ଏହି ଅଧଘଣ୍ଟା ମଧ୍ୟରେ ନିଶ୍ଚୟ ଆସିବେ । କଲିକତାରୁ ଆପଣଙ୍କ ପାଇଁ ଯେଉଁସବୁ ଜିନିଷ ଆଣିଛି, ଦୟାକରି ନେଇଯାଆନ୍ତୁ । ମୋର କିଛି ଦୋଷ ଥିଲେ କ୍ଷମା କରିବେ ।

 

ଆପଣଙ୍କର

ସୁରେନ୍ଦ୍ରବାବୁ

 

ଦରଓ୍ୟାନ ହାତରେ ଚିଠିଟି ବନ୍ଦ କରି ପଠାଇ ଦେଲେ । ଅନ୍ନପୂର୍ଣ୍ଣା ସେତେବେଳକୁ ତା’ ଶୋଇବାଘରେ ବସି ସୁରେନ୍ଦ୍ରବାବୁଙ୍କ ସହିତ ତାର ଅତୀତ ସ୍ନେହ ମମତା କଥା ଭାବି ଭାବି ତା’ର ସରଳ ମନଟା ନରମି ଯାଇଥାଏ । ଶୂନ୍ୟ ମନରେ ଚାହିଁ ରହିଥାଏ କାରଖାନା ଆଡ଼େ । ଦରଓ୍ୟାନ ସଲାମ ଦେଇ ସେ ଚିଠି ଖଣ୍ଡକ ଅନ୍ନପୂର୍ଣ୍ଣାଙ୍କ ହାତକୁ ବଢ଼ାଇଦେଲା ।

 

ଅନୁ ଆଗରୁ ଜାଣି ପାରିଥିଲା ଏ ସୁରେନ୍ଦ୍ରବାବୁଙ୍କ ଚିଠି ବୋଲି । ସେ ଚିଠି ଖଣ୍ଡକ ପଢ଼ି, ତା’ ଦେହରେ ବିଜୁଳି ଖେଳିଗଲା । ଆହୁରି ଭୁଲାଇବାକୁ ସେ ମୋତେ ଚାହାନ୍ତି ! ଅନୁ ଆଖିରେ ଲୁହ ଢଳ ଢଳ ହେଲା, ତାର ସୁନ୍ଦର ଗୋଲାପି ଚିବୁକ ଦୁଇଟି ଥରିବାକୁ ଲାଗିଲା । ଗୋଟାଏ ଉତ୍ତେଜନାରେ ଝର କଲମଟା ବାହାରକରି ବଙ୍କେଇ ଲେଖିଲା—

 

ଆପଣ ଭଦ୍ରତା ରକ୍ଷା କରନ୍ତୁ । ମୋ ପାଖକୁ ଇମିତି ଚିଠି ଦେବା ଆପଣଙ୍କର ଉଚିତ ହୋଇନାହିଁ । ମୁଁ ତ ଆପଣଙ୍କୁ କଲିକତାରୁ କିଛି ଆଣିବାପାଇଁ ବରାଦ ଦେଇନଥିଲି ? ମୋ ସହିତ ଯେ ଆପଣଙ୍କର ଚିହ୍ନା ପରିଚୟ ଥିଲା, ଏକଥା ଭୁଲିଯାଆନ୍ତୁ । ଅନୁ ଆଖିରୁ ଠୋପାଏ ଲୁହ ସେ କାଗଜ ଉପରେ ଝରି ପଡ଼ିଲା ।

 

ଦରଓ୍ୟାନକୁ ଡାକି ପୁଣି ସେ ଚିଠି ଖଣ୍ଡିକ ସୁରେନ୍ଦ୍ରବାବୁଙ୍କ ପାଖକୁ ନେଇଯିବାପାଇଁ କହି–ଅନୁ ସ୍ଥିର ହୋଇ ପୁଣି ବସିରହିଲା । ଏତକ ସେ ଲେଖିବା ଦ୍ୱାରା ସୁରେନ୍ଦ୍ରବାବୁଙ୍କ ମନରେ ଯେ କି କଷ୍ଟ ହେବ, ସେକଥା ସେ ଭଲକରି ବୁଝିଥିଲା । କିନ୍ତୁ ଆଉ ଉପାୟ ନାହିଁ । ନିଜର ସୁଖ ଶାନ୍ତି ପାଇଁ ଗୋଟିଏ ତା’ରି ଭଳି ସୁନ୍ଦରୀ ଯୁବତୀ ଆଖିରୁ ତତଲା ଲୁହ ଗଡ଼ାଇବାକୁ ସେ ଚାହେଁନାହିଁ ।

 

ସୁରେନ୍ଦ୍ରବାବୁଙ୍କୁ ସେ ଚିଠି ଖଣ୍ଡକ ଖୋଲି ପଢ଼ୁ ପଢ଼ୁ ଲାଗିଲା, ଯେପରି ତାଙ୍କର ନିଶ୍ୱାସ ବନ୍ଦ ହୋଇ ଆସୁଚି । କିଏ ତାଙ୍କ ଶରୀରରେ ଲୁହାକଣ୍ଟା ତତାଇ ନିର୍ଦ୍ଦୟଭାବରେ ଗେବି ଦେଇ ଯାଉଛି । ତାଙ୍କ ମୁଣ୍ଡ ଘୂରିବାକୁ ଲାଗିଲା । ସେ ଶୂନ୍ୟରେ ଉଡ଼ି ବୁଲୁଛନ୍ତି କିମ୍ୱା ତାଙ୍କ ନିଜ କୋଠରୀରେ ଆରାମ ଚେୟାରେ ଉପରେ ବସିଛନ୍ତି ନିଜେ ବୁଝିପାରିଲେ ନାହିଁ ।

 

ସେହିଦିନଠୁ ସୁରେନ୍ଦ୍ରବାବୁଙ୍କର ଦେହ ଖରାପ ବୋଲି ସେ ଆଉ ଅଫିସକୁ ଆସିନାହାନ୍ତି-

 

ସୁରେନ୍ଦ୍ର ବାବୁଙ୍କ ଦେହ ଖରାପ, ଅନୁ ଦେଖିବାକୁ ଯାଇନାହିଁ । ସବୁବେଳେ ଉପର ମହଲାରେ ଏକୁଟିଆ ବସି ରହିବା ଦେଖି, ନିରୁପମା ଦେବୀ ଓ ନରେନ୍ଦ୍ରବାବୁ ବଡ଼ ବିସ୍ମିତ ହୁଅନ୍ତି । କିନ୍ତୁ ଅନୁକୁ କିଛି ପଚାରି ପାରନ୍ତିନାହିଁ । ନିଜେ ନରେନ୍ଦ୍ରବାବୁ ଆଜି ଦୁଇଥର ଯାଇ ସୁରେନ୍ଦ୍ରବାବୁଙ୍କ ଖବର ବୁଝି ଆସିଲେଣି ।

 

ସୁରେନ୍ଦ୍ରବାବୁଙ୍କର ଏ ଅବସ୍ଥା ଯେ କାହିଁକି ଅନୁ ମନେମନେ ବୁଝି ବଡ଼ ବ୍ୟସ୍ତ ହୁଏ । ତା’ ଆଖିରେ ଲୁହ ଆସେ, କିନ୍ତୁ ଯାଇ ପାରେ ନାହିଁ । ଡାକ୍ତରଙ୍କୁ ଡକାଇ ସୁରେନ୍ଦ୍ରବାବୁଙ୍କ ପ୍ରତି ବିଶେଷ ନଜର ଦେବାପାଇଁ କହେ—ଥରକୁଥର ଅନ୍ୟଦ୍ୱାରା ତାଙ୍କର ଖବରବୁଝେ ।

 

ସୁରେନ୍ଦ୍ରବାବୁ ଅସୁସ୍ଥ ଅବସ୍ଥାରେ ପଡ଼ିରହି ଭାବନ୍ତି, ଅନ୍ନପୂର୍ଣ୍ଣା ନିଷ୍ଠୁର ହେବେ ନାହିଁ—ନିଶ୍ଚୟ ଆସିବେ । ତାଙ୍କ ଆଶା ଆଶାରେ ହିଁ ରହେ—ଅନାଇ ଅନାଇ—ଆଖିରୁ ପାଣି ମରେ ।

 

ସାତଦିନପରେ ସୁରେନ୍ଦ୍ରବାବୁ ଟିକିଏ ସୁସ୍ଥ ବୋଧକରି କାରଖାନା ଦେଖିବାକୁ ଆସିଲେ-। କଳ ସବୁ ଅବିରାମ ଗତିରେ ଚାଲିଛି । ସୁରେନ୍ଦ୍ରବାବୁଙ୍କ ସଙ୍ଗରେ—ରମଣୀବାବୁ, ବଡ଼ବାବୁ ଚନ୍ଦ୍ର ମୋହନ ଏବଂ କାରଖାନାର ବଡ଼ ମିସ୍ତ୍ରୀ ଥା’ନ୍ତି ।

 

ସୁରେନ୍ଦ୍ରବାବୁ ବୁଲି ଦେଖୁ ଦେଖୁ କାରଖାନା ପ୍ରତିଷ୍ଠା ଦିନ ଅନ୍ନପୂର୍ଣ୍ଣାର ଏକ ବିରାଟ ଫଟୋ କଳଘର କାନ୍ଥରେ ଟଙ୍ଗା ହୋଇଥିବା ସ୍ଥାନରେ ଠିଆହୋଇ, ସେହିଆଡ଼କୁ ଥରେ ଚାହିଁଲେ । ଅନ୍ନପୂର୍ଣ୍ଣାର ସୁନ୍ଦର ଆଖି, ସୁନ୍ଦର ଚେହେରା ଦେଖି ତାଙ୍କ ମୁଣ୍ଡ ଘୂରିବାକୁ ଲାଗିଲା । ସେଠୁ ସେ ଭଗ୍ନ ହୃଦୟରେ ଖାମଖେୟାଲିଙ୍କ ଭଳି ଦି’ପାଦ ଆଗକୁ ଚାଲି ଯାଉଁ ଯାଉଁ ଗୋଟିଏ ବିରାଟ ଦୁଆର ବନ୍ଧକୁ ଝୁଣ୍ଟିପଡ଼ି କଚାଡ଼ି ହୋଇ ପଡ଼ିଲେ । ତାଙ୍କ ଡାହାଣ ହାତ ଏବଂ ମୁଣ୍ଡରେ ବଡ଼ ଜୋରରେ ଆଘାତ ଲାଗିଲା । ସୁରେନ୍ଦ୍ରବାବୁ ବେହୋସ୍‌ ।

 

କାରଖାନା ଭିତରେ ହୁଲୁସ୍ତୁଲ୍‌ ପଡ଼ିଗଲା । କଳ ଚାଲୁ ବନ୍ଦ ହୋଇଗଲା । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନିଆଗଲା ।

 

ନରେନ୍ଦ୍ରବାବୁ ଓ ନିରୁପମା ଦେବୀ ଅନୁକୁ ଡାକି, ଦେଖିବାକୁ ଡାକ୍ତରଖାନା ଦଉଡ଼ିଲେ । କିନ୍ତୁ ଅନୁ ପାଷାଣଭଳି ଅଟଳ ରହି ଉତ୍ତର ଦେଲା—ମୁଁ ପରେ ଯିବି । କେବଳ ତା’ରି ପାଇଁ ସୁରେନ୍ଦ୍ରବାବୁଙ୍କର ଏ ଅବସ୍ଥା ବୋଲି ଅନୁର ମନ ଭାଙ୍ଗି ପଡ଼ିଥିଲା । କେତେ ସେ ତା’କୁ ଭଲ ପାଆନ୍ତି !

 

ରମଣୀବାବୁ ବ୍ୟସ୍ତ ହୋଇ ଫେରି ଆସିଲାକ୍ଷଣି, ଅନ୍ନପୂର୍ଣ୍ଣା ପଚାରିଲା—କ’ଣ ହେଲା-? ଭଲ ଅଛନ୍ତି ତ ?

 

ରମଣୀବାବୁ ବିସ୍ମିତ ହୋଇ କହିଲେ—ଆପଣ ଏ ପର୍ଯ୍ୟନ୍ତ ଦେଖି ଆସିନାହାନ୍ତି ! ସେ ବଡ଼ ଦୁର୍ବଳ ଥିଲେ । ହଠାତ୍‌ ଝୁଣ୍ଟିପଡ଼ି ତାଙ୍କ ହାତ ଓ ମୁଣ୍ଡରେ ବଡ଼ ଜଖମ୍‌ ଲାଗିଛି । ଡାକ୍ତରଖାନାକୁ ନେଇ ତାଙ୍କ ହାତ ଓ ମୁଣ୍ଡରେ ପଟି ବାନ୍ଧି ଦିଆଯାଇଛି । ସେ ଏଇକ୍ଷଣି ଟିକିଏ ଭଲ ଅଛନ୍ତି ।

 

ଅନୁ ବଡ଼ ଦୁଃଖିତ ହୋଇ କହିଲା—ମୁଁ ଟିକିଏ ଛାଡ଼ି ତାଙ୍କୁ ଦେଖିବାକୁ ଯିବି ।

 

ସେହିଦିନ ରାତି ନ’ଟା । ଅନୁ ମଟର ନେଇ ଡାକ୍ତରଖାନାରେ ପହଞ୍ଚି, ସିଧା ଡାକ୍ତରବାବୁଙ୍କ ସହିତ କଥାବାର୍ତ୍ତା କରି ସୁରେନ୍ଦ୍ରବାବୁ ଶୋଇଥିବା କୋଠରୀକୁ ପଶିଗଲା । ସୁରେନ୍ଦ୍ରବାବୁ ସେତେବେଳଯାଏ ବି ଆଖି ବୁଜି ଶୋଇ ରହି କ’ଣ ଯେମିତି ଭାବୁଥିଲେ । ଅନୁ ଦଣ୍ଡେ ମାତ୍ର ତାଙ୍କ ପାଖରେ ଠିଆହୋଇ ଅନ୍ତରରେ ଅସୀମ ବେଦନା ଧରି ମୁଣ୍ଡ ପାଖରେ ପଡ଼ିଥିବା ଚୌକି ଉପରେ ବସି ଆସ୍ତେ ମୁଣ୍ଡ ଉପରେ ହାତ ରଖିଲା ।

 

କାହାର କଅଁଳ ହାତର ପରଶ ପାଇ ସୁରେନ୍ଦ୍ରବାବୁ ଆସ୍ତେ ଆଖି ଖୋଲି ଦେଖିଲେ—ନିଜେ ଅନ୍ନପୂର୍ଣ୍ଣା ତାଙ୍କ ମୁଣ୍ଡ ଉପରେ ହାତ ରଖିଛନ୍ତି ।

 

ସୁରେନ୍ଦ୍ରବାବୁ ଭଲ କରି ଆଖି ଖୋଲି ଅଧରରେ ହର୍ଷବିଷାଦର ଏକ କ୍ଷୀଣ ହସ ଫୁଟାଇ ଗୋଟାଏ ଦୀର୍ଘନିଶ୍ୱାସ ପକାଇ ବ୍ୟଥାଭରା ସ୍ୱରରେ କହିଲେ—ଆପଣ ଆସିଛନ୍ତି ?

 

ଅନୁ ଆଉ ସେତେବେଳକର ତାଙ୍କର ଶୁଖିଲା ମୁହଁକୁ ଚାହିଁ ପାରିଲା ନାହିଁ । ତଳକୁ ମୁହଁ ପୋତିଲା ।

 

ସୁରେନ୍ଦ୍ରବାବୁ ପୁନର୍ବାର କହିଲେ—ଏଇ ମୁହୁର୍ତ୍ତରେ ଆପଣଙ୍କୁ ଆଗରେ ପାଇ ଯଦି ମୋର ମୃତ୍ୟୁ ହୁଅନ୍ତା—ମୁଁ ଚିରଦିନ ପାଇଁ ଶାନ୍ତି ପାଆନ୍ତି । ମୋର ଦୋଷ କ’ଣ ?

 

ଅନୁ ଠିକ୍‌ ଆଗ ପରି ତାଙ୍କ ମୁଣ୍ଡରେ ହାତ ବୁଲାଉ ବୁଲାଉ ଥର ଥର ଗଳାରେ କହିଲା–ମୁଁ ଭଲକରି ଜାଣେ, ଆପଣଙ୍କର ଅବସ୍ଥା ଆଜି ଇମିତି କାହିଁକି ? ଆଉ ଲୁଚାଇ ଲାଭ ନାହିଁ, ଆପଣ ମୋତେ ଖୁବ୍‌ ଭଲ ପାଆନ୍ତି—ମୁଁ ଆପଣଙ୍କୁ ଖୁବ୍‌ ଭଲ ପାଏ । କିନ୍ତୁ...... ।

 

ଅନ୍ନପୂର୍ଣ୍ଣା କ୍ଷଣେ ନୀରବ ରହି ପୁଣି ଥର ଥର ଗଳାରେ କହିଲା—ମୁଁ ଜାଣେ ଆପଣ ମୋତେ ଖୁବ୍‌ ଭଲ ପାଆନ୍ତି, ଯିଏ ଯାହାକୁ ଭଲ ପାଏ, ସେ କ’ଣ ତା’ର କଥା ମାନେ ନାହିଁ ? ମୋର ଗୋଟିଏ ଅନୁରୋଧ ଆପଣ ରକ୍ଷା କରିବେ ?

 

ସୁରେନ୍ଦ୍ରବାବୁ ବଡ଼ ବ୍ୟଗ୍ର ହୋଇ ଥରିଲା ଗଳାରେ କହିଲେ, ଆପଣଙ୍କର କ’ଣ ମୋ ଉପରେ ବିଶ୍ୱାସ ନାହିଁ ?

 

ଅନୁ ଟିକିଏ ଦମ୍ଭ ଧରି କହିଲା, ଅଛି । ଆପଣ ସବୁ ପଛକଥା ଭୁଲି ଯାଆନ୍ତୁ । ସ୍ୱାମୀ ସ୍ତ୍ରୀ ଛଡ଼ା ଦୁନିଆରେ ଆଉ କ’ଣ କିଏ କାହାକୁ ଭଲ ପାଏ ନାହିଁ ? ଆପଣ ମୋର ଆଜିଠାରୁ ଧର୍ମର ଭାଇ, ମୁଁ ଆପଣଙ୍କର ସାନ ଭଉଣୀ । ଅନ୍ନପୂର୍ଣ୍ଣା ଆଖି ଲୁହରେ ଢଳ ଢଳ ହୋଇ ଆସିଲା ।

 

ସୁରେନ୍ଦ୍ରବାବୁ ଚମକି ପଡ଼ି ନିର୍ବାକ ହୋଇ ପଡ଼ି ରହିଲେ ।

 

ପୁଣି ଅନୁ କହି ଚାଲିଲା—ମୋର କିଛି ଆପତ୍ତି ନଥିଲା । ମୁଁ ଦିନେ ଥିଲି ନାହାତି ଗରିବ—ରାସ୍ତାରେ ବୁଲୁଥିଲି, ଭାଗ୍ୟ ମୋତେ ଆଜି ଇମିତି କରିଛି—ଆପଣଙ୍କୁ ପାଇଥିଲେ ମୁଁ କେଡ଼େ ଭାଗ୍ୟବତୀ ହୋଇଥାଆନ୍ତି । କିନ୍ତୁ ମୋର ନିଜର ସୁଖ ଶାନ୍ତି ପାଇଁ—ମୋରି ଭଳି ଗୋଟିଏ ବାଳିକାର ଆଖିରୁ ଚିରଦିନ ତତଲା ଲୁହ ଗଡ଼ାଇବାକୁ ମୁଁ ଚାହେଁନାହିଁ ।

 

ସୁରେନ୍ଦ୍ରବାବୁ ଚମକି ପଡ଼ିଲେ ।

 

—ହଁ, ମୁଁ ଚାହେଁନାହିଁ । ମୋରି ରୂପ ଲୋଭରେ ଆପଣ ମୋତେ ମିଛ କହିଛନ୍ତି, ଆପଣ ବିବାହିତ, ଆପଣଙ୍କ ଘରେ ଆପଣଙ୍କର ସୁନ୍ଦରୀ ସ୍ତ୍ରୀ ଦୁଃଖରେ ଦିନ କାଟେ ।

 

ସୁରେନ୍ଦ୍ରବାବୁ ଗୋଟାଏ ହୋସରେ ବିସ୍ମିତ ହୋଇ କହି ଉଠିଲେ—କିଏ ପୂର୍ଣ୍ଣିମା !

 

—ହଁ ପୂର୍ଣ୍ଣିମା, ସେ ଆପଣଙ୍କୁ ଖୁବ୍‌ ଭଲ ପାଆନ୍ତି । ଆପଣ ଭୁଲ୍‌ କରିଛନ୍ତି, ତାଙ୍କୁ ପାଖକୁ ନଆଣି । ଭାଇ କ’ଣ ଭଉଣୀକୁ ଭଲ ପାଏ ନାହିଁ ? ମୁଁ ଏଣିକି ନିଶଙ୍କାରେ ଆପଣଙ୍କ ପାଖେ ପାଖେ ରହିବି—ଆହୁରି ଭଲ ପାଇବି—ଆପଣ ମତେ ଭଲ ପାଇବେ—ଆମ ମନରୁ ଦୁଃଖ କଷ୍ଟ କୁଆଡ଼େ ଉଭେଇ ଯିବ । ମୋତେ ଆଜିଠାରୁ ‘ଅନୁ’ ବୋଲି ଡାକନ୍ତୁ ? ମୁଁ ଶାନ୍ତି ପାଏ, ଆପଣ ଶାନ୍ତି ପାଆନ୍ତୁ ।

 

ସୁରେନ୍ଦ୍ରବାବୁଙ୍କୁ ଲାଗୁଥିଲା—ତାଙ୍କ ଆଖି ଆଗରୁ ସତେ ଯେପରି କେତେ ଦିନରୁ ଜମି ରହିଥିବା ଗୋଟାଏ ଘନ ପୁଟୁଳି ଆସ୍ତେ ଆସ୍ତେ ଅପସରି ଯାଉଛି । ଅନେକ ସମୟପରେ ସୁରେନ୍ଦ୍ରବାବୁ ଗୋଟାଏ ନବ ଉତ୍ତେଜନାରେ ମୁହଁରେ କ୍ଷୀଣ ହସ ଫୁଟାଇ କହିଲେ, ମୋର ଭୁଲ୍‌ ହୋଇଛି । ମୋତେ କ୍ଷମା କର ! ଆଜିଠାରୁ ମୋର ଭଉଣୀ ତମେ !

ଅନୁର ମୁହଁଟି ସତେଜ ହୋଇ ଉଠିଲା—ତାଙ୍କ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲା–ମୋର ଆଠଦିନ ରହିଲା ଜନ୍ମଦିନ । ବାପା କହୁଥିଲେ—ସମସ୍ତ କାରଖାନାର ଲୋକଙ୍କୁ ଭୋଜି ଦିଆଯିବ, ସେତେବେଳକୁ ନୂଆବୋଉ ଯେମିତି ଆପଣଙ୍କ ପାଖକୁ ଆସିଥାନ୍ତି, ମୁଁ ତାଙ୍କ ମୁହଁରେ ହସ ନଦେଖିବା ଯାଏ, ମୋ ମନରେ ସୁଖ ଶାନ୍ତି ନାହିଁ ।

ସୁରେନ୍ଦ୍ରବାବୁ ସେତେବେଳକୁ ତାଙ୍କର ମୁଣ୍ଡ ଓ ହାତର ବ୍ୟଥା ଭୁଲି ଯାଇଥିଲେ । ଗୋଟାଏ ଦୀର୍ଘନିଶ୍ୱାସ ପକାଇ କହିଲେ, ତାହାହିଁ ହେବ । ତୁମେ ଅନୁ—ଦେବୀ !

ପୁଣି ଅନୁ ରହି ରହି କହିଲା—ଆଜିଠାରୁ ତୁମେ ମୋର ଭାଇ ! କିନ୍ତୁ ବାପାଙ୍କର ଆଶା ଆପଣଙ୍କ ଉପରେ ଭିନ୍ନ ରକମ ଥିଲା, ସେ ଜାଣିଛନ୍ତି ଆପଣ ଅବିବାହିତ । ମୁଁ ବି ଏକଥା ଜାଣି ତାଙ୍କୁ କିଛି କହି ନାହିଁ । ଆପଣ ତାଙ୍କୁ କଥା ପ୍ରସଙ୍ଗରେ ବୁଝାଇଦେବେ । ହଁ, ମୁଁ ବାଛି ବାଛି ନିଯୁକ୍ତ କରିଥିବା ରମଣୀବାବୁ ଯେ ଖୁବ୍‌ ଉପଯୁକ୍ତ ଲୋକ, ସେ ବିଷୟରେ କାହିଁକି ଆପଣ ମୋତେ ଧନ୍ୟବାଦ ଦେଇ ନାହାନ୍ତି ?

ସୁରେନ୍ଦ୍ରବାବୁ ହସିଦେଇ କହିଲେ—ଭୁଲି ଯାଇଥିଲି ଅନୁ, ରମଣୀବାବୁ ଖୁବ୍‌ ଭଲଲୋକ, ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି ।

ପ୍ରାୟ ୧୦ଟା ବାଜିଥିଲା । ସୁରେନ୍ଦ୍ରବାବୁ କହିଲେ—ମୁଁ ଖୁବ୍‌ ସୁସ୍ଥ ବୋଧ କଲିଣି ଅନୁ ! ତୁ ଘରକୁ ଚାଲି ଯା, ଅନୁ ଟିକିଏ ଗମ୍ଭୀର ରହି କହିଲା—ଆଜି ଆପଣଙ୍କଠାରୁ ‘‘ତୁ’’ ଡାକରେ ମୋର ଆନନ୍ଦର ଆଉ ସୀମା ରହୁନାହିଁ ।

ସୁରେନ୍ଦ୍ରବାବୁ ଦୁଃଖ କରି କହିଲେ—ଭୁଲ୍‌ କରିଥିଲି... ।

ଅନୁ ଚାଲିଗଲା, ସୁରେନ୍ଦ୍ରବାବୁ ଦେଖିଲେ ଏତେ ଦିନର ସବୁ ଅଭିଳାଷ ତାଙ୍କ ମନରୁ କୁଆଡ଼େ ଉଭେଇ ଯାଇଛି। ତାଙ୍କ ମନରେ ଏକମାତ୍ର ଚିନ୍ତା, ଶୀଘ୍ର ଅନୁ ପାଇଁ ନରେନ୍ଦ୍ରବାବୁଙ୍କ ପାଖରେ ବିବାହର ପ୍ରସ୍ତାବ ଦେବେ । ଅନୁର ବଧୁ ବେଶ, ତାର ମୁହଁରେ ହସ ଦେଖିଲେ—ସେ ଶାନ୍ତି ପାଇବେ । ତେଣିକି ସବୁ ପଛ ସ୍ମୃତି ତାଙ୍କ ବେଳକେ ତାଙ୍କ ମନରୁ ଆପେ ଉଭେଇଯିବ । ଅନୁ ପାଇଁ ତ ଆଉ ବର ଖୋଜିବାକୁ ହେବନାହିଁ । ଅନୁତ ପ୍ରକାରାନ୍ତରେ ରମଣୀବାବୁଙ୍କ ନାମ କହିଯାଇଛି। ରମଣୀବାବୁ ତାର ଉପଯୁକ୍ତ ପାତ୍ର ।

ଅନୁର ଆଜି ଜନ୍ମଦିନ ଉତ୍ସବ । କଳ କାରଖାନା ଛୁଟିହୋଇ ଯାଇଛି । ଭୋଜିଭାତର ଯୋଗାଡ଼ ସକାଳ ପହରୁ ଲାଗିଗଲାଣି ।

ସୁରେନ୍ଦ୍ରବାବୁ ସବୁ କାମର ବରାଦ କରିସାରି ନରେନ୍ଦ୍ରବାବୁଙ୍କ ଘରକୁ ଗଲେ । ସେତେବେଳକୁ ନରେନ୍ଦ୍ରବାବୁ ନିରୁପମାଦେବୀଙ୍କ ସହିତ ଉତ୍ସବର କଥାବାର୍ତ୍ତାରେ ବ୍ୟସ୍ତ ଥିଲେ । ପୂର୍ଣ୍ଣ ବି ଚିଠି ପାଇ କଟକରୁ କାଲି ରାତିରୁ ପହଞ୍ଚି ଯାଇଛି—ତାର ଆନନ୍ଦର ସୀମା କହିଲେ ନ ସରେ ।

ସୁରେନ୍ଦ୍ରବାବୁ ଡାକୁଛନ୍ତି ବୋଲି ଖବର ପାଇ ନରେନ୍ଦ୍ରବାବୁ ତରତର ହୋଇ ବାରଣ୍ଡାକୁ ଚାଲି ଆସିଲେ । ନିରୁପମାଦେବୀ ଝରକା ପାଖରେ ଠିଆ ହୋଇଥାନ୍ତି । ନରେନ୍ଦ୍ରବାବୁ, ସୁରେନ୍ଦ୍ରବାବୁଙ୍କୁ ଦେଖିପକାଇ ଖୁସି ହୋଇ କହି ପକାଇଲେ କ’ଣ ବାବା ?

—ମୁଁ ପ୍ରାୟ ସମସ୍ତ କାମ ବରାଦ କରିଦେଇ ସାରିଛି । ଏଇ ଦଶଟାବେଳେ ଗାଡ଼ିରେ ମୋର ସ୍ତ୍ରୀ ଇତ୍ୟାଦି ଆସି ପହଞ୍ଚିବେ । ଅନ୍ନପୂର୍ଣ୍ଣା ବଡ଼ ଜିଦ୍‌ଧରି ସେମାନଙ୍କୁ ଲେଖି ଅଣାଇଛନ୍ତି । ରମଣୀବାବୁ ବାହାରେ ବୁଝାସୁଝା କରୁଛନ୍ତି—ମୁଁ ଟିକିଏ ଷ୍ଟେସନରୁ ଆସୁଛି ।

ସୁରେନ୍ଦ୍ରବାବୁଙ୍କ ପିଲା ପିଲି ! ନରେନ୍ଦ୍ରବାବୁ ଶୁଣୁ ଶୁଣୁ ତାଙ୍କ ମୁଣ୍ଡ ଘୂରିଗଲା । ସେ ବୁଝିଥିଲେ ଯେ, ସୁରେନ୍ଦ୍ରବାବୁ ଅବିବାହିତ ! ଅନୁ ସହିତ ଆସନ୍ତା ଫାଲଗୁନରେ ତାଙ୍କ ବିବାହ ହେବ ବୋଲି ଯେ ସେ ଠିକ୍‌ କରିଛନ୍ତି । ନରେନ୍ଦ୍ରବାବୁ ବଡ଼ ବିସ୍ମିତ ହୋଇ ହତାଶରେ କହି ପକାଇଲେ, ମୁଁ ଜାଣିଥିଲି ଆପଣ ଯେ ଅବିବାହିତ ! ଝରକା ଆରପାଖରେ ନିରୁପମାଦେବୀ ଏକଥା ଶୁଣି ଜିଭ କାମୁଡ଼ି ପକାଇ ଥକାହୋଇ ଖଟ ଉପରେ ବସି ପଡ଼ିଲେ ।

ସୁରେନ୍ଦ୍ରବାବୁ ନରେନ୍ଦ୍ରବାବୁଙ୍କ ଅବସ୍ଥା ଦେଖି ସବୁକଥା ବୁଝି ନେଇଥିଲେ । ମନେ ମନେ ହସି ନରେନ୍ଦ୍ରବାବୁଙ୍କ ହାତଧରି କହି ପକାଇଲେ—ମୋତେ ବିଶ୍ୱାସ କରନ୍ତୁ, ମୁଁ ଆଜିଠାରୁ ଆପଣଙ୍କର ପୁଅ, ଅନୁ ମୋର ଛୋଟ ଭଉଣୀ ! ତାର ଭବିଷ୍ୟତ ସୁଖ ଶାନ୍ତି ପାଇଁ ମୁଁ ବେଶ୍‌ ଭାବି ସାରିଛି ।

ନରେନ୍ଦ୍ରବାବୁ ଗୋଟାଏ ଦୀର୍ଘନିଶ୍ୱାସ ମାରି ବିସ୍ମିତହୋଇ ସୁରେନ୍ଦ୍ରବାବୁଙ୍କ ମୁହଁଆଡ଼େ ଚାହିଁ କହିଲେ—ଅନୁର ଭବିଷ୍ୟତ ପାଇଁ ଭାବି ସାରିଛନ୍ତି !

—ହଁ ଆଜ୍ଞା, ଭାବି ସାରିଛି—ଏକରକମ ଠିକ୍‌ କରିସାରିଛି । ନିରୁପମା ଦେବୀ ବିସ୍ମିତ ହୋଇ ଝରକା ଆରପାଖରେ ସମସ୍ତ କଥା ଶୁଣୁଥିଲେ । ସୁରେନ୍ଦ୍ରବାବୁ କହିଲେ—ଅନୁ ପାଇଁ ରମଣୀବାବୁହିଁ ଏକମାତ୍ର ଯୋଗ୍ୟପାତ୍ର । ଆସନ୍ତା ଫାଲଗୁନ ମାସରେ ବିବାହ ନିଶ୍ଚୟ ହୋଇଯିବ ।

ନରେନ୍ଦ୍ରବାବୁ ରହି ରହି କହିଲେ—ଅନୁର ଯଦି....

ନରେନ୍ଦ୍ରବାବୁଙ୍କ ପାଟିରୁ କଥା ନ ସରୁଣୁ ସୁରେନ୍ଦ୍ରବାବୁ କହିଲେ—ସେକଥା ଆପଣ ଭାବନ୍ତୁ ନାହିଁ । ଅନୁର ଇଚ୍ଛାରେ ମୋର ଇଚ୍ଛା । ଆପଣ ସେ ବିଷୟ ନେଇ.....

ନରେନ୍ଦ୍ରବାବୁ ଆନନ୍ଦରେ ଗୋଟିଏ ନିଶ୍ୱାସ ମାରିଲେ । ନିରୁପମାଦେବୀଙ୍କ ମୁଖରେ ହସ ଫୁଟି ଉଠିଲା । ନରେନ୍ଦ୍ରବାବୁ ସୁରେନ୍ଦ୍ରବାବୁଙ୍କ ହାତ ଧରି ଘର ଭିତରକୁ କହି କହି ଟାଣିନେଲେ ଆସ ବାବା, ଆଜିଠାରୁ ଏ ତମର ଘର । ଲାଜ ଆଉ କାହାକୁ, ତମ ମାଉସୀ ପାଖକୁ ତମେ ଆସ । ସେ ତାଙ୍କର ବୋହୂଟିକୁ ପାଛୋଟି ଆଣିବାପାଇଁ ଷ୍ଟେସନ ଯାଆନ୍ତୁ ।

ସୁରେନ୍ଦ୍ରବାବୁ ମୁରୁକି ହସ ହସି କହିଲେ—ମୁଁ ଯାଉଛି ନେଇ ଆସିବି—ମାଉସୀ ଗଲେ ଏ କାମ ଆଉ ଚଳିବ ନାହିଁ । ସୁରେନ୍ଦ୍ରବାବୁ ମଟର ନେଇ ବାହାରିଗଲେ ଷ୍ଟେସନ ।

ସୁରେନ୍ଦ୍ରବାବୁଙ୍କ ଘରୁ ଆସିଥିଲେ—ସୁରେନ୍ଦ୍ରବାବୁଙ୍କ ସ୍ତ୍ରୀ ପୂର୍ଣ୍ଣିମା, ତାଙ୍କର ଗୋଟିଏ ଛୋଟ ଭଉଣୀ, ଆଉ ଛାଡ଼ି ଦେବାପାଇଁ ଅନ୍ୟ ଜଣେ ଲୋକ । ସୁରେନ୍ଦ୍ରବାବୁ ସେମାନଙ୍କୁ ମଟରରେ ଆଣି ବସାରେ ଛାଡ଼ି, ସିଧା ନରେନ୍ଦ୍ରବାବୁଙ୍କ ବସାକୁ ଆସିଲେ । ନରେନ୍ଦ୍ରବାବୁଙ୍କ ଘରେ ଯେମିତି ସମସ୍ତେ ଶୁଣିଲେ, ସୁରେନ୍ଦ୍ରବାବୁଙ୍କ ସ୍ତ୍ରୀ ଆସିଛନ୍ତି, ନିରୁପମାଦେବୀ ବ୍ୟସ୍ତ ହୋଇ କହିଲେ–ଆଜି ଏଠିକୁ ନ ଆଣି ସେଠି କାହିଁକି ରଖିଲେ ? ପୂର୍ଣ୍ଣ କହିଲା—ସେ ସେଠି ରଖିଲେ କ’ଣ ମୁଁ ଆଣିପାରିବି ନାହିଁ ! ଯାଉଛି ଉପରକୁ, ଅନୁ ଅପାକୁ କହିଦେଲେ, ସେ ଯାଇ ଏଇକ୍ଷଣି ନେଇ ଆସିବ ଯେ !

 

ଅନ୍ନପୂର୍ଣ୍ଣା ଯେମିତି ଶୁଣିଛି—ସୁରେନ୍ଦ୍ରବାବୁଙ୍କ ସ୍ତ୍ରୀ ଆସି ପହଞ୍ଚି ଗଲେଣି ସେମିତି ଚନ୍ଦନପାଟି ନାଇ ସିଧା ମଟରରେ ବସି ଦଉଡ଼ିଗଲା ସୁରେନ୍ଦ୍ର ବାବୁଙ୍କ କୋଠିକୁ । ପୂର୍ଣ୍ଣିମା ସେତେବେଳକୁ ଦୁଆର ମୁହଁରେ ଅପସରା ପରି ଠିଆହୋଇ କାରଖାନା ଆଡ଼େ ଚାହିଁ ରହିଥିଲା । ଅନୁ ଗାଡ଼ି ଉପରୁ ଓହ୍ଲାଇ ପଡ଼ି ହସି ହସି ତା’ ପାଖକୁ ଚାଲିଗଲାକ୍ଷଣି, ପୂର୍ଣ୍ଣିମା ମଧ୍ୟ ହସି ହସି ଅନୁର ହାତ ଧରି ପକାଇ କହିଲା—ଭିତରକୁ ଆସ ?

 

ଅନୁ ପୂର୍ଣ୍ଣିମାର ପାଖକୁ ଯାଉ ଯାଉ କହିଲା, ମତେ ଚିହ୍ନିଛ ? ଅପରିଚିତାକୁ ଇମିତି କ’ଣ ଘର ଭିତରକୁ ଡାକନ୍ତି !

 

ପୂର୍ଣ୍ଣିମା ହସି ହସି କହିଲା—ମୋତେ କିଛି ଅଚ୍ଛପା ନାହିଁ, ତାଙ୍କଠାରୁ ସବୁ ଶୁଣିଛି ।

 

ଦୁହେଁଯାକ ହସ ହସ ମୁହଁରେ ସାମନା ସାମନି ବସିଲେ । ପୂର୍ଣ୍ଣିମା ପ୍ରଥମ କରି କହିଲା–ଆଜି ତ ତମର ଜନ୍ମଦିନ, ଆମକୁ କାହିଁକି ନିମନ୍ତ୍ରଣ ତ କଲ ନାହିଁ ?

 

ଅନୁ ହସି ହସି କହିଲା—ସେ ବାଆଁରା ବାଆଁରି କଥା କହିଲେ ଚଳିବ ନାହିଁ—ମୋତେ ପୁରସ୍କାର ଦେବାକୁ କ’ଣ ଆଣିଛ କୁହ ? ମୁଁ କ’ଣ ପୁରସ୍କାର ପାଇବାର ହକଦାର ନୁହଁ ? ତମ ଆଖିରେ ସୁରେନ୍ଦ୍ରବାବୁ ପରା ଥିଲେ ବଡ଼ ନିଷ୍ଠୁର । ମୁଁ ତାଙ୍କୁ ତୁମ ପ୍ରତି ଦୟାଳୁ କରାଇଛି—ମୋର ପୁରସ୍କାର ଦିଅ ।

 

ପୂର୍ଣ୍ଣିମା ତଳକୁ ମୁହଁ ପୋତି ହସି ହସି କହିଲା, କି ପୁରସ୍କାର ଦେବି । ମୋତେ ଯେ ଏଠିକି ଆଣିଛ—ଏଇ ତମର ପୁରସ୍କାର ।

 

ଅନୁ ହସି ହସି ଠିଆ ହୋଇ କହିଲା—ଖୁବ୍‌ ପାଇଲି । ଆସ ଆମ ଘରକୁ । ପୂର୍ଣ୍ଣିମାର ହାତ ଧରି ଅନୁ ଉଠାଇ ଆଣିଲା ।

 

ପାଖରେ ସୁରେନ୍ଦ୍ର ବାବୁଙ୍କର ଭାରି ସୁନ୍ଦରିଆ ଛ’ସାତ ବରଷର ଭଉଣୀଟି ଛିଡ଼ା ହୋଇଥିଲା । ଅନୁ ତାକୁ ନିଜ ଆଡ଼କୁ ଆଉଜେଇ ଆଣି କହିଲା—ଚାଲେ ଆମ ଘରକୁ । ତୋ ନାଁ କଣ ?

 

ଝିଅଟି ହସି ହସି ଉତ୍ତର ଦେଲା—ମୋ ନାଁ ? ମୋ ନାଁ, ଶକୁନ୍ତଳା । ନୂଆବୋଉ ଡାକନ୍ତି ଶେଫାଳି ।

 

ପୂର୍ଣ୍ଣ ପାଖରେ ଠିଆ ହୋଇଥିଲା, ହସି ହସି କହିଲା—ଆମ ବାରିରେ ଯେଉଁ ଫୁଲ ଅଛି, ତା’ ନାଁ ବି ଶେଫାଳି ।

 

ଅନୁ ପୂର୍ଣ୍ଣ ଆଡ଼କୁ ଅନାଇ କହିଲା—ଏ ଝିଅଟି ଭାରି ସୁନ୍ଦର । ବଡ଼ ହେଲେ ତୋ ସହିତ ବିବାହ କରିଦେବା ।

 

ପୂର୍ଣ୍ଣ ଲାଜରେ ଦଉଡ଼ି ଯାଇଁ ମଟରରେ ବସିଲା । ସମସ୍ତେ ଚାଲିଲେ ନରେନ୍ଦ୍ରବାବୁଙ୍କ ଘରକୁ ।

 

ଅନୁର ଜନ୍ମଦିନ ଉତ୍ସବ ମହାସମାରୋହରେ ହୋଇଯାଇଛି ।

 

ଦୁଇ ତିନିଦିନ ପରେ ! ସକାଳବେଳା ରମଣୀବାବୁ, ନରେନ୍ଦ୍ରବାବୁଙ୍କ ବାରଣ୍ଡାରେ ବସି ଖବରକାଗଜ ପଢ଼ୁଥିଲେ । ଅନୁ କମଳା ସରବତ ଗ୍ଲାସେ ଆଣି ମୁରୁକି ହସି ହସି କହିଲା, ନିଅନ୍ତୁ ?

 

ରମଣୀବାବୁ ପଢ଼ା ବନ୍ଦ କରି ଅନୁ ମୁହଁକୁ ଅନାଇଁ ଦେଇ ସରବତ ଗ୍ଲାସଟି ନେଲେ । ବଡ଼ ମନମାରି କହିଲେ—ମନରେ ବଡ଼ ଦୁଃଖ ରହିଲା—କାହିଁକି ସେ ଶାଢ଼ି ଖଣ୍ଡକ ତ ପିନ୍ଧିଲେ ନାହିଁ ? ନିହାତି ବାଜେ, ନୁହେଁ ? ମୋର ତ ଆଗରୁ ଶାଢ଼ି କିଣିବାର ଅଭ୍ୟାସ ନଥିଲା । ପ୍ରଥମ ହୋଇ ପସନ୍ଦ କରି କିଣିଛି—ଯାହା ହୋଇଥିବ ।

 

ଅନୁ ସହାଣି ହସ ହସି ଲାଜ ଲାଜ ହୋଇ କହିଲା—ମୁଁ ଦିନେ ପିନ୍ଧିବି ଯେ ! ଆପଣଙ୍କର କାହିଁକି ସେଥିପାଇଁ ଭାବନା ପଡ଼ିଛି ।

 

ସୁରେନ୍ଦ୍ରବାବୁ, ନରେନ୍ଦ୍ରବାବୁଙ୍କ ପାଖକୁ କୌଣସି କାମରେ ଜୋତା ମଚ ମଚ କରି ବାରଣ୍ଡା ଉପରକୁ ଉଠି ଆସିଲେ । ଅନୁ ତାଙ୍କୁ ଦେଖି ଲାଜ ଲାଜ ହୋଇ ଘର ଭିତରକୁ ଚାଲିଗଲା-। ସୁରେନ୍ଦ୍ରବାବୁ ରମଣୀବାବୁଙ୍କ ପାଖରେ ବସି ଗୋଟାଏ ଖବରକାଗଜ ପୃଷ୍ଠା ଲେଉଟାଉ ଲେଉଟାଉ ବଡ଼ ଖୁସି ମନରେ ଗମ୍ଭୀର ହୋଇ କହିଲେ, ମୋର ହୁକୁମ, ଆପଣଙ୍କୁ ଏଠି ଆଉ ରହିବାକୁ ହେବନାହିଁ । ମୋ ବସାରେ ଆଜିଠାରୁ ରହିବେ । ଏକୁଟିଆ ମଣିଷ, ଆପଣଙ୍କର ସ୍ୱତନ୍ତ୍ର ବସା କ’ଣ ହେବ । ଆଉ ମାସ ଦେଢ଼ଟା ପରେ ତ ପୁନର୍ବାର ଆପଣଙ୍କୁ ସବୁଦିନପାଇଁ ଏଠିକୁ ରହିବାପାଇଁ ଫେରି ଆସିବାକୁ ପଡ଼ିବ....

 

ଆଗରୁ ପ୍ରକାରାନ୍ତରେ ରମଣୀବାବୁ ଏକଥା ଟିକିଏ ବୁଝିଥିଲେ । ମନେ ମନେ ଖୁସି ହୋଇ ମୁରୁକି ହସି ହସି କହିଲେ—ହୁକୁମ ପାଳନ କରିବି ।

 

କାରଖାନାର ବାର୍ଷିକ ଲାଭ କ୍ଷତିର ହିସାବ ହୋଇ ଯାଇଛି, ମୋଟ ଉପରେ ସବୁ ବିଭାଗରୁ ପ୍ରଥମ ବର୍ଷରେ ସାଢ଼େ ତିନିଲକ୍ଷ ଟଙ୍କା ଲାଭ ହୋଇଛି । ସୁରେନ୍ଦ୍ରବାବୁଙ୍କର ମନରେ ଆନନ୍ଦର ଆଉ ସୀମା ନାହିଁ । ସବୁ ବିଭାଗର କର୍ମଚାରୀମାନଙ୍କ ଦରମା ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ବଢ଼ାଇ ଦିଆଯାଇଛି । ନିଜେ ନରେନ୍ଦ୍ରବାବୁ, ସୁରେନ୍ଦ୍ର ବାବୁଙ୍କ ପରାମର୍ଶ ନେଇ ୫୦ ହଜାର ଟଙ୍କା ଅନୁର ବିବାହ ଘର ଆଠ ଦିନ ପୂର୍ବରୁ ସମସ୍ତଙ୍କୁ ବାଣ୍ଟି ଦେବାପାଇଁ ଆଦେଶ ଦେଇଛନ୍ତି । ସବୁ ଶ୍ରମିକ ଓ କର୍ମଚାରୀଙ୍କ ମନରେ ଆନନ୍ଦର ଢେଉ ଖେଳୁଚି ।

 

ଅନୁ ବିବାହ ଦିନ ରହିଲା ମୋଟେ ୧୫ଦିନ । ଆଜି କାରଖାନାକୁ ଲାଗିଥିବା ବାହାରେ ଏକ ପ୍ରଶସ୍ଥ ସମତଳ ସ୍ଥାନ ଉପରେ ମଣ୍ଡପ ବନ୍ଧାଯାଇ ଫୁଲପତ୍ରରେ ସଜାସଜି ହୋଇଛି । ସୁରେନ୍ଦ୍ରବାବୁ ଉଦ୍ୟମରେ ଏ ସବୁ ହୋଇଛି—ନରେନ୍ଦ୍ରବାବୁ ଓ ଅନ୍ନପୂର୍ଣ୍ଣାକୁ ଅଭିନନ୍ଦନ ଜଣାଇବା ପାଇଁ ।

 

ପାଞ୍ଚଟା ବାଜିଲା । ସୁରେନ୍ଦ୍ରବାବୁ, ନରେନ୍ଦ୍ରବାବୁ ଓ ଅନ୍ନପୂର୍ଣ୍ଣାକୁ ପାଛୋଟି ନେବାପାଇଁ ଘରକୁ ଆସିଲେ । । ଅନୁର ବୁଢ଼ାବାପକୁ ମଧ୍ୟ ମଣ୍ଡପକୁ ଅଣାଯାଇଥାଏ । ଅନାଥାଶ୍ରମର ଛୋଟ ଛୋଟ ଝିଅ ପୁଅ ଗୁଡ଼ିକ ନାଚ ଦେଖିବା ପାଇଁ ଆଗରୁ ସେଇଠିକୁ ଯାଇ ଥାଆନ୍ତି ।

 

ନରେନ୍ଦ୍ରବାବୁ ଓ ଅନ୍ନପୂର୍ଣ୍ଣା ଯେଉଁ ଶ୍ରମିକପଡ଼ା ବାଟଦେଇ ଗଲେ, ସମସ୍ତେ ତାଙ୍କୁ ଅଭିବାଦନ ଜଣାଇଲେ । ଛୋଟ ପିଲାମାନେ ତାଙ୍କ ବେକରେ ଆସି ହସି ହସି ଫୁଲମାଳ ଗଳାଇ ଦେଲେ ।

 

ଛୋଟ ଛୋଟ ଛୁଆ ଗୁଡ଼ିକୁ ନରେନ୍ଦ୍ରବାବୁ ଆଉ ଅନୁ ସ୍ନେହରେ ନିଜ ଆଡ଼କୁ ଆଉଜେଇ ଆଣୁଥାନ୍ତି ।

 

ଚାରିଆଡ଼େ ହସ ଖୁସି—ଆନନ୍ଦ କୋଳାହଳ ଦେଖି ଦେଖି ଅନୁ କହିଲା—ବାପା, ଆପଣ ଯଦି ଟ୍ରେଜରି ଭିତରେ ସେ ସବୁ ଟଙ୍କା ପୁରାଇ ରଖିଥାନ୍ତେ—ଆଜି ଯେତେ ଆନନ୍ଦ ପାଉଛନ୍ତି ସେମିତି କ’ଣ ଆନନ୍ଦ ପାଇଥାନ୍ତେ ? ଏତେ ଲୋକଙ୍କର ଦୁଃଖ ଯାଇ ସେମାନଙ୍କ ମୁହଁରେ କ’ଣ ହସ ଫୁଟୁ ଥାଆନ୍ତା ? ଆମ ଦେଶରେ ଅନେକ ବଡ଼ଲୋକ ଇମିତି ଟଙ୍କା ସାଇତି ରଖି ଦେଇଛନ୍ତି । ସେମାନେ ଯଦି ଇମିତି କାରଖାନା ଗୋଟିଏ ଲେଖାଏଁ ଖୋଲନ୍ତେ—ତାଙ୍କର ଖୁବ୍‌ ଲାଭ ହୁଅନ୍ତା । ତା ଛଡ଼ା ଆମ ଦେଶ ଲୋକଙ୍କର କ’ଣ ଦୁଃଖ କୁଆଡ଼େ ଉଭେଇ ଯାଆନ୍ତା ନାହିଁ ?

 

ନରେନ୍ଦ୍ରବାବୁ ଚାଲୁ ଚାଲୁ ଖୁସି ହୋଇ କହିଲେ—ତୁ ପରା ମୋର ଲକ୍ଷ୍ମୀ, ତୋ କଥାରେ ମୋର ବୁଦ୍ଧି ଫେରିଛି ।

ସଭାମଣ୍ଡପ ଚାରୋଟି ଫୁଲମାଳ ନରେନ୍ଦ୍ରବାବୁ, ଅନ୍ନପୂର୍ଣ୍ଣା, ସୁରେନ୍ଦ୍ରବାବୁ ଓ ରମଣୀବାବୁଙ୍କ ବେକରେ ଲମ୍ୱାଇ ଦିଆଗଲା । ନରେନ୍ଦ୍ରବାବୁଙ୍କ ନିର୍ଦ୍ଦେଶରେ ଆଉ ଗୋଟିଏ ମାଳ ଅନୁର ବାପ—ଦିନବନ୍ଧୁ ମହାପାତ୍ରଙ୍କ ବେକରେ ବି ଲମ୍ୱାଇ ଦିଆଗଲା ।

 

ପ୍ରାଥମିକ ସଙ୍ଗୀତ, ବୋଲା ଗଲାପରେ ନରେନ୍ଦ୍ରବାବୁ କାରଖାନାରେ ହଜାର ହଜାର ରୁଣ୍ଡ ହୋଇଥିବା ଲୋକଙ୍କୁ ସମ୍ୱୋଧନ କରି କହିଲେ—

 

‘‘ଆପଣମାନଙ୍କର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଆଜି କାରଖାନାର ଯେତେ ଲାଭ ହୋଇଛି, ସେଥିପାଇଁ ମୁଁ ଯେତେ ଖୁସି ନ ହେଉଛି, ତା’ ଅପେକ୍ଷା ବେଶି ଖୁସି ହେଉଛି ଆପଣମାନେ ପର ଦେଶରେ ଆଉ ଲାଞ୍ଛିତ ନ ହୋଇ ନିଜ ଦେଶକୁ ଫେରି ଆସିଛନ୍ତି ବୋଲି । ଏ ବିରାଟ କାରଖାନା ପାଇଁ ଆପଣମାନଙ୍କ ଆଗରେ ମୁଁ ପ୍ରଶଂସାର ପାତ୍ର ନୁହେଁ; ପ୍ରଶଂସାର ପାତ୍ର ଏଇ ମୋର ଝିଅ ଅନ୍ନପୂର୍ଣ୍ଣା । ଏହାରି ଉଦ୍ୟମରେ ମୁଁ ଏସବୁ କରାଇଛି, ତା’ ଛଡ଼ା ସୁରେନ୍ଦ୍ରବାବୁ ଓ ରମଣୀବାବୁଙ୍କୁ ମଧ୍ୟ ଧନ୍ୟବାଦ ନ ଦେଇ ରହି ପାରୁନାହିଁ । ସୁରେନ୍ଦ୍ରବାବୁଙ୍କ ପ୍ରଗାଢ଼ ଚେଷ୍ଟାରେ ଏ କାରଖାନା ଆଜି ଏତେ ଉନ୍ନତି କରିଛି।

 

ଏ ଦେଶର କଲ୍ୟାଣ ପାଇଁ ଏବଂ ବିଦେଶରେ ଆହୁରି ଲକ୍ଷ ଲକ୍ଷ ଆମରି ଦେଶ ଭାଇଙ୍କୁ ଫେରାଇ ଆଣିବାକୁ ହେଲେ ଏହି ଗୋଟିଏ କାରଖାନା ଯଥେଷ୍ଟ ନୁହେଁ—ଏହିଭଳି ଶହ ଶହ ହେବା ଦରକାର । ଭଗବାନଙ୍କ ପାଖରେ ମୋର କାମନା ଏ ଦେଶର ରାଜା ଜମିଦାର ଧନୀ ମହାଜନଙ୍କ ମନରେ ସଦ୍‌ବୁଦ୍ଧି ଆସୁ । ସେମାନେ ଦେଶର କଲ୍ୟାଣ ପାଇଁ—ଏ ଦେଶର ଲକ୍ଷ ଲକ୍ଷ ନିରୀହ କୁଲି ମଜୁରିଆଙ୍କ ମୁହଁରେ ହସ ଦେଖିବାପାଇଁ ଆଉ ଟଙ୍କା ସାଇତି ନ ରଖି ଏହିଭଳି କଳକାରଖାନା ତିଆରି କରନ୍ତୁ । ସେମାନେ ସେମାନଙ୍କର ଟଙ୍କାର ଯଥେଷ୍ଟ ଲାଭ ପାଇବା ସଙ୍ଗେ ସଙ୍ଗେ ଦେଶର ଜନସାଧାରଣଙ୍କର ଯଥେଷ୍ଟ ଉପକାର ମଧ୍ୟ କରିପାରିବେ ।

 

ସଭା ମଣ୍ଡପର ଚାରିଆଡ଼ୁ କରତାଳି—ଆନନ୍ଦ କୋଳାହଳରେ ପୂରି ଉଠିଲା ।

 

.....ପୁଣି ନରେନ୍ଦ୍ରବାବୁ ହସି ହସି କହିଲେ—ଆପଣମାନେ ପୁଣି ଖୁସିହେବେ ଯେ ଆପଣଙ୍କର ମ୍ୟାନେଜରବାବୁ ରମଣୀବାବୁଙ୍କ ସହିତ ମୋର କନ୍ୟା ଅନ୍ନପୂର୍ଣ୍ଣାର ବିବାହ ହେବାର ସ୍ଥିର ହୋଇଛି । ଆଉ ବିଭାଘର ରହିଲା ମୋଟେ ଦଶଦିନ । ସେଥିପାଇଁ ତାଙ୍କର ଶୁଭ ବିବାହରେ ଆପଣମାନଙ୍କର ଆଶୀର୍ବାଦ କାମନାକରି ଆପଣଙ୍କ ଭିତରେ ବାଣ୍ଟି ଦେବାପାଇଁ ସୁରେନ୍ଦ୍ରବାବୁଙ୍କ ହସ୍ତରେ ୫୦ ହଜାର ଟଙ୍କା ଦେଇଛି....

 

—ପୁଣି ଆଗ ଅପେକ୍ଷା ଆହୁରି ଆନନ୍ଦ କୋଳାହଳ, କରତାଳିରେ ଚାରିଆଡ଼ ଉଠିଲା ପଡ଼ିଲା....

 

ନରେନ୍ଦ୍ରବାବୁ ହସି ହସି କହିଲେ—ଆଉ ବିଶେଷ କିଛି କହିବାର ମୋର ନାହିଁ । ଆପଣମାନେ ସ୍ନେହ ସହାନୁଭୂତି ଏ କାରଖାନା ପ୍ରତି ଯେପରି ଚିରଦିନ ରହେ—ତାହାହିଁ ମଙ୍ଗଳମୟ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା ।

 

ତା’ପରେ ସୁରେନ୍ଦ୍ରବାବୁ କିଛି କହିସାରିଲା ପରେ, ବିଦାୟ ସଙ୍ଗୀତ ବୋଲାଯାଇ ସଭା ଭଙ୍ଗ ହେଲା ।

 

ସେତିକିବେଳଠୁଁ ଅନୁ ଆଉ ରମଣୀବାବୁଙ୍କ ମୁହଁକୁ ଚାହିଁ ପାରିଲା ନାହିଁ—ରମଣୀବାବୁ ମଧ୍ୟ ବାହାରେ ଆଡ଼ ଆଡ଼ ହୋଇ ରହିଲେ ।

 

ଆଜି ଅନୁର ବିଭାଘର । ଚାରିଆଡ଼େ ଉତ୍ସବ, ନାନା ଜାତି ବାଦ୍ୟରେ ପୂରି ଉଠୁଛି । ବର କନ୍ୟା ବେଦିକୁ ଆସିଲେ । ପୁରୋହିତ ମନ୍ତ୍ର ପାଠ କଲା ।

 

ଅନୁ ବୁଢ଼ାବାପ ଶାନ୍ତିପୁରୀ ଧୋତି, ବେକରେ ଚାଦର ପକାଇ ମନରେ ଅସୀମ ଆନନ୍ଦ ଧରି ବେଦି ଚାରିପାଖରେ ବସିଥିବା ଭଦ୍ରଲୋକଙ୍କ ପାଖରେ ଠିଆ ହୋଇଯାଇ କହିଲା—ମୁଁ ତ ଭଲ ବର ବେଶ ସାଜି ଆସିଛି । ମୁଁ କେଉଁଠି ବସିବି ? ସେଠାରେ ବସିଥିବା ବୁଢ଼ା, ଟୋକା ତାଙ୍କ ହାତ ଧରି ବସାଉ ବସାଉ ଠୋ ଠୋ ହୋଇ ହସି ଉଠିଲେ । ପତଳା ଓଢ଼ଣା ଭିତରେ ଅନୁ ମୁରୁକି ମୁରୁକି ହସିଲା । ରମଣୀବାବୁ ବି ଓଠ ଚିପି ହସିଲେ ।

 

ମଧୁଶଯ୍ୟା ରାତି । ଉପର ମହଲା ଅନୁର ଶୋଇବା ଘରଟି ଫୁଲ ପତ୍ରରେ ବେଶ୍‌ ସଜାସଜି ହୋଇଛି । ଅନୁ ବଧୂବେଶରେ ରମଣୀବାବୁ ଆଣିଥିବା ସେହି ଶିଲ୍‌କ ଶାଢ଼ିଟି ପିନ୍ଧି ଝରକା ପାଖରେ ଉଦ୍‌ବିଘ୍ନ ମନରେ ବସି ରହିଥାଏ ।

 

ରାତି ପ୍ରାୟ ଏଗାରଟା ହେବ । ହଠାତ୍‌ ପୂର୍ଣ୍ଣିମା ଡାକିଲା, ଅନୁ ? ଅନୁ କରେଇ ଚାହିଁଦେଲା । ପୂର୍ଣ୍ଣିମା ରମଣୀବାବୁଙ୍କୁ ଠେଲିଦେଇ ହସି ହସି କବାଟ ଆଉଜେଇ ନେଉ ନେଉ କହିଲା—ତମ ପ୍ରିୟ ବନ୍ଧୁଙ୍କୁ ଛାଡ଼ିଦେଇ ଗଲି । ମୋର ପୁରସ୍କାର କାଲିକୁ ରଖିଥିବ ।

 

ରମଣୀବାବୁ କବାଟ ବନ୍ଦକରି ଅନୁ ଆଡ଼କୁ ଆଗେଇ ଆସିଲେ । ସେଦିନ ରମଣୀବାବୁଙ୍କୁ ଶିଲ୍‌କି ପଞ୍ଜାବି ଉପରେ ନାନାଜାତି ଫୁଲର ମାଳଟି ବେଶ୍‌ ସୁନ୍ଦର ଦେଖାଯାଉଥାଏ-

 

ଅନୁ ତାଙ୍କୁ ଦେଖି ମୁରୁକି ମୁରୁକି ହସିଲା କିନ୍ତୁ ରମଣୀବାବୁଙ୍କ ଆଡ଼କୁ ଚାହିଁଲା ନାହିଁ । ଅଭିମାନ କଲାପରି ଝରକା ବାଟ ଦେଇ ବାହାରକୁ ଚାହିଁ ରହିଲା ।

 

ରମଣୀବାବୁ ପ୍ରେମ ଉଛୁଳା ମୁରୁକି ହସ ହସି ଅନୁ ପାଖରେ ବସିଯାଇ ତାର ଋଷି ମନଭୁଲା ସୁନ୍ଦର ମୁହଁଟି ନିଜ ଛାତି ଆଡ଼କୁ ଆଉଜାଇ ଆଣି କହିଲେ—ତମେ ବଡ଼ ଭୁଲ୍‌ କରିଛ ଅନୁ ! ସୁଧ ନଦେଇ ମୋ ଶାଢ଼ି କାହିଁକି ପିନ୍ଧିଲ ?

 

ଅନୁ ତାଙ୍କ ମୁହଁଆଡ଼େ ଲାଜ ଲାଜ ହୋଇ ଦୁଷ୍ଟାମୀ ହସ ହସି କଣେଇ କଣେଇ ଚାହିଁ ଥିର ଥିର କହିଲା—ତୁମେ ଭାରି ସିଆଣିଆ । ଖଣ୍ଡେ ଶାଢ଼ି ଦେଇ ତାର ସୁଧ ବାବଦ୍‌ ମୋତେ ପାଇଛ !

Image